ମନ୍ତ୍ରୀ ନିର୍ବାଚନ

ତା’ପରେ ପ୍ରଥମ କାମ ହେଲା ରାଜ୍ୟ ଶାସନରେ ଯେତେ ଗୋଳମାଳ ଥିଲା ସେ ସବୁ ବିଷୟରେ ସୁବୁଦ୍ଧିଙ୍କୁ ପ୍ରଶ୍ନ କରିବା । ସେ ତ ଆଗରୁ ଛାନିଆ ହୋଇଥିଲେ ଏବେ ଆହୁରି ଛାନିଆ ହୋଇ ସେ କହିଲେ, “ମୁଁ ତ କିଛି ବି ଜାଣେନାହିଁ । ସବୁ ଅଧିକାରୀମାନେ ଜାଣନ୍ତି । ଭୁଲ୍ ଭଟକା ତ ନିଶ୍ଚୟ ହୋଇଛି, ତେବେ ସେସବୁ ମୋର ଗୋଚରରେ ନୁହେଁ । କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମୁଁ ନିଜ ହାତରେ ରଖିଥିଲି ଆଉ ବାକିସବୁ ତ ମୁଁ ଏଇ ଅଧିକାରୀମାନଙ୍କ ହାତରେ ଛାଡି ଦେଇଥିଲି ।”

ସେପରି ଅଧିକାରୀମାନଙ୍କର ସଂଖ୍ୟା ପ୍ରାୟ ଏକ ଶହ ଥିଲା । ସେମାନଙ୍କୁ ବ୍ୟକ୍ତିଗତ ଭାବରେ ଆନନ୍ଦ ପଚାରି ବୁଝିଲେ ଏପରି ସବୁ କାହିଁକି ହୋଇଛି । ତହୁଁ ସେମାନେ କହିଲେ, “ମନ୍ତ୍ରୀ ମହୋଦୟ ଆମକୁ ଯେଉଁ କାମ ଦିଅନ୍ତି ଆମେ ତାହା କରୁ; ମାତ୍ର ସେସବୁ କାମ ସହିତ ତାଙ୍କର କଡା ନିର୍ଦ୍ଧେଶ ମଧ୍ୟ ଥାଏ । ତେଣୁ କାମରେ ଭୁଲ୍ଭାଲ୍ କି କ୍ଷତି ହେଲେ ଆମେ କି ଜାଣୁ?”

ଏକଥା ଶୁଣି ଆନନ୍ଦ ସେମାନଙ୍କୁ ପଚାରିଲେ “ଅର୍ଥାତ୍ ଆପଣମାନେ କ’ଣ ଏଇଆ କହିବାକୁ ଚାହାଁନ୍ତି ଯେ ଏସବୁ ଘଟଣା ସହିତ ଆପଣଙ୍କର କିଛି ବି ସମ୍ପର୍କ ନାହିଁ ବୋଲି? ଆଚ୍ଛା ଆପଣମାନେ ଏହାର କୌଣସି ପ୍ରମାଣ ଦେଇପାରିବେ?”

ଆନନ୍ଦଙ୍କ କଥା ଶୁଣି ସେ ସମସ୍ତେ ଏକ ସ୍ୱରରେ କହିଲେ, “ନିଶ୍ଚୟ, ସେସବୁର ଅନେକ ପ୍ରମାଣ ଅଛି ।” ଏହାପରେ ଆନନ୍ଦ କହିଲେ “ତାହେଲେ ଠିକ୍ ଅଛି, ମୋର ଏବେ କିଛି କାମ ଅଛି ମୁଁ ଯାଉଛି । ହେଲେ କଥାବାର୍ତ୍ତା କରିବାକୁ ମୁଁ ପୁଣି ଆସିବି ।”

ଏଥର ଆନନ୍ଦ, ସୁବୁଦ୍ଧିଙ୍କୁ ସଙ୍ଗରେ ନେଇ ରାଜାଙ୍କ ପାଖକୁ ଗଲେ । ସେ ରାଜାଙ୍କୁ କହିଲେ, “ମହାରାଜ, ସୁବୁଦ୍ଧି ଅଧିକାରୀମାନଙ୍କ ଉପରେ ନିଜ ପଦବୀର ଶକ୍ତି ଯୋଗୁଁ ତାଙ୍କୁ ନିର୍ଦ୍ଧେଶ ଦେଇ ତାଙ୍କଦ୍ୱାରା ସମସ୍ତ କାମ କରାଇଛନ୍ତି କିନ୍ତୁ ସେ କେବେବି ସେମାନଙ୍କର ସ୍ନେହ ବା ସମ୍ମାନ ପାଇବାକୁ ଚେଷ୍ଟା କରି ନାହାଁନ୍ତି । ତେଣୁ ମନ୍ତ୍ରୀ ମହୋଦୟ ନିଜ ପଦରୁ ଅଲଗା ହୋଇଯିବା ପରେହିଁ ଅଧିକାରୀମାନେ ତାଙ୍କ ବିରୁଦ୍ଧରେ ଅନେକ କଥାସବୁ କହିଲେ ।”

ରାଜା ପ୍ରଶ୍ନକଲେ “ତେବେ ଏହାଙ୍କୁ କି ଦଣ୍ଡ ଦିଆଯିବ?”

ରାଜାଙ୍କ ପ୍ରଶ୍ନ ଶୁଣି ଆନନ୍ଦ ନିଜର ଉତ୍ତର ରଖିଲେ “ମୁଁ ଏପର୍ଯ୍ୟନ୍ତ ସେ ବିଷୟରେ କିଛି ବି ଚିନ୍ତା କରିନାହିଁ । ତେଣୁ କାଲି ମୁଁ ଚିନ୍ତାକରି କହିବି ।”

ଅଧିକାରୀମାନଙ୍କର ସୁବୁଦ୍ଧିଙ୍କ ସହିତ କ’ଣ ସଂପର୍କ ଏବଂ ମନ୍ତ୍ରୀଙ୍କୁ ଦଣ୍ଡବିଧାନ କରିବାବେଳେ ସେମାନଙ୍କ ପ୍ରତିକ୍ରିୟା କ’ଣ ହେଉଛି ସେ ବିଷୟରେ ରାଜା ଜାଣିବାକୁ ଚାହୁଁଥିଲେ । ସେଥିପାଇଁ ତା’ପରଦିନର ରାଜସଭାକୁ ରାଜା ସମସ୍ତ ଅଧିକାରୀମାନଙ୍କୁ ମଧ୍ୟ ଡକାଇଥା’ନ୍ତି ।

ପ୍ରଥମ ଅଧିକାରୀଙ୍କୁ ଆନନ୍ଦ ପଚାରିଲେ, “ଆପଣ ପୂର୍ବ ମନ୍ତ୍ରୀଙ୍କ ବିଷୟରେ ଯାହା କିଛି ବି ଜାଣନ୍ତି ସେସବୁ କୁହନ୍ତୁ ।”

ଆନନ୍ଦଙ୍କଠାରୁ ସାହସ ପାଇଁ ସେ ଅଧିକାରୀ ଜଣକ ସବିସ୍ତାରେ ସବୁ କିଛି କହିଗଲେ । ଏହାପରେ ଆନନ୍ଦ ତାଙ୍କୁ ପଚାରିଲେ, “ଏସବୁ ତ ଗଲା ତାଙ୍କର ଦୁର୍ଗୁଣ; ଏବେ ତାଙ୍କର ସୁଗୁଣ କିଛି କୁହନ୍ତୁ ।”

ତା’ପରେ ସେ ଅଧିକାରୀ ଚେଷ୍ଟାକରି ମଧ୍ୟ ଆଉ କିଛି ବି କହିପାରିଲେ ନାହିଁ ।

ଦ୍ୱିତୀୟ ଅଧିକାରୀ ମଧ୍ୟ ସେଇଆ କହିଲେ, ତୃତୀୟ ମଧ୍ୟ ସେହି ଏକହିଁ ପ୍ରକାର ବ୍ୟବହାର ଦେଖାଇଲେ । ଶତାଧିକ ଅଧିକାରୀଙ୍କ ମଧ୍ୟରୁ ମାତ୍ର ଦଶଜଣ ହିଁ ତାଙ୍କ ଗୁଣ ବିଷୟରେ କହିଲେ । ଶେଷକୁ ଆନନ୍ଦ ଜାଣିପାରିଲେ ଯେ ନିଜ ମନଇଚ୍ଛାରେ ଅଧିକାରୀମାନଙ୍କ ଦ୍ୱାରା କାମ କରାଇ ନେବା ପୂର୍ବତନ ମନ୍ତ୍ରୀ ସୁବୁଦ୍ଧିଙ୍କର ଏକ ପ୍ରକୃତି ।

ତା’ପରେ ସଂଧ୍ୟାବେଳକୁ ରାଜାଙ୍କ ସହିତ ଆଲୋଚନା କରିବାବେଳେ ଆନନ୍ଦ କହିଲେ, “ମହାରାଜ, ଯେଉଁ ଦଶଜଣ ସୁବୁଦ୍ଧିଙ୍କ ଗୁଣ ବିଷୟରେ କହିଲେ କେବଳ ସେଇମାନେହିଁ ଚାକିରୀରେ ରହିବେ ଓ ବାକି ଅନ୍ୟମାନଙ୍କର ଛୁଟି । ମନ୍ତ୍ରୀ ମହୋଦୟଙ୍କୁ ଅପରାଧୀମାନଙ୍କର ଦାୟିତ୍ୱରେ କାରାଗାରର ମୁଖ୍ୟ କରାଇ ଦିଅନ୍ତୁ ।”

ଏହା ଶୁଣି ରାଜା ଆଶ୍ଚର୍ଯ୍ୟ ହୋଇ ପଚାରିଲେ “କିନ୍ତୁ ଏ କିପରି କଥା? ଜଣେ ଅନେକ ଅପରାଧ କରି ପୁଣି ଅପରାଧୀଙ୍କର ଦାୟିତ୍ୱରେ ରହିବ?”

ରାଜାଙ୍କ ଏଭଳି କଥା ଶୁଣି ଆନନ୍ଦ ହସିଦେଲେ ଓ କହିଲେ, “ମହାରାଜ, ଏକଥା ସତ ଯେ ସୁବୁଦ୍ଧି ବହୁତ ଅପରାଧ କରିଛନ୍ତି, କିନ୍ତୁ ଅଧିକାରୀମାନଙ୍କୁ ସେ ତାଙ୍କ ହାତରେ ରଖିଥିଲେ ଓ ଡରାଇ ରଖିଥିଲେ । ସେଇଟା ତ ତାଙ୍କ ଯୋଗ୍ୟତା, ଏହି ଯୋଗ୍ୟତା ଯୋଗୁଁ ସେ ଅପରାଧୀମାନଙ୍କୁ ନିଜ ନିୟନ୍ତ୍ରଣରେ ରଖି ପାରିବେ । ସେଥିପାଇଁ କାରାଗାରର ମୁଖ୍ୟ ହେବାକୁ ତାଙ୍କୁ ମୁଁ କହୁଛି । ଦ୍ୱିତୀୟତଃ ଅଧିକ ସମୟ କାରାଗାରରେ ଓ ଅପରାଧୀଙ୍କ ସହିତ ବିତିବା ମଧ୍ୟ ବହୁତ କଷ୍ଟଦାୟକ; ତାହାବି ଏକ ପ୍ରକାର ଦଣ୍ଡ । ନବେ ଅଧିକାରୀଙ୍କୁ ବାହାର କରାଇ ଦିଆଯିବ, କାରଣ ତାଙ୍କର ଅଭ୍ୟାସ ଏତେ ଖରାପ ଥିଲା ଯେ ସେମାନେ ସର୍ବଦା ସମସ୍ତିଙ୍କର ଖରାପହିଁ ଦେଖୁଥିଲେ, ତେଣୁ ସେମାନେ ଭଲ କାହାର ବି ଦେଖିବେ ନାହିଁ ।”

ସବୁ କଥା ଶୁଣି ରାଜା ଆନନ୍ଦଙ୍କୁ କହିଲେ “ବାଃ ଆପଣଙ୍କ ବିଚାର ମୋର ମନକୁ ବେଶ୍ ପାଇଛି; ତାହା ମୋର ଅନୁମାନଠାରୁ ମଧ୍ୟ ଯଥେଷ୍ଟ ଅଧିକ ହୋଇଛି । ଆପଣଙ୍କ ବ୍ୟତୀତ ଏ ପଦ ପାଇଁ ଆଉ କେହି ମଧ୍ୟ ଆଦୌ ଯୋଗ୍ୟ ନୁହଁନ୍ତି ।” ଏବେ ନୂଆ ମନ୍ତ୍ରୀଙ୍କ ଗହଣରେ ସେ ରାଜା ଖୁବ୍ ଖୁସି ।


ଗପ ସାରଣୀ

ତାଲିକାଭୁକ୍ତ ଗପ