ମହାଭାରତ

                ପାଣ୍ଡବଙ୍କର ଗୋପନ ବେଶ ଉନ୍ମୋଚିତ ହୋଇଯିବା ପରେ, ଉତ୍ତର ଅର୍ଜୁନଙ୍କର ଅଶେଷ ପରାକ୍ରମ ବର୍ଣ୍ଣନା କଲେ । ଅର୍ଜୁନର ବୀରତ୍ୱର ଅଜସ୍ର ପ୍ରଶଂସା କରି ଉତ୍ତର କହିଲେ, “ଯେପରି ସିଂହ ହରିଣର ପଶ୍ଚାତ୍ଧାବନ କରି ତା’କୁ ମାରି ପକାଏ, ଅର୍ଜୁନ ମଧ୍ୟ ଠିକ୍ ସେହିପରି କୌରବ ଯୋଦ୍ଧାଙ୍କୁ ଆକ୍ରମଣ କଲେ । ଏହି ବୀର ଗୋଟିଏ ତୀରରେ ଏକ ଦନ୍ତାହାତୀକୁ ବଧ କରିବାର ମୁଁ ନିଜେ ମୋ ସ୍ୱଚକ୍ଷୁରେ ଦେଖିଛି । ତାଙ୍କର ଶଂଖ ନାଦରେ ମୋର କର୍ଣ୍ଣ ବଧିର ପ୍ରାୟ ହୋଇଯିବା ପରି ମନେ ହେଲା ।

                ଏହା ସବୁ ଶୁଣିବା ପରେ ବିରାଟ ତାଙ୍କ ପୁତ୍ରକୁ ଅନୁଚ୍ଚ ସ୍ୱରରେ କହିଲେ, “ତୁମେ ଠିକ୍ କହୁଥିଲ ପୁତ୍ର । ଆମକୁ ପାଣ୍ଡବଙ୍କ ସହିତ ମିତ୍ରତା କରିବା ଉଚିତ୍ । ତେଣୁ ମୁଁ ଉତରାକୁ ଅର୍ଜୁନଙ୍କ ସହିତ ବିବାହ ଦେବାପାଇଁ ଚାହୁଁଛି ।”

                ଉତ୍ତର କହିଲେ “ଆମେ ତାହା ନିଶ୍ଚୟ କରିବା । କିନ୍ତୁ ତା’ ପୂର୍ବରୁ ପାଣ୍ଡବମାନଙ୍କୁ ଆମେ ଯଥୋଚିତ ସମ୍ମାନ ଜଣାଇବା ଦରକାର ।”

                ବିରାଟ କହିଲେ “ହଁ, ଆମେ ତାହା ହିଁ କରିବା । ଯେତେବେଳେ ମୁଁ ଯୁଦ୍ଧରେ ପରାଜିତ ହୋଇ ସୁଶର୍ମାଙ୍କ ହାତରେ ବନ୍ଦୀ ଅବସ୍ଥାରେ ଥିଲି, ଠିକ୍ ସେହି ସମୟରେ ଭୀମ ମୋତେ ରକ୍ଷା କରିବାରୁ ଆମର ବିଜୟ ସମ୍ଭବପର ହେଲା । ପାଣ୍ଡବମାନଙ୍କ ହେତୁ ଆମେ ଆଜି ବିଜୟୀ । ଅଜାଣତରେ ମୁଁ ଅନେକ ଭୁଲ୍ କରି ବସିଛି । ସେଥିପାଇଁ ଧର୍ମରାଜଙ୍କ ନିକଟରେ ମୁଁ କ୍ଷମା ମାଗୁଛି ।”

                ଏପରି କହି ବିରାଟ ଧର୍ମରାଜଙ୍କୁ ନିଜର ରାଜ୍ୟ, କୋଷାଗାର ତଥା ରାଜଧାନୀ ସହିତ ତାଙ୍କର ସକଳ ଐଶ୍ୱର୍ଯ୍ୟ ପାଣ୍ଡବଙ୍କୁ ସମର୍ପଣ କରି ତାଙ୍କର ବନ୍ଧୁତ୍ୱ ଘୋଷଣାକଲେ ।

                ଏହାପରେ ବିରାଟ ଧର୍ମରାଜଙ୍କୁ କହିଲେ, “ଆପଣ ବନବାସ ଓ ଅତି କ୍ଳେଶଦାୟକ ଅଜ୍ଞାତବାସ ସମୟ ସଫଳତାର ସହ ବିତାଇଲେ । ଏବେ ମୋର ରାଜ୍ୟ ମୁଁ ଅର୍ଜୁନଙ୍କୁ ଅର୍ପଣ କରୁଛି । ସେ ମୋର କନ୍ୟା ଉତରାର ପାଣି ଗ୍ରହଣ କରନ୍ତୁ ।”

                ଧର୍ମରାଜ ଅର୍ଜୁନଙ୍କୁ ଚାହିଁଲେ । ସେ କହିଲେ, “ରାଜନ୍! ମୁଁ ଆପଣଙ୍କ ପୁତ୍ରୀକୁ ମୋର ପୁତ୍ରବଧୂ ରୂପେ ସ୍ୱୀକାର କରୁଛି । ଏହା ଦ୍ୱାରା ଆମ ଦୁଇ ବଂଶ ମଧ୍ୟରେ ଗଭୀର ବନ୍ଧୁତା ସ୍ଥାପିତ ହୋଇ ପାରିବ ।”

                ଏହା ଶୁଣି ବିରାଟ ଆଶ୍ଚର୍ଯ୍ୟ ପ୍ରକଟ ପୂର୍ବକ କହିଲେ, “ମୋର ପୁତ୍ରୀକୁ ଆପଣ କାହିଁକି ନିଜ ପତ୍ନୀ ରୂପେ ସ୍ୱୀକାର କରିବା ପାଇଁ କୁଣ୍ଠିତ?”

                ଅର୍ଜୁନ ବିରାଟଙ୍କୁ କହିଲେ “ରାଜନ୍! ଆପଣଙ୍କ ପୁତ୍ରୀ ସହିତ ମୋର ଗଭୀର ସମ୍ପର୍କ ରହିଛି । ମୁଁ ତାହାର ନାଟ୍ୟଗୁରୁ । ସେ ମୋତେ ପିତା ସଦୃଶ ସମ୍ମାନ ପ୍ରଦର୍ଶନ କରେ । ମୋର ପୁତ୍ର ଅଭିମନ୍ୟୁ ଶ୍ରୀକୃଷ୍ଣଙ୍କର ଭଣଜା ଅଟେ । କିଶୋର ଅବସ୍ଥାରେହିଁ ସେ ସମସ୍ତ ବିଦ୍ୟାରେ ପାରଙ୍ଗମ ଅଟେ । ସେ ହିଁ ଆପଣଙ୍କ ପୁତ୍ରୀର ଯୋଗ୍ୟତମ ବର ଅଟେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ