ଭୂତତାନ୍ତ୍ରିକ

ଭଦ୍ରପୁରର ପ୍ରିତୁ ବଡ ତାନ୍ତ୍ରିକ ଥିଲା । ସମସ୍ତେ କୁହନ୍ତି ତା’ର ନାମ ପଡିଲେ ଭୂତପ୍ରେତ ସେଠାରୁ ଛାଡି ପଳାନ୍ତି । ତା’ର ସ୍ତ୍ରୀ ଅନ୍ନପୂର୍ଣ୍ଣା ଅତି ଭଲ ସ୍ୱଭାବର ସ୍ତ୍ରୀଲୋକ, କିନ୍ତୁ ପ୍ରିତୁର ସ୍ୱଭାବ ସମ୍ପୂର୍ଣ୍ଣ ବିପରୀତ ।

ଦିନେ ସଂଧ୍ୟା ପରେ ଚାରିଜଣ ଲୋକ ଆସି ତାଙ୍କ ଘରେ ପହଁଚିଲେ । ସେମାନେ ଅନ୍ନପୂର୍ଣ୍ଣାର ଦୂର ସମ୍ପର୍କୀୟ ବନ୍ଧୁବାନ୍ଧବ । ସେମାନେ କହିଲେ, “ଅନ୍ନପୂର୍ଣ୍ଣା, ଆମେ ବହୁ ଦୂରରୁ ଚାଲି ଚାଲି ଏଠାକୁ ଆସିଛୁ । ଆମକୁ ଆହୁରି ଅନେକ ବାଟ ଯିବାକୁ ଅଛି । ଆମେ ବଡ କ୍ଳାନ୍ତ । ଆଜି ରାତିକ ପାଇଁ ଖାଦ୍ୟର ବ୍ୟବସ୍ଥା ହୋଇ ପାରନ୍ତା ତ ବଡ ଉପକାର ହୁଅନ୍ତା, ଖାଇସାରି ଆମେ ସଙ୍ଗେ ସଙ୍ଗେ ପୁଣି ବାଟ ଚାଲିବୁ ।”

ଅନ୍ନପୂର୍ଣ୍ଣା କହିଲା, “ନିଶ୍ଚୟ ଖାଦ୍ୟ ତିଆରି କରି ଦେବି । ସେତକ ସମୟ ଆପଣ ମାନେ ବାହାର ପିଣ୍ଡାରେ ବସି ବିଶ୍ରାମ କରନ୍ତୁ ।” ତା’ପରେ ସେ ରୋଷେଇ କରିବାକୁ ଚାଲିଗଲା । ସେଦିନ ପ୍ରିତୁ ଚାରି କୋଶ ଦୂରରେ ଥିବା ଏକ ଗ୍ରାମରେ ଜଣେ ବ୍ୟକ୍ତିଠାରୁ ଭୂତ ଛଡାଇବାକୁ ଯାଇଥିଲା । ତେଣୁ ଅନ୍ନପୂର୍ଣ୍ଣା ଭାବିଲା ଯେ ସେ ତ ଆସୁ ଆସୁ ଡେରି ହେବ । ସେ ଆସିବା ପୂର୍ବରୁ ଏମାନଙ୍କୁ ଖିଆପିଆ କରାଇ ବିଦା କରିଦେବ । ଯଦି ପ୍ରିତୁ ଆସି ଦେଖେ ଏମାନେ ଖାଉଛନ୍ତି, ତେବେ ତ ଜାଣ ସର୍ବନାଶ, ଏମାନଙ୍କୁ ସେ ମାରି, ତଡିଦେବ ।

ଅନ୍ନପୂର୍ଣ୍ଣା ଶୀଘ୍ର ରୋଷେଇ ଶେଷ କରି ସେମାନଙ୍କୁ ଖାଇବାକୁ ଦେଲା । ଦରଜା ମଧ୍ୟ ବନ୍ଦ କରି ଦେଲା, ଏଣେ ଏମାନେ ଖାଉଥା’ନ୍ତି, ଆଉ ସେ ଝରକା ଦେଇ ଅନେଇଥାଏ ଯଦି ପ୍ରିତୁ ପହଁଚିଯାଏ । ସେମାନେ ବଡ କ୍ଷୁଧାର୍ତ୍ତ ଥିଲେ ତେଣୁ ଶୀଘ୍ର ଖାଉଥାନ୍ତି ।

କିଛି ସମୟ ପରେ ଗଳି ଶେଷରେ କୁକୁରମାନେ ଭୂକିଲେ ସେମାନେ ପ୍ରିତୁ ପଛରେ ଗୋଡାଉଥିଲେ । ପ୍ରିତୁ ତା’ ହାତରେ ଥିବା ତମ୍ବା ବାଡିରେ କୁକୁରଙ୍କୁ ପିଟୁ ପିଟୁ କହିଲା, “ଭୂତ ଛଡାଇବାର ମୋର କରାମତି ଏ କୁକୁରମାନେ କୁଆଡୁ ଜାଣିବେ?”

ଅତିଥିମାନଙ୍କର ଭୋଜନ ସମାପ୍ତପ୍ରାୟ । ଅନ୍ନପୂର୍ଣ୍ଣା ଝରକା ବନ୍ଦ କରି ଦେଇ ଆସି କହିଲା, “ମହାଶୟ, ମୋର ସ୍ୱାମୀ ଆସି ଗଲେଣି; ଆପଣମାନେ ଶୀଘ୍ର ଶେଷ କରନ୍ତୁ । ମଣିଷମାନେ ଓ ଭୂତପ୍ରେତମାନେ ସମସ୍ତେ ଜାଣନ୍ତି ସେ କିପରି କଠୋର ସ୍ୱଭାବର ବ୍ୟକ୍ତି । ଆପଣମାନେ ଖାଉଥିବାର ଦେଖିଲେ ସେ ମୋତେ ଓ ଆପଣମାନଙ୍କୁ ତମ୍ବାବାଡିରେ ପିଟିବେ । ମୁଁ ଏବେ ଘର ପଛପଟକୁ ଚାଲିଯାଉଛି । ଆପଣମାନେ ଖାଇବା ଶେଷ କରି ଦୀପ ଲିଭାଇ ଦେବେ ଓ କବାଟ ଖୋଲି ଝଟ କରି ବାହାରି ଚାଲିଯିବେ ।” ଏତିକି କହି ସେ ଘର ପଛପଟକୁ ଚାଲିଗଲା ।

ପ୍ରିତୁ କବାଟ ବାଡେଇ ଚାଲିଛି । କେହି ନ ଖୋଲିବାରୁ ଚିତ୍କାର କରି ସେ କହିଲା, “ହେ ଅନ୍ନପୂର୍ଣ୍ଣା କବାଟ ଖୋଲ ।” ସେ ଅଧିକ ଜୋର୍ରେ ଚିତ୍କାର କରୁଥାଏ ଓ କବାଟ ବାଡଉଥାଏ ହଠାତ୍ ସେ କବାଟ ଖୋଲିଗଲା ଓ ସେହି ଅନ୍ଧକାର ମଧ୍ୟରେ ଚାରି ମୂର୍ତ୍ତି ପ୍ରିତୁକୁ ଠେଲି ପକାଇ ଦେଇ, ତା’ ଦେହ ଉପରେ ଚଢି ଚାଲିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ