ଭ୍ୟାନହୁଙ୍କୁସ୍ ଓ ତାର ତମାଖୁ ହୁକା

ଏହି ଭ୍ୟାନ୍ହୁଙ୍କୁସ୍ ଏକୁଟିଆ ରହୁଥିଲା ଏବଂ ତାର ଶରୀର ଗଠନ ଥିଲା ଖୁବ୍ ଡେଙ୍ଗା ଓ ମୋଟା । ସେ ଖୁବ୍ ମିତଭାଷୀ ଥିଲା ଏବଂ ତାର ମୁଖମଣ୍ଡଳର ରଙ୍ଗ ନୀଳଲୋହିତ ବର୍ଣ୍ଣର ଜ୍ୱଳନ୍ତ ନିଆଁ ଭଳି । ଦେଖା ଯାଉଥିବା ଲୋକେ ତାକୁ ଭୟକରୁଥିଲେ ଏବଂ ଦୁଃସାହସୀ ପିଲାମାନେ ମଧ୍ୟ ତା ପାଖକୁ ଯିବାକୁ ଆଦୌ ସାହସ କରୁନଥିଲେ । ଲୋକମାନେ କୁହାକୁହି ହୁଅନ୍ତି ଯେ ଏକଦା ସେ ଦେଶର ରାଜ୍ୟପାଳ ଭ୍ୟାନଡେରଷ୍ଟରଙ୍କ ଶିକାର ଦଳରେ ଜଣେ ଶିକାରୀ ଥିଲା ଏବଂ ଥରେ ସେ ଗୋଟିଏ ସିଂହ ମୁଣ୍ଡରେ ବନ୍ଧୁକ ଲଗାଇ ଟ୍ରିଗାର ଟିପି ତାକୁ ମାରିଦେଇଥିଲା । ସେତେବେଳେ କେପ୍ଟାଉନ୍ର ଅଗଭୀର ପୁଷ୍କରିଣୀମାନଙ୍କରେ ଜଳଘୋଟକମାନେ ରହୁଥିଲେ ଏବଂ ସେଠାକାର ଅଧିବାସୀମାନଙ୍କ ଘର ନିକଟରେ ରାତିରେ ସିଂହ ଗର୍ଜ୍ଜନ ଶୁଣା ଯାଉଥିଲା । ପ୍ରତ୍ୟେକ ଦିନ ଲୁଣାନଦୀ ନିକଟରେ ଧୀବରମାନଙ୍କ ମଦଓରାରୁ ଏବଂ ନିକଟସ୍ଥ ମଦଭାଟିରୁ ମଦ ପିଇବା ତାର ଅଭ୍ୟାସ ଥିଲା । ପୂର୍ବଭାରତରୁ ଆସୁଥିବା ନାବିକମାନଙ୍କ ସହତାର ପରିଚୟ ଥିଲା ଏବଂ ତାର ଆଚାର ବ୍ୟବହାର ଦେଖି ଭବିଷ୍ୟତରେ ସେ ଅନେକ ଅବସ୍ଥା ଭୋଗିବ ବୋଲି ସେଠାକାର ଲୋକେ କୁହାକୁହି ହେଉଥିଲେ । ଦିନେ ଏକ ସୁନ୍ଦର ସକାଳରେ ଲୋକମାନେ ଦେଖିଲାବେଳକୁ ସେ ତାର କୁଟୀରରୁ କୁଆଡେ ଉଭାନ୍ ହୋଇଯାଇଥିଲା ଏବଂ ବହୁ ବର୍ଷ ପର୍ଯ୍ୟନ୍ତ ତାର ଦେଖାନଥିଲା । ଯେତେବେଳେ ତାର ଆତ୍ମୀୟ ଓ ବଂଧୁ ବାନ୍ଧବମାନେ ସେ ମରିଯାଇଛି ବୋଲି ଧରିନେଇଥିଲେ ଠିକ୍ ସେତିକିବେଳେ ସେ ଭ୍ୟାନ୍ହୁଙ୍କୁସ୍ ପୁଣି ଗୋଟିଏ ଜାହାଜରେ ଫେରି ଆସିଲା । ସେ ଯେଉଁ ଜାହାଜରେ ଫେରି ଆସିଲା ଲୋକମାନେ ସେ ଜାହାଜକୁ ଏକ ଜଳଦସ୍ୟୁଙ୍କ ଜାହାଜ ବୋଲି ସନ୍ଦେହ କଲେ ଓ ଏପରିକି  ରାଜ୍ୟପାଳ ମଧ୍ୟ ସେ ଜାହାଜ ସଂପର୍କରେ କିଛି କହିବାକୁ ଭୟ କଲେ । ସେ ଗୋଟିଏ ସୁନାଜରି କାମ ହୋଇଥିବା ଓ ପଦ୍ମରାଗ ମଣି ବୋତାମ ଲାଗିଥିବା ଏକ ମୂଲ୍ୟବାନ ବନାରସୀକୋଟ୍, ଫୁଲପଡିଥିବା ଫତେଇ ଚିନ୍ରେ ତିଆରି ରେଶମ ପାଇଜାମା ପିନ୍ଧିଥିଲା ଏବଂ ଏକ ଲଭାର ସାଞ୍ଜୁ ପିନ୍ଧିଥିଲା । ତାହା ଏତେ ଓଜନ ଥିଲା ଯେ ଯାହାକୁ ଦୁଇଜଣ ଚାକର ବହୁକଷ୍ଟରେ ଉଠାଇ ତା ଛାତିରେ ପିନ୍ଧାଇ ଦେଉଥିଲେ । ଲୋକେ କୁହାକୁହି ହେଉଥିଲେ ଯେ ସେ ଜଳଦସ୍ୟୁଙ୍କ ସାଙ୍ଗରେ ରହିଥିବାରୁ ତାର ଭାଗ୍ୟ ବଦଳି ଯାଇଥିଲା ଏବଂ ସେ ଅନେକ ସମ୍ପତ୍ତିର ଅଧିକାରୀ ହୋଇପାରିଥିଲା । ସେ ପିନ୍ଧୁଥିବା ସାଞ୍ଜୁରେ ଅନେକ ସୁନାମୋହର, ଆଠୋଟି ପାଗୋଡାମୂର୍ତ୍ତି, ରତ୍ନଖଚିତ ଆଖିଥିବା ଭାରତୀୟ ଦେବତାଙ୍କ ମୂର୍ତ୍ତି ଓ କ୍ରୁଶବିଦ୍ଧ ଯୀଶୁଖ୍ରୀଷ୍ଟଙ୍କ ମୂଲ୍ୟବାନ ମୂର୍ତ୍ତିମାନ ଖଞ୍ଜା ହୋଇ ଶୋଭା ପାଉଥିଲା । ତା ସମ୍ପର୍କରେ ଏମିତି ଅନେକ ଗୁଜବ ଶୁଣାଯାଉଥିଲା ।

ଅନେକ କହୁଥିଲେ ସେ ମାଡାଗାସ୍କାରର ଦୁଷ୍ଟରାଜା ପ୍ଲାଟେନଙ୍କ ପାଖରେ ଥିଲା । ଆଉ କେହି କହୁଥିଲେ ସେ ଇଁଲଣ୍ଡର ଅଶ୍ୱବାହିନୀର ସେନାପତି ଆଭେରୀଙ୍କ ଅଧୀନରେ ଚାକିରୀ କରିଥିଲା । ସେ ମଧ୍ୟ ସେଂଟମାରୀ ଦ୍ୱୀପରେ କିଦ୍ଓକ୍ଲୋର୍ଭଟ ସାଙ୍ଗରେ ମଦ୍ୟପାନ କରି ତାଙ୍କ ସହିତ ଅନ୍ତରଙ୍ଗ ବଂଧୁତ୍ୱ ସ୍ଥାପନ କରିଥିଲା । ସେ ଧନରତ୍ନ ବୋଝେଇ ମୋଗଲ ଜାହାଜକୁ ଲୁଟ କରିଥିଲା ଏବଂ ଜଣେ ରାଜକୁମାରୀଙ୍କ ହାତ କାଟି ସୁବର୍ଣ୍ଣ କଙ୍କଣ ଲୁଟି ନେଇଥିଲା ।

ସେ ଭ୍ୟାନ୍ହୁଙ୍କୁସ୍ର କମରପଟିରେ ଅନେକ ମୁଦ୍ରା ଆଉ ଅଂଟାରେ ଗୋଟିଏ ତରବାରି ଝୁଲୁଥିବାରୁ ଖୁବ୍ କମଲୋକ ତା ଆଗରେ ଠିକ୍ କଥା କହିବାକୁ ସାହସ କରୁଥିଲେ । ସେ ଯାହା ବୁଝୁଥିଲା ତାହା ଠିକ୍ ବୋଲି କହୁଥିଲା ଏବଂ ଏକୁଟିଆ ତା ଘରେ ସେ ରହୁଥିଲା ।

ସେ ତା ସାଞ୍ଜୁ ମଧ୍ୟରେ ରଖିଥିବା ଧନ ନିଜ ପାଇଁ ଖର୍ଚ୍ଚ କରୁଥିଲା । ତାର ବଗିଚା ଚାଷପାଇଁ ଓ ଗୋରୁଙ୍କ ଯତ୍ନନେବା ଏବଂ ସେମାନଙ୍କ ପାଇଁ ଘାସ ସଂଗ୍ରହ କରିବା ଲାଗି କେତେ ଚାକର ସେ ରଖିଥିଲା । ସେ ତା ଘରଆଗରେ ବାରଣ୍ଡା ହଲାଣ୍ଡ ଦେଶୀୟ ଗୋଟିଏ ପିପାରେ ମଦ ରଖି ମୁହଁରେ ଗୋଟିଏ ଲାଉତୁମ୍ବାର ନଳୀ ଦେଇ ବସିବା ବ୍ୟତୀତ ଅନ୍ୟ କିଛି ବି କାମ କରୁନଥିଲା । ସେ ଦିନଦିନ ଧରି କେବଳ ମଦପିଇ ସେଇ ବାରଣ୍ଡାରେ ବସି ତା ବଗିଚାରେ କଖାରୁ ପ୍ରଭୃତି ଫଳ କଷିଧରିବାଠାରୁ ପାକଳ ହେବା ପର୍ଯ୍ୟନ୍ତ ଲକ୍ଷ୍ୟ କରୁଥିଲା । ସେ ସବୁବେଳେ ବସି ଧୂମପାନ କରୁଥିଲା ଏବଂ ସେ ଏକାଥରକେ ଯେତିକି ତମାଖୁ ଟାଣୁଥିଲା ତାହା ଦଶଜଣ ଡଚମ୍ୟାନ୍ ଓ ଶହେଜଣ ଅନ୍ୟ ଦେଶର ଲୋକଙ୍କ ତମାଖୁ ଟାଣିବା ପରିମାଣ ସହ ସମାନଥିଲା । ସେ ଯେତେବେଳେ ଅଧିକ ଚିନ୍ତାମଗ୍ନ କିମ୍ବା ବିଷାଦଗ୍ରସ୍ତ ହୋଇପଡୁଥିଲା ସେତେବେଳେ ସେ ଅଧିକ ତମାଖୁ ଟାଣି ଦମକାଦମକା ଧୂଆଁ ଛାଡୁଥିଲା ଏବଂ ସେ ଧୂଆଁ ଯେମିତି ଏକ ମେଘର ଆବରଣ ସୃଷ୍ଟି କରୁଥିଲା । ଯେତେବେଳେ ପୋତାଶ୍ରୟ ମଧ୍ୟକୁ ଜାହାଜ ସବୁ ଆସୁଥିଲା ସେ ସେଗୁଡିକ ଉପରେ ସତର୍କ ଦୃଷ୍ଟି ରଖୁଥିଲା ଏବଂ ସମୁଦ୍ରରେ ପ୍ରାୟତଃ ଜାହାଜ ନଥିଲାବେଳେ ସେ କେପ୍ଟାଉନନ୍ ସହରକୁ ଯାଇ ତାର ପ୍ରିୟ ପାନୀୟ ଦେଶୀମଦ କିମ୍ବା ରମ୍ କିମ୍ବା ଜିନ୍ରୁ ପିପାଏ ପିପାଏ କିଣି ଆଣୁଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ