ମହାନ୍ କିଏ?

       ପୁରୋହିତଙ୍କର କଥା ଶୁଣିବା ପରେ ରାଜା ମନେ ମନେ ବହୁତ ଖୁସି ହେଲେ । ଏହାପରେ ମହାମନ୍ତ୍ରୀଙ୍କର ପାଳି ପଡିଲା । ରାଜା ମହାମନ୍ତ୍ରୀଙ୍କୁ ଠିକ୍ ସେହି କଥା ପଚାରିଲେ । ମହାମନ୍ତ୍ରୀ କହିଲେ, ମହାରାଜ ! ଯେଉଁ ରାଜ୍ୟରେ ପ୍ରଜାମାନେ ସୁଖ, ଶାନ୍ତିରେ କାଳାତିପାତ କରନ୍ତି ସେହି ରାଜ୍ୟରେ ସର୍ବଦା ସୁଖ, ଶାନ୍ତି ବିରାଜମାନ କରେ । ମହାମନ୍ତ୍ରୀଙ୍କ କଥା ଶୁଣିବା ପରେ ରାଜା ଆହୁରି ଖୁସି ହୋଇଗଲେ । ଏହାପରେ ରାଜା ସେନାପତିଙ୍କୁ ସେହି ଗୋଟିଏ ପ୍ରଶ୍ନ ପଚାରିଲେ । ସେନାପତି ରାଜାଙ୍କ ସମ୍ମୁଖରେ ମୁଣ୍ଡ ନୁଆଁଇ କହିଲେ, “ମହାରାଜ ! ଆପଣଙ୍କ ଶକ୍ତି ନିକଟରେ ଅନେକ ରାଜା ମୁଣ୍ଡ ନୁଆଁଇ ଦିଅନ୍ତି । ଏହି କଥା ପ୍ରମାଣ କରେ କି ଆପଣ ଜଣେ ମହାନ୍ ରାଜା ଅଟନ୍ତି । ଜଣେ ସୁଶାସକ ହେବାପାଇଁ ରାଜାଙ୍କର ଯେଉଁ ଯେଉଁ ଗୁଣ ରହିବା ଆବଶ୍ୟକ, ତାହା ଆପଣଙ୍କ ନିକଟରେ ଭରପୂର ହୋଇ ରହିଛି ।” ସେନାପତିଙ୍କର ଉତ୍ତର ଶୁଣି ରାଜା ଆହୁରି ଖୁସି ହୋଇଗଲେ । ଏହାପରେ ରାଜା ତାଙ୍କର ମସସ୍ତ ମନ୍ତ୍ରୀ, ସେନାପତିମାନଙ୍କୁ ବିଦାୟ ଦେଲେ ।

       ହେଲେ ରାଜାଙ୍କ ମନ ଏଥିରେ ମାନିଲା ନାହିଁ । ପୁଣି ରାଜା ସେହି ବିଷୟରେ ଚିନ୍ତା କରିବାକୁ ଲାଗିଲେ । ରାଜା ମନେ ମନେ ଭାବିଲେ, ଦରବାରରେ ସମସ୍ତ ପାତ୍ର ମନ୍ତ୍ରୀଗଣ ତ’ ମୋର ପ୍ରଶଂସା କରିବା କିଛି ନୂଆ କଥା ନୁହେଁ । ଯେହେତୁ ସେମାନେ ମୋ ଅଧୀନରେ ଅଛନ୍ତି ସେମାନେ କଦାପି ମୋର ଦୋଷ ଗୁଣ ବାହାର କରିବେ ନାହିଁ । ରାଜ୍ୟବାସୀ ମତାମତ ଦେବା ଉଚିତ୍ । ସେମାନେ ଯାହା କହିବେ ତାକୁ ଅକ୍ଷରେ ଅକ୍ଷରେ ପାଳନ କରିବା ଉଚିତ୍ । ଯଦି ରାଜ୍ୟବାସୀ ମୋର କୌଣସି ଦୋଷ ଗୁଣ ବାହାର ନକରି ଶତମୁଖର ପ୍ରଶଂସା କରିବେ ତା’ ହେଲେ ମୋର ରାଜା ହେବା ସାର୍ଥକ ହୋଇଯିବ । ଏହା ଭାବି ରାଜା ରାଜ୍ୟବାସୀଙ୍କ ମତାମତ ଲୋଡିବା ପାଇଁ ଠିକ୍ କଲେ । ସଂଗେ ସଂଗେ ସାରା ରାଜ୍ୟରେ ଘୋଷଣା କରିଦିଆଗଲା ଯେ – “ଆସନ୍ତାକାଲି ରାଜା ବ୍ରାହ୍ମଦତ୍ତ ତାଙ୍କର ପ୍ରଜାମାନଙ୍କୁ ଦରବାରକୁ ଯିବାପାଇଁ ନିମନ୍ତ୍ରଣ କରିଛନ୍ତି । ପ୍ରଜାମାନଙ୍କ ସମ୍ମୁଖରେ ସେ ତାଙ୍କର ମନର କଥା ପ୍ରକାଶ କରିବେ ।” ରାଜାଙ୍କର ଏହି ଘୋଷଣା ଶୁଣିବାପରେ ପ୍ରଜାମାନେ ପରଦିନ ଦରବାରକୁ ଯିବାପାଇଁ ବାହାରି ପଡିଲେ । ଦରବାରରେ ପହଁଚିବା ପରେ ରାଜା ସେମାନଙ୍କ ସମ୍ମୁଖରେ ହାତ ଯୋଡି ଠିଆ ହୋଇ କହିଲେ – “ମୋର ଆଦରର ଭାଇ, ଭଉଣୀମାନେ! ମୁଁ ଆପଣମାନଙ୍କୁ ଆଜି ଏଠାକୁ ଏକ ବିଶେଷ କଥା ପଚାରିବା ପାଇଁ ଡାକିଛି । ମୋର ଶାସନ ନୀତିରେ ଆପଣମାନେ ଯଦି କିଛି ତ୍ରୁଟି ଦେଖୁଛନ୍ତି ମୋତେ କୁହନ୍ତୁ? କିମ୍ବା ଆପଣମାନଙ୍କର ଅଭାବ ଅସୁବିଧା ମୋତେ ଖୋଲାଖୋଲି ଭାବରେ ଜଣାନ୍ତୁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ