ଭୁଲାପଣ

ଏହା ଶୁଣି ରଙ୍ଗନାଥ ହସି ହସି କହିଲା, “ନା, ସେକଥା ନୁହେଁ । କାଗଜଟି ତ ମୋ ପକେଟରେ ଯତ୍ନରେ ରଖା ହୋଇଛି । ହେଲେ ସହରରେ ପହଁଚି ଦେଖିଲି ଟଙ୍କା ନେବାକୁ ଭୁଲି ଯାଇଛି । ପକେଟରେ କିଛି ଖୁଚୁରା ଟଙ୍କା ଥିଲା ବୋଲି ମୁଁ ଘରକୁ ଫେରି ପାରିଲି ।”

ଏପରି କଥା ଶୁଣି ଜାନକୀ କହିଲା “ଓଃ, ତାହାହେଲେ ସହରକୁ ଯିବା ବେକାର ହୋଇଗଲା? ଠିକ୍ ଅଛି ଆଜି ରାତିରେ ବିଶ୍ରାମ ନିଅ, କାଲି ସକାଳେ ଜିନିଷ ତାଲିକା ଓ ଟଙ୍କା ନେଇ ପୁଣି ସହରକୁ ଯିବ ।”

ପରଦିନ ଭୋରରୁ ଉଠି ରଙ୍ଗନାଥ ସହରକୁ ଗଲା । କିନ୍ତୁ ସଂଧ୍ୟାକୁ ପୁଣି ଖାଲି ହାତରେ ଲେଉଟି ଆସିଲା । ତାକୁ ଦେଖି ଜାନକୀ ପଚାରିଲା, “ବଡି ଭୋରରୁ ମୋତେ କିଛି ନ କହି ତ ସହରକୂ ଚାଲିଗଲ । ଏବେ ଖାଲି ହାତରେ ଲେଉଟିଲ; କଥା କ’ଣ? ଏଥର ପୁଣି କ’ଣ ହେଲା? ମୋତେ କହିକରି ଯାଇଥିଲେ ଅନ୍ତତଃ ମୁଁ ମନେ ପକାଇ ଦେଇଥା’ନ୍ତି ସବୁ ଜିନିଷ ସାଥିରେ ଗଲା ନା ନାହିଁ ।”

ମୁହଁଟି ବିକଳ କରି ରଙ୍ଗନାଥ କହିଲା, “ମନେହୁଏ ସମୟ ମୋର ଭଲ ନାହିଁ । ଦୋକାନରେ ପହଁଚି ଦେଖିଲି ମୋ ପକେଟରେ କିଛି ବି ନାହିଁ, ଟଙ୍କା କାଗଜ ସବୁ କୌଣସି ଚୋର ବା ପକେଟ୍ମାର ନେଇ ଯାଇଛି । ଅଥଚ ପକେଟ୍ କଟା ହୋଇନାହିଁ । ଚୋର ନିଶ୍ଚୟ ବହୁତ ଚାଲାକ ।”

ସବୁଶୁଣି ଜାନକୀ ହସି ହସି କହିଲା, “ତୁମର ଏ ଭୁଲାପଣ ଦୁଇଜନ୍ମରେ ମଧ୍ୟ ଯିବନାହିଁ ।”

ସ୍ତ୍ରୀ କଥା ଶୁଣି ରଙ୍ଗନାଥ କହିଲା, “ଦୁଇଜନ୍ମ କଥା ଛାଡ । ଏ ଜନ୍ମରେ ମୋ ଭୁଲାପଣ ଯୋଗୁଁ ମୁଁ ଆଉ ବନ୍ଧୁବାନ୍ଧବଙ୍କୁ ମୁହଁ ଟେକି କଥା କହି ପାରୁନାହିଁ ।”

ଜାନକୀ କହିଲା, “ମୋର ମନକଥା ତ ତମେ କହିଲ । ଏବେ ଟଙ୍କା ଚୋରୀ କଥା ଭୂଲିଯାଇ ମନେ ପକାଅ ଓ ଭାବି ଦେଖ ଯେ କେଉଁଠି କିଛି ଅସୁବିଧା ହେବାରୁ ଏପରି ଘଟୁଛି ।”

ରଙ୍ଗନାଥର ମନେହେଲା ଜାନକୀ ଏପରି ପଚାରିବା ପଛରେ କୌଣସି ଉଦ୍ଧେଶ୍ୟ ନିଶ୍ଚୟ ଅଛି । ତା’ ମୁହଁକୁ ଭଲ ଭାବରେ ଲକ୍ଷ୍ୟ କରି ଚାହିଁ ସେ କହିଲା, “ଏହି ଭୁଲାପଣ ଯୋଗୁଁ ତ ମୋର ଚିନ୍ତାଶକ୍ତି କମି ଯାଉଛି । ମୁଁ ଚିନ୍ତା କରିବି କାହିଁକି? ତୁମେ ଚିନ୍ତାକରି କୁହ, କେଉଁଠି କ’ଣ ଅସୁବିଧା ରହିଛି ।”

ଜାନକୀ ହସି ହସି କହିଲା, “ତମେ ତ କାଲି ଜିନିଷ ତାଲିକା ଓ ଟଙ୍କା କୁର୍ତା ପକେଟରେ ରଖି ଶୋଇଲ । ମଝିରାତିରେ ଉଠି ବୋଧେ ଗରମ ହେବାରୁ କୁର୍ତାଟି କାଢି ପକାଇ ଶୋଇଛ ସକାଳୁ ଉଠି ଅନ୍ୟ କୁର୍ତାଟିଏ ପିନ୍ଧି ଚାଲି ଯାଇଛ । ତୁମେ ଗଲା ପରେ ଜଣାପଡିଲା, ହେଲେ ସେତେବେଳେ ଆଉ କିଛି କରିବାର ଉପାୟ ନଥିଲା ।”

ସବୁଶୁଣି ରଙ୍ଗନାଥ କହିଲା, “ଓ ଏପରି କଥା? ମୁଁ ସହରରୁ ଆସିବା ବେଳେ ମନ ଖରାପ ଲାଗିଲା, ନିଜ ଉପରେ ରାଗ ହେଲା । ଏଣିକି ଗୋଟାଏ କଥା କଲେ ଠିକ୍ ହେବ ।” ରଙ୍ଗନାଥର ମନକଥା ଶୁଣି ଜାନକୀ ପଚାରିଲା “କ’ଣ କରିବା ଶିଘ୍ର କୁହ ତ ।”

ନିଜ କଳ୍ପନା ଉପରେ ଖୁସି ହୋଇ ରଙ୍ଗନାଥ କହିଲା, “ଦେଖ ଜିନିଷ ତାଲିକା ଓ ଟଙ୍କା ପକେଟରେ ରଖି ସେହି କୁର୍ତା ପିନ୍ଧି ଶୋଇବି ଓ ସକାଳୁ ଉଠି ସେମିତି ବାହାରି ଯିବି । ସେମିତି କଲେ ଆଉ ତ କିଛି ଗୋଳମାଳ ହେବାର ନାହିଁ? କେମିତି ଲାଗିଲା ଏ ଉପାୟଟି କୁହ?”

ଏହା ଶୁଣି ଜାନକୀ ହସି ହସି କହିଲା, “ଉପାୟ ତ ବହୁତ ଭଲ । ତେବେ ଏସବୁର ଆଉ କିଛି ବି ଦରକାର ନାହିଁ । ତୁମେ ଯିବା ପରେ ପଡୋଶୀ ଘରର ଗଣେଶ ଭାଇଙ୍କୁ ଡାକି ତାଙ୍କୁ ଟଙ୍କା ଓ ତାଲିକା ଦେଲି ତାଙ୍କର ସହରକୁ ଯିବାର ଆଜି ଥିଲା ବୋଲି ତାଙ୍କ ସ୍ତ୍ରୀ ମୋତେ କୁଅମୂଳରେ କହୁଥିଲେ । ତୁମ ଗୁଣ ଶୁଣି ତାଙ୍କ ହାତରେ ଜିନିଷ ମଗାଇବାକୁ କହିଲେ । ସେ ଘଂଟାଏ ପୂର୍ବରୁ ସବୁ ଜିନିଷ ସହରରୁ ନେଇ ଆସିଛନ୍ତି । ଏବେ ସେକଥା ତମେ ଭୁଲିଯାଅ । ବିଚାରା କେତେ କଷ୍ଟ ସହିଲ ଏବେ ଆରାମ୍ରେ ଟିକେ ବିଶ୍ରାମ କର ।”


ଗପ ସାରଣୀ

ତାଲିକାଭୁକ୍ତ ଗପ