ମନ୍ତ୍ରୀ ନୀତି

ଏକଦା ମଗଧରେ ରାଜା ଚନ୍ଦ୍ରସେନ୍ ରାଜୁତି କରୁଥା’ନ୍ତି । ତାଙ୍କର ଚାରିଜଣ କୁମାର ଥା’ନ୍ତି – ସେମାନେ ଯେତେବେଳେ ଗୁରୁକୁଳରେ ଶିକ୍ଷା ସମାପ୍ତ କରି ଫେରିଆସିଲେ, ରାଜା ସେମାନଙ୍କୁ ଆଦେଶ ଦେଲେ କି ସେମାନେ ଯେପରି ତାଙ୍କର ପ୍ରବୀଣ ମନ୍ତ୍ରୀଙ୍କଠାରୁ ବର୍ଷକ ପର୍ଯ୍ୟନ୍ତ ସମଗ୍ର ରାଜନୀତି ଶିକ୍ଷା କରିବେ ।

                ମନ୍ତ୍ରୀ ଏକଥା ଶୁଣି ରାଜାଙ୍କୁ ଭେଟି କହିଲେ, “ପ୍ରଭୁ, ରାଜକୁମାରମାନେ ଗୁରୁକୁଳରେ ତ ସମସ୍ତ ବିଦ୍ୟା ଶିକ୍ଷା କରି ହିଁ ଫେରିଛନ୍ତି । ଯଦି ଆପଣଙ୍କ ମନରେ ସନ୍ଦେହ ଥାଏ କି ସେମାନେ ରାଜନୀତି ବିଷୟରେ ଯଥେଷ୍ଟ ଶିକ୍ଷା ପାଇନାହାଁନ୍ତି ତେବେ ସବୁଠାରୁ ଭଲ ହେବ ଯଦି ଆପଣ ନିଜେ ସେମାନଙ୍କୁ ରାଜନୀତି ଶିକ୍ଷା ଦିଅନ୍ତି ।”

                ଚନ୍ଦ୍ରସେନ୍ ଏକଥା ଶୁଣି ହସି ହସି କହିଲେ, “ମନ୍ତ୍ରୀବର, ରାଜନୀତି ବିଷୟରେ ଆପଣଙ୍କର ଯାହା ଜ୍ଞାନ, ମୁଁ ତାହାର କେତେ ଅଂଶ ମାତ୍ର ଜାଣିଛି?”

                ନିଜ ପ୍ରତି ରାଜାଙ୍କର ଏଭଳି ବିଶ୍ୱାସ ଦେଖି ମନ୍ତ୍ରୀ ମନେ ମନେ ବହୁତ ଆନନ୍ଦ ହେଲେ । ତଥାପି ମଧ୍ୟ ରାଜକୁମାରଙ୍କୁ ରାଜନୀତି ଶିକ୍ଷା ଦେବା ପାଇଁ ସେ ରାଜି ହେଲେନାହିଁ । ବରଂ ସେ କହିଲେ, “ପ୍ରଭୁ, ରାଜନୀତି କୌଣସି ଉପଦେଶ ଦ୍ୱାରା ପ୍ରାପ୍ତ କରିବାର ବିଦ୍ୟା ନୁହେଁ । ଆମେ ଯେଉଁ ବିଦ୍ୟା ଶିଖୁଥାଇ, ସେସବୁର ଆବଶ୍ୟକ ବେଳେ ସମୁଚିତ ଉପଯୋଗ କରିବା ପାଇଁ ପର୍ଯ୍ୟାପ୍ତ ଅଭିଜ୍ଞତା ଥିବା ମଧ୍ୟ ଦରକାର । ଆପଣ ରାଜନୀତିକୁ ନେଇ କୁମାରମାନଙ୍କର ସମୟ ନଷ୍ଟ କରନ୍ତୁ ନାହିଁ । ମୋ ପୁଅ ସେମାନଙ୍କ ସହିତ ବରାବର ରହିବ ଓ ଆବଶ୍ୟକ ମୁତାବକ ସହଯୋଗ ବି କରିବ ।”

                ମନ୍ତ୍ରୀଙ୍କ କଥା ଶୁଣି ରାଜା କହିଲେ, “ମନ୍ତ୍ରୀବର, ଏବେ ମୁଁ ତୁମକୁ ମୋ ମନକଥା ଖୋଲି କହିବି । ମୁଁ କାହିଁକି କୁମାରମାନଙ୍କୁ ତୁମ ପାଖକୁ ପଠାଇବାକୁ ଚାହୁଁଥିଲି ତା’ର ଅନ୍ୟ ଏକ କାରଣ ବି ଅଛି । ତୁମେ କୁମାରମାନଙ୍କୁ ରାଜନୀତି ଶିକ୍ଷା ଦେବା ମଧ୍ୟରେ ଲକ୍ଷ୍ୟକରି ଦେଖିବ ଯେ ସେମାନଙ୍କ ମଧ୍ୟରୁ କିଏ ଏ ରାଜସିଂହାସନର ଉତ୍ତରାଧିକାରୀ ପାଇଁ ଯୋଗ୍ୟତମ ।”

                ତହୁଁ ମନ୍ତ୍ରୀ କହିଲେ, “ମହାରାଜ, ଆମ ଦେଶର ପରମ୍ପରା ଅନୁସାରେ ତ ଜ୍ୟେଷ୍ଠପୁତ୍ର ହିଁ ରାଜ୍ୟର ଉତ୍ତରାଧିକାରୀ ହୋଇଥାନ୍ତି ।”

                କିଛି ସମୟ ଭାବିବା ପରେ ରାଜା କହିଲେ, “ପରମ୍ପରା ନାମରେ ଯୋଗ୍ୟତାକୁ ଉପେକ୍ଷା କରିବା ମୁଁ ଆଦୌ ପସନ୍ଦ କରେ ନାହିଁ । ଅନେକ ପୁରୁଷ ଧରି ଆମ ବଂଶରେ ଗୋଟିଏ ଲେଖାଏଁ ପୁତ୍ର ହୋଇ ଆସୁଛି । ତେଣୁ ସେମାନଙ୍କ ପାଇଁ ଏ ସମସ୍ୟା ନଥିଲା । କିନ୍ତୁ ମୁଁ ଚାହେଁ ମୋର ପୁତ୍ରମାନଙ୍କ ମଧ୍ୟରୁ ଯାହାର ଶାସନରେ ପ୍ରଜାଙ୍କର କଲ୍ୟାଣ ହେବ ମୁଁ କେବଳ ତାକୁ ହିଁ ମୋ ରାଜ୍ୟ ଭାର ଦେବି ।”

                ମନ୍ତ୍ରୀ ରାଜାଙ୍କୁ ଆଉ କିଛି ପ୍ରତ୍ୟୁତ୍ତର ଦେଲେ ନାହିଁ, କେବଳ ଅଳ୍ପ ହସି ଚୁପ୍ ରହିଲେ । ଏଥିରେ ରାଜା ସନ୍ତୁଷ୍ଟ ନହୋଇ କହିଲେ, “ଆପଣଙ୍କର ଏଭଳି ହସିବାର କାରଣ କ’ଣ?”

ତା’ପରେ ସେ ମନ୍ତ୍ରୀ କହିଲେ, “ମହାରାଜ, ଆପଣଙ୍କ କଥା ମୋତେ ଯେତେବେଳେ ଅପ୍ରାସଙ୍ଗିକ ଲାଗୁଛି ସେତେବେଳେ ମୁଁ ହସି ଦେଉଛି । ତେଣୁ ଏ ବିଷୟରେ ମୋତେ ଆଉ କିଛି ବି ପଚାରନ୍ତୁ ନାହିଁ । ଆପଣ ହିଁ ମନରେ କଷ୍ଟ ପାଇବେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ