ମଇନା କୁମାରୀ ଓ ଛବି କୁମାରୀ କାହାଣୀ

ତାପରେ ସମର ସିଂହ କହିଲା – “ତୁମେ ଡମପଡା ରାଜାଙ୍କ ଝିଅ । ତୁମ ବାପାଙ୍କର ଥିଲେ ଯୋଡିଏ ରାଣୀ । ସେମାନେ ସପତଣୀ ବିବାଦ ହେତୁ ଅଲଗା ଅଲଗା ରହିଥିଲେ । ସେ ଦୁଇ ରାଣୀଙ୍କଠୁ ତୁମେ ବି ଯୋଡିଏ ଝିଅ ଜନ୍ମ ହୋଇ ଅଲଗା ଅଲଗା ବଢିଲ । ତୁମ ବଡ ଭଉଣୀ ନାଁ ମଇନା । ତୁମ ନାଁ ଛବି । ଦୈବାତ୍ ଦିନେ ଦି’ ଭଉଣୀଙ୍କର ଦେଖା ସାକ୍ଷାତ ହେବାରୁ ତୁମ ଦୁହିଁଙ୍କର ମନ ମିଳିଗଲା । ଦିହେଁ ଦିହିଁଙ୍କି ଅନ୍ତରର ସହିତ ଭଲ ପାଇ ବସିଲ । ହେଲେ ଏ କଥା ତୁମ ମାଆମାନଙ୍କୁ  ଆଦୌ ଭଲ ଲାଗିଲାନି । ତେଣୁ ସେମାନେ ଚେଷ୍ଟା କରି କଲେ ଜଣକ ପାଖରୁ ଆଉ ଜଣକୁ ହଟାଇ ଦେବାପାଇଁ ।

ମଇନା ବୋଉ ଗୋଟିଏ ତନ୍ତିଆଣୀ ସାହାଯ୍ୟରେ ତୁମକୁ ନେଇ ବିକ୍ରୀ କରାଇଦେଲା ଗୋଟିଏ କପାଳି ମୁନିକୁ । ଆଉ ତୁମ ବୋଉ ଗୋଟିଏ ତେଲୁଣୀଦ୍ୱାରା ମଇନାକୁ ନେଇ ପକାଇ ଦେଲା ଏକ ମରଣ ଗୁମ୍ଫା କୂଅରେ ।

ତୁମେ ଯେପରି ଉଦ୍ଧାର ହୋଇ ଏଠିକି ଆସିଲ ସେ କଥା ତ ତୁମେ ନିଜେ ବି ଜାଣିଛ । ତେଣୁ ଏବେ ତୁମେ ଅଯଥା ସେ କଥାରେ ସମୟ ନଷ୍ଟ ନକରି ଅନ୍ୟାନ୍ୟ କଥା ସବୁ ମନଦେଇ ଶୁଣ । ମଇନା ତ ସେ କୂଅରେ ପଡି ଖାଲି କାନ୍ଦୁଥାଏ । ଜଣେ ଦସ୍ୟୁ ସର୍ଦ୍ଦାର ଦେଖି ତାକୁ ସେଠାରୁ ଉଦ୍ଧାର କଲା । ତା’ର କେହି ପିଲାପିଲି ମୋଟେ ନ ଥିଲେ । ତେଣୁ ସେ ମଇନାକୁ ପାଳିଲା ତା ନିଜ ଝିଅ ପରି । ସେ ସର୍ଦ୍ଦାର ମଧ୍ୟ ମଇନାକୁ ଖୁବ୍ ଗେହ୍ଲା କରି ବଢାଇଲା । ସେ ଦସ୍ୟୁ ସର୍ଦ୍ଦାର ମଇନାକୁ ଘୋଡା ଚଢାଠୁ, ଆରମ୍ଭ କରି ସମସ୍ତ ଯୁଦ୍ଧ ବିଦ୍ୟା ପର୍ଯ୍ୟନ୍ତ ଶିଖାଇଲା । ତେଣେ ତୁମ ଦୁହିଁଙ୍କୁ ନ ପାଇ ରାଜା ପାଗଳ ପରି ହୋଇଗଲେ । ଗଣକ ଆସି ଖଡୀ ପାଠ କରି ସେ ରାଣୀମାନଙ୍କ ଦୋଷ କହିବାରୁ ରାଜା ତାଙ୍କ ଦୁଇ ରାଣୀଙ୍କୁ କାରାବାସ ଜନିତି ଦଣ୍ଡ ଦେଲେ ।

ମଇନା ସେ ଦସ୍ୟୁ ସର୍ଦ୍ଦାରର ଝିଅ ହୋଇ ଖୁବ୍ ଫୁର୍ତି କରୁଥାଏ । ଦିନେ ସେ ଶିକାର କରିବାକୁ ଯାଇଥିଲା ଘୋଡା ଉପରେ ବସି । ଠିକ୍ ଏତିକି ବେଳେ ଗୋଟିଏ ଯବାନଦସ୍ୟୁ ଯୁବକ ମଇନାକୁ ଦେଖି ଖୁବ୍ ମୋହିତ ହୋଇଗଲା । ତାପରେ ସେ ସର୍ଦ୍ଦାରକୁ ଆସି କହିଲା – “ମଇନାକୁ ବିଭା ହେବା ପାଇଁ । ହେଲେ ସର୍ଦ୍ଦାର ଏ କଥା ଶୁଣି ମନା କରି ଦେବାରୁ ହଠାତ୍ ସେମାନଙ୍କ ମଧ୍ୟରେ ଝଗଡା ଆରମ୍ଭ ହେଲା । ଦିହେଁ ଗଡାଗଡି ମରାମରି ହେଉଥିଲେ । ମଇନା ଏହା ଦେଖି ଗୋଟିଏ ତୀର ମାଇଲା । ତାର ସେହି ତୀରରେ ସେ ଦସ୍ୟୁ ଟୋକାଟା ମରିଯିବାରୁ ଅନ୍ୟ ଦସ୍ୟୁମାନେ ମିଳି ଏକ ମେଳ ବାନ୍ଧିଲେ । ଏ ସର୍ଦ୍ଦାରକୁ ବାହାର କରିଦେଲେ ତାଙ୍କ ମେଂଟ ଭିତରୁ । ତାପରେ ସେ ସର୍ଦ୍ଦାର ବିଚରା ତା ସ୍ତ୍ରୀ ଓ ମଇନାକୁ ସାଙ୍ଗରେ ନେଇ ଚାକିରୀ ଖୋଜି ବୁଲିଲା । ଦୈବାତ୍ ତାକୁ (ସେହି ସର୍ଦ୍ଦାରକୁ) ଚାକିରୀ ବି ମିଳିଲା ତୁମରି ବାପାଙ୍କ ପାଖରେ । ସେ ହେଲା ସେଠାକାର ସେନାପତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ