ମନ ଭୂତ

ଦେବ ବାବୁ ସେମାନଙ୍କ କଥାକୁ ବେଖାତିରିଆ ଢଙ୍ଗରେ ଯବାବ୍ ଦେଲେ । କାହିଁ କେବେ ଭୂତ, ପ୍ରେତ, ଆତ୍ମା ସଂସ୍ପର୍ଶରେ ସେ କେବେ ଆସି ନଥିବା ଯୁକ୍ତି କଲେ । ହଉ ଚାଲ ଗାଁକୁ ଯିବା କହିବାରୁ ସେମାନେ ବାରଟା ପରେ ଯିବାକୁ କହିଲେ । ଆଉ ପ୍ରାୟ ଅଧ କିଲୋ ମିଟର ତାଙ୍କ ଘର । କିନ୍ତୁ ମଝିରେ ଗାଁ ଗୋହିରୀ । ଡାହାଣ ପଟେ ପାଖ ଗାଁ ମଶାଣୀ । ଏଥର ଦେବ ବାବୁ ଚାଲିଲେ । ହଠାତ୍ ଦେଖିଲେ ତାଙ୍କ ଆଗରେ ବାଟ ଓଗାଳି ଗୋଟାଏ କଳା କୁକୁର ଠିଆ ହୋଇଛି । ଦୁଇ ପଟେ ଖାଲି କିଆ ବଣ । ପାଖରେ ଗୋଟାଏ ବିରାଟ କଂଟା ବାଉଁସର ବଣ । ଦେବ ବାବୁଙ୍କ ପାଟିରୁ ବାହାରି ପଡିଲା ଆରେ ବାବା ବାଟ ଛାଡେ । ତୁ ପୁଣି କାହିଁକି ମୋ ବାଟ ଜଗିଲୁ । କୁକୁରଟା କୁଆଡେ ଚାଲି ଗଲା । ଦେବ ବାବୁ ଦେଖିଲେ କଂଟା ବାଉଁସ ବୁଦାକୁ କିଏ ଘାଂଟି ପକାଉଛି । ବାଉଁସ ଗୁଡାକର ଅଗ ତଳେ ସ୍ପର୍ଶ କରୁଛି । ବାଟ ପ୍ରାୟ ବନ୍ଦ କଲା ଭଳି ପରିସ୍ଥିତି ଉପୁଜିଛି । ଦେବ ବାବୁ ବେଖାତିର କରି ଦାଢେ ଦାଢେ ଚାଲିଲେ । ବାଉଁଶ ଗୁଡାକର ଅଗ ତଳେ ଲାଗୁଥିବାର ଦେଖୁ ଥିଲେ ମଧ୍ୟ ତାଙ୍କ ଦେହରେ ସ୍ପର୍ଶ ନ ହେବାର ଦେଖି ସେ ଆଶ୍ଚର୍ଯ୍ୟ ହେଲେ ।

                ଦେବ ବାବୁ ଏଥର ସେହି ମଶାଣୀ ପାଖ ଦେଇ ଗତି କରୁ ଥିଲେ । ସେ ପଛକୁ ଜମା ଚାହୁଁ ନଥିଲେ । ହଠାତ୍ ତାଙ୍କ ଗାଁ ସୀମା ସରିବାକୁ ବସିଲା ପଛରୁ ଗୋଟାଏ ବିକଟାଳ ଶବ୍ଦ ଶୁଭିଲା ପୁଅ ପଳେଇ ଗଲୁ । ନଚେତ୍ ମଜ୍ଜା ଦେଖି ଥାଆନ୍ତୁ । ଦେବ ବାବୁ ଏଥର ଦେଖିଲେ ତାଙ୍କ ଆଗରେ ସେହି ପୂର୍ବ କଳା କୁକୁରକୁ । ଏଥର କିନ୍ତୁ ସେ କୁକୁର ଭାରି ଡଉଲ ଡାଉଲ ଦେଖା ଯାଉ ଥିଲା । ଦେବ ବାବୁ ମନେ ମନେ ଭାବିଲେ ଏଇଟିକୁ ନେଇ ଘରେ ପୋଶିଲେ ଭଲ ହେବ । ଚାଲୁ ଘର ପର୍ଯ୍ୟନ୍ତ । ଯେଉଁଠି ଗାଁର ସୀମା ଆରମ୍ଭ ହୋଇଛି । ମଶାଣୀ ଚାଲି ଯାଇଛି । ସୀମା ପାଖ ଗାଁର ସରିଛି । ସେଇଠି ଆଗକୁ ଗୋଟାଏ ନାଳ ଅଛି । ପାଣି ମଧ୍ୟ ସେଥିରେ କିଛି ଅଛି । କୁକୁରଟା ହଠାତ୍ ଡେଇଁ ପଡିଲା ସେହି ସୀମାରେ ଥିବା ନାଳକୁ । କାହିଁ କୁଆଡେ ଗଲା । ସେ ମିଞ୍ଜି ମିଞ୍ଜି ଟର୍ଚ୍ଚ ଆଲୋକରେ ଦେଖା ଗଲାନି । ନାଳକୁ ଡେଇଁବା ପରେ ପାଣିରେ ପଡିବା ଶବ୍ଦ ମଧ୍ୟ ଶୁଭିଲାନି । ଦେବ ବାବୁଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି ସେ ମାଡି ଚାଲିଲେ ଆଗକୁ ଆଗକୁ । ରାତ୍ରି ବଢି ବଢି ଚାଲି ଥାଏ ଶୀତୁଆ ପବନ ତାଙ୍କ ଦେହକୁ ଥରାଇ ଦେଉ ଥାଏ । ମଫଲରଟିକୁ ଫିଟାଇ ଆଉ ଥରେ ମୁଣ୍ଡରେ କାନ, ନାକ ଘୋଡାଇ ବାନ୍ଧି ଦେଲେ ଦେବ ବାବୁ ।

                ହଠାତ୍ ଗାଁ ତାଙ୍କର ଅଳ୍ପ ବାଟ ଅଛି । ବନ୍ଧ ଆଗରେ ତାଙ୍କ ଆଗରେ ଦେଖିଲେ ଗୋଟାଏ କ’ଣ ପଡିଛି । ସେ ଟର୍ଚ୍ଚର ମିଞ୍ଜି ମିଞ୍ଜି ଲାଇଟ୍ ପକାଇ ଯାହା ଦେଖିଲେ, ଅନ୍ୟ କିଏ ହୋଇଥିଲେ ସେଇଠି ଭେଟଣା ହୋଇ ଯାଇ ଥାନ୍ତେ । ଗୋଟାଏ ମୁଣ୍ଡ, ହାତ, ଗୋଡ ନଥିବା ଗଣ୍ଡି ଟାଏ । ରକ୍ତ ଜୁଡୁ ବୁଡୁ ସେହି ଗଣ୍ଡିଟା । କିଏ କାହାକୁ କ’ଣ ମର୍ଡର କରି ଦେଲା । ଦେବ ବାବୁ ବିଚଳିତ ହୋଇ ପଡି ଆଗକୁ ଗଲେ ଘଟଣାଟା କ’ଣ ଜାଣିବା ପାଇଁ କିନ୍ତୁ ଗଣ୍ଡିଟା ଆଗେ ଆଗେ ଗଡି ଗଡି ରାସ୍ତା କଡ ବାଦାମ୍ କିଆରିକୁ ଗଡି ଗଲା । ଦେବ ବାବୁ ଜାଣିଛନ୍ତି । ଶୁଣିଛନ୍ତି ମଧ୍ୟ ମାଦଳ ଏଇପରି ଗଡେ ବୋଲି । କିଛି ଭୟ ନକରି ତାଙ୍କ ବାଡି ଆଡେ ଗଡିଲେ । ଡିବିର ଆଲୁଅ ଧରି କିଏ ବସିଛି । ଆଲୁଅ ଶିଖାରେ ଦେଖି ପାରିଲେ ତାଙ୍କ ନାନୀ । ସେ ମଧ୍ୟ ଡରି ପଚାରିଲେ କିଏ? ମଫଲର ଖୋଲି ଦେବ ବାବୁ କହିଲେ, ନାନୀ ମୁଁ ଦେବ । ନାନୀ ତାଙ୍କ ସାନ ଝିଅକୁ ଧରି ଝାଡା ଆସି ଥିଲେ ।

ଦେବ ବାବୁ ଏ ଘଟଣା ଯାଇ ସମସ୍ତଙ୍କୁ କହିବାରୁ ତାଙ୍କ ଅନୁଭୂତି ଏଠାରେ କାହାଣୀ ଆକାରରେ ବର୍ଣ୍ଣନା ହେଲା । ଏସବୁ ଘଟଣା ଘଟୁ କିମ୍ବା ନଘଟୁ କିମ୍ବା ତାଙ୍କ ଅନ୍ତରରେ ଥିବା କିଛି କଥା ରାତ୍ର ଅନ୍ଧକାରରେ ସତ୍ୟତା ଅନୁଭବ କରୁ । ଯଦି ଦେବ ବାବୁ ଡରି ଯାଇ ଥାଆନ୍ତେ ତେବେ ନିଶ୍ଚିନ୍ତ ସେହି କ୍ଷଣି ତାଙ୍କ ଜୀବନ ପ୍ରତି ବିପଦ ଘନେଇ ଆସିଥାନ୍ତା । ସେ ଯେପରି ପରିସ୍ଥିତିକୁ ମୁକାବିଲା କଲେ ତାହା କରିବା ଉଚିତ୍ । ନଚେତ୍ ମନର ଭୂତ ଏପରି ଗୋଡାଇବ ଯେ, ତାକୁ ଛଡାଇବାକୁ ଆଉ ଗୁଣିଆଁ ମିଳିବେନି ।


ଗପ ସାରଣୀ

ତାଲିକାଭୁକ୍ତ ଗପ