ମାଧ ମହାନ୍ତିଙ୍କ କନ୍ୟାସୁନା

ପଦୀ ଭଣ୍ଡାରୁଣୀ ବିଧବା- ତା’ ଘରକୁ ସେ ଏକୁଟିଆ । ତା’ର ଗୋଟିଏ ବୋଲି ଝିଅ ଥିଲା, ପାଂଚବର୍ଷ ହେଲା ବିଭା ହୋଇଯାଇ ସେ ତା’ ଶାଶୁଘରେ ଅଛି; ଗାଁ ମଝିରେ ତା ଘର । ହେଲେ ତା’ର ବଡ ଛାତି, ଘରେ ଏକୁଟିଆ ଥାଏ, କାହାରିକୁ ବି ସେ ଆଦୌ ଡରେ ନାହିଁ । ଗାଁ ଗୋଟାକ ଖଟେ । ମାଇକିନିଆମାନଙ୍କ ନଖ କାଟେ, ସେମାନଙ୍କ ଗୋଡରେ ଅଳତା ଦିଏ । ପଦୀର ବୁଦ୍ଧି ଖୁବ୍ ଟାଣ, ପୁଣି ପାଂଚ ମାଇକିନିଆଙ୍କ ସାଙ୍ଗରେ ସବୁବେଳେ ରଜଘଷ ହେବାରୁ ସେ ଭାରି ଝିଟ ହୋଇଯାଇଛି । ସାକୁଲାସାକୁଲି କରି ଗାଁ ଗୋଟାକ ମାଇକିନିଆଙ୍କୁ ସେ ପଟେଇ ରଖିଛି । ତେଣୁ ତାକୁ ସମସ୍ତେ ଭଲପା’ନ୍ତି । ଆଉ କଥା ଯାହାହେଉ, ତା’ର ମନ୍ଦ ଆଚରଣ ବୋଲି କେହି କେବେ ବି ପଦେ ବୋଲି କହି ନାହିଁ ।

ଆଜିକୁ କେତେଦିନ ହେଲା ସଞ୍ଜ ସକାଳ ସବୁବେଳେ ସେ ମଠକୁ ଯା-ଆସ କରୁଥିବାର ଦେଖାଯାଉଛି । ମାଧ ମହାନ୍ତିଏ ଘରେ ନ ଥିବାବେଳେ ପଦୀ ତାଙ୍କ ଘରକୁ ପଶିଯାଏ । କାହିଁକିନା ମହାନ୍ତିଙ୍କ ଘର ଭିତରେ କେହି ଯେମନ୍ତ ତାକୁ ଚାହିଁ ବସିଥାଏ, କବାଟରେ ହାତ ମାରିବାକ୍ଷଣି ତାହା ଉଦୁଆଁ ହୋଇଯାଏ ।

ପଦୀ ମାଳତୀକୁ କୁଣ୍ଢେଇପକାଇ “ମା’ ରେ- ସୁନାରେ- ଚାନ୍ଦମଣିରେ- ମୋ ଝିଅଖଣ୍ଡ ଶାଶୁଘରକୁ ଯିବା ଦିନରୁ ଅନ୍ଧୁଣୀ ହୋଇ ମୁଁ ବସିଥିଲିରେ- ଦାଣ୍ଡଘାଟରେ ତତେ ଦେଖି ନେତ୍ର ପବିତ୍ର କରୁଥିଲିରେ । ଗାଁରୁ ଶୁଣିଲି ତୁ କୁଆଡେ ବାହା ହୋଇଯାଉଛୁ, ତତେ ଥରେ ଦେଖିବାକୁ ଅଇଲି ରେ ।” ତା’ପରେ ସେ ପଦୀ ମାଳତୀ ହାତରେ ମୁଠାଏ ଅନ୍ନ ମହାପ୍ରସାଦ ଗୁଞ୍ଜିଦେଇ କହିଲା, “ଆଜି କତିରୁ ତୁ ମୋ ଝିଅ, ମୁଁ ତୋ ମା’ ।”

ମାଳତୀ ତ ଆଦର କଥା, ସ୍ନେହ କଥା, କଅଁଳ କଥା ପଦେ ହେଲେ କେବେ ବି ଶୁଣି ନାହିଁ । ଏତେ ସ୍ନେହ କଥା ଶୁଣି ସେ ଆଉ ସମ୍ଭାଳି ହୋଇପାରୁ ନାହିଁ । ତେଣୁ ପଦୀକୁ କୁଣ୍ଢେଇ ପକାଇ ସେ ଭୋ ଭୋ ରଡି ଛାଡିଛି । ଘଡିକ ବାଦେ ଧକେଇ ଧକେଇ ସେ କହିଲା, “ମା, ମୁଁ ଆଉ କିଛି ମାଗୁ ନାହିଁ, ତୁ ବେଳେବେଳେ ମୋ’ ପାଖକୁ ଆସୁଥିବୁ, ପଦେ ପଦେ କଥା କହିଯାଉଥିବୁ । ବାପା ତ କାହିଁ କେବେହେଲେ ବି ମତେ ପଦେ ଭଲ କଥା କହେ ନାହିଁ, ଟିକିକ କଥାରେ ସେ ଖାଲି ତୁଚ୍ଛା ରାଗିଯାଇ ‘ଦୂର ଦୂର ପୋଡାମୁହୀଁ ବେଲାଏ ବେଲାଏ ଠୁଙ୍କୁଥିବୁ ବସିଥିବୁ’ ଏମିତି ଗାଳିଦିଏ । କାଲି ତ ସେ ମୋତେ ଢେର୍ ଗାଳିଦେଲା । ଧୂଆଁପତ୍ର କିଣିବାଲାଗି ଧାନ କାଢିଦେଲା ନାହିଁ । ଖଳାରେ ଯେ ଅଗାଡି ଜମା ହୋଇଛି, ତାକୁ ପାଛୁଡି ଧାନ କାଢି ଧୂଆଁପତ୍ର ଦୋକାନରୁ ଆଣିବାକୁ କହିଯାଇଥିଲା । ଅଗାଡି ତିନିଥର ପାଛୁଡିଲିଣି । କାଲି ଢେର୍ ପାଛୁଡିଲି, ହେଲେ ସେଥିରୁ ମୁଠାଏ ବି ଧାନ ବାହାରିଲା ନାହିଁ । ତେଣୁ ବାପା ଆସି ମୋତେ ଢେର୍ ଗାଳିଦେଲା । ଏହି କଥା କହିସାରି ସେ ମାଳତୀ ଧକେଇ ଧକେଇ ଢେର୍ କାନ୍ଦିଲା ।

ସବୁ ଶୁଣି ସେ ପଦୀ ମାଳତୀର ମୁହଁ ପୋଛିଦେଇ କହିଲା, “ନା ମା, ତୁ ଆଉ ମୋଟେ କାନ୍ଦନା, ଗୋପାଳଜୀ ମହାପ୍ରଭୁ ତତେ ରାଣୀ କରିବେ । ମୁଁ ରୋଜ ସଞ୍ଜବେଳେ ତୋ’ କଥା ପ୍ରଭୁଙ୍କୁ ଜଣାଉଛି । ତୁ ଦେଖୁ ନାହୁଁ, ମୁଁ ଏବେ ମଠକୁ ଏତେ ଯା-ଆସ କରୁଛି କ୍ୟା? ଖାଲି ତୋ’ ଲାଗି ।”

ମାଳତୀର ବିଭା ଲାଗି ମହାନ୍ତିଏ ଏବେ ଖୁବ୍ ଅଥୟ ହେଲେଣି । ଏଡେ ଝିଅଟାକୁ ଘରେ ରଖିଛି, ସମସ୍ତେ ଛିଛାକର କରୁଛନ୍ତି । ଢେର୍ ଜାଗାରୁ ବାତିନ ଆସିଲାଣି । ହେଲେ ଦର ପଟୁ ନାହିଁ । ମହାନ୍ତିଏ ମନରେ ବିଚାର କଲେ, ପନ୍ଦର ବର୍ଷର ଝିଅଟା ତ ଅତି ନିକୁଛ ପାଂଚ ଛ’ଶହ ଟଙ୍କା ହୋଇଗଲାଣି, ତିନିଶହ ଟଙ୍କାରେ ଦେଲେ ଲାଭ ଥାଉ ମୂଳକୁ ରୋକ୍ଠୋକ୍ ଦି’ ତିନିଶହ ଟଙ୍କା ଲୋକସାନ! ତେଣୁ ସେ ମନରେ ସ୍ଥିର କଲେ, ସାତଶହ ଟଙ୍କାରୁ ଊଣା କନ୍ୟାସୁନା ହେଲେ ଝିଅକୁ ଛାଡିବେ ନାହିଁ, ଝିଅ ପଛକେ ଦରବୁଢୀ ହୋଇ ବସିଥାଉ । ଘର କାମପାଇଟି ପାଇଁ ଆଉ ଗୋଟାଏ ଆସିଲେ ଖାଆନ୍ତା, ନହେଲେ ନାହିଁ ଏଇଟା ଖାଇଲା । ଲୋକେ ନିନ୍ଦା କରୁଛନ୍ତି ତ, କରନ୍ତୁ, ଲୋକ କଥାରେ କ’ଣ ଅଛି? ସେଥିଲାଗି ମୁଁ କ’ଣ ଏତେ ଟଙ୍କା ଲୋକସାନ ସହିବି?

ମହାନ୍ତିଙ୍କର ଏବେ ଖାଲି ଦିନରାତି ଚିନ୍ତା କେବେ ସାତଶହ ଟଙ୍କା ଘରେ ପଶିବ! ଦିନେ ତାଙ୍କ ମନ ଡାକିଲା, ମାଳତୀ ମୁହଁଟା ଟିକିଏ ଅଧିକ ସୁନ୍ଦର ଦିଶିଲେ କାଳେ କନ୍ୟାସୁନା ବାଡ ବଢିବ ପରା! ତେଣୁ ସେ ପାଟିକରି ଡାକିଲେ, “ଆଲୋ ମାଳତୀ! ଶୁଣ ଶୁଣ, ଏହି ନେ ମାଣେ ଧାନ, ଗୋପୀ ସାଉ ଦୋକାନରୁ ହଳଦୀ ତେଲ କିଣିଆଣ । ହଳଦୀ ବାଟି ରଖିଥିବୁ, ସେଥିରେ ଅଳ୍ପ ମୁନ୍ଦାଏ ତେଲ ମିଶାଇଦେବୁ, ଦାଣ୍ଡକୁ ବାହାରିଲାବେଳେ ସେହି ହଳଦୀ ଟିକିଏ ମୁହଁରେ ମାରିଦେଇ ବାହାରିବୁ । କେହି ବାହା ବାତିନିଆ ଆସିଲେ ମୁହଁରେ ଟିକିଏ ବେଶି କରି ହଳଦୀ ବୋଳିଦେବୁ । ହେଲେ ବୁଝି ଖବରଦାର! ଆଇତି ସାଇତି ଖରଚ କରିବୁ, ଏଇ ହଳଦୀ ତେଲ ଯେମନ୍ତ ପୂରା ମାସେ ଯାଏ ।”

ସେତେବେଳେ ମାଳତୀ ମୁଣ୍ଡ ପୋତି ଦେଇ ବାପା କଥା ସବୁ ଶୁଣିଲା- ହଠାତ୍ ତା’ ମନକୁ କ’ଣ ଆସିଲା କେଜାଣି, ଘର ଭିତରେ ଅନ୍ଧାର କୋଣିଆ ବସି ‘ମା! ମା!’ କହି ଢେର୍ ବେଳଯାଏଁ ସେ କାନ୍ଦିଲା । ମାଳତୀ ଢେର୍ଥର ଏହିପରି ବସି କାନ୍ଦେ, ଆପେ ପୁଣି ତୁନି ହୁଏ ।

ସକାଳ ଓଳି ଦିନ ଘଡିକ ବେଳେ ମହାନ୍ତିଏ ଆଗ ଦାଣ୍ଡପିଣ୍ଡାରେ ବସି ପିକା ବଳୁଛନ୍ତି, ତା’ପରେ ସେ ବିଲ କାମ ଦେଖିବାକୁ ବାହାରିବେ । ଟିକିଏ ଆଡେଇ ସେ ଅନାଇଦେଲେ, ଯୋଡିଏ ବାଟୋଇ ବୁଢା ତାଙ୍କ ବେଢା ଉପରକୁ ଉଠୁଛନ୍ତି । ସେ ବାଟୋଇମାନେ ଧୋବଧାବଳିଆ ଭଲଲୋକ ପରି ଦିଶିଲେ । ଏଣେ ଏ ମହାନ୍ତିଏ ମନରେ କଲେ, କେଜାଣି ଧୂଆଁପତ୍ର ମାଗିବେ ପରା । ସେତେବେଳେ ତ ତାଙ୍କ ପାଖରେ ଟିକିଏ ଧୂଆଁପତ୍ର ପଡିଥିଲା, ତେଣୁ ସେ ଚଂଚଳ ତାକୁ ଅଂଟାରେ ଖୋଷିଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ