ମଳୟବତୀ କଥା

       ମହାରାଜ କହିଲେ, “କର୍ମପାଳନ କରୁ କରୁ ଧର୍ମ ବିମୁଖ ହେଲେ ପର ଜନ୍ମରେ ଦୁଃଖ ଭୋଗିବାକୁ ପଡିଥାଏ । ଭଗବାନ ତ ଏହା କହି ନାହାଁନ୍ତି ଯେ କର୍ମରେ ଲାଗି ଧର୍ମକୁ ଭୁଲିଯାଅ?”

        ମହାରାଜଙ୍କର ତର୍କ ପୂର୍ଣ୍ଣ ଯୁକ୍ତି ଶୁଣି ଯୋଗୀଜଣକ ନୀରବ ହୋଇଗଲେ । ମହାରାଜ ପୁଣି ତପସ୍ୟାରେ ମଗ୍ନ ହେଲେ । ଅତ୍ୟଧିକ ଦୁର୍ବଳ ହୋଇ ଚେତା ହରାଇ ପଡିଲେ । ପୁଣି ଚେତା ଫେରିବାରୁ ତପସ୍ୟାରେ ମଗ୍ନ ହେଲେ ।

       ଯୋଗୀ ଜଣକ ପୁଣିଥରେ କହିଲେ, “ହେ ରାଜା! ମୁଁ ଆଉଥରେ ତୁମକୁ ଅନୁରୋଧ କରୁଛି ଏଥିରୁ ବିରତ ହୁଅ । ସବୁ କାମ ସମସ୍ତଙ୍କୁ ଶୋଭାପାଏ ନାହିଁ । ତମେ ଜଣେ ଗୃହସ୍ଥ ପୁଣି ରାଜା । ନିଜର କର୍ତ୍ତବ୍ୟ ସଂପାଦନ କରି ତପସ୍ୟା କରା ଯାଇପାରେ । କର୍ମ ଏବଂ ତପସ୍ୟାର ମୂଲ୍ୟ ସମାନ । କର୍ମ ମାଧ୍ୟମରେ ମଣିଷ ନିଜର ପରଜନ୍ମକୁ ସୁଧାରି ପାରେ । ମୋ କଥାମାନ । ତପସାଧନା ଛାଡି ଯାଇ ରାଜକାର୍ଯ୍ୟରେ ମନ ଲଗାଅ ।”

       ମହାରାଜ ତାଙ୍କ କଥାକୁ କାନକୁ ନନେଇ ତପସ୍ୟା କରିବାରେ ଲାଗିପଡିଲେ । କିଛି କାଳ ପରେ ତାଙ୍କ ଶରୀର ଅଧିକ କ୍ଷୀଣ ହୋଇପଡିଲା । ଚେତାଶୂନ୍ୟ ହୋଇପଡିଲେ ।

       ଚେତା ଫେରିବା ପରେ ଦେଖିଲେ ସେ ପୂର୍ବର ସେଇ ଯୋଗୀ ରୂପେଥିବା ସ୍ୱୟଂ ବିଷ୍ଣୁଙ୍କ କୋଳରେ ମଥା ରଖି ଶୋଇଛନ୍ତି । ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ । ଉଠିବସି ପ୍ରଣାମ କରି କହିଲେ, “ହେ ପ୍ରଭୁ! ଆପଣ ମୋତେ ଦର୍ଶନ ଦେଇ ମୋ ଜୀବନକୁ ଧନ୍ୟ କରିଛନ୍ତି ।”

       ବିଷ୍ଣୁ କହିଲେ, “ତମର ମଙ୍ଗଳ ହେଉ । କୁହ ବତ୍ସ! ମୋତେ କାହିଁକି ସ୍ମରଣ କରିଲ?”

       “ମୁଁ ଦୈତ୍ୟରାଜ ବଳିଙ୍କୁ ଦର୍ଶନ କରିବାକୁ ଚାହେଁ । ମୋତେ ଏଇ ଆଶୀର୍ବାଦ କରନ୍ତୁ ଏବଂ ରାସ୍ତା ବତାଇ ଦିଅନ୍ତୁ ।”

       ବିଷ୍ଣୁ ମହାରାଜଙ୍କୁ ଏକ ଶଙ୍ଖ ଦେଇ କହିଲେ, “ତମେ ସମୁଦ୍ରକୂଳକୁ ଯାଇ ଏହାକୁ ବଜାଇଲେ ସେ ତମକୁ ରାସ୍ତା ଛାଡି ଦେବେ ଏବଂ ତମେ ପାତାଳ ଲୋକରେ ପହଁଚି ଦୈତ୍ୟରାଜ ବଳିଙ୍କୁ ସାକ୍ଷାତ କରିପାରିବ” ।

       ମହାରାଜ ଶଙ୍ଖ ଗ୍ରହଣ କରି ବିଷ୍ଣୁଙ୍କୁ ପ୍ରଣାମ କଲେ । ସେ ତାଙ୍କୁ ଆଶୀର୍ବାଦ ଦେଇ ଅନ୍ତର୍ଦ୍ଧାନ ହୋଇଗଲେ ।

       ମହାରାଜ ପାତାଳପୁରରେ ପହଁଚି ବଳିଙ୍କ ଉଆସ ପାଖରେ ଥିବା ଦ୍ୱାରପାଳକୁ ସେ ରାଜାଙ୍କୁ ସାକ୍ଷାତ କରିବାକୁ ଚାହାଁନ୍ତି ବୋଲି କହିଲେ । ମାତ୍ର ବଳି ତାଙ୍କୁ ସାକ୍ଷାତ ଦେବାକୁ ମନା କରିଦେଲେ । ଲଗାତାର ତିନିଚାରିଥର ମନା କରିବା ପରେ ମହାରାଜ ନିଜ ତରବାରୀରେ ନିଜକୁ ହତ୍ୟା କଲେ । ଏହାଶୁଣି ବଳି ଅମୃତ ସିଂଚି ତାଙ୍କୁ ବଂଚାଇଲେ ଏବଂ ନିଜ ସହିତ ମହଲକୁ ପାଛୋଟି ନେଇ କହିଲେ, “ତମେତ ଜଣେ ଗରିମାମୟ ରାଜା । କୀର୍ତିମାନ, ଦାନଶୀଳ, ପ୍ରଜାପାଳକ, ମହାବୀର । ଅଥଚ ଏତେ କଷ୍ଟ କରି ମୋତେ ସାକ୍ଷାତ କରିବାକୁ ଆସିବାର କାରଣ କ’ଣ?

       ମହାରାଜା କହିଲେ, “ହେ ଦୈତ୍ୟରାଜ! ମୁଁ ଶାସ୍ତ୍ରପୁରାଣରୁ ଆପଣଙ୍କ ମହିମା, ଦାନଶୀଳତା ସଂପର୍କରେ ପଢିଥିଲି । ଆପଣଙ୍କୁ ଦର୍ଶନ କରିବାର ଇଚ୍ଛା ବଳବତର ହେବାରୁ ଭଗବାନ ବିଷ୍ଣୁଙ୍କୁ ତପସ୍ୟା କରି ଆପଣଙ୍କ ରାଜ୍ୟକୁ ଆସି ପାରିଲି । ଯାହା ହେଉ ଆପଣଙ୍କୁ ଦର୍ଶନ କରି ମୁଁ ଧନ୍ୟ ହୋଇଛି ।”

       ମହାରାଜଙ୍କ ବ୍ୟବହାରରେ ମୁଗ୍ଧ ହୋଇ ବଳି ତାଙ୍କୁ ଏକ ରକ୍ତବର୍ଣ୍ଣ ମୁଙ୍ଗା ରତ୍ନ ଦେଇ କହିଲେ, “ଏହାକୁ ହାତରେ ଧରି ଯାହା ଇଚ୍ଛା କରିବ ତାହାପାଇ ପାରିବ ।” ମୁଙ୍ଗା ଗ୍ରହଣ କରି ବଳି ରାଜାଙ୍କୁ ପ୍ରଣାମ ଜଣାଇ ମହାରାଜ ବିକ୍ରମାଦିତ୍ୟ ନିଜ ରାଜ୍ୟକୁ ଫେରି ଆସିଲେ । ମୁଙ୍ଗା ମାଧ୍ୟମରେ ଲୋକଙ୍କର ବହୁ କାମନା ପୂରଣ କଲେ । କେବେ ନିଜ ସ୍ୱାର୍ଥ ପାଇଁ ସେ କିଛି କରି ନଥିଲେ ।

       କାହାଣୀ ଶୁଣି ସାରିବା ପରେ ଭୋଜରାଜ ନିଜକୁ ଖୁବ୍ ଅସହାୟ ମଣିଲେ ଏବଂ ନିଜର ଉଆସ ଅଭିମୁଖେ ଗମନକଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ