ମହାଭାରତ

“ଆମର ଅଜ୍ଞାତବାସ-କାଳ ପ୍ରାରମ୍ଭ ହେବାକୁ ଯାଉଛି । ଏହି ସମୟରେ ଆମର ପରିଚୟ ଯେପରି କେହି ବି ଜାଣି ପାରିବେ ନାହିଁ, ସେଥିପାଇଁ ଆମକୁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ପାଇଁ ପଡିବ । ଏହି ଏକ ବର୍ଷ ଅଜ୍ଞାତବାସ ସମୟ ଆମେ କେଉଁ ଦେଶରେ ରହି ବିତାଇବା, ଏବେ ତୁମ୍ଭମାନଙ୍କର ମତ ପ୍ରକାଶ କର ।” ଏପରି କହି ଧର୍ମରାଜ ତାଙ୍କ ଭାଇମାନଙ୍କର ମତାମତ ଲୋଡିଲେ ।

ଅର୍ଜ୍ଜୁନ ନିଜର ମତ ପ୍ରକାଶ କରି କହିଲେ “ପାଂଚାଳ, ଚେଦୀ, ମତ୍ସ୍ୟ, ଶୁରସେନ, ପଟଶ୍ଚର, ଦଶାର୍ଣ୍ଣ, ନବରାଷ୍ଟ୍ର, ମଲ୍ଲ, ସାଲ୍ୱ, ଯୁଗନ୍ଧର, କୁନ୍ତୀ, ସ୍ୱରାଷ୍ଟ୍ର, ଅବନ୍ତୀ ଆଦି ଦେଶ ଗୁଡିକ ଖୁବ୍ ସମୃଦ୍ଧିଶାଳୀ ଅଟନ୍ତି । ଏଠାରେ ପ୍ରଜାଗଣ ବେଶ୍ ସୁଖରେ କାଳାତିପାତ କରନ୍ତି । ଏହି ଦେଶ ମାନଙ୍କର ସମାମାଜିକ ବ୍ୟବସ୍ଥା ସୁଦୃଢ ଓ କୃଷି-ଉତ୍ପାଦନ ଅତ୍ୟନ୍ତ ସ୍ୱଚ୍ଛଳ ଅଟେ । ଏଥି ମଧ୍ୟରୁ କୌଣସି ଦେଶରେ ଆମେ ଅଜ୍ଞାତ-ବାସ କାଳ ବିତେଇ ପାରିବା । ଆମ ପ୍ରତି ଧର୍ମ ଦେବତାଙ୍କର ଆଶୀର୍ବାଦ ଓ ଅନୁଗ୍ରହ ଅଛି । ତେଣୁ ମୋର ବିଶ୍ୱାସ, ଏହି ସମୟରେ ଆମର କୌଣସି ବିଘ୍ନ ହେବ ନାହିଁ ।”

ଧର୍ମରାଜ ଚାରି ପାଣ୍ଡବଙ୍କୁ ପଚାରିଲେ, “ମତ୍ସ୍ୟ ଦେଶର ଶାସକ ବିରାଟ ଧର୍ମଶୀଳ, ବଳବାନ ଓ ସେ ଆମର ଶୁଭଚିନ୍ତକ ମଧ୍ୟ ଅଟନ୍ତି । ଆମେ ସେଠାରେ ଏକବର୍ଷ ରହିଲେ କିଛି ବି ଅସୁବିଧା ହେବ ନାହିଁ । ଏବେ ତୁମେ ମାନେ ସବୁ କିଏ କେଉଁ ବୃତ୍ତି ଧାରଣ କରିବ ତାହା ପ୍ରକାଶ କର ।”

ଧର୍ମରାଜ କହିଲେ, “ମୁଁ ବ୍ରାହ୍ମଣ ବେଶ ଧାରଣ କରିବି । ମୋର ନାମ କଙ୍କ ହେବ । ଏହି ବେଶରେ ମୁଁ ବିରାଟଙ୍କ ରାଜସଭାରେ ପ୍ରବେଶ କରିବି । ରାଜା, ମନ୍ତ୍ରୀ ଓ ଅନ୍ୟ ସାମନ୍ତଗଣଙ୍କୁ ପଶାଖେଳରେ ସନ୍ତୁଷ୍ଟ ରଖିବି । ଯଦି ମୋତେ ପ୍ରଶ୍ନ କରାଯାଏ, ଏହା ପୂର୍ବରୁ ମୁଁ କେଉଁଠି ରହୁଥିଲି, ତେବେ ମୁଁ କହିବି ଯେ, ମୁଁ ଧର୍ମରାଜଙ୍କର ଜଣେ ନିକଟମିତ୍ର ଅଟେ ଓ ତାଙ୍କ ସହିତ ମୁଁ ବାସ କରୁଥିଲି ।” ଏତିକି କହି ତା’ପରେ ସେ ଭୀମଙ୍କୁ ପ୍ରଶ୍ନ କଲେ, “ଭୀମସେନ, ଏବେ ତୁମେ ପ୍ରକାଶ କର, ବିରାଟଙ୍କ ରାଜନଅରରେ ତୁମେ କେଉଁ କାମ କରିବା ପାଇଁ ସ୍ଥିର କରିଛ?

                ତହୁଁ ଭୀମ କହିଲେ “ରୋଷେଇ-ପ୍ରସ୍ତୁତିରେ ମୁଁ ଖୁବ୍ ସିଦ୍ଧହସ୍ତ । ବଲ୍ଲଭ ନାମରେ ନାମିତ ହୋଇ ମୁଁ ବିରାଟଙ୍କ ରାଜପ୍ରାସାଦରେ ରୋଷେଇ କାର୍ଯ୍ୟ କରିବି । କୌଣସି ଅସ୍ତ୍ରର ସାହାଯ୍ୟ ନ ନେଇ ଜାଳେଣୀ କାଷ୍ଠ ସଂଗ୍ରହ କରି ଆଣିବି । ବଳବାନ୍ ମଲ୍ଲଯୋଦ୍ଧାଙ୍କ ସହ ଲଢି ମୁଁ ସେମାନଙ୍କୁ ପରାସ୍ତ କରିବି ଓ ରାଜାଙ୍କର ସୁନାମ ବର୍ଦ୍ଧନ କରିବି । ଯଦି ମୋତେ କେହି ପ୍ରଶ୍ନ କରିବେ ଯେ, ତୁମେ କଣ ଏହି କାମ ଆଗରୁ କେଉଁଠାରେ କରୁଥିଲ, ତାହେଲେ ମୁଁ କହିବି ଯେ, ମୁଁ ଧର୍ମରାଜଙ୍କ ନିକଟରେ ଚାକିରୀ କରୁଥିଲି । ମୋ ପାଇଁ ଆପଣ ନିଶ୍ଚିନ୍ତ ରୁହନ୍ତୁ । ଏହି ରହସ୍ୟ ଗୋପନ ରଖିବା ପାଇଁ ମୁଁ ମୋର ସମସ୍ତ ପ୍ରକାରର ସାବଧାନତା ରକ୍ଷା କରିବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ