ମଧୁର ବଚନ ଅଥବା ଉତ୍ତମ ଆଚରଣ ସମ୍ପର୍କ ଯୋଡି ଦିଏ

ଜଣେ ଅନ୍ୟ ଜଣକୁ ସାହଯ୍ୟ କରିବା ହିଁ ନୈତିକ କର୍ତ୍ତବ୍ୟ ଓ ମାନବିକତା । ଏହି ସାହାଯ୍ୟ ମଧୁର କଥାବାର୍ତ୍ତା ଅଥବା ଉତ୍ତମ ଆଚରଣ ଦ୍ୱାରା ମଧ୍ୟ କରାଯାଇଥାଏ । ଏହାଦ୍ୱାରା ମଣିଷ ଭିତରେ, ଦେଶ ଦେଶ ଭିତରେ ସମ୍ପର୍କ ଯୋଡି ହୋଇ ଯାଇଥାଏ । ଏ ସମ୍ବନ୍ଧରେ ବିଖ୍ୟାତ ଔପନ୍ୟାସିକ ତଥା ଚିତ୍ରକର କେ.ଏ.ଆବ୍ବାସ୍ଙ୍କ ଜୀବନରୁ ଘଟଣାଟିଏ ।

                ଘଟଣାଟି ଘଟିଥିଲା ଆବ୍ବାସ୍ଙ୍କର ପିଲାଦିନେ । ସେ ଥରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ଚାଲିଚାଲି ଯାଉଥିଲେ । ସମ୍ପର୍କୀୟଙ୍କ ଘରଟି ଟିକିଏ ଦୂରତାରେ ଥିବାରୁ ଏବଂ ନୂଆକରି ଯାଉଥିବାରୁ ବାଟରେ ଯାଉ ଯାଉ ସେ ବାଟ ଭୁଲିଗଲେ । ବାଟରେ ଯାହାକୁ ବି ସେ ପଚାରିଲେ କେହି ମଧ୍ୟ ତାଙ୍କୁ ସଠିକ୍ ବାଟ ବତାଇ ପାରିଲେ ନାହିଁ । ଏମିତି ଚାଲିଚାଲି ସଂଧ୍ୟା ହୋଇଗଲାଣି । ହଠାତ୍ ଆକାଶରେ  କଳାହାଣ୍ଡିଆ ମେଘ ଘୋଟି ଆସିଲା । ଚାରିଆଡେ କଳା କିଟି କିଟି ଅନ୍ଧାର ବି ମାଡିଆସିଲା । ସୁତରାଂ ବାଳକ ଆବ୍ବାସ୍ ଭୟଭୀତ ହୋଇଗଲେ । ସେତେବେଳକୁ ରାସ୍ତା ମଧ୍ୟ ଜନଶୂନ୍ୟ ହୋଇଯାଇଥାଏ । ଠିକ୍ ଏହି ସମୟରେ ଶୁଣାଗଲା କାହାର ଗୋଟିଏ ପାଦଶବ୍ଦ । ଏହା ଶୁଣି ସେ ଆବ୍ବାସ୍ ଏତେ ମାତ୍ରାରେ ଡରି ଗଲେ ଯେ, ତାଙ୍କ ପଛରେ କିଏ ଆସୁଛି ବୋଲି ଚାହିଁବାକୁ ବି ସେ ସାହସ ମଧ୍ୟ କରିପାରିଲେ ନାହିଁ ।

କିଛି ସମୟ ପରେ ସେ ଅନୁଧାବନକାରୀ ଆବ୍ବାସ୍ଙ୍କ ସାଥୀରେ ପାଦ ମିଳାଇ ମିଶିଗଲା । ଯେତେବେଳେ ଆବ୍ବାସ୍ ସେ ଲୋକଟିକୁ ଦେଖିଦେଲେ ସେତେବେଳେ ସେ ନିଶ୍ଚିତ ହୋଇଗଲେ ଯେ, ଏ ନିଶ୍ଚୟ ଏକ ଭୂତ । କାରଣ ଲୋକଟି ଅଧାପୋଡା ହୋଇ ମଶାଣିରୁ ଉଠିଆସିଲା ପରି ଦେଖାଯାଉଥିଲା । ତା’ର ମୁହଁର ଅଧା ଅଂଶ ପୋଡିଯାଇ ଠିକ୍ ଏକ ପ୍ରେତଭଳି ସେ ଦେଖାଯାଉଥିଲା । ତଥାପି ବି ଆବ୍ବାସ୍ ମନରେ ସାହସ ସଂଚୟ କରି ପଚାରିଲେ, “ଆପଣ କିଏ ମଉସା?” ହେଲେ ଲୋକଟି ତାଙ୍କୁ କଟମଟ କରି ଖାଲି ଚାହିଁଲା ସିନା ମାତ୍ର କିଛି ବି କହିଲା ନାହିଁ ।

ଠିକ୍ ସେତିକିବେଳେ ବର୍ଷା ଆରମ୍ଭ ହୋଇଗଲା । ଏବେ ସେହି ଲୋକଟି ହାତରେ ଧରିଥିବା ଛତା ଆବ୍ବାସ୍ଙ୍କ ମୁଣ୍ଡ ଉପରେ ଟେକି ଧରିଲା । ବର୍ଷାରେ ଦୁହେଁ ଚାଲିଥାନ୍ତି । ଏଥର ଆବ୍ବାସ୍ ଲୋକଟିର ଏଭଳି ଉତ୍ତମ ଆଚରଣ ଦେଖି ତାଙ୍କ ପାଖକୁ ପାଖେଇ ଆସିଲେ । ବର୍ଷା ବଢି ବଢି କ୍ରମେ ପ୍ରବଳ ହେଲା । ମାତ୍ର ଦେଖାଗଲା ସେ ଲୋକଟି ଭିଜି ଭିଜି ଆବ୍ବାସ୍ଙ୍କୁ ବର୍ଷାରୁ ରକ୍ଷା କରିବା ପାଇଁ ଯଥେଷ୍ଟ ଚେଷ୍ଟା କରୁଛି ।

ଏଥର ଆବ୍ବାସ୍ ସାହସ କରି ସେ ଲୋକଟିକୁ ବାଟ ହୁଡିଥିବା କଥା କହିଲେ । ସେତେବେଳକୁ ରାତି ପ୍ରାୟ ମାଡି ଆସିଲାଣି । ହେଲେ ସେ ଲୋକଟି ପୂର୍ବଭଳି ନିରୁତ୍ତର ରହିଲା । ମାତ୍ର ସମ୍ପର୍କୀୟଙ୍କ ଘର ଖୋଜି ଖୋଜି ଠିକଣାସ୍ଥାନରେ ସେ ଆବ୍ବାସ୍ଙ୍କୁ ଛାଡିଦେଲା ।

ପରେ ଆବ୍ବାସ୍ ଜାଣିପାରିଲେ, ସେ ଲୋକଟି ଥିଲା ଜଣେ ପୂର୍ବତନ ସୈନିକ । ଏକ ଦୁର୍ଘଟଣାରେ ତାଙ୍କର ମୁହଁ ପୋଡି ଯାଇଥିଲା ଏବଂ ସେ କଥା କହିବାର ଶକ୍ତି ମଧ୍ୟ ହରାଇଥିଲେ । ମାତ୍ର ତାଙ୍କର ସାହାଯ୍ୟ କରିବା ମନୋବୃତ୍ତି ଯଥେଷ୍ଟ ଥିଲା ।

ସୁତରାଂ କେବଳ କୋମଳ କଥାରେ ନୁହେଁ, ବରଂ ଉତ୍ତମ ଆଚରଣରେ ମଧ୍ୟ ସମ୍ପର୍କ ଯୋଡିହୁଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ