ମଣିଷର ବଡ ସମ୍ପଦ ହେଲା ଆତ୍ମସମ୍ମାନ

                ଏଥର ବଙ୍କିମବାବୁ ପାଲିଙ୍କିରୁ ଓହ୍ଲାଇଆସି କର୍ଣ୍ଣେଲ ସାହେବଙ୍କୁ ଏଭଳି ଅଭଦ୍ରୋଚିତ ଆଚରଣର କୈଫିୟତ୍ ମାଗିଲେ । ଏଥିରେ ସେ କର୍ଣ୍ଣେଲ ଜଣକ ଉତକ୍ଷିପ୍ତ ହୋଇ ବଙ୍କିମ ବାବୁଙ୍କ ହାତ ଘୋଷାଡି ପଛରୁ ତାଙ୍କୁ ଧକ୍କା ମାରିଲେ । ବଙ୍କିମଚନ୍ଦ୍ରଙ୍କୁ ଏହା ଘୋର ଅସହ୍ୟ ହେଲା ।

                ଏବେ ବଙ୍କିମଚନ୍ଦ୍ର କର୍ଣ୍ଣେଲ ସାହେବଙ୍କର ଏଭଳି ବେନିୟମ କାର୍ଯ୍ୟ ବିରୋଧରେ ଅଦାଲତରେ ମୋକଦ୍ଦମା ଦାୟର କଲେ । ଜଣେ ଇଣ୍ଡିଆନ ଡେପୁଟି ମାଜିଷ୍ଟ୍ରେଟ୍ଙ୍କ ଦ୍ୱାରା ଜଣେ ଗୋରାକର୍ଣ୍ଣେଲ ସାହେବଙ୍କ ବିରୋଧରେ ଅଦାଲତରେ ମାମଲା ଦରଦ ସେ ସମୟରେ ନିଶ୍ଚିତ ରୂପେ ଏକ ବ୍ୟତିକ୍ରମ ଥିଲା । ସମଗ୍ର ସହରରେ ଏହି ଘଟଣା ବିଜୁଳି ବେଗରେ ବ୍ୟାପିଗଲା । ଫଳରେ କର୍ଣ୍ଣେଲ ସାହେବଙ୍କ ବିରୋଧରେ ଜନମତ ସାରା ଦେଶରେ ସୃଷ୍ଟି ହୋଇଗଲା । ଘଟଣା ଏଭଳି ହେଲା ଯେ ଇଣ୍ଡିଆରେ ସେ କର୍ଣ୍ଣେଲ ସାହେବଙ୍କ ସ୍ଥିତି ଟଳମଳ ହେଲା ।

                ଶେଷରେ ଉପାୟଶୂନ୍ୟ ହୋଇ ନ୍ୟାୟାଳୟରେ କର୍ଣ୍ଣେଲ ସାହେବ ବଙ୍କିମବାବୁଙ୍କୁ କ୍ଷମା ପ୍ରାର୍ଥନା କଲେ ।

                ଏହି ଘଟଣାରୁ ଜଣାଯାଏ ଯେ, ଆତ୍ମସମ୍ମାନହୀନ ବ୍ୟକ୍ତି ନିଜେ ଅନ୍ୟାୟରେ ଲିପ୍ତ ହେବା ସହିତ ସବୁ ପ୍ରକାର ଅନ୍ୟାୟ ତଥା ଦୁର୍ନୀତିକୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସମର୍ଥନ କରିଥାଏ । ଅନ୍ୟପକ୍ଷରେ ଆତ୍ମସମ୍ମାନ ସଚେତନ ବ୍ୟକ୍ତି, ଆର୍ଥିକ ଦୃଷ୍ଟିରୁ ଲାଭବାନ ନ ହେଲେ ବି ଯଥେଷ୍ଟ ସମ୍ମାନର ଅଧିକାରୀ ହୋଇଥାନ୍ତି ।

ସୁତରାଂ କୁହାଯାଇଛି –

                                “ଆତ୍ମସମ୍ମାନକୁ ଅନ୍ୟ କାହା ଆଗେ ବଳିଦେବା ନିଶ୍ଚେ ଅମାନବୀୟ

ବଳି ଦିଏ ଯିଏ ସେହି ବ୍ୟକ୍ତିଠାରୁ ମଣିଷପଣିଆ ହୁଏ ବିଲୟ ।”

ସର୍ବଦା ପ୍ରସନ୍ନ ରହିବାର ଉପାୟ

 “ଖୁସି ମନେ ସଦା ରହୁଥିଲେ ବୋଲି ଜଣା ପଡୁଥିଲେ ମୁଖମଣ୍ଡଳୁ

ପଚାରିଲେ କିଏ ଏହାର କାରଣ ବୁଝାଇ କହନ୍ତି ଚାଚା ନେହେରୁ ।

ଏଥିଲାଗି ଅଛି ତିନୋଟି କାରଣ ଏହାକୁ ଜୀବନେ ପାଳିବ ଯିଏ

ମୋ’ଭଳି ପ୍ରସନ୍ନ ରହିବ ସର୍ବଦା ଦୁଃଖ ଚାଲିଯିବ ଆପଣାଛାଏଁ ।”

ଥରେ ଜଣେ ଅତି ଜଣାଶୁଣା ବ୍ୟକ୍ତି ପଣ୍ଡିତ ନେହେରୁଙ୍କୁ ଭେଟିବା ପାଇଁ ଆସିଲେ । ସେ କଥା ପ୍ରସଙ୍ଗରେ ନେହେରୁଙ୍କୁ କହିଲେ, “ଚାଚାଜୀ! ମୋ ମନରେ ପ୍ରଶ୍ନଟିଏ ଉଙ୍କି ମାରୁଛି । ଆପଣ ଅନୁମତି ଦେଲେ ତାହା ପଚାରି ମୁଁ ମୋର ସନ୍ଦେହ ମୋଚନ କରିପାରନ୍ତି ।

ତହୁଁ ନେହେରୁ ହଁ ଭରିବାରୁ ଆଗନ୍ତୁକ ପଚାରିଲେ । ପ୍ରଶ୍ନଟି ଥିଲା – ଆପଣ ଏ ପରିଣତ ବୟସରେ ସଦ୍ୟ ପ୍ରସ୍ଫୁଟିତ ଗୋଲାପ ଫୁଲଭଳି ତାଜା (ପ୍ରଫୁଲ୍ଲ) ଦେଖାଯିବାର କାରଣ କ’ଣ? ଆପଣଙ୍କ ଉପରେ ଦେଶର କାର୍ଯ୍ୟଭାର ଯେତେ ଅଧିକ ଥିଲେ ମଧ୍ୟ ଏହା କିପରି ସମ୍ଭବ?”

ଏହା ଶୁଣି ନେହେରୁ ହସି ହସି କହିଲେ, “ଏହା ତ ବହୁତ ସହଜ । ଏଥିପାଇଁ ଖାଲି ତିନୋଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବାକୁ ହେବ ।”

ଏଥର ସେ ଆଗନ୍ତୁକ ପଚାରିଲେ, “ତେବେ ସେଇ ତିନୋଟି କଥା କ’ଣ?”

ନେହେରୁ ଉତ୍ତର ଦେଲେ, “ସବୁଠାରୁ ପ୍ରଥମ ଓ ପ୍ରଧାନ କଥାଟି ହେଲା, ସବୁବେଳେ ପିଲାଙ୍କ ଭଳି ଖୋଲା ଓ ମୁକ୍ତ ହୃଦୟ ହେବା ଓ ସେମାନଙ୍କୁ ମନଭରି ଭଲ ପାଇବାକୁ ହେବ । ସେମାନଙ୍କୁ ସ୍ନେହଶ୍ରଦ୍ଧା କରିବା ଦ୍ୱାରା ନିଜେ ବି ଠିକ୍ ସେହିପରି ନିଷ୍ପାପ, ଦେବୋପମ ଓ ଖୋଲା ହୃଦୟ ହୋଇପାରିବ । କେବେ କେବେ ପିଲାଙ୍କ ସହିତ ପିଲାଭଳି ଖେଳିବା ଦ୍ୱାରା ନିଜକୁ ଅପାର ଆନନ୍ଦ ମିଳିଥାଏ । ଏହା ଦ୍ୱାରା ହୃଦୟ ସ୍ୱଚ୍ଛ ତଥା ପ୍ରସାରିତ ହୋଇଯାଏ । ମନରୁ ସମସ୍ତ ସଂକୀର୍ଣ୍ଣତା କୁଆଡେ ଦୂର ହୋଇଯାଏ ।”

ଦ୍ୱିତୀୟ କାରଣଟି ହେଲା – ପ୍ରକୃତିର କମନୀୟ ଦୃଶ୍ୟାବଳୀ ସହ ନିଜକୁ ସମ୍ପୂର୍ଣ୍ଣ ଭାବରେ ହଜାଇ ଦେବା ସହିତ ସେସବୁକୁ ମନଭରି ଉପଭୋଗ କରିବା ଆବଶ୍ୟକ । ପାହାଡ, ପର୍ବତ, କଳକଳ ହୋଇ ବହିଯାଉଥିବା ନଦୀ, ଝରଣା, ପକ୍ଷୀର କାକଳି, ଜ୍ୟୋସ୍ନା ସ୍ନାତ ରଜନୀ, ନୀଳ ଆକାଶରେ ଡେଣା ମେଲାଇ ଉଡୁଥିବା ପକ୍ଷୀ – ଏସବୁ ଦୃଶ୍ୟ ଉପଭୋଗ କଲେ ମଣିଷ ଭିତରେ ସୃଷ୍ଟିକର୍ତ୍ତାଙ୍କ ସୃଷ୍ଟିର ମହନୀୟତା ଉପଲବ୍ଧି କରି ନିଜକୁ ଭୁଲି ହୋଇଯାଏ ।

ତୃତୀୟତଃ ଜୀବନକାଳ ଭିତରେ ଖୁବ୍ ଛୋଟ ଛୋଟ ଘଟଣାକୁ ନେଇ ଜିଦ୍ ଧରିବା ସହିତ ଟାଣପଣ ଦେଖାଇବା ଦ୍ୱାରା ମାନସିକ ଉଦ୍ବେଗ ଓ ଅସ୍ଥିରତା ସୃଷ୍ଟି ହୋଇଥାଏ । ସୁତରାଂ ସେ ସବୁରୁ ଦୂରେଇ ରହିଲେ ମାନସିକ ଶାନ୍ତି ମିଳେ ।

ଶେଷରେ ନେହେରୁ କହିଲେ “ଜୀବନକୁ ନେଇ ମୋର ଦୃଷ୍ଟିଭଙ୍ଗୀ ଓ ଅନୁଚିନ୍ତା ସମ୍ପୂର୍ଣ୍ଣ ଭିନ୍ନ । ଜୀବନ ଅଛି ତ ସମସ୍ୟା ବି ଅଛି । ସମସ୍ୟା ବିହୀନ ଜୀବନ, ଜୀବନ ନୁହେଁ । ସୁତରାଂ ଧୈର୍ଯ୍ୟ ଓ ଶାନ୍ତିପୂର୍ଣ୍ଣ ଉପାୟରେ ସବୁ ସମସ୍ୟାର ସମାଧାନ କରିବାକୁ ହେବ । ସବୁବେଳେ ଏତିକି ମନେ ରଖିବାକୁ ହେବ ଯେ, ଜୀବନ ସହିତ ସମସ୍ୟା ଓତଃପ୍ରୋତ ଭାବରେ ଜଡିତ । ସୁତରାଂ ସମସ୍ୟାକୁ ଭୟକରି ଆମେ ମାନସିକ ଭାରସାମ୍ୟ ହରାଇ ବସିବା ଆଦୌ ଠିକ୍ କଥା ନୁହେଁ ।”

ଏହା ଶୁଣି ସେ ଆଗନ୍ତୁକ ଜଣକ ଭାରି ଖୁସି ହୋଇଗଲେ । ଏହାକୁ ନିଜ ଜୀବନରେ ପାଳନ କରିବା ପାଇଁ ନିଷ୍ପତି ନେଇ ସେଠାରୁ ଚାଲିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ