ମାନବ ଓ ଦାନବ

                ରାଜା ପଚାରିଲେ “ନା, ରାକ୍ଷସରାଜ । ମୁଁ ସିନା ତମକୁ ମାରିଲି ନାହିଁ, କିନ୍ତୁ ଜଣେ ସାଧାରଣ ଲୋକ ହାବୁଡରେ ପଡିଥିଲେ ତମେ ଅବଶ୍ୟ ମରିଥାନ୍ତ । ସେକଥା ଛାଡ । ତମେ ରାକ୍ଷସ । ଚୋର ଓ ଠକମାନେ ତମକୁ ହରକତ କଲେ, ଅଥଚ ତମେ ତାଙ୍କର କିପରି କିଛି କରିପାରିଲ ନାହିଁ?”

“ଆମେ ରାକ୍ଷସମାନେ ମଣିଷ ରୂପ ଧରିବା ମାତ୍ରେ ଆମର ବଳ ମଣିଷ ଭଳି ହୁଏ, ରାକ୍ଷସର ବଳ ପରାକ୍ରମ ସେତେବେଳେ ଆଉ ରହେ ନାହିଁ ।” ରାକ୍ଷସ ଏହିପରି ଭାବେ ବୁଝାଇଦେଲା ଓ ରାଜାଙ୍କ ପରିଚୟ ମାଗିଲା । ଏହାପରେ ସେ ରାଜା ନିଜର ପରିଚୟ ଦେଲେ । ପରିଚୟ ପାଇ ରାକ୍ଷସ ଅତ୍ୟନ୍ତ ଖୁସି ହୋଇ ତାଙ୍କୁ ଅଭିବାଦନ କଲା ।

ରାଜା ପଚାରିଲେ “ତମେ କାହିଁକି ମୋ ରାଜ୍ୟକୁ ଆସିଛ?”

ଏହାପରେ ସେ ରାକ୍ଷସ-ରାଜ ପ୍ରଚଣ୍ଡ କହିଲା “ଗୋଟାଏ ବିଶେଷ କାରଣରୁ । ଆମେ ରାକ୍ଷସମାନେ ମଣିଷ ଖାଇପାରୁ । କିନ୍ତୁ ବହୁ ବର୍ଷ ହେଲା ଆମ ରାକ୍ଷସ ରାଜ୍ୟରେ ଗୋଟାଏ ନିୟମ ପ୍ରଚଳନ ହୋଇଛି । ସେ ନିୟମ ଅନୁସାରେ କୌଣସି ନିରସ୍ତ୍ର ମଣିଷକୁ ଆମେ ରାକ୍ଷସମାନେ ମାରି ପାରିବା ନାହିଁ । ଆତ୍ମରକ୍ଷା ପାଇଁ ମଧ୍ୟ ମଣିଷ ମାରିବା ଆମ ପକ୍ଷରେ ନିଷିଦ୍ଧ । ପୁଣି, ଅନ୍ୟ କୌଣସି ଜାନୁଆର ଯଦି ମଣିଷଟିଏ ମାରିଥିବ, ସେ ମଣିଷକୁ ଆମେ ଖାଇବା କଥା ନୁହେଁ । କିନ୍ତୁ ମୁଁ ଦେଖୁଛି, କେଇଦିନ ହେଲା ଆମର କେତେକ ରାକ୍ଷସ ଗଣ୍ଡା ଗଣ୍ଡା ମଣିଷ ଆଣି ଖାଉଛନ୍ତି । ସେମାନଙ୍କ ରାଜା ହିସାବରେ ମୁଁ ଯେତେବେଳେ ସେମାନଙ୍କୁ ସେ ବିଷୟରେ ପ୍ରଶ୍ନ କରେ, ସେମାନେ କହନ୍ତି କି ସେମାନେ ସଦ୍ୟ ମୃତ ମଣିଷମାନଙ୍କୁ ସଂଗ୍ରହ କରି ନେଇଯାଉଛନ୍ତି । ମୁଁ ଦେଖିଲି, ସେ ମଣିଷମାନେ ବୁଢା ନୁହଁନ୍ତି । ତେଣୁ ସେମାନେ କାହିଁକି ମଲେ? ଋାକ୍ଷସମାନେ କହୁଛନ୍ତି କି ସାମ୍ପ୍ରଦାୟିକ ଦଙ୍ଗା, ବସ୍ତି ବସ୍ତି ଭିତରେ ମାଡପିଟ ଇତ୍ୟାଦିରେ ଏତେ ଲୋକ ମରୁଛନ୍ତି ଯେ ଦଙ୍ଗା ହଙ୍ଗାମା ଭିତରେ ଗୁଡାଏ ମୃତଦେହ ଉଠାଇ ନେଇଗଲେ ବି କେହି କିଛି ଜାଣିପାରୁ ନାହାଁନ୍ତି । ଏହା କେତେଦୂର ସତ୍ୟ, ସେହିକଥା ବୁଝିବା ପାଇଁ ମୁଁ ଏଠାକୁ ଆସିଛି ।”

ରାଜା ପଚାରିଲେ “ତମେ ତମ ଅନୁସନ୍ଧାନରୁ କ’ଣ ବୁଝିଲ?”

ରାକ୍ଷସ କହିଲା “ଅନେକ କଥା ବୁଝିଲି । ଆମ ରାକ୍ଷସମାନେ ଯାହା ବି କିଛି କହୁଥିଲେ, ତାହା ସମ୍ପୂର୍ଣ୍ଣ ସତ୍ୟ । ତା’ ସଙ୍ଗେ ସଙ୍ଗେ ଏହା ବି ସତ୍ୟ ଯେ ଲୋକଙ୍କ ଉପରେ ଯେଉଁମାନେ ରାଜୁତି କରୁଛନ୍ତି, ସେମାନଙ୍କ ଚରିତ୍ରରେ ମାନବଗୁଣ ଅପେକ୍ଷା ଦାନବ ଗୁଣ ଯଥେଷ୍ଟ ଅଧିକ । ସେମାନେ ସ୍ୱାର୍ଥପର, ଉଦ୍ଧତ ଓ ଦୁର୍ବଳ ।”

ସେ ରାକ୍ଷସର ଏଭଳି କଥା ଶୁଣି ରାଜା ସଙ୍ଗେ ସଙ୍ଗେ ନିଜ ତରବାରୀ ଉପରେ ହାତ ପକାଇ କହିଲେ, “ରାକ୍ଷସ-ରାଜ! ମୁଁ ଯେ ସ୍ୱାର୍ଥପର ବା ଉଦ୍ଧତ ନୁହେଁ, ଏକଥା ଅବଶ୍ୟ ମୁଁ ସଙ୍ଗେ ସଙ୍ଗେ ପ୍ରମାଣ କରିଦେଇ ପାରିବି ନାହିଁ । କିନ୍ତୁ ମୁଁ ଯେ ଦୁର୍ବଳ ନୁହେଁ, ଏକଥା ତୁମ ସହ ଯୁଦ୍ଧ କରି ମୁଁ ପ୍ରମାଣ କରିଦେବି । ଆସ, ଏବେ ତୁମେ ତୁମ ରାକ୍ଷସ ରୂପ ଧାରଣ କର ।”

ରାକ୍ଷସ କହିଲା, “ରାଜା, ମୁଁ ରାକ୍ଷସ ରୂପ ଧାରଣ କଲେ କୌଣସି ମଣିଷ ବି ମୋତେ ପରାସ୍ତ କରିପାରିବାର ପ୍ରଶ୍ନ ହିଁ ଉଠୁନାହିଁ । ମୁଁ ଏହିପରି ମଣିଷ ଭାବରେ ତୁମ ସହ ଲଢେଇ କରିପାରେ । ମଣିଷ ମଣିଷ ଭିତରେ ଲଢେଇ ହେଲେ ସିନା ରାକ୍ଷସମାନଙ୍କର ଲାଭ! ତମେ ଯଦି ମୋତେ ହରାଇଦେବ, ତେବେ ତୁମେ ମୋତେ ଯାହା କରିବାକୁ କହିବ, ମୁଁ ତାହା କରିବି ।”

ଏହାପରେ ସେ ରାଜା ଓ ରାକ୍ଷସ ଭିତରେ ଘମାଘୋଟ ଯୁଦ୍ଧ ଆରମ୍ଭ ହେଲା । ରାଜା ଅକ୍ଳେଶରେ ମଣିଷ-ରୂପୀ ସେ ରାକ୍ଷସକୁ ହରାଇଦେଲେ । ରାକ୍ଷସ ସଙ୍ଗେ ସଙ୍ଗେ ମଣିଷ ରୂପ ତ୍ୟାଗ କରି ରାକ୍ଷସ ରୂପ ନେଲା । ତା’ର ସେ ଭୀଷଣ ଚେହେରା ଦେଖି ରାଜା ପୁରାପୁରି ଡରିଗଲେ ।

“ନା, ନା, ଭୟ କରିବାର କୌଣସି କାରଣ ନାହିଁ ।” ସେ ରାକ୍ଷସ ଏତକ କହି ରାଜାଙ୍କ ପାଖକୁ ଘୁଂଚି ଆସିଲା ।

ରାଜା ଏଥର ଆଶ୍ୱସ୍ତ ହେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ