ମାନବ ଓ ଦାନବ

ରାକ୍ଷସ କହିଲା, “ରାଜା! ତମେ ଯେ ଜଣେ କୁଶଳୀ ଯୋଦ୍ଧା, ଏଥିରେ ତ କୌଣସି ସନ୍ଦେହ ନାହିଁ । ତୁମେ ମୋଠୁଁ କି ପ୍ରକାର ସହାୟତା ଚାହୁଁଛ, କୁହ । ମୁଁ ତାହା ତୁମକୁ ଅବଶ୍ୟ ଦେବି ।”

ଏହା ଶୁଣି ସେ ରାଜା ଅତ୍ୟନ୍ତ ଖୁସି ହୋଇଗଲେ ଓ କହିଲେ, “ମୁଁ ସାରା ପୃଥିବୀର ସବୁ ରାଜ୍ୟ ଜୟ କରି ରାଜରାଜେଶ୍ୱର ହେବି । ଏପରି କରିବା ପଛରେ ମୋର ମୁଖ୍ୟ ଉଦ୍ଧେଶ୍ୟ ହେଲା, ତାହା ଦ୍ୱାରା ମୁଁ ପୃଥିବୀରେ ଶାନ୍ତି ସ୍ଥାପନ କରିବି । କୌଣସି ରାଜା ସହ କୌଣସି ରାଜାର ଯୁଦ୍ଧ ହେବ, ସେକଥା ମୁଁ ମୋଟେ କରାଇ ଦେବି ନାହିଁ ।”

ରାଜାଙ୍କ ଏଭଳି ଇଚ୍ଛା ଜାଣି ସେ ରାକ୍ଷସ ହଠାତ୍ ଅଟ୍ଟହାସ୍ୟ କଲା ଓ କହିଲା, “ରାଜା! ମୁଁ ଦୁଃଖିତ । ମୋ ପ୍ରତିଶୃତି ମୁଁ ପାଳନ କରିବି ନାହିଁ ।”

ରାଜା ପ୍ରଶ୍ନ କଲେ “କାହିଁକି?”

ରାକ୍ଷସ ପୁଣି ଅଟ୍ଟହାସ୍ୟ କରି ତା’ପରେ ନିଜକୁ ଗୋଟାଏ ପକ୍ଷୀରେ ପରିଣତ କରି ସେ ସେଠାରୁ ଉଡି ଚାଲିଗଲା ।

ବେତାଳ ଟିକିଏ ଚୁପ୍ ରହି ତା’ପରେ କଠୋର କଣ୍ଠରେ ପ୍ରଶ୍ନ କଲା, “ରାଜା! ରାକ୍ଷସ କାହିଁକି ତା’ର ପ୍ରତିଶୃତି ଭଙ୍ଗ କଲା? ସେ ଅଟ୍ଟହାସ୍ୟ ବା କଲା କାହିଁକି? ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ । ଉତ୍ତର ଦେବାର ଶକ୍ତି ଥିବା ସତ୍ତ୍ୱେ ବି ତମେ ଯଦି ନୀରବ ରହିବ, ତେବେ ତମ ଶୀର ସ୍କନ୍ଧଚ୍ୟୁତ ହେବ ।”

ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନକରି ରାଜା ବିକ୍ରମାର୍କ ଉତ୍ତର ଦେଲେ, “ରାକ୍ଷସ ନିଜ ଅନୁଭୁତି କଥା କିପରି ବା ଭୁଲନ୍ତା? ସେ ମଣିଷ ରୂପେ ମଗଧକୁ ଆସି ଥରେ ଚୋରଙ୍କ ହାବୁଡରେ ଓ ଆଉ ଥରେ ଠକଙ୍କ ହାବୁଡରେ ପଡିଥିଲା । ଯେଉଁ ରାଜା ନିଜ ରାଜ୍ୟରେ ଏସବୁ ଅଶାନ୍ତିର ହେତୁ ଦୂର କରି ପାରିନାହିଁ, ଯେଉଁ ରାଜ୍ୟରେ ଦଙ୍ଗା ହଙ୍ଗାମା ଲାଗି ରହିଛି ବୋଲି ରାକ୍ଷସମାନେ ମଣିଷ ଆହାର ପାଉଛନ୍ତି, ସେ ରାଜ୍ୟର ରାଜା ପୃଥିବୀରେ ଶାନ୍ତି ସ୍ଥାପନ କରିବ ବୋଲି ନିଜେ କହିବା ଆସ୍ଫାଳନ ଛଡା ଆଉ କ’ଣ ବା ହୋଇପାରେ? ରାକ୍ଷସ ବୁଝିଲା ରାଜା ଆଦର୍ଶ ନାମରେ ନିଜ ଅହମିକା ତୃପ୍ତ କରିବାକୁ ଚାହାଁନ୍ତି । ତେଣୁ ସେ ପ୍ରତିଶୃତି ରକ୍ଷା କଲାନାହିଁ ଏବଂ ଅଟ୍ଟହାସ୍ୟ କଲା ।”

ରାଜାଙ୍କ ଉତ୍ତରଦାନ ଶେଷ ହେବା ମାତ୍ରେ ଶବ ସହ ଶବସ୍ଥିତ ସେ ବେତାଳ ମଧ୍ୟ ତାଙ୍କ କାନ୍ଧରୁ ଖସିଯାଇ ପୁନର୍ବାର ସେ ବୃକ୍ଷ ଡାଳରେ ଯାଇ ଝୁଲି ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ