ମହାରାଜା ବିକ୍ରମାଦିତ୍ୟ

ଦିନେ ସେହି ଗଧରୂପରେ ପୋଖରୀ କୂଳରେ ଘାସ ଚରୁ ଚରୁ ସେହି ବାଟେ ଯାଉଥିବା ଗୋଟିଏ ନାଗରକୁ ଡାକି ସେ ଗଧଟି କହିଲା – “ହୋ ଭାଇ.. ଶୁଣ… ଶୁଣ” । ଏହାଶୁଣି ସେ ନାଗର ଜଣକ ଚାରିଆଡକୁ ଅନାଇ ଦେଖିଲା, କେହି କୁଆଡେ ଗୋଟିଏ ହେଲେ ବି ମଣିଷ ନାହିଁ । ତେବେ କିଏ ତାହାକୁ ‘ଭାଇ ଶୁଣ’ ବୋଲି ଡାକିଦେଲା । ପୋଖରୀ କୂଳରେ ଗଧଟି ସେତିକିବେଳେ କହିଲା – “ମୁଁ ଡାକିଲିମ ଭାଇ, ମୋ କଥା ଟିକିଏ ଶୁଣ ।”

ଗଧଟା ମୁହଁରେ ମଣିଷର କଥା ଶୁଣି ସେ ନାଗର ଜଣକ ଯେତିକି ଆଶ୍ଚର୍ଯ୍ୟ ନ ହେଲା ବରଂ ମାୟା ରୂପରେ ସେ କୌଣସି ଅସୁର ହୋଇଥିବ ଭାବି ସେତିକି ଛାନିଆ ବି ହେଲା । କାଳେ ତା’ କଥା ନ ଶୁଣିଲେ ସେ ତାହାର କିଛି ଅନିଷ୍ଟ କରିବ ଏହି ଡରରେ ସେ ଛିଡାହୋଇ ଗଧର ସମସ୍ତ କଥା ଶୁଣିଲା । ଗଧ କହିଲା – “ହୋ ଭାଇ, ଏଇ ରାଇଜର ରଜା ଭଦ୍ରସେନର ଝିଅକୁ ଆମେ ବିଭା ହେବାକୁ ଚାହୁଁ, ତାହାକୁ କହିବ, ସେ ଭଲରେ ଭଲରେ ଆମକୁ ତା ଝିଅକୁ ବିଭା ଦେବ ତ ଦେବ, ନୋହିଲେ ଆମେ ତାହାର ରାଇଜକୁ ଛାରଖାର କରିଦେବୁ ।

ନାଗର ଏହି ଅଦ୍ଭୁତ କଥା ଶୁଣି ଡରି ମରି ଯାଇ ରଜାଙ୍କୁ ଜଣାଇଲା । ରଜା ଘଟଣାଟା ସତ କି ମିଛ ଜାଣିବାକୁ ସଙ୍ଗରେ ପାତ୍ର ମନ୍ତ୍ରୀଙ୍କୁ ଘେନି ସେଇ ପୋଖରୀ କୂଳରେ ପହଁଚିଲେ । ଗଧ ମୁହଁରୁ ତାହାର ପରିଚୟ ନେଇ କହିଲେ – “ଆଚ୍ଛା, ତୁମେ ଯେବେ ମାୟାବୀ, ଆମ ରାଜନଅର ଚାରିପାଖରେ ଗୋଟାଏ ସୁନାର ପାଚେରୀ ବୁଲାଇ ଦେଇ ପାରିବ, ତେବେ ଆମ ଜେମାକୁ ନିଶ୍ଚେ ତୁମ ସହିତ ବିଭା ଦେବା ।” ଏପରି ପ୍ରସ୍ତାବ ଶୁଣି ସେ ଗଧଟି ରାତାରାତି ଗୋଟାଏ ସୁନାର ପାଚେରୀ ଗଢାଇ ଦେଲେ । ରଜା ଏଥରକ ବିଶ୍ୱାସ କରି ଖୁବ୍ ଉଲ୍ଲାସରେ ନିଜର ଅପୂର୍ବ ସୁନ୍ଦରୀ ଝିଅକୁ ସେଇ ଗଧ ସାଙ୍ଗରେ ବାହା କଲେ । ରଜା ଝିଅ ରାତିରେ ଗଧର ଦିବ୍ୟରୂପ ଦେଖି ମନେ ମନେ ଭାରି ଖୁସି ହେଲା । କିଛିଦିନ ଯାଆନ୍ତେ ରାଜାଝିଅ ଗର୍ଭବତୀ ହେଲା । ଦିନେ ରାତିରେ ରଜାଝିଅ ଲୁଚିରହି ସେଇ ଗଧ ଖୋଳଟି ପୋଡିଦିଅନ୍ତେ ସେ ଅଭିଶାପରୁ ମୁକ୍ତ ହୋଇ ସ୍ୱର୍ଗକୁ ଚାଲିଗଲା । ରଜାଝିଅ କେତେ ମାସ ପରେ ପୁଅଟିଏ ଜନମ କରି ମରିଗଲା । ସେଇ ପୁଅଟି ହେଉଛନ୍ତି ଏହି ରାଜା ବିକ୍ରମାଦିତ୍ୟ । ସେ ତାଙ୍କର ଜୀବନସାରା ଇମିତି ସବୁ ଭଲ କାମ କରିଥିଲେ ଯେ ସେତେବେଳେ ତାଙ୍କର ସମକକ୍ଷ ହେଲାଭଳି ଆଉ କେହି ବି ରଜା ନଥିଲେ । ସେହି ମହାରାଜାଙ୍କର ଜନ୍ମଠୁଁ ମରିବା ପର୍ଯ୍ୟନ୍ତ ଅନେକ ଅଲୌକିକ, ଅପୂର୍ବ କଉତୁକିଆ ମଜା କଥା ଗୁଡିକରେ ଭରପୁର ରହିଛି, ତୁମେମାନେ ପଢିଲେ ଜାଣିପାରିବ ।

ଏବେ ଯେଉଁ କଥାଟି କହିବି, ଏଇଟି ତାଙ୍କର ବିଭାଘର ବେଳର କଥା । କେମିତି କଉତୁକିଆ ଆଉ ମଜାଦାର କଥା ମନଦେଇ ପଢିଲେ ଜାଣିବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ