ମଧୁମାଳତୀ କଥା

ପରଦିନ ଭୋଜରାଜ ସିଂହାସନ ପାଖରେ ପହଁଚିବାକ୍ଷଣି ପୁତ୍ତଳିକା ମଧୁମାଳତୀ ଉଠିପଡି କହିଲା, “ମହାରାଜ! ସିଂହାସନରେ ବସିବା ପାଇଁ ଏତେ ବ୍ୟଗ୍ର ହୁଅନ୍ତୁ ନାହିଁ । ଇଏ ଏମିତି ସେମିତି ସାଧାରଣ ସିଂହାସନ ନୁହେଁ । ଖୋଦ୍ ରାଜଚକ୍ରବର୍ତ୍ତି ବିକ୍ରମାଦିତ୍ୟ ଏହା ଉପରେ ବସି ପ୍ରଜାପାଳନ କରୁଥିଲେ । ଏଥିରେ ବସିବା ପାଇଁ ତାଙ୍କଭଳି ମହାଦାନୀ, ପ୍ରଜାନୁରଞ୍ଜନ ଓ ପରାକ୍ରମୀ ହେବା ଦରକାର । ପ୍ରଥମେ ମୋଠାରୁ ତାଙ୍କ ସମ୍ପର୍କରେ ଏକ କାହାଣୀ ଶୁଣନ୍ତୁ; ତା’ପରେ ଠିକ୍ କରନ୍ତୁ ଏଥିପାଇଁ ଆପଣ ଯୋଗ୍ୟ କି ନୁହେଁ ।”

       ମହାରାଜ ବିକ୍ରମାଦିତ୍ୟ ନିଜର ରାଜ୍ୟ ଏବଂ ପ୍ରଜାମାନଙ୍କର ସୁଖ, ସୁବିଧା ଏବଂ କଲ୍ୟାଣ କାମନା କରି ଏକ ବିଶାଳ ଦାନ ସମାରୋହର ଆୟୋଜନ କରିବାକୁ ଚାହିଁଲେ ।   ଅନେକ ଦିନ ଯାଏଁ, ଦାନ ସମାରୋହ ଚାଲୁ ରହିଲା । ଦାନ ସମାରୋହ ଅବସରରେ ନଗରର ସବୁ ସାଧୁ, ସେଠ୍, ସାହୁକାର, ଦେଶ ବିଦେଶର ରାଜା, ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ଆମନ୍ତ୍ରିତ କରାଯାଇଥିଲା । ଠିକ୍ ଏମିତି ଏକ ସମୟରେ ପୂର୍ଣ୍ଣାହୂତି ହେବା ବେଳକୁ ଜନୈକ ଋଷି ଭୟଭୀତ ଅବସ୍ଥାରେ ପହଁଚିଲେ । ସେତେବେଳେ ମହାରାଜ ଧ୍ୟାନ କରୁଥାନ୍ତି । ଋଷିଙ୍କର ଆଗମନ ଜାଣି ମନେ ମନେ ତାଙ୍କୁ ପ୍ରଣାମକଲେ । ଋଷି ଜଣକ ମହାଜ୍ଞାନୀ ଥିଲେ । ସେ ରାଜାଙ୍କର ପ୍ରଣାମ ସ୍ୱୀକାର କରି ଆଶିଷ ପ୍ରଦାନ କଲେ ।

       ମନ୍ତ୍ରପାଠ ପରେ ମହାରାଜା ଋଷିଙ୍କୁ ସ୍ୱାଗତ କରିବାରୁ ସେ କହିଲେ, “ମହାରାଜ! ମୁଁ ବଡ ବିପଦରେ ପଡି ଆପଣଙ୍କ ପାଖକୁ ସାହାଯ୍ୟ ଭିକ୍ଷାପାଇଁ ଆସିଛି । କଥା ହେଉଛି ମୋ ଆଶ୍ରମର କିଛି ଶିଷ୍ୟ ସକାଳେ କାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ଦୁଇଟି ଦାନବ ଆସି ସେମାନଙ୍କ ମଧ୍ୟରୁ ଛ’ ଜଣଙ୍କୁ ଉଠାଇ ନେଇ ଯାଇଛନ୍ତି । ସେମାନଙ୍କୁ ବଳି ଚଢାଇବା ପାଇଁ ଅଟକାଇ ରଖିଛନ୍ତି । ଅତଏବ ମୋ ଶିଷ୍ୟମାନଙ୍କର ଜୀବନ ବିପନ୍ନ ।”

       ଏ କଥା ଶୁଣି ମହାରାଜ ତୁରନ୍ତ ଦାନ ସମାରୋହ ଛାଡି ଘୋଡା ଛୁଟାଇଲେ ଜଙ୍ଗଲ ଆଡକୁ । ଗୋଟିଏ ସ୍ଥାନରେ ଘୋଡାକୁ ବାନ୍ଧି ନିଜେ ସଂକୀର୍ଣ୍ଣ ପାହାଡ ସନ୍ଧିରେ ଯାଇ ଉପରେ ପହଁଚି ଦେଖିଲେ ଦୁଇଜଣ ବିକଟାଳ ଦାନବ ଋଷିଙ୍କର ଶିଷ୍ୟମାନଙ୍କୁ ବାନ୍ଧି ରଖିଛନ୍ତି । ସେ ଦାନବମାନଙ୍କୁ ଅନୁରୋଧ କଲେ, “ତୁମେ ସେମାନଙ୍କୁ ଛାଡିଦିଅ ଏବଂ ବଦଳରେ ମୋତେ ବଳି ଚଢାଅ । ମୁଁ ଏ ରାଜ୍ୟର ରାଜା ବିକ୍ରମାଦିତ୍ୟ । ମୋତେ ବଳିଦେଲେ ସେମାନଙ୍କ ଅପେକ୍ଷା ତମକୁ ଅଧିକ ଫଳ ମିଳିବ ଯେହେତୁ ମୁଁ ହେଉଛି ହଜାର ହଜାର ଲୋକଙ୍କ ପ୍ରତିନିଧି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ