ମାତୃ – ଋଣ

ହତାଶ ହୋଇ ବଣିକ କ’ଣ କରିବେ ଭାବୁଛନ୍ତି, ଏହିପରି ସମୟରେ ହଠାତ୍ ତାଙ୍କ ଆଖି ଯାଇ ପଡିଲା ଶ୍ୟାମ ବର୍ଣ୍ଣର ଦାମୁଡି ଉପରେ । ସେ ଦାମୁଡି ତାଙ୍କୁ ଅସାଧାରଣ ମନେ ହେଲା । ସେ ପାଖରେ ବୁଲୁଥିବା ଗାଁର ଜଣେ ଟୋକାକୁ ସେ ପଚାରିଲେ, “ଏ ଦାମୁଡିର ସାହାଯ୍ୟ ପାଇଲେ ମୁଁ ହୁଏତ ମୋ ଶଗଡ ଗୁଡିକ ଆରପାରିକୁ ନେଇଯାଇ ପାରନ୍ତି ।”

ଏକଥା ଶୁଣି ସେ ଟୋକା କହିଲା, “ସେକଥା ତ ଠିକ୍ । ଏ ଦାମୁଡି ତ ଅତ୍ୟନ୍ତ ବଳବାନ୍ । ଚେଷ୍ଟା କରି ଦେଖିପାର । ଏହାକୁ ଯେଉଁ ବୁଢୀ ପାଳିଛି, ସେ ଏବେ ଦୂରକୁ ଯାଇଛି । ମୋତେ ସେ ଏହା ଉପରେ ଆଖି ରଖିବାକୁ କହି ଯାଇଛି ।”

ବଣିକ ଦାମୁଡି ବେକରେ ଦଉଡି ବାନ୍ଧି ତା’କୁ ଶଗଡ ଆଡକୁ ନେଇଯିବାକୁ ଚେଷ୍ଟା କଲେ । କିନ୍ତୁ ଯେତେ ଟାଣିଲେ ମଧ୍ୟ ସେ ଦାମୁଡି ପାଦେ ମଧ୍ୟ ଟଳିଲା ନାହିଁ । ସେ ବଣିକ ଜଣକ ବିଚକ୍ଷଣ ବ୍ୟକ୍ତି ଥିଲେ । ତାଙ୍କର ମନେ ହେଲା, ଏହି ଦାମୁଡି କୌଣସି ନିର୍ଦ୍ଦିଷ୍ଟ ଉଦ୍ଧେଶ୍ୟ ରଖି ଏପରି ଅଟଳ ରହିଛି ।

ବଣିକ ଦାମୁଡିକୁ ଲୋଭ ଦେଖାଇ କହିଲେ “ତୋତେ ମୁଁ ଭଲକରି ଖୁଆଇବି । ମୋ କାମ କରିଦେ?” କିନ୍ତୁ ସେଥିରେ କୌଣସି ଫଳ ହେଲାନାହିଁ । ବଣିକ ବାରମ୍ବାର ଏକଥା କହିବା ସତ୍ତ୍ୱେ ମଧ୍ୟ ସେ ଦାମୁଡି ଖାଲି ମୁଣ୍ଡ ହଲାଇବା ବ୍ୟତୀତ ଆଉ କିଛି ବି କଲାନାହିଁ ।

ତା’ପରେ ସେ ବଣିକ ଦାମୁଡି କାନ ପାଖରେ କହିଲେ, “ତୁ ଯଦି ଆମର ଏ ପାଂଚଶହଯାକ ଶଗଡ ଆରପାରିକୁ ନେଇଯାଇ ପାରିବୁ, ତେବେ ପ୍ରତି ଶଗଡ ବାବଦରେ ଦୁଇଟଙ୍କା ହିସାବରେ ମୁଁ ତୋତେ ହଜାରେ ଟଙ୍କା ନିଶ୍ଚୟ ଦେବି ।”

ଏକଥାରେ ତତ୍କ୍ଷଣାତ୍ ସେ ଦାମୁଡିଟି ଅତି ଆନନ୍ଦରେ ମୁଣ୍ଡ ହଲାଇ ନିଜେ ନିଜେ ଶଗଡ ଆଡକୁ ଅଗ୍ରସର ହେଲା । ଗୋଟିଏ ପରେ ଗୋଟିଏ ଶଗଡ ଟାଣି ନେଇ ସେ ସବୁଗୁଡିକ ନଈ ପାରି କରାଇଦେଲା ।

ବଣିକ ସ୍ୱସ୍ତିରେ ନିଃଶ୍ୱାସ ଛାଡିଲେ ଓ କହିଲେ, “ମୋତେ ମହା ସଙ୍କଟରୁ ଏ ଦାମୁଡି ରକ୍ଷା କରିଦେଲା ।”

ବଣିକ ଗୋଟିଏ ଥଳିରେ ପାଂଚଶହ ଟଙ୍କା ପୂରାଇ ଦାମୁଡି ବେକରେ ତାହା ବାନ୍ଧିଦେଲେ ଓ କହିଲେ, “ଏଇ ନିଅ ତମ ପୁରସ୍କାର ।”

ଦାମୁଡି ବୁଝିଲା ବଣିକ ତାଙ୍କ ପ୍ରତିଶତ ମୂଲର ଅଧା ଦେଇଛି । ସେ ସଙ୍ଗେ ସଙ୍ଗେ ଶଗଡଶ୍ରେଣୀର ଆଗକୁ ଯାଇ ପଥରୋଧ କରି ଠିଆ ହେଲା ।

ଦାମୁଡିର ଏ ପ୍ରକାର ବ୍ୟବହାର ଦେଖି ବଣିକ ଯେତିକି ବିସ୍ମିତ ହେଲେ, ସେତିକି ଲଜ୍ଜିତ ବି ହେଲେ । ସେ ଆଉ ଗୋଟିଏ ଥଳିରେ ଆଉ ପାଂଚଶହ ଟଙ୍କା ପୁରାଇ ଦାମୁଡି ବେକରେ ବାନ୍ଧିଦେଲେ ଓ କହିଲେ, “କ୍ଷମାକର । ମୁଁ କମ୍ ଟଙ୍କା ଦେଇ ଭୁଲ୍ କରିଥିଲି । ବର୍ତ୍ତମାନ ପୁରା ଟଙ୍କା ଦେଇଦେଲି । ଏଥର ଆମକୁ ଯିବାକୁ ଦିଅ ।”

ଦାମୁଡି ତତ୍କ୍ଷଣାତ୍ ବାଟ ଛାଡିଦେଲା । ଶଗଡ ଶ୍ରେଣୀ ଚାଲିଗଲେ । ଦାମୁଡି ବୁଢୀ ପାଖକୁ ଫେରିଲା ।

ବାରମ୍ବାର ନଈ ଅତିକ୍ରମ କରିଥିବା ହେତୁ ଦାମୁଡିର ଦେହ କର୍ଦ୍ଦମାକ୍ତ ହୋଇଥାଏ । ବୁଢୀ ତାକୁ ଧୋଇ ଦେବାକୁ ଆସି ତା’ ବେକରେ ଝୁଲୁଥିବା ଥଳି ଦୁଇଟି ସେ ଦେଖିଲା । ସେଥିରେ ହଜାରେ ଟଙ୍କା ଥିବାର ଦେଖି ତା’ର ବିସ୍ମୟର ଆଉ କୌଣସି ସୀମା ରହିଲା ନାହିଁ ।

ସେତିକିବେଳେ ଦାମୁଡି ଉପରେ ଆଖି ରଖିଥିବା ଟୋକା ଆସି ସେଠାରେ ପହଁଚିଲା ।

ସେ କହିଲା: ମାଉସୀ, ତମେ ଦାମୁଡି ଟିଏ ପାଇ ନାହଁ । ବରଂ ପୁଅଟିଏ ପାଇଛ । ତୁମେ ଯିବାପରେ ଏଠାକୁ ଜଣେ ବଣିକ ଆସି ତମର ଏଇ ଦାମୁଡିଟିକୁ ସେ ତାଙ୍କ କାମରେ ଲଗେଇବାକୁ କହିଲେ ଓ ହଜାରେ ଟଙ୍କା ଦେବାକୁ ରାଜି ହେଲେ । ତୁମର ଏଇ ଦାମୁଡି ପୁଅଟି ପ୍ରଚୁର କଷ୍ଟକରି ସବୁତକ ଜିନିଷ ନଈ ଆରପାଖକୁ ପାର କରାଇଲା । ତା’ପରେ ଏତିକି ଟଙ୍କା ସେ ରୋଜଗାର କରିଛି ।

ସବୁକଥା ଶୁଣି ସେ ବୁଢୀ କାନ୍ଦି ପକାଇଲା । କହିଲା “ପୁଅ ମୋର କେତେ ବୁଦ୍ଧି ଖଟାଇ, କେଡେ ମେହେନତ କରି ମୋ ପାଇଁ ଏତିକି ଉପାର୍ଜନ କରିଛି ।”

ବୁଢୀ ତା’ ଶେଷ ଜୀବନ ଅତି ସୁଖରେ ବିତାଇଲା । ଦାମୁଡି ରୂପୀ ବୋଧିସତ୍ତ୍ଵ ଏହିପରି ଭାବରେ ପାଳିକା ମା’ର ଋଣ ପରିଶୋଧ କରି ନିଜର ଗୋଜୀବନ ଶେଷ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ