ମାଧ ମହାନ୍ତିଙ୍କ କନ୍ୟାସୁନା

ଆଗ ବାଟୋଇ- ଆହେ! ଏଇଟା କ’ଣ ମାଧ ମହାନ୍ତିଙ୍କ ଘର?

ମହାନ୍ତିଏ- କ୍ୟାଁ? କ’ଣ ବୋଲି ଯାଆନ୍ତୁ ।

ବାଟୋଇ- ଆମ୍ଭେମାନେ ମଙ୍ଗଳକୃତ୍ୟ ପ୍ରସଙ୍ଗରେ ଆସିଛୁଁ- ଆପଣ କ’ଣ ମାଧବ ମହାନ୍ତିଏ ।

ମହାନ୍ତି- ଆସିବା ହେଉ, ବସିବା ହେଉ । ଚଂଚଳ ସେ ତାଙ୍କ ଘର ଭିତରୁ ଆଣି ଦୁଇଖଣ୍ଡ ପଲାଣ ତାଟ ପାରିଦେଲେ । ବାଟୋଇମାନେ ସେଥରେ ବସିବାରୁ ମହାନ୍ତିଏ ଏକାବେଳକେ କଥା ଆରମ୍ଭ କରିଦେଲେ । ବୁଝିବା ହେଲେ- ଢେର୍ ଢେର୍ ଆଡୁ ଢେର୍ ଢେର୍ ଲୋକ ଅଇଲେ- ଗଲେ, ମାତ୍ର କଥା ପଟିଲା ନାହିଁ । ବୁଝିବା ହେଲେ- ଏଁ- ବୁଝିବା ହେଲେ- ନାହିଁ ନାହିଁ, ଆଗେ କନ୍ୟାଟି ଦେଖନ୍ତୁ, ମନ ମାନେ, ପଛନ୍ତେ ଦେବାନେବା କଥା । ଆଲୋ ମାଳତୀ! ଏଇ ଭଲଲୋକ ଆସିଛନ୍ତି, ଅଗଣାରେ ଛିଡା ହୋଇଯା ତ । ଆଲୋ, ମୁଁ ଯାହା କହିଛି- ଏଁ ବୁଝିଲୁଟି କି?

ଭଲଲୋକ- ନାହିଁ ନାହିଁ ମହାନ୍ତିଏ, ଦେଖିବା ଲୋଡା ନାହିଁ- ତୁମ କନ୍ୟାର ରୂପ ଗୁଣ କଥା ଆମକୁ ବେଶ୍ ଜଣାଅଛି । ସେଇଥିଲାଗି ଆଉ କୁଆଡେ ନ ଯାଇ ସଳଖେ ସଳଖେ ଆମେ ତୁମ ଦୁଆରକୁ ଅଇଲୁଁ ପରା!

ମହାନ୍ତିଏ- ତେବେ ଗୁଡାଏ ବକର ବକର ହେଲେ କ’ଣ ହେବ, ଆମର ତ ସାଫ୍ ଏକା କଥା । ଗୋଟିଏ ରା- ବୁଝନ୍ତୁ କନ୍ୟାସୁନା ଠିକ୍ ସାତଶହ ଟଙ୍କା । ପଇସାଏ ଅଧଲାଏ ଛଦାମ ବି ଊଣା ନୁହେଁ ।

ଭଲଲୋକେ- ଅନ୍ୟାୟଟା କ’ଣ କହିଲେ? କନ୍ୟା ରୂପଗୁଣକୁ ଅନାଇଲେ ଠିକ୍ ଦରଦାମ୍ ହୋଇଛି । ଆମ ଜମିଦାର ବି କହିଥିଲେ, ଆପଣ ବିଚାର କରି ଯାହା କହିବେ, ସେଥିରୁ ସେ କଦାପି ମଧ୍ୟ ବାହାର ହେବେ ନାହିଁ ।

ମାଧ ମହାନ୍ତି- ଏଁ- ଏଁ ବର କ’ଣ ଜମିଦାର? କେଉଁଠି ତାଙ୍କ ଜମିଦାରୀ?

ଭଲଲୋକେ- ବରଙ୍କ ନାମ ଶ୍ରୀ ଶ୍ରୀ ବିନୋଦବିହାରୀ ଗନ୍ତାଘରରାୟ । ତାଙ୍କ ଘର ମିଛୁପୁର, ଜମିଦାରୀ ତାଲୁକେ ଆକାଶପୁର ।

ମାଧ ମହାନ୍ତି- ଦଣ୍ଡେଯାଏଁ ଗୁମ୍ ମାରି ବସି ବିଚାର କଲେ- ହାୟ ହାୟ! ଏ ବରଟା ତ ବଡଲୋକ, ହଜାରେ ଟଙ୍କା ଧରିଥିଲେ ବି ସେ ଦେଇ ପକାଇଥା’ନ୍ତା । କାହିଁକି ହଜାରେ ମୁଁ ଡାକିଦେଲି ନାହିଁ? ତେଣୁ ସେ ପୁଣି ପ୍ରକାଶ୍ୟରେ କହିଲେ- “ଆମ ଜାତିଆଣ ବେଭାରଟା ତ ଜାଣନ୍ତି, ବିଭା ଲଗୁତି ଊଣା ପୂରା ତିନିଶ ଟଙ୍କା । ଆପଣ ତ ବିବେକୀ ଲୋକ, ଜାଣନ୍ତି । ଏଇଟା ବର ପିଠିରୁ ଦେବାକୁ ପଡେ ।”

ଭଲଲୋକ- “ଅବଶ୍ୟ ଅବଶ୍ୟ, ଏ କଥାଟା କ’ଣ କହିବାକୁ ହେବ? ସେଇଟା ତ ବର ପିଠିରୁ ଦେଣ ।”

ମାଧ ମହାନ୍ତି- କଥା ଛିଡେଇ ରଖିବା ଭଲ । ଏହି ଦେଖନ୍ତୁ, କନ୍ୟାସୁନା ଆଉ ବିଭା-ଲଗୁତି ଦୁଇ ପଦକୁ ହେଲା ହଜାରେ- ବର ଯିମିତି ପହଁଚିବେ, ଆଗେ ଟଙ୍କା ଗଣିଦେବେ, ପଛନ୍ତେ ବାଟବରଣ ହେବ । କଥାଟା ଭଲ କରି ମନରେ ରଖିଥିବେ ।

ଭଲଲୋକ- ଏଇଟା ତ ମାମଲତ କଥା, ସଂସାରବିଧି, ଆପଣଙ୍କୁ ଏସବୁ କହିବାକୁ ହେବ ନାହିଁ । ଦଶ ଜାଗାରେ ତ ଠିକ୍ ଏହିପରି ହେଉଛି, ଆଜି କ’ଣ ନୂଆ ଗୋଟାଏ କଥା ହେବ?

ମାଧ ମହାନ୍ତି- ଠିକ୍ ଠିକ୍, ଆପଣ ବିବେକୀ ଲୋକ, ମାମଲତକାର, ଆପଣଙ୍କୁ ବଳି ମାମଲତକାର ଆଉ କ’ଣ କିଏ ଅଛି? ଆଉ ଗୋଟିଏ କଥା- ବିଭାଘର ଆୟୋଜନ କରିବାକୁ ହେବ, ଗୋଟା କୋଡିଏ ଟଙ୍କା ଚଂଚଳ ଲୋଡା । ଏଁ-ଏଁ- ଆପଣଙ୍କୁ କ’ଣ କହିବି- ଏଁ-ଏଁ ।

ମହାନ୍ତିଙ୍କ ମୁହଁକଥା ମୁହଁରେ ଅଛି, ଭଲଲୋକ ଅଂଟାରୁ କାଢି ଅଗଣା ଅପୋଛା ମୁଠାଏ ଟଙ୍କା ଝଣ କରି ମହାନ୍ତିଙ୍କ ଆଗକୁ ଫୋପାଡି ଦେଲେ । ଏଁ-ଏଁ କହି ମହାନ୍ତିଏ ଚଂଚଳ ଦୁଇ ହାତରେ ଟଙ୍କାଗୁଡାକ ଗୋଟେଇ ପକାଇଲେ, ଲୁଗା ଭିତରେ ଏକ ଦୁଇ କରି ଗଣିଗଲେ କୋଡିଏ ପାଂଚ । ଆନନ୍ଦଟା ମନରେ ସମ୍ଭାଳି ହେଉ ନାହିଁ । ମନରେ କଲେ ଏତେଦିନେ ଜାଣ ମୋ କପାଳ ଫିଟିଲା । ଏଣୁତେଣୁ ପାଂଚକଥା ଉତାରେ ଏକାବେଳକେ ବିଭାଘର ଦିନ ସ୍ଥିର ହୋଇଗଲା । ତିଥୀଟା ହେଲା ଆସନ୍ତା ମକର ସତରଦିନ, ଶୁକ୍ରବାର, ଶୁକ୍ଳ ସପ୍ତମୀ ।


ଗପ ସାରଣୀ

ତାଲିକାଭୁକ୍ତ ଗପ