ମହାଭାରତ

ଦକ୍ଷିଣସମୁଦ୍ର ତଟରେ ସୌଭଦ୍ର ନାମକ ଗୋଟିଏ ତୀର୍ଥସ୍ଥାନ ଅଛି । ଅର୍ଜୁନ ସେଠାରେ ସ୍ନାନ କରିବାକୁ ଯାଉଛନ୍ତି ଠିକ୍ ସେହି ସମୟରେ ହଠାତ୍ ଜଣେ କେହି ବ୍ରାହ୍ମଣ ତାଙ୍କୁ ସେଥିରୁ ନିବୃତ କରି କହିଲେ, “ଏହି ଦକ୍ଷିଣ ଅଂଚଳରେ ବହୁ ତୀର୍ଥ ଅଛି । ଶହେ ବର୍ଷ ଧରି ଏହି ତୀର୍ଥରେ କେହି ହେଲେ ମଧ୍ୟ ସମୁଦ୍ରରେ ମଗରମାନଙ୍କର ଉତ୍ପାତ ଯୋଗୁଁ ପାଣି ଭିତରକୁ ଓହ୍ଲାଇ ପାରୁ ନାହାଁନ୍ତି । କାରଣ ତହିଁରେ ମଗରମାଛମାନେ ମାରିଦେବାର ଯଥେଷ୍ଟ ଭୟ ଅଛି ।

                ଅର୍ଜୁନ ବ୍ରାହ୍ମଣଙ୍କ କଥା ଶୁଣିଲେ; କିନ୍ତୁ ଭାବିଲେ ଯେ ମଗରମାଛ ଭୟରେ ଏଠାରେ ସ୍ନାନ ନକରିବା ଏକ କାପୁରୁଷର ଲକ୍ଷଣ । ସମସ୍ତ ତୀର୍ଥରେ ତ ଏପର୍ଯ୍ୟନ୍ତ ସେ ସ୍ନାନ କରି ଆସିଛନ୍ତି । ତେଣୁ ଏଠାରେ ମଧ୍ୟ ସେ ତାଙ୍କ ମନରେ କୌଣସି ଦ୍ୱିଧା ନ କରି ପାଣି ଭିତରକୁ ସ୍ନାନ କରିବା ପାଇଁ ଗଲେ ।

ଅର୍ଜୁନ ସେଠିକା ଜଳରେ ପ୍ରବେଶ କରିବା ମାତ୍ରେ ସେହି ବିରାଟ ମଗର ଆସି ଅର୍ଜୁନଙ୍କ ପାଦକୁ କାମୁଡି ଧରିଲା । ଅର୍ଜୁନ ତାକୁ ଟାଣି ଟାଣି କୁଳକୁ ଆଣିଲେ ଓ ଭୂମି ଉପରକୁ ଫିଙ୍ଗି ଦେଲେ । ହଠାତ୍ ସେହି ମାଛ ମଧ୍ୟରୁ ଏକ ସୁନ୍ଦରୀ ସ୍ତ୍ରୀ ବାହାରି ଆସିଲା । ତାକୁ ଦେଖି ଅର୍ଜୁନ ଓ ଅନ୍ୟମାନେ ଆଶ୍ଚର୍ଯ୍ୟ ହେଲେ । ଅର୍ଜୁନ ପଚାରିଲେ, “ତୁମେ କିଏ? କାହିଁକି ମଗର ହୋଇ ଏଠାରେ ଥିଲ ଓ କିପରି ବା ତୁମର ରୂପ ପରିବର୍ତ୍ତିତ ହେଲା?”

ସେହି ସ୍ତ୍ରୀଲୋକ କହିଲେ, “ମୁଁ ଜଣେ ଅପ୍ସରା; ମୋର ନାମ ବର୍ଗା । ମୋର ସୌରଭୀ, ସମୀଚି, ପସା ଓ ଲତା ନାମକ ଚାରିଜଣ ସଖୀ ଥିଲେ । ସେମାନେ ମଧ୍ୟ ଅଭିଶାପ ବଶରୁ ମୋ ପରି ମଗରମାଛ ହୋଇ ଅନ୍ୟ ତୀର୍ଥମାନଙ୍କରେ ରହିଛନ୍ତି । ମୋତେ ଯେପରି ଅଭିଶାପରୁ ମୁକ୍ତି ଦେଲେ, ଠିକ୍ ସେହିପରି ସେମାନଙ୍କୁ ମଧ୍ୟ ମୁକ୍ତି ଦିଅନ୍ତୁ ।”

“ଏପରି ଭୟଙ୍କର ଶାପଗ୍ରସ୍ତ କିପରି ହେଲ?” ଅର୍ଜୁନ ପଚାରନ୍ତେ ବର୍ଗା ତାଙ୍କର କାହାଣୀ କହିଲେ, “ଆମେ ପାଂଚଜଣ ଦିକ୍ପାଳକଙ୍କ ନଗର ଦେଖିବାକୁ ବାହାରିଲୁ । ସେସବୁ ଦେଖୁ ଦେଖୁ ଆମେ ପୃଥିବୀ ଉପରକୁ ଓହ୍ଲାଇ ଆସିଲୁ । ଗୋଟିଏ ତପୋବନରେ ଦେଖିଲୁ ଜଣେ ବ୍ରାହ୍ମଣ ତପସ୍ୟାରେ ମଗ୍ନ ଅଛନ୍ତି । ତାଙ୍କ ଶରୀର ଯେପରି ଜ୍ୟୋତିର୍ମୟ ଥିଲା । ସେତିକିବେଳେ ଆମମାନଙ୍କ ମନରେ ଏକ ଦୁର୍ବୁଦ୍ଧି କାହୁଁ ଆସିଲା । ଆମେ ଭାବିଲୁ କି ତାଙ୍କର ତପସ୍ୟା ଭଗ୍ନ କରିବୁ । ଆମେ ସବୁ ତାଙ୍କର ଚତୁର୍ପାଶ୍ୱରେ ବୁଲି ବୁଲି ନୃତ୍ୟଗୀତ କଲୁ । କିନ୍ତୁ ତାଙ୍କର କୌଣସି ପ୍ରତିକ୍ରିୟା ନଥିଲା । ବହୁତ ସମୟ ଧରି ବହୁତ ବେଶି ପାଟି ଚିତ୍କାର ପରେ ତାଙ୍କ ଧ୍ୟାନ ଭାଙ୍ଗିଲା ସତ, କିନ୍ତୁ ସେ ରାଗରେ ଜଳିଲା ପରି ମନେ ହେଲା; ସେ ଆମମାନଙ୍କୁ ଅଭିଶାପ ଦେଲେ, “ତୁମେମାନେ ମଗର ହୋଇଯାଅ ।” ଆମେମାନେ ବଡ ଦୁଃଖିତ ହୋଇ ତାଙ୍କ ପାଦରେ ପଡି ବହୁତ ଅନୁନୟ ବିନୟ କଲୁ । ଶେଷକୁ ସେ କହିଲେ, “ଶହେ ବର୍ଷ ପର୍ଯ୍ୟନ୍ତ ତୁମେମାନେ ମଗରମାଛ ହୋଇ ରହିବ । କିଏ ଯଦି ତୁମକୁ ପାଣି ବାହାରକୁ ଆଣି ଉପରେ ପକାଇବ ସେତେବେଳେ ଯାଇ ତୁମେ ତୁମ ନିଜ ରୂପ ଫେରି ପାଇବ । ମୋ ସହିତ ଆପଣ ଅନ୍ୟ ଚାରିତୀର୍ଥକୁ ଆସି ମୋର ସଖୀମାନଙ୍କୁ ମଧ୍ୟ ଉଦ୍ଧାର କରନ୍ତୁ ।”

ଏକଥା ଶୁଣି ଅର୍ଜୁନ ଅନ୍ୟ ଚାରିତୀର୍ଥକୁ ବର୍ଗା ସହିତ ଯାଇ ତା’ର ଚାରି ସଖୀଙ୍କୁ ଉଦ୍ଧାର କଲେ । ଏହି ଘଟଣା ପରଠାରୁ ତୀର୍ଥମାନଙ୍କର ନାମ ନାରୀତୀର୍ଥ ରହିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ