ମହାଭାରତ

ଶେଷରେ ସେ ରାଜା ବାଧ୍ୟ ହୋଇ ଯଜ୍ଞ ବନ୍ଦ କଲେ । ଆସ୍ତିକଙ୍କ ଦୟାରୁ ଇନ୍ଦ୍ର, ତକ୍ଷକ ଓ ଅନ୍ୟାନ୍ୟ ଅନେକ ସର୍ପ, ଯଜ୍ଞ ଭୟରୁ ରକ୍ଷା ପାଇ ଆନନ୍ଦରେ କାଳ କାଟିଲେ । ରାଜା ବ୍ରାହ୍ମଣମାନଙ୍କୁ ଓ ଅନ୍ୟମାନଙ୍କୁ ଯଥେଷ୍ଟ ଦାନ ଦକ୍ଷିଣା ଦେଇ ସେମାନଙ୍କୁ ସନ୍ତୁଷ୍ଟ କଲେ । ସେଠାକୁ ବେଦବ୍ୟାସ ମଧ୍ୟ ଆସିଥିଲେ । ତାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ବୈଷମ୍ପାୟନ, ରାଜା ଜମ୍ନେଜୟଙ୍କୁ ପାଣ୍ଡବମାନଙ୍କ ବିଷୟରେ ଓ ଶ୍ରୀକୃଷ୍ଣଙ୍କ ବିଷୟରେ ବହୁତ କଥା ଶୁଣାଇଲେ ।

ବୈବସ୍ୱତ ମନୁ ହେଲେ ଭାରତବଂଶର ଆଦି ପୁରୁଷ । ସେ ଅଦିତିଙ୍କ ନାତି ଥିଲେ । ବୈବସ୍ୱତଙ୍କ କନ୍ୟା ଇଳାଙ୍କ ପୁତ୍ର ହେଲେ ପୁରରବା । ସେ ଅପ୍ସରା ଉର୍ବଶୀଙ୍କୁ ବିବାହ କରିଥିଲେ । ତାଙ୍କର ଛଅପୁତ୍ର ହେଲେ । ଆୟୁ ସେମାନଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କ ପୁତ୍ର ହେଲେ ନହୁଷ । ନହୁଷଙ୍କର ମଧ୍ୟ ଛଅଜଣ ପୁତ୍ର ହେଲେ । ଯଯାତି ହେଲେ ସେମାନଙ୍କ ମଧ୍ୟରୁ ଜଣେ । ଅଗ୍ରଜ ଯତି ତପସ୍ୟା କରିବାକୁ ଚାଲିଯିବାରୁ ଦ୍ୱିତୀୟ ପୁତ୍ର ଯଯାତି ରାଜ୍ୟଭାର ଗ୍ରହଣ କଲେ । ସେତେବେଳେ ତ ଦାନବମାନଙ୍କ ଗୁରୁ ଶୁକ୍ରାଚାର୍ଯ୍ୟ ଥିଲେ । ଦେବଦାନବ ଯୁଦ୍ଧରେ ଦାନବମାନେ ମରିଗଲେ । ଶୁକ୍ରାଚାର୍ଯ୍ୟ ମୃତ ସଂଜୀବନୀ ମନ୍ତ୍ର ବଳରେ ସେମାନଙ୍କୁ ପୁଣି ଜୀବନ୍ୟାସ ଦିଅନ୍ତି । ମାତ୍ର ଦେବତାଙ୍କ ଗୁରୁ ଏସବୁ ବିଦ୍ୟା ଜାଣି ନଥିଲେ । କ୍ରମେ ରାକ୍ଷସକୂଳ ପ୍ରବଳ ହେଲେ ତେଣୁ ବୃହଷ୍ପତି ଏହି ବିଦ୍ୟା ଶିକ୍ଷା କରିବାକୁ ନିଜ ପୁତ୍ର କଚ୍ଛଙ୍କୁ ଶୁକ୍ରାଚାର୍ଯ୍ୟଙ୍କ ପାଖକୁ ପଠାଇଲେ ।

କଚ୍ଚ ଶୁକ୍ରାଚାର୍ଯ୍ୟଙ୍କ ପାଖରେ ଶିଷ୍ୟ ହୋଇ ରହିଲେ ଓ ମନପ୍ରାଣ ଦେଇ ସେ ତାଙ୍କର ସେବା ଶୁଶ୍ରୁଷା କଲେ । ଶୁକ୍ରାଚାର୍ଯ୍ୟଙ୍କର ଏକମାତ୍ର କନ୍ୟା ଦେବଯାନୀ, କଚ୍ଚଙ୍କର ବ୍ୟବହାରରେ ଅତୀଶୟ ଖୁସି ହୋଇ ମନ ଭିତରେ ତାଙ୍କୁ ବିବାହ କରିବାର ଆଶା ଦେବଯାନୀ ରଖିଲେ । ଥରେ ସେ କଚ୍ଚ ଗାଈଚରାଇ ଯିବା ବେଳେ ଦାନବମାନେ ତାଙ୍କୁ ମାରି ପକାଇଲେ । ଏକଥା ଶୁଣିବା ମାତ୍ରେ ଶୁକ୍ରାଚାର୍ଯ୍ୟ ମନ୍ତ୍ରବଳରେ ତାଙ୍କୁ ଜିଆଁଇ ଦେଲେ ।

ଆଉ ଦିନେ କଚ୍ଚ ଫୁଲ ତୋଳିବାକୁ ଯାଇଥା’ନ୍ତି । ଠିକ୍ ଏହି ସମୟରେ ଦାନବମାନେ ତାଙ୍କୁ ମାରିଦେଇ ତାଙ୍କ ଶବକୁ ସମୁଦ୍ରରେ ଫିଙ୍ଗି ଦେଲେ । ଦେବଯାନୀ ପୁଣି କଚ୍ଚଙ୍କ ବିରହରେ ଦୁଃଖୀ ହେଲେ । ତେଣୁ ତାଙ୍କ ଦୁଃଖ ସହି ନପାରି ଶୁକ୍ରାଚାର୍ଯ୍ୟ ପୁଣି କଚ୍ଚକୁ ଜୀବନ ଦେଲେ ।

ତୃତୀୟ ଥର ଦାନବମାନେ ପୁଣି ଆଉ ଗୋଟାଏ ଉପାୟ ପାଂଚିଲେ ସେମାନେ ତାଙ୍କୁ ମାରି ଭସ୍ମକରି ସେହି ଭସ୍ମକୁ ସୁରାରେ ମିଶାଇ ଶୁକ୍ରାଚାର୍ଯ୍ୟଙ୍କୁ ପିଇବାକୁ ଦେଲେ । କଚ୍ଚ ନ ଆସିବାରୁ ଶୁକ୍ରାଚାର୍ଯ୍ୟ ଖୁବ୍ ଚିନ୍ତିତ ହୋଇ ନିଜ ଜ୍ଞାନଚକ୍ଷୁରେ ସମସ୍ତ ଘଟଣା ଦେଖିପାରିଲେ । ଏଥର ଶୁକ୍ରାଚାର୍ଯ୍ୟ ନାଚାର ହୋଇ କଚ୍ଚଙ୍କୁ ମୃତ ସଞ୍ଜିବନୀ ଶିଖାଇଲେ । ତା’ପରେ ସେ କହିଲେ “ଏବେ ମୋର ପେଟ ଚିରି ବାହାରକୁ ଆସ ଓ ମୋତେ ବି ସେହି ମନ୍ତ୍ର ଦ୍ୱାରା ପୁନଃ ଜୀବନ ଦାନ କର ।” କଚ୍ଚ ମଧ୍ୟ ଠିକ୍ ସେହିପରି କଲେ । କଚ୍ଚଙ୍କର ଲକ୍ଷ୍ୟ ପୂର୍ଣ୍ଣ ହେବାରୁ ସେ ଗୁରୁଙ୍କଠାରୁ ବିଦାୟ ନେବା ପାଇଁ ଅନୁମତି ଚାହିଁଲେ ।

ସେତେବେଳେ ଦେବଯାନୀ କହିଲେ, “ତୁମକୁ ଯଦି ମୋର ପିତା ବାରମ୍ବାର ଜୀବନ ଦାନ ଦେଉଥିଲେ ତାହା କେବଳ ମୋର ଅନୁରୋଧରୁ । ତୁମେ ଏଡେ ଅକୃତଜ୍ଞ ଯେ ତୁମର ଲକ୍ଷ୍ୟସିଦ୍ଧ ହେବାରୁ ତୁମେ ଆମକୁ ଛାଡି ଚାଲି ଯାଉଛ? ମୋର ପିତାଙ୍କର ଆଶା ଏହାଥିଲା ଯେ, ତୁମେ ମୋତେ ବିବାହ କରି ଚିରଦିନ ଲାଗି ଏଠାରେ ରହିବ । କିନ୍ତୁ ବର୍ତ୍ତମାନ ତୁମେ ଏ କ’ଣ କହୁଛ?” ଏଭଳି କଥା ଶୁଣି କଚ୍ଚ କହିଲେ, “ଦେବଯାନୀ, ମୁଁ ତୁମର ଓ ଆଚାର୍ଯ୍ୟଙ୍କର ସ୍ନେହପ୍ରେମ ଯୋଗୁଁ ଚିରଦିନ ପାଇଁ କୃତଜ୍ଞ ରହିବି । କିନ୍ତୁ ତୁମ ସହ ମୋର ବିବାହ ଆଦୌ ସମ୍ଭବପର ନୁହେଁ । ତୁମେ ଆଚାର୍ଯ୍ୟଙ୍କର କନ୍ୟା ଏବଂ ମୁଁ ତାଙ୍କ ପେଟରୁ ନବଜୀବନ ନେଇ ବାହାରିଛି, ଅର୍ଥାତ୍ ମୁଁ ତାଙ୍କର ପୁତ୍ର ସ୍ୱରୂପ । ଏଣୁ ଯଥାର୍ଥରେ କହିବାକୁ ଗଲେ ମୁଁ ତୁମର ଜଣେ ଭାଇ ହେବି । ଏଭଳି ପରିସ୍ଥିତିରେ ମୁଁ ବା କିପରି ଶାସ୍ତ୍ରବିରୋଧୀ କାମ କରି ତୁମକୁ ବିବାହ କରିବି? ତଦ୍ୱାରା ତ ଉଭୟଙ୍କର ପାପ ହେବ ।”

“ଓହୋ, ତାହେଲେ ଏପରି କଥା? ତେବେ ତୁମର ମୃତ ସଞ୍ଜିବନୀ ଅବଶ୍ୟ ବିଫଳ ହେବ ।” ଏହିପରି ଭାବେ ଦେବଯାନୀ କଚ୍ଚକୁ ଅଭିଶାପ ଦେଲେ ।

କଚ୍ଚ ମଧ୍ୟ ତାଙ୍କୁ ଏହି ଅଭିଶାପ ଦେଲେ ଯେ, “ତୁମେ ତ ବ୍ରାହ୍ମଣ କନ୍ୟା ପରି ଆଦୌ ବ୍ୟବହାର କରୁନାହଁ, ତେଣୁ ତୁମକୁ କେବେବି କୌଣସିବି ବ୍ରାହ୍ମଣ ବିବାହ କରିବେ ନାହିଁ ।”

ଦାନବଙ୍କର ରାଜା ବୃଷପର୍ବ ଥିଲେ । ତାଙ୍କ ଝିଅ ଶର୍ମିଷ୍ଠା ଦେବଯାନୀଙ୍କର ପ୍ରିୟସାଥୀ ଥିଲେ, ଦିନେ ସେ ଦୁଇଜଣ ସଖୀମାନଙ୍କୁ ନେଇ ଏକ ସୁନ୍ଦର ସରୋବରରେ ସ୍ନାନ କଲେ । ସ୍ନାନପରେ ଶର୍ମିଷ୍ଠା ଦେବଯାନୀଙ୍କ ଶାଢୀ ଭୁଲ୍ରେ ପିନ୍ଧି ପକାଇଲେ । ଦେବଯାନୀ ଏକଥା ଜାଣି ରାଗିଯାଇ କହିଲେ, “ଶର୍ମିଷ୍ଠା, ତୁମେ ଦାନବକନ୍ୟା, ବ୍ରାହ୍ମଣ କନ୍ୟାର ଶାଢୀ ପିନ୍ଧି ବଡ ଅନ୍ୟାୟ କରିଛ । ମୁଁ ତ ପୁନର୍ବାର ତାକୁ ଆଉ ପିନ୍ଧି ପାରିବି ନାହିଁ ।” ତା’ପରେ ସେ ଶର୍ମିଷ୍ଠାଙ୍କୁ ଅତ୍ୟନ୍ତ ତାଚ୍ଛଲ୍ୟ କରି ଯେଚ୍ଛାତା ଗାଳି ଦେଲେ ।

ଶର୍ମିଷ୍ଠା ତ ରାଜକନ୍ୟା । ତେଣୁ ସେ ଏସବୁ ଗାଳି ସହି ନପାରି କହିଲେ, “ତୁମ ପିତାଙ୍କୁ ମୋ ପିତା ଧନ ସମ୍ପତ୍ତି ଦେଇ ରଖିଛନ୍ତି । ତମେ ଭିକ୍ଷାର୍ଥୀ ବ୍ରାହ୍ମଣ । ସେଥିରେ ପୁଣି ତୁମର ଏତେ ଗର୍ବ?” ଏତିକି କହି ଏକ ଶୁଖିଲା କୂଅରେ ତାଙ୍କୁ ସେ ପକାଇଦେଇ ଶର୍ମିଷ୍ଠା ତାଙ୍କ ସଖୀମାନଙ୍କୁ ଧରି ରାଜଭବନକୁ ଫେରିଗଲେ ।

ଏଣେ ଦେବଯାନୀ କୂଅ ଭିତରେ ପଡି ବିଳାପ କରୁଥା’ନ୍ତି । ସେତେବେଳେ ରାଜା ଯଯାତି ତ ବଣକୁ ଶିକାର କରିବାକୁ ଆସିଥିଲେ । କୂଅ ମଧ୍ୟରୁ କ୍ରନ୍ଦନ ଧ୍ୱନି ଶୁଣି ସେଠାକୁ ସେ ଆସିଲେ ଓ ଦେବଯାନୀଙ୍କୁ କୂଅରୁ ଉଦ୍ଧାର କଲେ । ତା’ପରେ ତାଙ୍କୁ ସେ ପଚାରିଲେ, “ତୁମେ କିପରି ଏ କୂଅରେ ପଡିଲ? ତୁମର ପରିଚୟ କ’ଣ?” ତା’ପରେ ଦେବଯାନୀ ସବୁକଥା କହିଲେ ।

ଇତି ମଧ୍ୟରେ ଜଣେ ଦାସୀ ଦେବଯାନୀଙ୍କୁ ଖୋଜି ଖୋଜି ସେଠାରେ ଆସି ପହଁଚିଲା । ଦେବଯାନୀ କ୍ରୋଧରେ ଅସ୍ଥିର ହୋଇ କହିଲେ, “ମୁଁ ସେ ରାକ୍ଷସରାଜା ବୃଷପର୍ବାର ରାଜ୍ୟରେ କଦାପି ମଧ୍ୟ ପାଦ ଦେବି ନାହିଁ, ତୁ ଯାଇ ମୋ ପିତାଙ୍କୁ ଏହା କହିଦେ ।”

ଶୁକ୍ରାଚାର୍ଯ୍ୟ ଏକଥା ଶୁଣି ଦୌଡି ଦୌଡି ସେଠାକୁ ଆସି ପଚାରିଲେ, “କ’ଣ ହେଲା? ତୁ ଶର୍ମିଷ୍ଠାର ଏମିତି କି କ୍ଷତି କଲୁ ଯେ ସେ ତୋତେ କୂଅରେ ପକାଇ ଦେଲା?” ପିତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଯାହାଯାହା ସବୁ ଘଟିଥିଲା ସେ ସବୁକିଛି ଦେବଯାନୀ ଶୁକ୍ରାଚାର୍ଯ୍ୟଙ୍କୁ ବିସ୍ତାରପୂର୍ବକ କହିଲେ ।

ସବୁ କଥା ଶୁଣି ଶୁକ୍ରାଚାର୍ଯ୍ୟ କହିଲେ, “ତୋ ବ୍ୟତୀତ ମୋର ଏ ସାରା ସଂସାରରେ ଆଉ କିଏ ବା ଅଛି? ତୁ ଯଦି ସେ ରାଜ୍ୟକୁ ବାହୁଡି ନଯିବୁ ତ, ତେବେ ମୁଁ ମଧ୍ୟ ତୋ ସହିତ ଏଇଠି ରହିବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ