ଭୂତ ପୋଖରୀ

ପିଲା ଦୁଇଟାଙ୍କ ଶବକୁ ପାଣିରୁ ଛାଣି ଆଣିଲେ । ମାଛ ମାନେ ଖାଇ ବିକୃତ କରି ଦେଇ ଥିଲେ ଶବର ମୁଖକୁ । ଯେଉଁ ପିଲାଟି ଆସି ଗାଁରେ ପ୍ରଥମେ ଏହି ଖବର ଦେଇ ଥିଲା ସେ ଏସବୁ ଦେଖି ଖାଲି ଭୟରେ ଥରୁ ଥିଲା । ତାକୁ ପଚାରିବାରୁ ସେ କିଛି କହୁ ନଥିଲା । ତାର ଯେତେବେଳେ ଟିକେ ଦମ ଆସିଲା; ସେ କହିଲା ସେମାନଙ୍କ ସହ ପୋଖରୀ କୂଳରେ ମୁଁ ମଧ୍ୟ ଖେଳୁ ଥିଲି । ହଠାତ୍ ଆମକୁ କିଏ ଗୋଡ ଧରି ପୋଖରୀ ଭିତରକୁ ଟାଣି ନେଲା । ଏହା ଶୁଣି କିଏ କେତେ ପ୍ରକାର ଆଲୋଚନା କଲେ । ଭୂତ ସେ ପୋଖରୀରେ ଅଛନ୍ତି ବୋଲି କୁହା ଗଲା । ଧନୁଆଁ ବୁଢା କହିଲା ସତ କଥା । ମୁଁ ଦିନେ ଝାଡା ବସି ସେହି ପୋଖରୀକୁ ପାଣି ସାରିବାକୁ ଗଲା ବେଳେ ସନ୍ଧ୍ୟା ବେଳେ କିଏ ଗୋଟାଏ ପୋଖରୀକୁ ଦୁଲ୍ କରି ଡେଇଁଲା । ପୋଖରୀ ପାଣି ହଠାତ୍ ଦୁଇ ଭାଗ ହୋଇ ଗଲା । ମୁଁ ଭାବିଲିଯେ ଆମ ଗାଁର ପିଲା କିଏ ଗାଧୋଉ ଥିବ । କିନ୍ତୁ ପରେ ମୋତେ କାହାକୁ ଦେଖିବାର ମିଳି ନଥିଲା । ମୁଁ ସେହି ଦିନୁ ଏ କଥା ଏ ପର୍ଯ୍ୟନ୍ତ କାହାକୁ ମଧ୍ୟ କହିନି । ଆଜି ଠିକ୍ ଜଣା ପଡୁଛିଯେ ସେଇଟା ଗୋଟାଏ ଭୂତଟାଏ । ଗାଁର ସବୁ ଲୋକ ଜାଣିଲେଯେ ସେହି ପୋଖରୀରେ ଭୂତ ଅଛି ।

ବର୍ଷା ଦିନେ ଆଉ ଗୋଟାଏ ଅସମ୍ଭବ କଥା ଘଟିଲା । ଗୋଟେ ମାଇପିଟାର ଶବ ସେ ପୋଖରୀରେ ଭାସୁ ଥିବାର ଦେଖା ଗଲା । ବୁଝୁ ବୁଝୁ ପାଖ ସେ ଗାଁ ହୁଣ୍ଡା ସାହୁର ସ୍ତ୍ରୀ ମଇନା । ତାକୁ ବୋଧେ ଭୂତ ଟାଣି ଆଣି ଏଠି ବୁଡାଇ ମାରିଛି ବୋଲି ସବୁ ଆଡେ ହୋହାଲ୍ଲା ହୋଇ ଗଲା । କାରଣ ଖରା ବେଳେ ଘର କାମ ସାରି ନଈକୁ ଗାଧୋଇବାକୁ ଯାଇ ଥିଲା ମଇନା । ତାକୁ ଭୂତ ସେଠାରୁ ଆଣି ଏଇଠି ବୁଡାଇ ମାରିଛି । ଆଖ ପାଖ ଅଂଚଳରେ ଏଇ କଥାକୁ ନେଇ ଏକ ପ୍ରକାର କୋକୁଆଭୟ ସୃଷ୍ଟି ହେଲା । ସେହି ଦିନଠୁ ସେପଟେ କେହି ଆଉ ଗଲେନି । ଗୁଣିଆଁ ଡାକି ଭୂତ ଶାନ୍ତି ପାଇଁ ଅନେକ ଟଙ୍କା ଖର୍ଚ୍ଚ କଲେ । ଯେଉଁ ଗୁଣିଆଁ ଯେମିତି କହିଲା କାର୍ଯ୍ୟ ସେମିତି କରାଗଲା । କୁକୁଡା ବଳି ଠାରୁ ଆରମ୍ଭ କରି ଛାଗ ବଳି ମଧ୍ୟ ଦିଆ ଗଲା । ପୋଖରୀର ଭୂତ କିନ୍ତୁ କାହା କଥା ମାନିଲା ନାହିଁ । ବଡ ବଡ ଗୁଣିଆଁ ଆସି ଫେଲ୍ ମାରିଲେ । ଗାଁ ଲୋକେ ଟଙ୍କା ଆଦାୟ କରି ଦେଇ ଦେଇ ଥକି ପଡିଲେ ।

ସେହି ବର୍ଷ ବର୍ଷା ଦିନେ ଆଉ ଗୋଟାଏ ଅସମ୍ଭବ ଧରଣର ଘଟଣା ଘଟିଲା । ଗାଁ ପାଖ ନଦୀରେ ବନ୍ୟା ଜଳ ଆସିଲା । ପୋଖରୀଟା ମଧ୍ୟ ପୂରି ଉଠିଲା ବନ୍ୟା ପାଣିରେ । ଚାରି ଆଡକୁ ପାଣି ମାଡି ଚାଲିଲା । ଏ ସବୁ ଲୋକେ ଦେଖି ଖୁବ୍ ଆତଙ୍କିତ ହେଲେ । ଭୂତ ପୋଖରୀ ପାଣି ଯେଉଁ କ୍ଷେତରେ ମାଡିଲା ବନ୍ୟା ପାଣି ପରି ପଟୁ ପଡି ଫସଲ ମଧ୍ୟ ନଷ୍ଟ ହେଲା । ଲୋକେ ଭାବିଲେ ଏ ଭୂତ ପୋଖରୀ ଗାଁ ବାଲାଙ୍କର ଜୀବନ ନିଶ୍ଚୟ ନେବ । ସେଥି ପାଇଁ ସେମାନେ ପୁଣି ଗୁଣିଆଁ ଡାକିଲେ । ଗୁଣିଆଁ କହିଲେ ଅନେକ ଭୂତ ସେଠାରେ ଏକାଠି ହେଲେଣି । ତେଣୁ ପାଣି ଗୁଡାକ ପୋଖରୀରୁ ଉଚ୍ଛୁଳି ପଡୁଛି । ଗାଁଟାକୁ ଭସାଇ ନେବାର ଭୟ ଦେଖାଇ ଭଲ ଟଙ୍କା ଧରି ସେ ଗୁଣିଆଁ ମଧ୍ୟ ପାର୍ । ଗାଁ ଲୋକେ ପ୍ରମାଦ ଗଣିଲେ ଏଥର । ସଂନ୍ଧ୍ୟା ହେଲେ ସମସ୍ତଙ୍କର ତାଟି କବାଟ ପଡିଲା । ପିଲାଏ ଭୂତ ଭୟରେ ମାଆ ବାପାଙ୍କୁ ନିଜ ପାଖରୁ ଦଣ୍ଡେ ମାତ୍ର ଛାଡୁ ନଥିଲେ । ସେଥି ପାଇଁ ପାଠ ପଢା ମଧ୍ୟ ବନ୍ଦ ହେଲା । କାଳେ ସ୍କୁଲ୍ରୁ ଭୂତ ଉଠାଇ ନେବେ ପିଲାଙ୍କୁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ