ମଣିଷର ବଡ ସମ୍ପଦ ହେଲା ଆତ୍ମସମ୍ମାନ

ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ସ୍ନାତକ ପରୀକ୍ଷାରେ କୃତିତ୍ୱ ହାସଲ ପରେ ଡେପୁଟି ମାଜିଷ୍ଟ୍ରେଟ୍ ଭାବରେ ନିଯୁକ୍ତି ପାଇଲେ । ଗୋରା ଶାସନ କାଳରେ ତାଙ୍କର ପିତା ଓ ଦୁଇ ଭାଇ ବି ଏହି ପଦବୀରେ ନିଯୁକ୍ତି ପାଇଥିଲେ । ସେତେବେଳେ କୌଣସି ଇଣ୍ଡିଆନଙ୍କୁ ଯଥେଷ୍ଟ ଯୋଗ୍ୟତା ଥିଲେ ମଧ୍ୟ ଏହାଠାରୁ ବଡ ପଦବୀରେ ନିଯୁକ୍ତି ମିଳୁ ନ ଥିଲା । ସୁତରାଂ ବଙ୍କିମଚନ୍ଦ୍ର ଅତ୍ୟନ୍ତ ମେଧାବୀ ଛାତ୍ର ଥିଲେ ମଧ୍ୟ ଏହି ସୁଯୋଗରୁ ସେ ମଧ୍ୟ ବଂଚିତ ହୋଇଥିଲେ । କେବଳ ସେତିକି ନୁହେଁ, ଇଣ୍ଡିଆନ ଅଧିକାରୀମାନେ ଗୋରାସାହେବଙ୍କ ଦ୍ୱାରା ଅନାଦର ଓ ଅପମାନିତ ବି ହେଉଥିଲେ । ସେତେବେଳେ ତ କଳା-ଗୋରା ଭେଦଭାବ ଅତ୍ୟନ୍ତ ଅସହ୍ୟ ଥିଲା । ମାତ୍ର ଇଣ୍ଡିଆନମାନେ ଏହାର ପ୍ରତିବାଦ କରିବାକୁ ଆଦୌ ସାହସ କରୁନଥିଲେ । ଆଉ ଯିଏ ବି ପ୍ରତିବାଦ କରୁଥିଲା, ତାକୁ ଇଂରେଜମାନେ ବହୁତ ହଇରାଣ ହରକତ କରୁଥିଲେ ।

                ଜଣେ ମାଜିଷ୍ଟ୍ରେଟ୍ ହିସାବରେ ବଙ୍କିମଚନ୍ଦ୍ରଙ୍କ କର୍ମକୁଶଳତା, ବିଦ୍ବତା, ନିରପେକ୍ଷତା ଓ ନିର୍ଭୀକତା ତାଙ୍କୁ ସଭିଙ୍କର ପ୍ରିୟଭାଜନ କରିପାରିଥିଲା । ୧୮୭୩ ମସିହା କଥା । ଦିନେ ବଙ୍କିମଚନ୍ଦ୍ର ପାଲିଙ୍କିରେ ବସି କଚେରିକୁ ଯାଉଥାନ୍ତି । ପାଲିଙ୍କିର ଦ୍ୱାର ବନ୍ଦ ଥାଏ । ଏହାର ମୁଖ୍ୟ କାରଣ ଥିଲା ଯେପରିକି ବାଟରେ ଗଲାବେଳେ ଏହି କଳା ଇଣ୍ଡିଆନ ଅଫିସରଜଣକ କାହାକୁ ଦେଖି ପାରିବେ ନାହିଁ କି ତାଙ୍କୁ ବି କେହି ଦେଖି ପାରିବେ ନାହିଁ । ମୁଖ୍ୟତଃ ବଙ୍କିମଚନ୍ଦ୍ର ଗୋରା କର୍ଣ୍ଣେଲ ଡଫିନ୍ ସାହେବଙ୍କ ଘରବାଟ ଦେଇ ଯାଉଥିବାରୁ ଏଭଳି କରାଯାଉଥିଲା । ମାତ୍ର ଏହା ବଙ୍କିମଚନ୍ଦ୍ରଙ୍କୁ ଅସହ୍ୟ ବୋଧ ହେଲା । ସୁତରାଂ ଦିନେ ବଙ୍କିମଚନ୍ଦ୍ର ସେ କର୍ଣ୍ଣେଲ ସାହେବଙ୍କ ଘର ସମ୍ମୁଖରେ ପହଁଚିବା କ୍ଷଣି ତାଙ୍କ ପାଲିଙ୍କିର କବାଟକୁ ଖୁବ୍ ଜୋର୍ରେ ଧକ୍କାମାରି ଭାଙ୍ଗିଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ