ଭୁଲାମନ

ରାମକୁମାର, ପାଟଣା ଗଡର ଅଧିବାସୀ । ଶାସ୍ତ୍ର, ପୁରାଣ-ବ୍ୟାଖ୍ୟାନ, ଉପଦେଶ-ପୁର୍ଣ୍ଣ ଆଲୋଚନା କରିବାରେ ତାଙ୍କର ବିଚକ୍ଷଣତା ରହିଛି । ଏଥିପାଇଁ ଆଖପାଖ ଗ୍ରାମରେ ସେ ବେଶ୍ ପ୍ରସିଦ୍ଧ । ସେ ଯେଉଁ ସଭାକୁ ବ୍ୟାଖ୍ୟାନ ଦେବା ପାଇଁ ଯାଆନ୍ତି, ସେଠାରେ ଲୋକଙ୍କର ଭିଡ ଜମିଯାଏ । କିନ୍ତୁ, ତାଙ୍କର ଗୋଟିଏ ବଦ୍ଗୁଣ ହେଲା, ସେ ସାମାନ୍ୟ ଭୁଲା ପ୍ରକୃତିର ଅଟନ୍ତି । ଏହି କାରଣରୁ କେତେକ ସମୟରେ ତାଙ୍କୁ ଉପହାସିତ ହେବା ପାଇଁ ପଡିଥାଏ ।

                ଥରେ ଗୋଟିଏ ସ୍ଥାନରେ ରାମାୟଣ ପ୍ରସଙ୍ଗର ଆଲୋଚନା ପାଇଁ ଏକ ଆୟୋଜନ ହୋଇଥାଏ । ରାମ କୁମାର ସେଠାକୁ ଆମନ୍ତ୍ରିତ ହୋଇଥାନ୍ତି । ସେ ବକ୍ତବ୍ୟ ପ୍ରଦାନ ପାଇଁ ଉଠି, ଗଳା ସଫା କରି କହିବାକୁ ଆରମ୍ଭ କଲେ, “ଆଜି ଜନ୍ମାଷ୍ଟମୀ । ଶ୍ରୀକୃଷ୍ଣଙ୍କର ଜନ୍ମ ଦିବସ । କୃଷ୍ଣର ଅର୍ଥ କଳା । କଳା ବର୍ଣ୍ଣ ଅନ୍ଧକାରର ପ୍ରତୀକ । ପରମାତ୍ମା ଶ୍ରୀକୃଷ୍ଣ ଅଜ୍ଞାନ ରୂପକ ଅନ୍ଧକାର ଦୂର କରିଛନ୍ତି । ସେହି ପରମାତ୍ମାଙ୍କର ଜନ୍ମସ୍ଥଳୀ କେଉଁଠି? କାରାଗାର ମଧ୍ୟରେ । ଏହି ରହସ୍ୟର ଗଭୀରତା ବୁଝାଏ ଯେ, ପ୍ରତ୍ୟେକ ମନୁଷ୍ୟର ଶରୀର ଏକ କାରାଗାର ସଦୃଶ । ସେହି କାରାଗାରରେ ଆତ୍ମା ବନ୍ଦୀ ହୋଇଛି । ଆତ୍ମାହିଁ ପରମାତ୍ମା ଶ୍ରୀକୃଷ୍ଣଙ୍କର ଅଂଶବିଶେଷ । ଏହି ପର୍ବ ଜନ୍ମାଷ୍ଟମୀ, ମନୁଷ୍ୟ ମଧ୍ୟରେ ସୁପ୍ତ ଆତ୍ମଜ୍ଞାନକୁ ଜାଗ୍ରତ କରାଏ ।” ସେ ଏତିକି କହି ଟିକେ ରାଗିଯାଇ ଭାବିଲେ, ଶ୍ରୋତାମାନେ କରତାଳି ଦ୍ୱାରା ତାଙ୍କୁ ଉତ୍ସାହିତ କରିବେ ।

କିନ୍ତୁ କେତେଜଣ ଶ୍ରୋତା ତାଙ୍କୁ ସହାନୁଭୂତିର ସହ ଚାହୁଁଥିଲା ବେଳେ, ଅନ୍ୟ କେତେଜଣ ନିଜ ହସ ରୋକିବାକୁ ପ୍ରଯତ୍ନ କରୁଥିଲେ ।

ଏହା ଦେଖି ରାମକୁମାର ବିସ୍ମିତ ହୋଇ, ପାଶ୍ୱର୍ରେ ବସିଥିବା ଅନ୍ୟ ଜଣେ ପଣ୍ଡିତଙ୍କୁ ପଚାରିଲେ, “ପଣ୍ଡିତ ମହାଶୟ, ମୋର ଭାଷଣରେ କୋଉଠି କ’ଣ କିଛି ତ୍ରୁଟି ରହିଗଲା କି?”

“ମହାଶୟ, ଆପଣ ଜଣେ ଉତ୍ତମ ବକ୍ତା । ଆପଣଙ୍କର ଭାଷଣରେ ଆଦୌ ତ୍ରୁଟି ନାହିଁ । ତେବେ ଅସଲ କଥା ହେଉଛି, ଆଜି ଜନ୍ମାଷ୍ଟମୀ ନୁହେଁ, ରାମନବମୀ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ