ମନଗୁଣେ ରୋଗ

ଚନ୍ଦନପୁର ଗ୍ରାମରେ ସତ୍ୟବ୍ରତ ନାମକ ଜଣେ ପ୍ରସିଦ୍ଧ ବୈଦ୍ୟ ବାସ କରୁଥିଲେ । ଲୋକମାନେ ତାଙ୍କୁ ଧନ୍ୱନ୍ତରୀଙ୍କ ଏକ ଅବତାର ରୂପେ ମାନୁଥିଲେ ।

ତାଙ୍କର ଏକମାତ୍ର ପୁତ୍ର, ତା’ର ନାଁ ଦେବବ୍ରତ । ପିତା, ମାତାଙ୍କର ଅଶେଷ ସ୍ନେହ, ଯତ୍ନରେ ସେ ଲାଳିତ ପାଳିତ । ସେ ବୁଦ୍ଧିମାନ ହେଲେ ମଧ୍ୟ, ଅତି ମାତ୍ରାରେ ଜିଦ୍ଖୋର । ଏସବୁ ଦେଖି ତା’ ପିତାମାତା ଭାବୁଥିଲେ ଯେ ବୟସ ବୃଦ୍ଧି ହେବା ସଙ୍ଗେ ସଙ୍ଗେ, ତା’ର ଏହି ଦୁର୍ଗୁଣ ମଧ୍ୟ ଦୂରେଇ ଯିବ । କିନ୍ତୁ ଏହାର ବିପରୀତ ଘଟିଲା । ଦିନକୁ ଦିନ ତାର ଏହି ସ୍ୱଭାବ ବଢିବାରେ ଲାଗିଲା । ବାଳୁତକାଳରୁ ଯାହା ସମ୍ଭବ ହୋଇ ନାହିଁ, ତାହା କି ଆଉ ସହଜରେ ସୁଧୁରିବ!

ଅବଶ୍ୟ ଦେବବ୍ରତର ଅନ୍ୟ କୌଣସି ମନ୍ଦ ସ୍ୱଭାବ ନ ଥିଲା । କେବଳ ଏତିକି ଯେ, ସେ ଯାହା କରିବା ପାଇଁ ଇଚ୍ଛା କରେ, ସେ ତାହାହିଁ କରେ । ପିତା ବୈଦ୍ୟଶାସ୍ତ୍ର ଶିକ୍ଷା କରିବା ପାଇଁ ପୁତ୍ରକୁ ଅନେକାବାର ପରାମର୍ଶ ଦେଲେ, କିନ୍ତୁ ସେ ତାହା ନ କରି, କାବ୍ୟ, କବିତା ପଠନରେ ନିଜର ଅଭିରୁଚି ଜାରି ରଖିଲା । ଧୀରେ ଧୀରେ ସେ ଅନ୍ୟକୁ ବେଖାତିର କରିବା, ନିଜର ଭୁଲ୍କୁ ସ୍ୱୀକାର ନ କରିବା ଓ ଗୁରୁଜନମାନଙ୍କୁ ଅପମାନ କରିବା ଆଦି କୁସ୍ୱଭାବର ବଶବର୍ତ୍ତୀ ହେଲା ।

ପିତାଙ୍କର ବାରଣ ସତ୍ତ୍ୱେ, ତା’ର କୌଣସି ମଧ୍ୟ ପରିବର୍ତ୍ତନ ଘଟୁ ନଥାଏ । ଦିନେ ପିତା ତାଙ୍କୁ କହିଲେ, “ଯାହାର ସ୍ୱଭାବ ଉତ୍ତମ ଅଟେ, ତାହାର ସ୍ୱାସ୍ଥ୍ୟ ମଧ୍ୟ ଉତ୍ତମ ରହେ । ଯଦି ତୁମର ଆଚରଣରେ ପରିବର୍ତ୍ତନ ନ ଘଟେ, ତେବେ ଅଯଥା ତୁମେ କୌଣସି ରୋଗର ଶୀକାର ହୋଇଯାଇପାର ।”

ପିତାଙ୍କ ଏଭଳି ଚେତାବନୀକୁ ମଧ୍ୟ ଦେବବ୍ରତ ଗୁରୁତ୍ୱ ଦେଲା ନାହିଁ । କିନ୍ତୁ ଏହାର ଠିକ୍ ଏକ ମାସ ଅନ୍ତରରେ ସେ ଏକ ବିଚିତ୍ର ବେମାରରେ ପୀଡିତ ହେଲା । ଦିନେ ପ୍ରଭାତ ସମୟରେ ଶଯ୍ୟା ତ୍ୟାଗ କରିବା ବେଳକୁ ସେ ଦେଖିଲା ଯେ, ତା’ର ସର୍ବାଙ୍ଗରେ ଲାଲ୍ ଓ ଧଳା ରଙ୍ଗର ଦାଗ ମାନ ଦୃଶ୍ୟ ହେଉଛି । ଏହା ତା’ର ଶରୀରକୁ ବିକୃତ କରିଦେଇଥାଏ । ସତ୍ୟବ୍ରତ ତାଙ୍କ ପୁତ୍ରର ଏହିପରି ଅବସ୍ଥା ଦେଖି ଖୁବ୍ ବିଚଳିତ ହୋଇ ପଡିଲେ । ଆବଶ୍ୟକୀୟ ଔଷଧ ପ୍ରୟୋଗ କରିବାରୁ ଦେବବ୍ରତର ହାତ ଓ ପାଦର ଦାଗ ଗୁଡିକ ଭଲ ହୋଇଗଲା । କିନ୍ତୁ ପିଠି ଓ ଶରୀରର ଅଗ୍ରଭାଗ ଭଲ ନ ହେବାରୁ ଦେବବ୍ରତକୁ ନିଜ ଶରୀରକୁ ସର୍ବଦା ଆବୃତ ରଖିବା ପାଇଁ ପଡିଲା ।

ସତ୍ୟବ୍ରତ ତାଙ୍କ ପୁତ୍ରକୁ ଉପଦେଶ ଦେଲେ “ସମସ୍ତଙ୍କର ସମ୍ମାନ କର, ଆଦର କର । ନିଜର ଜିଦ୍ଖୋର୍ ସ୍ୱଭାବ ପରିତ୍ୟାଗ କରି, ନିଜର ଦୋଷ ସ୍ୱୀକାର କର । ବାକ୍ ସଂଯମତା ଅବଲମ୍ବନ କର । ତେବେ ଯାଇ ଏହି ରୋଗ ତୁମ ଶରୀରରୁ ନିଶ୍ଚିହ୍ନ ହୋଇଯିବ ।”

ଦେବବ୍ରତ କିନ୍ତୁ ତା’ ପିତାଙ୍କ କଥାକୁ ମୋଟେ ବିଶ୍ୱାସ କଲା ନାହିଁ । ଓଲଟି ତା’ମନରେ ସନ୍ଦେହ ଜାତ ହେଲା ଯେ, ବୋଧହୁଏ ପିତା ତାକୁ ଭଲ ରୂପେ ଚିକିତ୍ସା କରୁ ନାହାଁନ୍ତି । ଏପରିକି ସେ ସନ୍ଦେହ କଲା ଯେ, ପିତା ତା’ର ଆହାରରେ କୌଣସି ଔଷଧ ମିଶ୍ରଣ କରି ଦେଇଛନ୍ତି, ଯାହାର ଫଳସ୍ୱରୂପ ତାକୁ ଆଜି ଏପରି ରୋଗ ଭୋଗ କରିବା ପାଇଁ ପଡୁଛି । ସେ ତା’ର ଏହି ମନ କଥା ମାତାଙ୍କ ଆଗରେ ପ୍ରକାଶ କରିବାରୁ ସେ ତାଙ୍କ ପତିଙ୍କୁ ଏହା ଜଣାଇଲେ ।

“ବହୁ ଲୋକଙ୍କର ଚିକିତ୍ସା କରି ସେମାନଙ୍କୁ ମୁଁ ରୋଗମୁକ୍ତ କରୁଛି । ମୋର ଶତ୍ରୁ ପ୍ରତି ମଧ୍ୟ ଏପରି ଆଚରଣ କରିବା କଥା ମୁଁ କେବେବି ଚିନ୍ତା କରିପାରିବି ନାହିଁ ।” ଏହା କହି ପିତା ନିଜ ପୁତ୍ରର ଏପରି ଭାବନା ଓ ସ୍ୱଭାବରେ ଅତ୍ୟନ୍ତ ଦୁଃଖିତ ହୋଇ ପଡିଲେ ।

ତେବେ ମଧ୍ୟ ଦେବବ୍ରତର ସନ୍ଦେହ ଦୂର ହେଲାନାହିଁ । କିଛି ଦିନ ପରେ, ସତ୍ୟବ୍ରତଙ୍କ ନିକଟକୁ ଜଣେ ରୋଗୀ ଆସିଲେ । ଦେବବ୍ରତ ଯେଉଁ ରୋଗର ଶୀକାର ହୋଇଥିଲେ, ସେ ମଧ୍ୟ ସେହି ରୋଗରେ ପୀଡିତ ଥିଲେ । ସତ୍ୟବ୍ରତ ତାଙ୍କୁ ଔଷଧ ପ୍ରଦାନ କରି କହିଲେ, “ଗୁରୁଜନଙ୍କୁ ସମ୍ମାନ କରିବା, କ୍ରୋଧ ଓ ବିଚଳିତ ଭାବ ଉପରେ ନିଜର ନିୟନ୍ତ୍ରଣ ରଖିବା, ସମସ୍ତଙ୍କୁ ଆଦରପୂର୍ଣ୍ଣ ବ୍ୟବହାର କରିବା, ଏହି ସବୁ ଉତ୍ତମ ଆଚରଣ ଦ୍ୱାରା ତୁମର ରୋଗ ଯଥାଶୀଘ୍ର ଭଲ ହୋଇଯିବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ