ମଇନା କୁମାରୀ ଓ ଛବି କୁମାରୀ କାହାଣୀ

ରାଜା ଯାହା ଭାବନ୍ତୁ, ଯାହା କରନ୍ତୁ ପଛକେ ପ୍ରକୃତ କଥାଟା ତାଙ୍କୁ ନିଶ୍ଚୟ ଜଣାଇବାକୁ ହିଁ ପଡିବ । ଏହି କଥା ଭାବି ସେନାପତି ଗଲେ ଦରବାରକୁ । ରାଜାଙ୍କୁ ଏକାନ୍ତରେ ସେ କହିଲେ – “ମହାରାଜ! ଝିଅ ମୋର ବିଭା ହେବାକୁ ନାରାଜ ହୋଇଛି । ତାକୁ ବେଶି ବାଧ୍ୟ କଲାରୁ ସେ କହିଛି – ଛାମୁଁଙ୍କୁ ନ ଦେଖିଲେ ସେ ଆଦୌ ବିଭା ହେବନି! ଏଥିପାଇଁ ଯାହା ବିଚାର କରିବାର କଥା କରନ୍ତୁ । ହେଲେ ମୋର ଏଥିରେ କିଛି ମାତ୍ର ଦୋଷ ନାହିଁ । ମୁଁ ଆପଣଙ୍କୁ ଜାମାତା ରୂପେ ପାଇବାକୁ ଖୁବ୍ ଆକାଂକ୍ଷିତ ହୋଇ ପଡିଛି ।”

ଏହି କଥାଟା ସେ ରାଜାଙ୍କୁ ଖରାଦିନିଆ ଚନ୍ଦନ ପରି ବେଶ୍ ଆରାମ୍ ଲାଗିଲା । ମନେ ମନେ ସେ ରାଜା ଆକାଶ କୁସୁମ ତୋଳିବାକୁ ଲାଗିଲେ । ଦେଖାକଲା ବେଳକୁ ବାର୍ଦ୍ଧକ୍ୟ ଛାପା ଯଦି ତାଙ୍କ ଦେହ ମୁଣ୍ଡରେ ଦେଖାଯାଏ, ତେବେ କାଳେ ସେ କନ୍ୟାର ମନଟା ଭାଙ୍ଗି ପଡିବ ଏଥିପାଇଁ ସେ ରାଜା ଆଗରୁ ଚେଷ୍ଟା କଲେ ନିଜ ଚେହେରାଟାକୁ ସଜାଡି ଦେବା ପାଇଁ । ପାଚି ଯାଇଥିବା ବାଳମାନଙ୍କରେ କଳପ ଲଗାଇ ସେସବୁକୁ କଳା କରି ଦିଆଗଲା । ଲୋଭନୀୟ ବେଶ ପୋଷାକରେ ସେ ତାଙ୍କ ଶରୀର ମଣ୍ଡନ କରାଇଲେ । ଗୋଟାଏ, ଦି’ଟା ଦାନ୍ତ ପଡିଯାଇଥିବାରୁ ସେ ଜାଗାରେ କାରିଗର ଆସି ନୂଆ ଦାନ୍ତ ବନ୍ଧାଇ କରି ବସାଇ ଦେଲା । ଏବେ କନ୍ୟାକୁ ଦେଖ । ଦର୍ଶନୀ ଦେବା ବୋଲି ବଢିଆ ବଢିଆ ରତ୍ନ ଅଳଙ୍କାରମାନ ଫର୍ମାସୀ କରି ରାଜା ଅଣାଇଲେ । ପାଟ ପିତାମ୍ବରୀ ଚେନ ଓ କ୍ଷୀରୋଦରୀ ଶାଢୀମାନ କିଣାଇଲେ, ମଖମଲ କାଂଚଲା ସବୁ ତିଆରି ହେଲା । ତା’ପରେ ଶୁଭଦିନ, ଶୁଭସମୟ ଓ ଶୁଭଯୋଗ ଦେଖି ବିରାଟ ପଟୁଆର କରି ରାଜା ଚାଲିଲେ କନ୍ୟା ସଙ୍ଗେ ଦେଖା କରିବାକୁ ।

ସେନାପତି ତ ଆଗରୁ ଯାଇ ମହାରାଜାଙ୍କ ସୁବିଧା ହେବାଭଳି ସମସ୍ତ ଆୟୋଜନ ତାଙ୍କ ଘରେ କରିଥାନ୍ତି ।

ଏଣେ ସେ ସମର ସିଂହ ଯାଇ ପହଁଚିଲା ମହାଯୋଗୀ ମହେଶ୍ୱରଙ୍କ ପୀଠରେ । ସେ ନିଜେ ବି ତପସ୍ୟା କରି ଅନେକାଂଶରେ ସିଦ୍ଧିଲାଭ କରିଥାଏ । ତେଣୁ ଅକ୍ଳେଶରେ ମହେଶ୍ୱର ତାକୁ ଦେଖାଦେଲେ । ସେ ସମର ସିଂହ ବି ମହେଶ୍ୱରଙ୍କ ପାଖରେ ଅଳିକରି ତାଙ୍କୁ ଜଣାଇଲା ରାଜକୁମାରୀର ପ୍ରତିଜ୍ଞା କଥା କିପରି ପୂରଣ ହେବ, ସେ କଥା ତାକୁ କହି ଦେବାକୁ । ତାର ଭକ୍ତିର ଅଟଳତା ଦେଖି ମହେଶ୍ୱର ଖୁବ୍ ଖୁସୀ ହେଲେ । ତାଙ୍କ ମନରେ ସମର ପ୍ରତି ଟିକେ ଦୟାବି ଆସିଲା । ତେଣୁ କିଛି ଟାଳଟୁଳ ନକରି ମହେଶ୍ୱର ସେ ସମରକୁ ସକଳ କଥା ଜଣାଇ ଦେଲେ । ଶେଷରେ କହିଲେ – “କନ୍ୟାକୁ ନେଇ ତୁ କାଲି ଭିତରେ ସେନାପତିଙ୍କ ଦୁଆର ମୁହଁରେ ପହଁଚିବୁ । ସେଇଠି ହିଁ ଦି’କୁମାରୀଯାକ ତୋତେ ବିଭା ହେବେ ।

ତହୁଁ ସେ ସମର ପଚାରିଲା – ଏତେବାଟ ଆମେ ଯିବୁ କିପରି?


ଗପ ସାରଣୀ

ତାଲିକାଭୁକ୍ତ ଗପ