ମହାକପି ଜାତକ

       ରାଜାଙ୍କ କଥା ଶୁଣି ବୋଧିସତ୍ୱ ଉତ୍ତର ଦେଲେ – “ମହାରାଜ ! ମୁଁ ଏଇ ମାଙ୍କଡମାନଙ୍କର ଦଳପତି । ଆପଣଙ୍କ ଲୋକମାନେ ସେମାନଙ୍କୁ ମାରିବାକୁ ଧନୁଶର ଧରି ଜଗିରହିଲେ । ତାହା ଦେଖି ମାଙ୍କଡମାନେ ଭୟରେ କାତର ହେଲେ । ସେମାନେ ଜାଣିଲେ ଯେ ଶର ଆଘାତରେ ସେମାନଙ୍କର ଜୀବନ ଯିବ । ମୁଁ ହେଲି ସେମାନଙ୍କର ରାଜା, ସେମାନଙ୍କୁ ବଂଚାଇବା ମୋର ଧର୍ମ । ତେଣୁ ମୁଁ ମୋ ବୁଦ୍ଧିରେ ଉପାୟ କଲି । ମୋର ହିସାବରେ ଟିକିଏ ଭୁଲ୍ ହୋଇଯିବାରୁ ମୁଁ ଏ କଷ୍ଟ ପାଇଲି । ଯାହାହେଉ, ମୋର ମାଙ୍କଡଦଳ ମୋ ପିଠିଉପରେ ଯାଇ ବଂଚିଯାଇଚନ୍ତି । ସେଥିପାଇଁ ମୁଁ ଆନନ୍ଦିତ । ମୁଁ ମୋ ଜୀବନ ପାଇଁ ଭାବୁନଥିଲି । ମୁଁ ଚାହୁଁଥିଲି – ମୁଁ ମରେ ପଛକେ, ମୋ ଭାଇମାନେ ବଂଚିରହନ୍ତୁ । ମହାରାଜ! ମୋର ମେରୁହାଡ ଭାଙ୍ଗିଯାଇଚି । ମୁଁ ଜାଣୁଚି ଯେ ମୁଁ ଆଉ ବଂଚିବିନାହିଁ । ହେଲେ ସେଥିପାଇଁ ମୋର ଦୁଃଖ ନାହିଁ । ମୁଁ ମୋର ଦଳକୁ ବଂଚାଇପାରିଥିବାରୁ ମୋର କଷ୍ଟ ମତେ ବାଧୁନାହିଁ ।”

       ବୋଧିସତ୍ୱ ଶେଷରେ କହିଲେ – “ମହାରାଜ ! ଆପଣ କେତେ ବଡ ରାଜ୍ୟର ରାଜା । ଆପଣଙ୍କର ବହୁତ ପ୍ରଜା ଅଛନ୍ତି । ସେମାନେ ଆପଣଙ୍କୁ ଆଶ୍ରାକରି ଅଛନ୍ତି । ଆପଣ ନିଜ କଥା ନଭାବି ସେମାନଙ୍କର ଭଲ ପାଇଁ କାମ କରନ୍ତୁ – ଏତିକି ମାତ୍ର ମୋର ବିନତି ।”

       ଅଳ୍ପ ସମୟ ପରେ ମାଙ୍କଡ ଦଳପତି ବୋଧିସତ୍ୱ ପ୍ରାଣ ଛାଡିଲେ । ରାଜା, ମନ୍ତ୍ରୀ ଓ ତାଙ୍କର ଅନୁଚରମାନେ ଦୁଃଖିତ ହେଲେ । ବୋଧିସତ୍ୱଙ୍କ ଶବକୁ ମଶାଣିକୁ ନିଆଗଲା । ଜଣେ ରାଜାଙ୍କର ଶବଦାହ ବେଳେ ଯାହା ସବୁ କରାଯାଏ, ସେସବୁ ବୋଧିସତ୍ୱଙ୍କ ପାଇଁ କରାଗଲା । ରାଜା ବୋଧିସତ୍ୱଙ୍କ ଉପଦେଶ ପାଳନକରି ଧର୍ମବାଟରେ ଚାଲିଲେ । ଗରିବଲୋକମାନଙ୍କୁ ଧନ ଦାନ କଲେ । ପ୍ରଜାମାନଙ୍କୁ ସୁଖରେ ପାଳିଲେ । ସେମାନଙ୍କର ମଙ୍ଗଳ ପାଇଁ କାମ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ