ମାଧ ମହାନ୍ତିଙ୍କ କନ୍ୟାସୁନା

ରାତି ପହରେ ବି ଗଡିଗଲାଣି, ହେଲେ କାହିଁ ବର? ମହାନ୍ତିଏ ଘରବାହାର ହେଉଛନ୍ତି, ବେଳେ ବେଳେ ବାହାରକୁ ବାହାରିପଡି ଦାଣ୍ଡକୁ ସେ ଅନାଉଛନ୍ତି ।

ଠିକ୍ ସେହି ସମୟରେ ମିଛୁପୁର ଗାଁରୁ ଯୋଡାଏ ମଣିଷ ଧାଇଁ ଧାଇଁ ଅଇଲେ, ମୁଣ୍ଡରେ ଦେହରେ ତାଙ୍କର ଗୋଟାଝାଳ, ନିଶ୍ୱାସ ବଳିପଡୁଛି । ମହାନ୍ତିଙ୍କୁ ସେମାନେ ଖବର ଦେଲେ, “ବାହା ଲଗୁତି ତିନିଶ ଟଙ୍କାରୁ ପଚାଶ ଟଙ୍କା ଊଣା ପଡିଯାଇଛି, ଆଜି ରାତିରେ ଟଙ୍କା ସଜିଲ କରି ଶେଷରାତିରେ ଅନୁକୂଳ କରିଦେଲେ ଦିନ ଦି’ଘଡି ସରିକି ବର ଏଠାରେ ପହଁଚିବେ ।”

ମହାନ୍ତିଏ ପଦୀକୁ ଡାକି କହିଲେ, “ଆଲୋ, ବର କାଲି ସକାଳେ ପହଁଚିବ, ତୁଚ୍ଛାଟାରେ ଚାହିଁବସିଲେ କ’ଣ ହେବ? ମୁଁ ଶୋଇବାକୁ ଯାଉଛି, ତୁ ଝିଅକୁ ଧରି ଶୋ’ଯା । ବୁଝି ଖବରଦାର! ଜାଗ୍ରତ ହୋଇ ଶୋଇବୁ, ଜିନିଷପତ୍ର ଢେର୍ ବାହାରେ ପଡିଛିଟି ।”

ବେଦୀ ଉପରେ ଥିବା ଦୀପଟି ନିଭାଇ ଦେଇ ମହାନ୍ତିଏ ଶୋଇବାକୁ ଗଲେ ।

ରାତି ଅଧାଅଧି ବିତିଗଲାଣି, ମହନ୍ତେ ତୋଟା ଭିତରେ ବିଜେ ହୋଇଛନ୍ତି । ପାଖଲୋକେ ତାଙ୍କୁ ବେଢି ବସିଛନ୍ତି । ଆଜି ରାତିରେ ଗଞ୍ଜେଇ ମୁଣି ମେଲା, ଚିଲମ ଶୀତଳ ହେବାକୁ ନାହିଁ ।

ମହନ୍ତେ ଡାକି କହିଲେ, “ଆରେ ଭୀମା! ଆରେ ନକୁଳା ସବୁ ଠିକ୍ଠାକ୍ କରିଦେଇ ଅଇଲ ତ?” ଭୀମା ନକୁଳା ଦୁହେଁଯାକ କହିଲେ- “ଆଜ୍ଞାପ୍ରମାଣେ ସବୁ ଠିକ୍ ।”

“ପଦୀକୁ ଭଲକରି ବୁଝାଇ ଦେଇଛ?”

“ଆଜ୍ଞା ପ୍ରଭୁ । ପଦ ପଦ କରି ସବୁ କଥା କହିଛୁ ।”

“ଟୋକୀଟା କ’ଣ କରୁଛି?”

“ଭାରି ଆକୁଳ ହେଉଛି, ବେଳେ ବେଳେ ସେ ପୁଣି କାନ୍ଦି କାନ୍ଦି କହୁଛି, ମା’ । କ’ଣ ହେବ? ବାପା କ’ଣ କହିବ ।”

“ପଦୀ ତାକୁ ବୁଝାଉଛି ତ?”

“ଆଜ୍ଞା ଆଜ୍ଞା ।”

“ଭିତରକୁ କିପରି ଗଲରେ?”

“ଆଜ୍ଞା, ବାଡିଦୁଆର କବାଟରେ ଠୁକ୍ଠୁକ୍ ମାରିଲୁ, ପଦୀ ଫିଟାଇଦେଲା ।”

ସେତିକିବେଳେ ଶଙ୍କରା ପାଖଲୋକ ଧାଇଁଆସି କହିଲା, “ଆଜ୍ଞା । ବାଜା, ପାଲିଙ୍କି, ମଶାଲ ବରଯାତ୍ରୀ ଗହୀରି ବିଲରେ ବସିଛନ୍ତି, ଆଜ୍ଞାପ୍ରମାଣେ ହାଜର ହୋଇଯିବେ ।”

“ଆଚ୍ଛା, ଏବେ ଯାଇ ବିନୋଦିଆକୁ ବରବେଶ କରାଇ ପକାଅ, ବାହା ଖଦି ଲୁଗା ପିନ୍ଧାଇଦିଅ ।”

ରାତି ପାହା ପାହା, ଟିକିଏ ଝିଲିଝିଲିଆ ଅନ୍ଧାର ଅଛି, ମାଧବ ମହାନ୍ତିଙ୍କ ଦ୍ୱାରେ କୋଡିଏ ତିରିଶଟା ଢୋଲ, ତାଷା, ନାଗରା ବାଜା ଏକାବେଳକେ ଉଛୁଳି ପଡିଲା । ପାଲିଙ୍କିଟିଏ ଦୁଆର ଆଗରେ ଥୁଆ, ବର ଖଣ୍ଡିଏ ଖରଡରେ ପିଣ୍ଡାରେ ତୁନିହୋଇ ବସିଛି । ଚଟକରି ମହାନ୍ତିଙ୍କ ନିଦ ଭାଙ୍ଗିଗଲା, ଟଙ୍କା ଥଳିଟା କାଖରେ ଜାକି ଭାରି ମନଫୁଲଣାରେ ସେ ଧାଇଁଲେ । ଆଗେ ଟଙ୍କା ଗଣିନେବେ, ପଛନ୍ତେ ବାଟବରଣ ହେବ । ଚଂଚଳ ଧାଇଂଚନ୍ତି, ହଠାତ୍ ଦୁଆରବନ୍ଧଟା ଧଡ୍କରି ତାଙ୍କ ମୁଣ୍ଡରେ ବାଜିଲା, ଏକାବେଳକେ ଓଲଟି ସେ ଚିତ୍ପଟାଙ୍ଗ, ତଳେ ପଡିଗଲେ । ହାତଦେଇ ସେ ଦେଖିଲେ ରକ୍ତଧାର ଗୋଡଯାଏଁ ବହିପଡୁଛି । ଏତେବେଳେ ଆଉ ତାକୁ ଅନାଇଲେ ହେବ? ଆଗେ ଟଙ୍କା ଗଣିନେଇ ସାରି ରକ୍ତ ପୋଛାପୋଛି କରିବେ । ପୋଛାଖଣ୍ଡ ଭଲକରି ମୁଣ୍ଡରେ ଗୁଡାଇଦେଲେ, ବାହାରକୁ ବାହାରିପଡି ବରଯାତ୍ରୀଙ୍କୁ ସେ ଡାକୁଛନ୍ତି “ଆସିବା ହେଉ ବସିବା ହେଉ!” ବର-ମାମୁ ଆଗେଇ ଆସି କହିଲେ “ଏ ସମୁଧିଏ!” ଆଉ ବସିଲେ କ’ଣ ହେବ, ଚଂଚଳ ବରକନ୍ୟା ବିଦା କରନ୍ତୁ ଖରା ଉଠିଯିବ ।” ଏହା ଶୁଣି ମାଧ ମହାନ୍ତିଏ କହିଲେ, “ଏଁ-ଏଁ- ବର ତ ଏଇଲାଗେ ପହଁଚିଲା, ବିଭା ହୋଇ ନାହିଁ, ବିଦା କ’ଣ ହେବ?”


ଗପ ସାରଣୀ

ତାଲିକାଭୁକ୍ତ ଗପ