ମାଛଖିଆ ଭୂତ

ଠିକ୍ ରାତି ଗୋଟାଏ, ନିଶା ତ ଗରଜୁ ଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ବିଲୁଆମାନଙ୍କର ହୁକେ-ହୋ ଶବ୍ଦ । ଚଢେଇମାନଙ୍କର ଚିରିଂ ଚିରିଂ ଶବ୍ଦ । ଏହି ସମୟରେ ସେ ନଣ୍ଡା ବରଗଛରୁ ଭୂତ ଓହ୍ଲାଇଲା, ସିଧା ଅନ୍ତପୁର ଗାଆଁକୁ ଆସିଲା । ପହଁଚିଲା ଅନ୍ତପୁର ଗାଆଁର କେଉଟ ସାହିରେ । ସେତେବେଳେ କୁଳିଆ ଓ ବାବାଜୀ ତ ନିଘୋଡ ନିଦରେ ଘର ଭିତରେ ଶୋଇ ଥାଆନ୍ତି । ଭୂତ କବାଟ ଖଡ୍ ଖଡ୍ କରି ବାବାଜୀ ଭାଇ, ବାବାଜୀ ଭାଇ କହି ଡାକିଲା । ତେଣୁ ହଠାତ୍ ସେ ବାବାଜୀର ନିଦ ଭାଙ୍ଗିଗଲା । ଏଣେ ବାବାଜୀ ଭାବିଲା ବୋଧେ କୁଳିଆ ଡାକୁଛି, ରାତି ବୋଧହୁଏ ଚାରିଟା ହେଲାଣି । ସେଇଥିପାଇଁ ମାଛ ଧରି ଯିବାକୁ କୁଳିଆ ଡାକୁଛି । ଏହିପରି ଭାବି ସେ ବାବାଜୀ ଧଡପଡ ହୋଇ ଉଠିଲା । ତାପରେ ସେ ବାବାଜୀ କବାଟ ଖୋଲିଲା ଓ କହିଲା କୁଳିଆ, ତହୁଁ ସେ ଭୂତ କହିଲା ‘ହୁଁ’ ତାପରେ ବାବାଜୀ କହିଲା ମାଛ ଧରି ଯିବା? ତହୁଁ ସେ ଭୂତରୂପୀ କୁଳିଆ ପୁଣି କହିଲା ‘ହୁଁ’ । ଏହିପରି ଭାବେ ବାବାଜୀର ପ୍ରତ୍ୟେକ କଥାର ଉତ୍ତର ‘ହୁଁ’ । ବାବାଜୀ ପୁଣି କହିଲା ହଉ ତୁ ଏଇଠି ଠିଆ ହୋଇଥା । ମୁଁ ଘର ପଛପଟୁ ସେଣା ଧରି ଆସୁଛି, ଏହା କହି ବାବାଜୀ ତା ଘର ପଛ ପଟକୁ ଦୌଡିଗଲା । ସେଣାଟିକୁ କାନ୍ଧରେ ପକାଇ ଆସିଲା । କହିଲା କୁଳିଆ ଏଥର ଚାଲ ଆଉ ଯମା ଡେରି କରନା । ଭୂତରୂପୀ କୁଳିଆ ଚାଲିଥାଏ ଆଗରେ । କିନ୍ତୁ ଏ ବାବାଜୀ ଚାଲିଥାଏ ତା’ ପଛରେ । ଭୂତରୂପୀ କୁଳିଆ ଓ ବାବାଜୀ ଯାଇ ପହଁଚିଗଲେ ଠିକ୍ ପାଟ ନିକଟରେ ଥିବା ନଣ୍ଡା ବରଗଛ ନିକଟରେ । ସେ ଖାଲରେ ତ ବନ୍ଧ ପକାଇବା କିଛି ବି ଆବଶ୍ୟକ ନଥିଲା । ତହୁଁ ସେ ବାବାଜୀ କହିଲା କୁଳିଆ ଏଥର ପାଣି ବୋହିବା । ଭୂତରୂପୀ କୁଳିଆ ଗୋଟିଏ ପଟରେ, ଆଉ ବାବାଜୀ ଗୋଟିଏ ପଟରେ ଠିଆ ହୋଇ ସେଣା ଧରି ପାଣି ବୋହିଲେ । ଭୁସ୍ ଭୁସ୍ କରି ସେଣାଏ ଲେଖାଏଁ ପାଣି ସେଣାରେ ଭର୍ତିକରି ବାହାରେ ଢାଳି ଦେଉଥା’ନ୍ତି । ଏଣେ ପାଣି ବି ବୁହା ଚାଲିଥାଏ । ରାତି ଆସି କେତେ ହେଲାଣି କାହାରିକୁ ବି ଜଣାନାହିଁ ସେ ‘ଭୂତ’ ତ ବାବାଜୀକୁ ରାତି ଗୋଟାଏରୁ ବିଛଣାରୁ ଉଠାଇ ଆଣି ମାଛ ଖାଲ ବୁହାଉଛି । ଏ କଥା ଆଉ କ’ଣ ସେ ବାବାଜୀ ଜାଣିଛି, ତେଣୁ ବାବାଜୀକୁ ଖୁବ୍ କ୍ଳାନ୍ତ ଲାଗୁଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ