ଭୟ ପାଇଁ ଔଷଧ

                ଠିକ୍ ଏଇ ସମୟରେ କେହି ଜଣେ କବାଟରେ କରାଘାତ କଲା ।

                “କିଏ?” ନୀଳାମ୍ୱର ପଚାରି ପଚାରି ଆସି ଦ୍ୱାର ଖୋଲିଲା । ଦେଖିଲା କୁବଡୀ ଭୂତ ଆସି ଠିଆ ହୋଇଛି । ତେଣୁ ସେ ଟିକିଏ ଡରିଗଲା ।

                ଭୂତ ପଚାରିଲା, “ଆଜି ପର୍ଯ୍ୟନ୍ତ ମୁଁ ଶୁଣିଥିଲି, ଜ୍ୱର, କାଶ, ସର୍ଦ୍ଦି ଇତ୍ୟାଦି ରୋଗ ପାଇଁ ଔଷଧ ଅଛି । ଭୟ ପାଇଁ ମଧ୍ୟ କ’ଣ କିଛି ଔଷଧ ଅଛି?”

                ଏକଥା ଶୁଣି ନୀଳାମ୍ବରର ମୁହଁ ଭୟରେ ଆଉ ମୋଟେ ଖୋଲିଲା ନାହିଁ । ଠିକ୍ ସେତିକିବେଳେ କନକ ଆସି ସେଠାରେ ପହଁଚିଲା । ସେ ସାହସ କରି କହିଲା, “କ’ଣ ଏଇଥିପାଇଁ ଏତେ ରାତିରେ ତମେ କବାଟ ବାଡଉଛ?”

                ତା’ପରେ ସେ କୁବଡୀ ଭୂତ ହାତ ଯୋଡି ନମ୍ର ଭାବରେ କହିଲା, “ମା, ତୁମର ବହୁତ ପୁଣ୍ୟ ହେବ । ଯେଉଁ ଔଷଧ ତୁମେ ତୁମର ସ୍ୱାମୀଙ୍କୁ ପିଆଇବାକୁ ଚାହୁଁଛ, ସେଥିରୁ ତମେ ମୋତେ କିଛି ଦିଅ । ମୋର ସାରା ଜୀବନ ତ ଭୟରେହିଁ ବିତିଗଲା । ମୁଁ ଆଜି ପ୍ରଥମଥର ପାଇଁ ଶ୍ମଶାନକୁ ଛାଡି ଗ୍ରାମକୁ ଆସିଛି । ଅନ୍ୟ ଭୂତମାନେ ଗ୍ରାମରେ ପଶି ନାନା ପ୍ରକାର ଉପଦ୍ରବ କରନ୍ତି । ଦୀପଟିଏ ଦେଖିଲେ ଭୟରେ ମୋ ମୁଣ୍ଡ ବୁଲାଏ । ମଣିଷ ଦେଖିଲେ ମୁଁ ତ ଭୟରେ କମ୍ପି ଉଠେ ।”

                ଭୂତର ଭୟ ଦେଖି କନକ ତା’ମନରେ ଆହୁରି ସାହାସ ବାନ୍ଧିଲା । “ରୁହ ମୁଁ ଆସୁଛି” ଏତିକି କହି ସେ କନକ ତା’ଘର ଭିତରକୁ ଗଲା; କିଛି ତେନ୍ତୁଳି, ଜୁଆଣୀ ଓ ଲୁଣ ଦେଇ ଏକ ପାନୀୟ ପ୍ରସ୍ତୁତ କଲା । ତା’ପରେ ବାହାରକୁ ଆସି ତାହା ଭୂତକୁ ଦେଇ ସେ କହିଲା, “ନିଅ ୟାକୁ ପିଇଦିଅ, ଏହାହିଁ ଭୟ କାଟିବାକୁ ମହୌଷଧ ।”

                ଭୂତ ସେତକ ଏକାଥରକେ ପିଇଦେଲା ଓ ଅନ୍ଧାର ଭିତରୁ ହାତ ବଢାଇ ଗୋଟିଏ ଥଳୀ ଆଣି କନକ ହାତରେ ତାହା ଦେଇ ସେ କହିଲା, “ନିଅ ତୁମର ପାରିଶ୍ରମିକ ।”

                ପରେ କନକ ସେ ଥଳୀ ଖୋଲି ଦେଖିଲା ତହିଁ ଭିତରେ କିଛି ସ୍ୱର୍ଣ୍ଣ ମୁଦ୍ରା ଅଛି । ସେ ଖୁସି ହୋଇଯାଇ ଭୂତକୁ କହିଲା, “କାଲି ଆସିବ, ଭୁଲିବ ନାହିଁ ।” ତା’ପରେ ଭୂତ ସେଠାରୁ ଚାଲିଗଲା ।

                ପରଦିନ ଭୂତ ପୁଣି କନକ ପାଖକୁ ଆସିଲା । କନକ ତାକୁ ଭୟ ଛାଡିବା ପାଇଁ ଅନେକ ଗଳ୍ପ ଶୁଣାଇଲା । ସାହାସୀ ହେବା ପାଇଁ ବୁଝାଇଲା, ପୁଣି ଔଷଧ ମଧ୍ୟ ଦେଲା । ସକାଳ ହେବା ପୂର୍ବରୁ ଭୂତ କଳା ବିଲେଇର ରୂପ ନେଇ ସେଠାରୁ ଚାଲିଗଲା । ଏହିପରି ଭାବେ କନକ ଓ ତା’ ସ୍ୱାମୀ ପ୍ରତ୍ୟେକ ଦିନ କିଛି କିଛି ସ୍ୱର୍ଣ୍ଣମୁଦ୍ରା ପାଉଥା’ନ୍ତି । ସେଗୁଡିକ ସେମାନେ ଭାଡି ଉପରେ ରଖି ଦେଉଥା’ନ୍ତି । ଏସବୁ କଥା ଭୂତ ସବୁଦିନେ ଦେଖୁଥାଏ ।

ନୀଳାମ୍ବର ଦିନେ କନକକୁ କହିଲା, “ଏମିତି ଆଉ ଥରେ ଦି’ଥର ହେଲେ ଆମର କରଜ ସବୁ ଶୁଝା ହୋଇଯା’ନ୍ତା ଓ ଆମେ ସହରକୁ ଚାଲିଯା’ନ୍ତେ । ତୁମପରି ସ୍ତ୍ରୀ ଥିଲେ କେବେ କିଛି ଅସୁବିଧା ହେବନାହିଁ ମୁଁ ଜାଣେ ।”

ପରଦିନ ଭୂତ ଆସି ପହଁଚିଲା । ଟିକିଏ କୋଳାହଳ ମଧ୍ୟ କଲା ଓ ସଙ୍ଗେ ସଙ୍ଗେ ଔଷଧ ପିଇ ଦେଲା । କନକ ବୀରତ୍ୱର କାହାଣୀ ଶୁଣାଇବାକୁ ଆରମ୍ଭ କରନ୍ତେ ଭୂତ ରାଗିଯାଇ କହିଲା, “ଏସବୁ ବାଜେ କାହାଣୀ-ଫାହାଣୀ ଶୁଣିବାକୁ ମୋର ଆଉ ସମୟ ନାହିଁ । ଏବେ ମୁଁ ଶ୍ମଶାନରେ ଥିବା ଅନ୍ୟ ଭୂତ ମାନଙ୍କ ସହିତ ଗୋଳମାଳ କରିବାକୁ ଯିବି । ବୁଝିଲୁ?”

ଭୂତ ଯିବାକୁ ବାହରିବାରୁ କନକ କହିଲା, “ଆଜି ମୋର ପାରିଶ୍ରମିକ ଦେବାକୁ ଭୁଲିଗଲ କି?”

ତହୁଁ ଭୂତ ରାଗିଯାଇ କହିଲା, “ପଛରୁ କାହିଁକି ଡାକିଲୁ? ଏବେ ଦେଖିବୁ?” ଏହା କହି ସେ ତା’ର ଲମ୍ବା ଜିଭ ବାହାର କରି ଭାଡି ଉପରେ ଥିବା ସବୁ ମୋହର ଖାଇଦେଲା । ତା’ପରେ ଏକ ବିରାଟ ଶାଗୁଣାର ରୂପ ଧରି ସେଠାରୁ ସେ ଉଡି ପଳାଇଲା ।

ଏସବୁ ଦେଖି ନୀଳାମ୍ବର ମୂର୍ଚ୍ଛା ଗଲା । କନକ ତା’ ମୁହଁରେ ପାଣି ଛିଂଚି ତାକୁ ସଚେତ କରାଇଲା । ସେ ମନେ ମନେ ଭାବିଲା, “ମୁଁ ତ ଭୂତକୁ ୟାଡୁସାଡୁ ଜିନିଷ ଔଷଧ ବୋଲି ଦେଇଥିଲି । କେବଳ ବୀରତ୍ୱର କାହାଣୀ ଶୁଣି ଶୁଣି ତା’ର ଭୟ ଚାଲିଗଲା ଓ ସେ ଶକ୍ତିଶାଳୀ ହୋଇଗଲା ।”

ଇତିମଧ୍ୟରେ ଏସବୁ ଗୋଳମାଳ ଶୁଣି ପଡୋଶୀମାନେ ମଧ୍ୟ ସେଠାକୁ ଆସିଗଲେ । ନୀଳାମ୍ବର ଆଖି ଖୋଲି କହିଲା, “କନକ ତୁମ ଔଷଧ କେତେ ଯେ ଶକ୍ତିଶାଳୀ ତାହା ମୁଁ ଆଜି ହିଁ ଦେଖିଲି । କିନ୍ତୁ ହାୟ ଆମର ସବୁ ଧନ ଭୂତ ଖାଇଦେଇ ଗଲା ।”

ସେଠାରେ ଏକତ୍ରିତ ହୋଇଥିବା ଲୋକେ ଏସବୁ କଥା କିଛି ବି ବୁଝିପାରିଲେ ନାହିଁ । କନକ ସବୁ ଖୋଲି କହିଲା । ସେମାନେ ଅତ୍ୟନ୍ତ ବିସ୍ମିତ ହେଲେ । ସକାଳୁ ସେ କଥାଟା ବହୁତ ଶୀଘ୍ର ଚାରିଆଡେ ପ୍ରଚାର ହୋଇଗଲା ।

ପରଦିନ ସକାଳୁ କନକ ତା’ ଦୁଆରରେ ବସି ଚିତା ଲେଖୁଛି; ଠିକ୍ ଏହି ସମୟରେ ଜଣେ ଭଦ୍ରଲୋକ ତାଙ୍କ ନାତିକୁ ଧରି ଆସି ସେଠାରେ ପହଁଚିଲେ ଓ ପଚାରିଲେ, “କନକ, ମୁଁ କୁଆଡେ ଶୁଣିଲି ତୁମ ପାଖରେ ଭୟକୁ ଦୂର କରିବା ପାଇଁ କୌଣସି ଔଷଧ ଅଛି । ତୁମେ ଭୂତକୁ ଔଷଧ ଦେଇ ସାହସୀ କରି ଦେଇଛ । ଭୂତ ଯଦି ଦୁଇ ଚାରଦିନରେ ସାହସୀ ହୋଇପାରିଲା, ମଣିଷ ତ ଆହୁରି ଶୀଘ୍ର ସାହସୀ ହୋଇଯିବା ଉଚିତ୍ । ମୋ ନାତିଟି ବଡ ଡରୁଆ । ଏହାକୁ ସେଭଳି କିଛି ଔଷଧ ଦେବ କି? ଏହି ଟଙ୍କା ତୁମର ଆଜିପାଇଁ ପାରିଶ୍ରମିକ ।” ଏତିକି କହି ସେ ଦଶଟଙ୍କା କନକ ହାତରେ ଧରାଇ ଦେଲେ । ତା’ପରେ କନକ ହସି ହସି କହିଲା, “ହଉ, ମୁଁ ଚେଷ୍ଟା କରି ଦେଖେ, କ’ଣ ହେଉଛି । କିନ୍ତୁ ମୁଁ କଥା ଦେଇ ପାରିବି ନାହିଁ ଯେ ସତରେ ସେ ଭୟ ଛାଡିବ କି ନା । ସେଥିପାଇଁ ମୁଁ ମୋ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବି ।

କନକ ମନକୁ ମନ ଭାବିଲା ଯେ କେତେ ଲୋକଙ୍କ ମନରେ ବସା ବାନ୍ଧିଥିବା ଏହି ଭୟ କେଉଁ ଔଷଧରେ ଯିବ? ପ୍ରକୃତରେ ଏହା ଔଷଧରେ ନୁହେଁ, ବରଂ ସେମାନଙ୍କ ମଧ୍ୟରେ ଉତ୍ସାହ ଓ ଆତ୍ମବିଶ୍ୱାସ ଆଣିଦେଲେ ଭୟ ଆପେ ଆପେ ଚାଲିଯିବ ।”

ଏସବୁ ଶୁଣି ନୀଳାମ୍ବର କନକକୁ କହିଲା, “ଇଏ ତ ବେଶ୍ ଗୋଟିଏ କାମ ତମେ ଆରମ୍ଭ କଲ । ମୁଁ ମଧ୍ୟ ତୁମକୁ ଏଥିରେ ନିଶ୍ଚୟ ସାହାଯ୍ୟ କରିବି । ତେବେ ତୁମମାନଙ୍କୁ ଛାଡି ମୋର ଆଉ ସହର ଯିବାର ଆବଶ୍ୟକତା ମଧ୍ୟ ରହିବ ନାହିଁ ।”

ଅବଶେଷରେ ନୀଳାମ୍ବରର କଥା ଶୁଣି କନକ ଖୁବ୍ ଖୁସି ହେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ