ଭାଗ୍ୟ

                ଗୋବିନ୍ଦ ଘରକୁ ଫେରିଲା । ବାପାଙ୍କର ଚିକିତ୍ସା କରାଇଲା । ମା’ ପାଇଁ ରେଶମୀ ଶାଢୀ କିଣିଲା । ଭଙ୍ଗାଘର ମରାମତି କରାଗଲା । ତିନି ଏକର ଜମି ମଧ୍ୟ ସେ କିଣିଲା । ଏସବୁ କରିବା ପରେ ତା’ର ଭୂତ କଥା ମନେ ପଡିଲା । ସେ ଦିନେ ଜଙ୍ଗଲକୁ ଗଲା ।

                ସେ ସେଠାରେ ଗୋଟାଏ ସପ୍ତାହ ରହିଲା ଓ ଭୂତକୁ ବହୁ ରାଜାରାଣୀଙ୍କର ମନୋହର କାହାଣୀ ଶୁଣାଇଲା । ସେ ଯେତେଦିନ ସେଠାରେ ରହିଲା ଭୂତ ଭାରି ଖୁସି ଥାଏ । ସେ ଯେତେବେଳେ ଘରକୁ ଯିବାକୁ ବାହାରିଲା, ଭୂତ ଦୁଃଖି ହୋଇ କହିଲା, “ତୁମେ କ’ଣ ସବୁଦିନ ପାଇଁ ମୋ ପାଖରେ ରହି ପାରିବ ନାହିଁ?”

ଗୋବିନ୍ଦ କହିଲା, “ଭଉଣୀମାନଙ୍କର ବିବାହ କରାଇବି । ବାପାମା’ଙ୍କର ସେବା କରିବି । ତୁମ ପାଖକୁ ଯିବା ଆସିବା ମଧ୍ୟ କରୁଥିବି । କିନ୍ତୁ ମୁଁ ଏଠାରେ ସଦାବେଳେ କିପରି ରହି ପାରିବି, ତାହା ତୁମେହିଁ କୁହ?”

ଏଥର ଭୂତ ବହୁତ ସୁନା ମୋହର ଗୋବିନ୍ଦକୁ ଦେଇ କହିଲା, “ଏଥର ଯାଅ ଓ ଶୀଘ୍ର ଫେରି ଆସ ।”

                ଗୋବିନ୍ଦ ଘରକୁ ଗଲା । ପୁଣି ଜମିବାଡି କିଣିଲା । ଭଉଣୀମାନଙ୍କୁ ବିବାହ ଦେଲା । ମା’ବାପାଙ୍କର ସେବା କରୁଥାଏ । ସେମାନେ ଖୁସି ହେବାରୁ ସେ ନିଜେ ମଧ୍ୟ ଖୁସି ହେଲା । କେବଳ ବାକି ରହିଲା ଭୂତର ଇଚ୍ଛା କିପରି ପୂର୍ଣ୍ଣ ହେବ ।

                ଗୋବିନ୍ଦ ଭାବିଲା, “ଏବେ ବାପାମା’ଙ୍କୁ ଦେଖିବାକୁ ଲୋକ ଅଛନ୍ତି । ଭଉଣୀମାନେ ବି ବାହା ହୋଇ ଗଲେଣି । କିନ୍ତୁ ଏସବୁ ପାଇଁ ଯିଏ ଧନ ଦେଇଛି, ତାକୁ ତ ପୁଣି ସନ୍ତୁଷ୍ଟ କରିବାକୁ ହେବ । ତା’ପାଇଁ ଲୋକାଳୟରେ ରହିବା ବଡ କଷ୍ଟ । ତେଣୁ ଗୋଟିଏ ମାତ୍ର ଉପାୟ ଯେ ମୁଁ ଭୂତ ହୋଇଗଲେ ହେବ ଏବଂ ସେଥିପାଇଁ ଆତ୍ମହତ୍ୟା ଆବଶ୍ୟକ ।” ମନେମନେ ସେ ସ୍ଥିର କଲା ଯେ ପାହାଡ ଉପରକୁ ଯାଇ କୁଦିପଡି ଆତ୍ମହତ୍ୟା କରିବ । ସେ ଘରୁ ବାହାରି ପଡିଲା । ସେଠାରେ ପହଁଚି ସେ ଦେଖିଲା ଜଣେ ସୁନ୍ଦରୀ ଝିଅ ଠିଆ ହୋଇଛି । ସେ ଝିଅଟିର ନାମ ସରଳା । ପିଲାଦିନୁ ତାର ମା’ ମରିଯିବାରୁ ବାପା ଓ ସାବତମା’ଙ୍କ ଦାଉରୁ ନିଜକୁ ରକ୍ଷା କରିବାକୁ ଆସିଛି । ଏବେ ତା’ର ସାବତ ମା’ ଜଣେ ବୃଦ୍ଧ ରୋଗୀ ସହିତ ତାକୁ ବାହାଦେବାକୁ ବସିଥାଏ । ବାପା ମଧ୍ୟ ଏପରି ପରିସ୍ଥିତିରେ ଚୁପ୍ ହୋଇ ବସିଛନ୍ତି । ତେଣୁ ସବୁଥିରୁ ମୁକ୍ତି ପାଇବାକୁ ସେ ମଧ୍ୟ ଆତ୍ମହତ୍ୟା କରିବାକୁ ଆସିଥାଏ ।

                ଦୁହେଁ ନିଜ ନିଜର ଜୀବନକଥା ପରସ୍ପରକୁ କହିଲେ; ସରଳା କହିଲା, “ତୁମେ ବହୁତ ଭଲ ମଣିଷ । ନହେଲେ ଭୂତକୁ ଖୁସି କରିବା ପାଇଁ ଆତ୍ମହତ୍ୟା କରିବାକୁ ଆସିଥାନ୍ତ! ବରଂ ଚାଲ ଆମେ ଆତ୍ମହତ୍ୟା ନକରି ପରସ୍ପରକୁ ସାହାଯ୍ୟ କରିବା ।”

                ଗୋବିନ୍ଦ କହିଲା – “ତୁମର ସବୁକିଛି ମୋତେ ଭଲ ଲାଗୁଛି । କିନ୍ତୁ ଭୂତ ପ୍ରତି ମୋର କର୍ତ୍ତବ୍ୟ ଯୋଗୁଁ ମୁଁ ଆତ୍ମହତ୍ୟା ବନ୍ଦ କରିପାରିବି ନାହିଁ ।”

                ସରଳା ବହୁତ ଭାବିବା ପରେ କହିଲା, “ଦେଖ, ତୁମେ ଜଣେ ପୁଣ୍ୟାତ୍ମା । ତୁମେ ମରିଗଲେ ତ ଆଉ ଭୂତ ହୋଇ ପାରିବ ନାହିଁ । ସିଧା ସ୍ୱର୍ଗକୁ ଚାଲିଯିବ । ତେଣୁ ଭାବି ଚିନ୍ତି ଦେଖ, ତମେ ଆତ୍ମହତ୍ୟା ନ କରି ଭୂତ ପାଖରେ ରହିବ । ମୁଁ ମଧ୍ୟ ତୁମ ପାଖରେ ରହିବି । ଏଥିରେ ଅସୁବିଧା କ’ଣ?”

                ଏକଥା ଗୋବିନ୍ଦକୁ ବେଶ୍ ଭଲ ଲାଗିଲା । ସେମାନେ ଆକାଶ ପାତାଳ ଓ ଦେବଦେବୀଙ୍କୁ ସାକ୍ଷୀ ରଖି ବିବାହ କରିନେଲେ ଓ ଦୁଇଜଣ ଭୂତ ପାଖକୁ ଚାଲିଲେ । ସେଠାରେ ପହଁଚିବା ମାତ୍ରେ ଦେଖିଲେ ଜଣେ ଦେବପୁରୁଷ ଠିଆହୋଇଛନ୍ତି । ସେ ତାଙ୍କୁ କହିଲେ, “ମୁଁ ଜଣେ ଶାପଗ୍ରସ୍ତ ଦେବତା । ସେଥିଲାଗି କିଛି ସମୟ ପାଇଁ ମୁଁ ଭୂତ ହୋଇଥିଲି । ତୁମେ ହୃଦୟପୂର୍ବକ ମୋର ସହାୟତା କରିଛ, ଏପରିକି ଜୀବନ ତ୍ୟାଗ କରିବାକୁ ମଧ୍ୟ ଚାହିଁଥିଲ । ତୁମର ମହାନତା ଯୋଗୁଁ ମୋର ଶାପ ମୋଚନ ହୋଇଛି । ତୁମ ଦୁହିଁଙ୍କୁ ଦେଖାକରିବାକୁ ମୁଁ ଏଠାରେ ଅପେକ୍ଷା କରିଥିଲି । ତୁମ ସହିତ ଏହା ମୋର ଶେଷ ଦେଖା ।” ଏତିକି କହି ସେ ଦୁଇଟି ଥଳୀପୂର୍ଣ୍ଣ ସୁନା ମୋହର ଦେଇ, ସେ ଦୁଇଜଣଙ୍କୁ ଆଶୀର୍ବାଦ କରି କୁଆଡେ ଅଦୃଶ୍ୟ ହୋଇଗଲେ ।

                ଗୋବିନ୍ଦ ଓ ସରଳା ସୁନାମୋହରତକ ନେଇ ଗ୍ରାମକୁ ଫେରିଲେ । ମା’ ବାପା ବଡ ଖୁସି ହେଲେ । ଜୀବନ ଥିବା ପର୍ଯ୍ୟନ୍ତ ଗୋବିନ୍ଦ ଅନ୍ୟମାନଙ୍କର ସହାୟତା କରୁଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ