ଭୂତ ଏବଂ ଅସଲ ଭୂତ

                ଦୁଇଦିନ ପରେ ବିଜୟ ଖବର ପାଇଲା କି ସୌଦାଗର ଝିଅକୁ ଭୂତ ଲାଗିଛି! ସେ ଯାଇ ସହରରେ ପହଁଚି ଗୋଟିଏ ଚଟି ଘରେ ରହି ସବୁଦିନ ଖବର ନେଉଥାଏ । ଏଭିତରେ ପ୍ରାୟ ପନ୍ଦରଦିନ ବିତିଗଲା । ଅନେକ ଗୁଣିଆ, ତାନ୍ତ୍ରିକ ଆସି ସେ ଝିଅକୁ ଭଲ କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହେଲେ । ତା’ପରେ ବିଜୟ ଯାଇ ସୌଦାଗରଙ୍କୁ ଭେଟିଲା ଓ କହିଲା, “ଆଜ୍ଞା, ଆପଣଙ୍କ ଝିଅକୁ ମୁଁ ଭଲ କରିଦେଇ ପାରିବି ।”

                ସୌଦାଗର ତ ହତାଶ ହୋଇ ରହିଥିଲେ । ସେ କହିଲେ, “ବିଜୟ, ତମେ ଯଦି ତାହା ପାରିବ, ତେବେ ମୁଁ ଅତି ଆନନ୍ଦରେ ତା’ ସହ ତୁମର ବିବାହ ସମ୍ପନ୍ନ କରିବି ।”

                ବିଜୟ ଯାଇ ମନ୍ତ୍ର ପଢିବାର ଅଭିନୟ କରି ଝିଅ କାନ ପାଖରେ କହିଲା “ବୋତଲ ଭୁତ! ତୋତେ ଜାଣେ ମୁହିଁ ସତକୁ ସତ!” ସଙ୍ଗେ ସଙ୍ଗେ ଝିଅ ଅଚେତ୍ ହୋଇ ପଡିଗଲା । ତା’ ମୁହଁରେ ପାଣି ସିଂଚି ତା’ ଚେତା ଫେରାଇ ଆଣିବା ବେଳକୁ ସେ ସ୍ୱାଭାବିକ ହୋଇ ଗଲାଣି ।

                ସୌଦାଗର ବିଜୟକୁ କୁଣ୍ଢାଇ ପକାଇଲେ । ଝିଅ ସୁସ୍ଥ ହେବା ପରେ ତା’ ସହ ବିଜୟର ବିବାହ ହେଲା । ବିଜୟ ସେହି ସୌଦାଗରଙ୍କ ଘରେ ରହିଲା । ସୌଦାଗରଙ୍କ ମୃତ୍ୟୁ ହେବା ପରେ ସେ ତାଙ୍କ ପ୍ରତିଷ୍ଠାନର ମାଲିକ ହେଲା ।

କେତେ ବର୍ଷ ପରେ ହଠାତ୍ ଦିନେ ଜଣେ ଯୁବକ ସାଧୁ ଆସି ବିଜୟକୁ ଭେଟି ଗୋପନରେ କହିଲେ, “ବିଜୟ! ତମେ ଯେଉଁ ଦିନ ସୌଦାଗରଙ୍କ ଝିଅକୁ ଭଲ କଲ, ସେଦିନ ମୁଁ ବି ସେଠାରେ ଥିଲି । ମୁଁ ଅବଶ୍ୟ ସେତେବେଳେ ସନ୍ନ୍ୟାସ ନେଇ ନଥିଲି । ଭୂତ ସବାର ହେବା ଫଳରେ ସୌଦାଗରଙ୍କ ଝିଅ ଯେପରି ଆଚରଣ, କଥାବାର୍ତ୍ତା କରୁଥିଲେ ରାଜକୁମାରୀ ମଧ୍ୟ ଠିକ୍ ସେହିପରି କରୁଛନ୍ତି । ମୋର ଧାରଣା, ତାଙ୍କୁ ବି ସେହି ଏକା ଭୂତ ଲାଗିଛି । ତମେ ମୋତେ ତମ ମନ୍ତ୍ରଟି ଯଦି ଶିଖାଇ ଦିଅନ୍ତ, ତେବେ ମୁଁ ସେ ରାଜକୁମାରୀଙ୍କୁ ଭଲ କରି ଦିଅନ୍ତି ।”

ବିଜୟ ତାଙ୍କୁ ସେ ଗୀତଟି କହିଦେଲା ଓ ସାଧୁ ଚାଲିଗଲେ । କିନ୍ତୁ ତା’ପରେ ବିଜୟ ମନରେ ପୁଣି ଥରେ ଅଧିକ ପ୍ରତିପତିଶାଳୀ ହେବାର ବାସନା ଜାଗରିତ ହେଲା ।

ବିଜୟ ରାଜଧାନୀ ଅଭିମୁଖେ ଘୋଡା ଛୁଟାଇ ଦେଲା । ସେଠାକୁ ଯାଇ ଶୁଣିଲା, ରାଜକୁମାରୀଙ୍କୁ ମାସେ ଧରି ଭୂତ ଲାଗିଛି । କେତେ ରାଜ୍ୟରୁ କେତେ ତାନ୍ତ୍ରିକ ଆସି ଚେଷ୍ଟା କଲେଣି, କିନ୍ତୁ ତାକୁ ଭୂତ ମୋଟେ ଛାଡୁନାହିଁ । ରାଜା ଘୋଷଣା କରିଛନ୍ତି କି ରାଜକୁମାରୀଙ୍କୁ ଯିଏ ଭଲ କରିଦେବ, ସିଏ ତାଙ୍କୁ ବିଭା ହେବ ଓ ରାଜ୍ୟରୁ ଅଧେ ପାଇବ ।

ବିଜୟ ପୁଲକିତ ହେଲା । ସେ ସଙ୍ଗେ ସଙ୍ଗେ ବୁଝିଲା, ସାଧୁ ରାଜକୁମାରୀଙ୍କୁ ବିଭା ହେବା ମତଲବ୍ରେହିଁ ତା’ଠୁଁ ଭୂତ ଛଡାଇବାର ଉପାୟ ଜାଣିବାକୁ ଆଗ୍ରହୀ ଥିଲେ । ସେ ମନେ ମନେ ହସିଲା ।

ସେ ଯାଇ ରାଜାଙ୍କୁ ଭେଟି ରାଜକୁମାରୀଙ୍କୁ ଭଲ କରିଦେଇ ପାରିବ ବୋଲି କହିଲା । କଥାବାର୍ତ୍ତା ଶୁଣିବା ମାତ୍ରେ ବିଜୟ ବୁଝିଲା, ତାଙ୍କୁ ବୋତଲ ଭୂତହିଁ ଲାଗିଛି । ସେ କିଛି ସମୟ ମନ୍ତ୍ରତନ୍ତ୍ର ପଢିବାର ଅଭିନୟ କରି ରାଜକୁମାରୀଙ୍କ କାନ ପାଖରେ କହିଲା, “ବୋତଲ ଭୂତ! ତୋତେ ଜାଣେ ମୁହିଁ ସତକୁ ସତ!”

ରାଜକୁମାରୀ ସଙ୍ଗେ ସଙ୍ଗେ ଚେତା ହରାଇ ପଡିଗଲେ । କିନ୍ତୁ ବିଜୟ ନିଜେ ଲଂପଂ ଝଂପ ଦେବାକୁ ଆରମ୍ଭ କଲା ଓ ଉନ୍ମତ ଭାବରେ ଯାହା ତାହା କହିଲା । ତାକୁ ରାଜାଙ୍କ ଦେହରକ୍ଷୀମାନେ ଆୟତ କରି ରଖିଲେ । ସମସ୍ତେ ବୁଝିଲେ ଯେ ରାଜକୁମାରୀଙ୍କୁ ଛାଡି ଭୂତ ତାକୁ ଲାଗିଛି ।

ରାଜା ରାଜକୁମାରୀ ଭଲ ହୋଇଯିବାରୁ ବହୁତ ଆନନ୍ଦିତ ହେଲେ । କିନ୍ତୁ ବିଜୟ ଏପରି ଭାବରେ ଭୂତାବିଷ୍ଟ ହେବାର ଦେଖି ସେ ମଧ୍ୟ ବହୁତ ଦୁଃଖିତ ହେଲେ । ସେତିକିବେଳେ ସେଠାରେ ସାଧୁ ଆସି ପହଁଚିଗଲେ ଓ ସବୁ ଦେଖିଲେ । ବିଜୟ କାହିଁକି ତରତରରେ ଆସି ଭୂତ ଛଡାଇଲା, ସେକଥା ବୁଝିବାକୁ ତାଙ୍କୁ ଆଉ ବିଳମ୍ବ ହେଲା ନାହିଁ ।

ସାଧୁ ବିଜୟ କାନ ପାଖରେ କହିଲା, “ବୋତଲ ଭୂତ! ତୋତେ ଜାଣେ ମୁହିଁ ସତକୁ ସତ!” ସଙ୍ଗେ ସଙ୍ଗେ ବିଜୟ ଚେତା ହରାଇ ତଳେ ପଡିଗଲା । ଚେତା ଫେରିବା ବେଳକୁ ସେ ସ୍ୱାଭାବିକ ମଣିଷ । ରାଜା ବିଜୟକୁ କହିଲେ, “ସର୍ତ୍ତ ଅନୁସାରେ ତୁମେ ରାଜକୁମାରୀଙ୍କୁ ବିଭା ହେବାକୁ ହକ୍ଦାର ।” ବିଜୟ କହିଲା, “ନା ମହାରାଜ, ଏ ସାଧୁ ରାଜକନ୍ୟାଙ୍କୁ ବିଭା ହୁଅନ୍ତୁ ।” ସାଧୁ ହସିଲେ ଓ କହିଲେ, “ମୁଁ ସନ୍ନ୍ୟାସୀ । ବିଭା ହେବାର ତ କୌଣସି ପ୍ରଶ୍ନ ହିଁ ଉଠୁନାହିଁ । ମହାରାଜ! ରାଜକୁମାରୀ ଯଥାବିଧି ଜଣେ ରାଜକୁମାରଙ୍କୁ ବିଭା ହୁଅନ୍ତୁ ।”

ବିଜୟ କହିଲା “ମୁଁ ବି ଏଥିରେ ସମ୍ମତ ।” ରାଜା ଉଭୟଙ୍କୁ ଧନ୍ୟବାଦ ଦେଲେ । ଦୁହେଁ ବିଦାୟ ନେଇ ଚାଲିଗଲେ । ଗଲାବେଳେ ସାଧୁ ବିଜୟକୁ କହିଲେ, “ତମ ଉପରୁ ଅସଲ ଭୂତ ଓହ୍ଲାଇ ଯିବାରୁ ମୁଁ ଅତ୍ୟନ୍ତ ଖୁସି ।”

କାହାଣୀ ଶେଷ କରି ବେତାଳ ଟିକିଏ ଚୁପ୍ ରହି କହିଲା, “ରାଜା, ମୋ ମନରେ କେତୋଟି ସନ୍ଦେହ ରହିଛି । ବିଜୟ କାହିଁକି ବିବାହ ପ୍ରସ୍ତାବ ଏଡାଇ ଦେଲା? ସାଧୁ ବା କାହିଁକି ବିଭା ହେବାକୁ ମଙ୍ଗିଲେ ନାହିଁ? ଭୂତ ରାଜକୁମାରୀଙ୍କୁ ଛାଡି ବିଜୟ ଉପରେ ସବାର ହୋଇଥିବା ସ୍ଥଳେ ବିଜୟକୁ ଛାଡି ତାହା ପୁଣି ସାଧୁଙ୍କ ଉପରେ ସବାର କାହିଁକି ନହେଲା? ସାଧୁ ଅସିଲି ଭୂତ ବୋଲି କ’ଣ ବୁଝାଇଲେ? ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ । ଉତ୍ତର ଦେବାର ଶକ୍ତିଥିବା ସତ୍ତ୍ୱେ ଯଦି ନିରୁତ୍ତର ରହିବ, ତେବେ ତମ ଶୀର ସ୍କନ୍ଧଚ୍ୟୁତ ହେବ ।”

ରାଜା ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନକରି କହିଲେ, “ବିଜୟ ବୁଝିଲା, ସାଧୁ ହସ୍ତକ୍ଷେପ କରି ନଥିଲେ ସେ ଆଜୀବନ ଭୂତାବିଷ୍ଟ ହୋଇ ରହିଥାନ୍ତା । ସାଧୁ ଟିକିଏ ଆଗରୁ ପହଁଚିଲେ ସେହିଁ ରାଜକନ୍ୟାଙ୍କୁ ବିଭା ହେବାକୁ ହକ୍ଦାର ହୁଅନ୍ତେ । ସାଧୁ ତାକୁ ଭଲ କରିଥିବା ହେତୁ ତାଙ୍କ ପ୍ରତି କୃତଜ୍ଞତା ଯୋଗୁଁ ସାଧୁ ରାଜକୁମାରୀଙ୍କୁ ବିଭା ହେବା ଉଚିତ୍ ବୋଲି ସେ କହିଲା । କିନ୍ତୁ ସାଧୁ କେବଳ ପରୋପକାର କରିବା ପାଇଁ ରାଜକୁମାରୀଙ୍କୁ ଭଲ କରିବାକୁ ଆଗ୍ରହୀ ଥିଲେ । ସେ ଜାଣୁଥିଲେ, ବିଜୟ ଭଳି ଜଣେ ସାଧାରଣ ଗୃହସ୍ଥକୁ ବିଭା ନହୋଇ ରାଜକୁମାରୀ ତାଙ୍କ ସ୍ତରର କୌଣସି ଯୁବକକୁ ବିବାହ ହେବା ଠିକ୍ ହେବ । ତେଣୁ ବିଜୟ ନିଜ ତରଫରୁ ବିବାହ ପ୍ରସ୍ତାବରୁ ଓହରି ଯିବା ମାତ୍ରେ ସେ ସେହିକଥା କହିଲେ । ବିଜୟ ପ୍ରତି ରାଗ ଯୋଗୁଁ ଭୂତ ବିଜୟ ଉପରେ ସବାର୍ ହୋଇଥିଲା । ବିଜୟ ମନରେ ଲୋଭ ଓ ଉଚ୍ଚାଭିଳାଷ ଥିବା ଯୋଗୁଁ ଭୁତ ତାକୁ କାବୁ କରିନେଲା । କିନ୍ତୁ ସାଧୁଙ୍କ ମନରେ ନିର୍ମଳ ସଦିଚ୍ଛା ଛଡା ଆଉ କିଛିବି ନଥିଲା । ତେଣୁ ତାଙ୍କୁ କାବୁ କରିବାକୁ ଭୂତର ମନ ବଳିଲା ନାହିଁ । ସେ ଚେଷ୍ଟା କରିଥିଲେ ବି ତାହା କେବେବି କରିପାରି ନଥାନ୍ତା । ବିଜୟର ଲୋଭକୁ ସାଧୁ ଅସଲ ଭୂତ ବୋଲି କହିଲେ ।”

ରାଜାଙ୍କ ମୌନଭଙ୍ଗ ହେବା ମାତ୍ରେ ଶବ ସହ ଶବସ୍ଥିତ ବେତାଳ ଖସିଯାଇ ପୁନର୍ବାର ସେ ବୃକ୍ଷ ଡାଳରେ ଝୁଲି ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ