ମଣିଷପଣିଆ

                କବୀର  ଜାତିରେ ତନ୍ତୀ ଥିଲେ, ଆଉ ଲୁଗାବୁଣା ତାଙ୍କର ମୂଖ୍ୟ ବୃତ୍ତିଥିଲା । ତାଙ୍କର ଯଶ, ଖ୍ୟାତି, ବହୁତ ବଢି ଯାଇଥିଲେ ବି ସେ ଲୁଗାବୁଣିବା ପେସାକୁ ଜମା ଛାଡି ନ ଥିଲେ ।

                ଦିନକର କଥା । କେତେଜଣ ଶେଠ କବୀରଦାସଙ୍କୁ ସାକ୍ଷାତ୍ କରିବାପାଇଁ ଆସିଲେ । ସେତେବେଳେ ସେ କବୀର ଲୁଗାବୁଣାରେ ଏତେ ମଜ୍ଜି ଯାଇଥିଲେ ଯେ, ଶେଠମାନେ କେତେବେଳୁ ତାଙ୍କ ସମ୍ମୁଖରେ ଠିଆ ହୋଇଥିଲେ ମଧ୍ୟ ସେ କିଛି ବି ଜାଣିପାରି ନଥିଲେ ।

                କିଛି ସମୟପରେ ସେ ଆଗନ୍ତୁକମାନଙ୍କ ଉପରେ କବୀରଙ୍କର ନଜର ପଡିବାରୁ କବୀର ସେମାନଙ୍କୁ ବସିବାକୁ କହି ଆସିବାର କାରଣ ପଚାରିଲେ ।

                ତା’ ପରେ ସେ ଆଗନ୍ତୁକ ଶେଠମାନଙ୍କ ଭିତରୁ ଜଣେ ଅତି ନମ୍ରତାର ସହ କହିଲେ, ମହାଶୟ, ଏବେ ଆପଣ ଆଉ ସାଧାରଣ ବ୍ୟକ୍ତି ନୁହଁନ୍ତି । ତେଣୁ ଜଣେ ମାମୁଲି ଲୋକଭଳି ଆପଣ ଲୁଗାବୁଣିବା ମୋଟେ ଠିକ୍ ହେଉନାହିଁ । ଏହା ତ ଦରିଦ୍ର ଲୋକଙ୍କ କାମ, ଯେଉଁମାନେ କି ନିଜର ପେଟପାଟଣା ପାଇଁ ଏ ବୃତ୍ତିକୁ ଆଦରି ନେଇଛନ୍ତି । ତା’ ଛଡା ଆପଣ ବି ଜଣେ ସନ୍ଥ ଭାବରେ ବେଶ୍ ନାଁ କରିଛନ୍ତି ଓ ସମାଜ ପ୍ରତି ଆପଣଙ୍କର ଅନେକ କାମ ରହିଛି । ସୁତରାଂ ଲୁଗାବୁଣିବା ଭଳି ଏହି ହୀନକର୍ମ କରି ଆପଣ ଅଯଥାରେ ସମୟ ନଷ୍ଟ କରୁଛନ୍ତି କାହିଁକି? ପୁନଶ୍ଚ ଆପଣ ଛିଣ୍ଡା ମଇଳା ଲୁଗା ଖଣ୍ଡିଏ ପିନ୍ଧି ନୂଆ ଲୁଗାମାନ ବୁଣି ଅନ୍ୟକୁ ବାଂଟିବାରେ କି ମହତ୍ତ୍ୱ ଅଛି? ଆମକୁ ଏହା ଅଶେଷ ଲଜ୍ଜାକର ବୋଧ ହେଉଛି । ଆମ୍ଭେମାନେ ଆପଣଙ୍କର ସକଳ ପ୍ରକାର ଆବଶ୍ୟକତା ପୂରଣ କରିବାପାଇଁ ଦୃଢ ପ୍ରତିଶୃତି ଦେଉଛୁ । ଯଦି ଅନୁମତି ଦିଅନ୍ତି ଆପଣଙ୍କ ରହିବା ଲାଗି ଜୀର୍ଣ୍ଣ କୁଟୀର ପରିବର୍ତ୍ତେ ଭବ୍ୟ ଆଶ୍ରମଟିଏ ଆମେ ନିର୍ମାଣ କରିଦେବୁ ।

                ଏହାଶୁଣି ସନ୍ଥ କବୀର ତାତ୍ସଲ୍ୟଭରା ହସ ହସିଦେଇ କହିଲେ, “ଆପଣମାନଙ୍କୁ ଦେଖି ଓ ଆପଣମାନଙ୍କର ଏଭଳି କଥାଶୁଣି ମୋତେ ଭାରି ଲାଜ ଲାଗୁଛି । ପ୍ରଥମେ ତ ମୁଁ ମୋ ନିଜପାଇଁ ଲୁଗା ବୁଣୁଥିଲି, ଏବେ ଅନ୍ୟମାନଙ୍କପାଇଁ ବୁଣୁଛି । ଏ ସମାଜରେ ପ୍ରତ୍ୟେକ ସ୍ୱ-ପରିଚୟ ନେଇ ବଂଚିଥାନ୍ତି । ଏହାହିଁ ମନୁଷ୍ୟର ଶ୍ରେଷ୍ଠ ସମ୍ପଦ । ଏହାକୁ କେହି ବି ହାତଛଡା କରିବା ମୋଟେ ଠିକ୍ ନୁହେଁ । ପୁନଶ୍ଚ ଆପଣମାନେ ମୋତେ ସାହାଯ୍ୟ କରିବାପାଇଁ ଆଗେଇ ଆସିଛନ୍ତି ଏହା ତ ବେଶ୍ ଭଲକଥା । ଅନ୍ୟକୁ ତ ସାହାଯ୍ୟ କରିବା ହିଁ ହେଉଛି ମଣିଷପଣିଆ । ହେଲେ ସେଭଳି ସାହାଯ୍ୟ ମୋତେ ନୁହେଁ, କାରଣ ମୁଁ କାହାଠାରୁ ସାହାଯ୍ୟ ସହଯୋଗ ଲୋଡୁନାହିଁ । ଏ ସଂସାରରେ ଏବେବି ଅନେକ ଲୋକ ଅଛନ୍ତି ଯେଉଁମାନେ କି ଆପଣମାନଙ୍କ ସହାୟତା ପାଇଁ ଆତୁର ହୋଇ ଚାହିଁବସିଛନ୍ତି । ଆପଣମାନଙ୍କ ସହାୟତା ସେହିମାନଙ୍କୁ ହିଁ ବଂଚାଇ ରଖିବ । ଯାଆନ୍ତୁ କେବଳ ସେହିଭଳି ବ୍ୟକ୍ତିଙ୍କୁ ହିଁ ସାହାଯ୍ୟ ଯୋଗାଇ ଦେବେ । ଏହାହିଁ ତ ମଣିଷପଣିଆ, ଯେଉଁମାନେ ଭୋକ ଉପବାସରେ ଖୋଲା ଆକାଶ ତଳେ ଶୋଇରହିଛନ୍ତି ସେମାନଙ୍କୁ ସାହା ହେବ । ସେଭଳି ଲୋକଙ୍କୁ ଆଜି ସମାଜ ନିତି ଦେଖୁଥିଲେ ବି ଚିହ୍ନିପାରୁନାହାଁନ୍ତି । ଏହା ଦେଖି କ’ଣ ଆପଣମାନଙ୍କୁ ଲାଜ ଲାଗୁନାହିଁ? ମୁଁ ଭାବୁଛି ଆପଣମାନେ ମୋତେ ସାହାଯ୍ୟ କରିବାକୁ ଆସିନାହାଁନ୍ତି, ବରଂ ସାହାଯ୍ୟ ମାଧ୍ୟମରେ ଆତ୍ମ ପ୍ରଚାର ପାଇଁ ଆସିଛନ୍ତି ।”

                ସନ୍ଥ କବୀରଙ୍କ ଠାରୁ ସେଦିନ ଏଭଳି ଅପ୍ରିୟ ସତ୍ୟକଥା ତଥା ମର୍ମଭେଦୀବାଣୀ ଶୁଣି ସେ ଶେଠମାନେ ଲଜ୍ଜିତ ହେଲେ । ସେମାନେ କବୀରଙ୍କୁ କ୍ଷମାପ୍ରାର୍ଥନା କରି ପ୍ରତିଜ୍ଞା କଲେ ଯେ ଏଣିକି ପ୍ରତ୍ୟହ କାଶୀଘାଟରେ ଦରିଦ୍ର ଈଶ୍ୱରଙ୍କ ସେବା କରିବେ । ତାହାହିଁ ହେଲା, ଆଉ ଏହି ସେବା ପରମ୍ପରାକ୍ରମେ ଆଜି ବି ସେଠାରେ ଚାଲିଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ