ମଇନା କୁମାରୀ ଓ ଛବି କୁମାରୀ କାହାଣୀ

ମଇନା ସକଳ କଥା ଗୋଟି ଗୋଟି କରି ବୁଝାଇ କହିଲା । ସେ ସବୁ କଥା ଶୁଣି ସାରି ରାଜା ତାଙ୍କ ଲୋକ ପଠାଇଲେ ସେ ବଲାଙ୍ଗିର ରାଜପୁତ୍ରକୁ ପାଛୋଟି ଆଣିବା ପାଇଁ । ଲୋକ ଯାଇ ସସମ୍ମାନେ ତାଙ୍କୁ ପାଛୋଟି ଆଣିଲେ । ସେ ଆସି ରାଜାଙ୍କୁ ପ୍ରଣାମ କରି ନିଜ ଆସନ ଗ୍ରହଣ କଲେ ।

ମଇନା କହିଲା – “ସବୁ କଥା ଏ ସିଦ୍ଧଯୋଗୀ ରାଜପୁତ୍ରଙ୍କୁ ପଚାର ।” ରାଜା ପଚାରିଲେ । ତହୁଁ ସେ ସମର ସିଂହ ମୂଳରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ଘଟଣା କହିଲା । ମଇନା ଓ ଛବି ସାକ୍ଷୀ ଦେଲେ ସେ ସବୁ ସତ୍ୟ ବୋଲି । ତା’ପରେ ଯାଇ ରାଣୀମାନଙ୍କ କଥା । ରାଜା କହିଲେ “ସେହି ରାଣୀ ମାନଙ୍କୁ ଶୂଳି ଦିଆଯିବ ।”

ଛବି କହିଲା – “ଆପଣ ଆଉ ଏଥିରେ କିଛି ବି କହି ପାରିବେନି । ମୁଁ ସତ୍ୟ କରିଛି, ଯେ ରାଜକୁମାର ସବୁ କଥା ସମାଧାନ କରିବେ । ସତ କଥା ସମସ୍ତଙ୍କ ମନକୁ ଆସିଲେ ସେ ବିଭାହେବେ ଆମ ଦି’ଭଉଣୀଙ୍କୁ । ଏହା ଣୁଣି ସେ ଡମପଡା ରାଜା କହିଲେ – ଏହା ତ ଅତି ଉତ୍ତମ କଥା । ସେ ବିଚାର କରି ସମାଧାନ କରନ୍ତୁ । ଏ କଥା ଶୁଣି ସମରସିଂହ କହିଲା – “ମହାରାଜ! ସେମାନେ ତ ନାରୀ! କନ୍ୟା ସ୍ନେହରେ ଯାଇଛନ୍ତି ଭୁଲ୍ ବାଟରେ । ହେଲେ ଆପଣା ଧର୍ମ ଆପଣଙ୍କୁ ହିଁ ରକ୍ଷା କରିଛି । ସତ ଧନ ବୁଲି ବୁଲି ଫେରି ଆସିଛି ପୁଣି ଆପଣଙ୍କ ହାତ ପାଖକୁ । ତେଣୁ ଆପଣ ଅତି ଆନନ୍ଦରେ ଆତ୍ମହରା ହୋଇପଡିଛନ୍ତି କନ୍ୟା ସ୍ନେହରେ ।

ରାଣୀ ଦିହେଁ ପର ଆପଣା ଭାବ ରଖି ଯେଉଁ ଗାତଟିମାନ ଖୋଳି ରଖିଥିଲେ, ସେହି ଗାତରେ ସେମାନେ ଆଜି ନିଜେ ପଡିଛନ୍ତି । ତାଙ୍କ ପାପର ବିଚାର କରି ସାରିଛନ୍ତି ନିଜେ ଦେବ ଧର୍ମ । ଝିଅମାନଙ୍କ ବିଚ୍ଛେଦରେ ଏବେ ତାଙ୍କ ପ୍ରାଣ ନିଶ୍ଚୟ କାନ୍ଦୁଥିବ । କାରଣ ସେମାନେ ଦୁହେଁ ଜାଣିଛନ୍ତି ଯେ ତାଙ୍କ ଝିଅମାନେ ଆଉ ଜୀବନରେ ନାହାଁନ୍ତି । ତେଣୁ ଭାରି ବିକଳ ହେଉଥିବେ ସେମାନେ । ଆପଣ ସେସବୁ ଚିନ୍ତା କରନ୍ତୁ ଆପଣଙ୍କ ଅନ୍ତର ସଙ୍ଗେ ତୁଳନା କରି । ମା’ର ହୃଦୟ ତା ଝିଅ ପାଇଁ କ’ଣ ବା ନ ହେଉଥିବ?

                ରାଜା ଓ ପ୍ରଜା ଏହି କଥା ଶୁଣି ସମସ୍ତେ କହିଲେ – “ନିଶ୍ଚୟ କଥା ।”

                ସମର ସିଂହ କହିଲା – “ଝିଅମାନେ ଫେରି ଆସିଛନ୍ତି । ଏ କଥାରେ ଆପଣଙ୍କର ଯେଉଁ ଆନନ୍ଦ ଆସିଛି ସେଥିରେ ସେମାନଙ୍କର କ’ଣ କିଛି ଅଂଶ ନାହିଁ?”

                ତହୁଁ  ସମସ୍ତେ ବି କହିଲେ – “ହଁ, ନିଶ୍ଚୟ ଅଛି ।”

ସମର ସିଂହ କହିଲା – “ଯେବେ ଅଛି, ତେବେ ସେମାନଙ୍କୁ ବି ଦିଆଯାଉ ଉପଭୋଗ କରିବା ପାଇଁ । ସ୍ନେହବଶତ ମନୁଷ୍ୟ ଏହିପରି ଅନେକ ଭୁଲ୍ କରି ବସେ । ସେମାନେ ବି କରିଛନ୍ତି । ସେଥିପାଇଁ ସେମାନଙ୍କୁ ଯାହା ଦଣ୍ଡ ଦିଆଯିବାର କଥା ରାଜା ବି ତ ସେମାନଙ୍କୁ ଛାଡି ନାହାଁନ୍ତି । ତେଣୁ ସେମାନେ ସଢୁଛନ୍ତି କାରାଗାରରେ ବର୍ଷ ବର୍ଷ ଧରି । ଗୋଟାଏ ଛେଳିକି ଦି’ଚୋଟ ଦେବା ମୋ’ ବିଚାରରେ ଆଦୌ ଉଚିତ୍ ନୁହେଁ; ଏଣୁ ସେମାନଙ୍କୁ ତୁରନ୍ତ କାରାଗାରରୁ ଖଲାସ କରାଯାଉ ।

ଏହା ଶୁଣି ସଭାସଦ ଜନତା କରତାଳି ଦେଇ କହିଲେ – “ଏହାକୁ ହିଁ

କହନ୍ତି ଠିକଣା ବିଚାର ।”


ଗପ ସାରଣୀ

ତାଲିକାଭୁକ୍ତ ଗପ