ମଇନା କୁମାରୀ ଓ ଛବି କୁମାରୀ କାହାଣୀ

ତହୁଁ ସେ ତେଲୁଣୀ କହିଲା – ମଲା ମଲା, ଖାଇବା ଜିନିଷ କ’ଣ କାନିରେ ବାନ୍ଧିନେବା? ସେଇଠି ପାଖରେ ପରା ସେଉ, ବେଦନା, ନାସପାତି, ଅଙ୍ଗୁର, କଦଳୀ ଇତ୍ୟାଦି କେତେ ପ୍ରକାର ମିଠା ମିଠା ଫଳ ପାଚି ପଡିଛି । ସେଥିରୁ ଆମେ କ’ଣ ମୁଠାଏ ତୋଳି ଦେବାନି?

ମଇନା ପୁଣି ପଚାରିଲା – ନେଉଳ କ’ଣ ଫଳ ଖାଆନ୍ତି?

ତେଲୁଣୀ କହିଲା – ଆଗୋ, ସେ ପରା ବଣରେ ରହି ଫଳ ଖାଇବାର ମଜା ପାଇଛନ୍ତି, ନ ଖାଇବେ କାହିଁକି? ମୁଁ ପରା ଜାଳ କାଠ ପାଇଁ ଯଉ ଦିନ ଜଙ୍ଗଲକୁ ଯାଏ, ସେଦିନ ମୁଁ ସେହି ନେଉଳ ମାନଙ୍କୁ କୋଳରେ ବସାଇ ସେମାନଙ୍କୁ ପେନ୍ଥାଏ ଲେଖାଁ ଅଙ୍ଗୁର ଖୋଇଦିଏ ।

ମଇନା ପଚାରିଲା – ଏକ୍ଷଣି ଗଲେ ତୁ ମୋତେ ସେମାନଙ୍କୁ ଦେଖାଇ ଦେବୁ?

ତେଲୁଣୀ କହିଲା – ଚାଲ ।

ମାୟାବିନୀ ତେଲୁଣୀର କୂଟଚକ୍ର ଆଦୌ ବୁଝି ପାରିଲାନି ସେ ବାଳିକା । ସୁନା ନେଉଳ ଦେଖିବା ଲୋଭରେ ସେ ଚାଲିଲା ନିଘୋଡ ବଣ ଭିତରକୁ । ତେଲୁଣୀ ତ ଆଗରୁ ସବୁ ଠା’ ଠିକଣା ଠାବ କରି ରଖିଥାଏ । ତେଣୁ ଆଉ ବେଶି କିଛି ଧନ୍ଦାଳି ହେବାକୁ ପଡିଲାନି ତାକୁ । ମଇନାକୁ ନେଇ ସେ ପହଁଚିଲା ଗୋଟିଏ କୂଅ ପାଖରେ । ସେହି କୂଅଟାକୁ କୋଉ ଅମଳରେ କିଏ ବା କାହିଁକି ଖୋଳାଇ ରଖିଥିଲା ସେ କଥାର ଇତିହାସ କେହି ଲେଖି ନ ରଖିଥିଲେ ମଧ୍ୟ କୀର୍ତିଟା ପଡି ରହିଛି ସେମିତି ଜରାଜୀର୍ଣ୍ଣ ଅବସ୍ଥାରେ । ସେହି କୂଅ ଭିତରେ ପାଣି ପଙ୍କ କିଛି ବି ନାହିଁ । ତାହା ନିପଟି ଶୁଖିଲା ଠକ ଠକ । ନାନା ପ୍ରକାର ଛୋଟ ଛୋଟ ଗଛ ଲତାରେ ସେହି କୂଅ ଭିତରଟା ଖୁବ୍ ଜଙ୍ଗଲିଆ ହୋଇଥାଏ । ତା ଭିତରେ ପୁଣି ସାପ, ବେଙ୍ଗ, ମଶା, କଙ୍କଡାବିଛା ଅନେକ ଥାଆନ୍ତି । ତେଲୁଣି ସେହି କୂଅଟାକୁ ଦେଖାଇ କହିଲା, ଏହି ଗୋଟାକ ହେଉଛି ସୁନା ନେଉଳର ବସା ।

ମଇନା ଯାଇ ତା ଭିତରକୁ ନଇଁପଡି ଅନାଇ ଦେବା ମାତ୍ରେ ସେ ତେଲୁଣୀ ପଛଆଡୁଆ ମଇନାକୁ ପେଲିଦେଇ କହିଲା – ତୁ ୟା ଭିତରେ ଥାଆଲୋ ରାଜାଝିଅ ସୁକୁମାରୀ, ମୁଁ ଏବେ ଯାଉଛି ।

କୂଅରେ ଗଳି ପଡିଲା ବେଳେ ଫାନ୍ଦରେ ବାଜି ମଇନାର ମୁଣ୍ଡଟା ଟିକେ ଫାଟିଗଲା । ତାର ଗୋଡ ହାତ ଖଣ୍ଡିଆ ଖାବରା ହୋଇ ଲୁଗାପଟା ସବୁ ଚିରିଗଲା । ତାପରେ ଘଡିକ ଯାଏଁ ସେ ମୂର୍ଚ୍ଛା ହୋଇଗଲା । କାମ ହାସଲ କରି ତେଲୁଣୀ ଜଣକ ଚାଲିଲା ତା ବାଟେ ବାଟେ । ମୁହଁରେ ତା’ର ଉକୁଟି ଆସୁଥାଏ ଖାଲି ଆନନ୍ଦର ସହସ୍ର ଆଲୋକ ରେଖା ।

ତେଣେ ବଡରାଣୀର ଇଚ୍ଛା ଛବିକୁ କେମିତି ହଟାଇ ଦେଲେ ତା ରାସ୍ତାରୁ ଗୋଟାଏ କଂଟା ଯିବ । ମଇନା ଆଉ ତା (ଛବି) ସାଙ୍ଗେ ସାଙ୍ଗ ହୋଇ ନପାରି ଆପେ ଆପେ ସେ ଆସିଯିବ ମୋ ଆୟତକୁ । ତେଣୁ ସେ ବଡରାଣୀ ବି ତା’ର ଯୋଜନା ପ୍ରସ୍ତୁତ କରିବାରେ ଲାଗିଥାଏ ।

ନୁଖୁରୀ ତନ୍ତିଆଣୀ ସଙ୍ଗେ ବଡରାଣୀର ଥାଏ ଖୁବ୍ ଭାବ । ନୁଖୁରୀ ବି କିଛି କମ୍ ଲୋକ ନୁହେଁ । ସେ ମଧ୍ୟ ତା ଜୀବନରେ ହଜାର ହଜାର ଅପକର୍ମ କରି ପାପ ଅର୍ଜ୍ଜନ କରିବା ହେତୁ ସେ ବି ତା ପୁଅ ଗେରସ୍ତ ସହିତ ସବୁ ଦେଇଥାଏ ଯମ ଦେବତାକୁ । ତେଣୁ ଆପେ ବସିଥାଏ ସେ ଚାରି ଦଉଡି କଟା ଲଙ୍ଘା ଫକୀରିଆଣୀ ସାଜି । ତା’ର ବି କେହି ଆଗକୁ ନ ଥାଏ କି ପଛକୁ ବି ନଥାଏ । ଗୋଟିଏ ପଟେ ପେଟ ତ ଆଉ ଗୋଟିଏ ପଟେ ତାର ପିଠି ।


ଗପ ସାରଣୀ

ତାଲିକାଭୁକ୍ତ ଗପ