ମନ୍ତ୍ରୀଙ୍କ ଯୁକ୍ତି

ସୁଲତାନ୍ ପଚାରିଲେ “ଆଚ୍ଛା ସେ ପେଚାମାନେ କ’ଣ କହୁଛନ୍ତି?”

ମନ୍ତ୍ରୀ ଉତ୍ତର ଦେଲେ “ହଜୁର ସେମାନଙ୍କ କଥାବାର୍ତ୍ତା ବିଷୟରେ କିଛିବି ପଚାରନ୍ତୁ ନାହିଁ । ସେମାନେ ତ ମୂର୍ଖ ପକ୍ଷୀ । ସେମାନଙ୍କ କଥା ଉପରେ ମୂଲ୍ୟ ଦେବା ଆଦୌ ଦରକାର ନାହିଁ ।”

ରାଜା ଜିଗର କଲେ “ପକ୍ଷୀମାନେ ତ ମୂର୍ଖ ଭଳି କଥା କହୁଛନ୍ତି; ତେବେ ମୋତେ ସେସବୁ କହିବାରେ ତୁମର ଆପତ୍ତି କ’ଣ? କୁହ ନା?”

ମନ୍ତ୍ରୀ କହିଲେ “ମୁଁ ନିଜେ ତ ଏପରି ମିଛ କଥା ଶୁଣି ପାରୁନି । ଆପଣ କ’ଣ ସେସବୁ ଶୁଣି ସହି ପାରିବେ?”

ତା’ପରେ ସୁଲତାନ୍ ଆଦେଶ ଦେବା ଭଙ୍ଗୀରେ କହିଲେ “ଯଦି ସେପରି ହୁଏ ତ ଆମେ ପେଚାମାନଙ୍କୁ କିଛି ଦଣ୍ଡ ଦେବା । ଏବେ ତ ସେକଥା ଶୁଣାଅ ।”

ଏଥୁଅନ୍ତେ ମନ୍ତ୍ରୀ ଆସ୍ତେ ଆସ୍ତେ କହିଲେ, “ତେବେ ଶୁଣନ୍ତୁ । ଏ ପେଚା ଦୁଇଟି ନିଜ ନିଜର ପିଲାଙ୍କୁ ବାହା ଦେବା ବିଷୟରେ କଥା ହେଉଛନ୍ତି । କନ୍ୟା ମାତା ଯେଉଁ ପେଚାଟି, ତାକୁ ବର ମାତା ଯୌତୁକ ସ୍ୱରୂପ ପାଂଚଟି ଜନଶୂନ୍ୟ ଗ୍ରାମ ମାଗୁଛି । ଏକଥା ଶୁଣି କନ୍ୟା ମାତା କହୁଛି – ପାଂଚଟି କାହିଁକି, ଯୌତୁକ ପାଇଁ ପଚାଶଟି ଗାଁ ମଧ୍ୟ ଦେଇ ମୁଁ ଦେଇ ପାରିବି । ତା’କଥା ଶୁଣି ବର ମାତା ଆଶ୍ଚର୍ଯ୍ୟ ହୋଇ ପଚାରିଲା – ଏତେଗୁଡିଏ ଗ୍ରାମ ତୁମେ କିପରି ଦେଇପାରିବ? ତା’ପରେ ସେ କନ୍ୟା ମାତା କ’ଣ ଉତ୍ତର ଦେଲା ତାହା ଜାଣନ୍ତି? ସେ କହିଲା, “ଆମ ସୁଲତାନ୍ଙ୍କ ରାଜ୍ୟରେ ନଷ୍ଟ ହୋଇଥିବା ବା ଖାଲି ହୋଇଥିବା ଗ୍ରାମ କ’ଣ କମ୍ ଅଛି କି?”

ସବୁକଥା ଶୁଣି ସୁଲତାନ୍ ଚୁପ୍ ରହିଲେ । ସେ ଏଥର ବୁଝିପାରିଲେ ଯେ ତାଙ୍କ ରାଜ୍ୟର ଦୁର୍ଦ୍ଦଶା କଥା ଜଣାଇବାକୁ ମନ୍ତ୍ରୀ ଏପରି ମନଗଢା କଥା କହିଛନ୍ତି ।

ଅଳ୍ପ ଆଗକୁ ଯିବା ପରେ ନିଜର ନିରୀହ ଭାବ ଦେଖାଇବା ପାଇଁ ମନ୍ତ୍ରୀ ପଚାରିଲେ, “ହଜୁର, ଏପରି ଅପବାଦ ଦେଉଥିବା ପେଚାଙ୍କୁ ମୁଁ କି ଦଣ୍ଡ ଦେବି?”

ସୁଲତାନ୍ କହିଲେ, “ଯିଏ ସତ୍ୟ କଥା କହେ ତାକୁ ଦଣ୍ଡ ଦେବା କ’ଣ ଉଚିତ୍? ମୁଁ ତୁମକୁ ଆଜିଠାରୁ ପ୍ରଧାନ ମନ୍ତ୍ରୀ ପଦରେ ରଖିବି । ତମେ ଏପରି କିଛି କର ଯେପରି ବର ମାତା ପେଚା କିଛି ବି ଯୌତୁକ ନପାଏ ।”

ଏହି ଘଟଣା ପରେ ସୁଲତାନ୍ଙ୍କର ବହୁତ ପରିବର୍ତ୍ତନ ହେଲା । ସେ ନିଜର ବିଳାସବ୍ୟସନ ତ୍ୟାଗ କରି ରାଜକାର୍ଯ୍ୟରେ ପୂର୍ଣ୍ଣ ରୂପେ ମନ ଲଗାଇଲେ । ଫଳରେ ସେ ରାଜ୍ୟ ଖୁବ୍ ଅଳ୍ପଦିନ ମଧ୍ୟରେ ଆନନ୍ଦ, ଐଶ୍ୱର୍ଯ୍ୟ, ଧନ ଦୌଲତରେ ଭରି ଉଠିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ