ମାନବ ସେବାହିଁ ଶ୍ରେଷ୍ଠ ଧର୍ମ

                ଏକଦା ଡକ୍ଟର ରାଜେନ୍ଦ୍ର ପ୍ରସାଦ ତୃତୀୟ ଶ୍ରେଣୀ ରେଳଡବାରେ ଯାତ୍ରା କରୁଥାଆନ୍ତି । ସେ ସମୟଟି ଥିଲା ନିଦାଘଗ୍ରୀଷ୍ମ କାଳର ମଧ୍ୟାହ୍ନ । ରେଳଗାଡିରେ ଯାତ୍ରୀଙ୍କର ଭିଡ ଏତେ ବେଶୀ ଥିଲା ଯେ, ସୋରିଷଟିଏ ପକାଇଲେ ବି ତାହା ତଳେ ମୋଟେ ପଡିବ ନାହିଁ ।

                ହଠାତ୍ ସେ ରେଳଗାଡିଟି  ଗୋଟିଏ ଷ୍ଟେସନରେ ଅଟକିଲା । ସେହି ସମୟରେ ଅନ୍ୟ ଏକ ରେଳଗାଡି ବି ବିପରୀତ ଦିଗରୁ ଆସି ସେଠାରେ ପହଁଚିଥାଏ । ଏଥିରେ ମଧ୍ୟ ଯାତ୍ରୀଭିଡ କିଛି କମ୍ ନ ଥିଲା । ଯେପରିକି ଷ୍ଟେସନରେ ଜଣେ ତଳକୁ ଓହ୍ଲାଇ ପୁଣି ଚଢିବା ଅତ୍ୟନ୍ତ କଷ୍ଟକର ଥିଲା । କାରଣ ଏକାବେଳକେ ସେ ଦୁଇଟିଯାକ ଗାଡି ଅଟକି ଯିବାରୁ ରେଳଷ୍ଟେସନ ଲୋକାରଣ୍ୟ ହୋଇପଡିଥିଲା ।

ଠିକ୍ ଏତିକିବେଳେ ରାଜେନ୍ଦ୍ର ପ୍ରସାଦ ଲକ୍ଷ୍ୟକଲେ ସେ ରେଳଗାଡିର ପାଖ ଡବାରେ ଜଣେ ମହିଳା ଯାତ୍ରୀ ତା’ର ତୃଷାତୁର ପୁଅ ଲାଗି କିଏ ପାଣି ମୁନ୍ଦିଏ ଆଣିଦିଅ ବୋଲି କହି ଖାଲି ବୋତଲଟି ହାତରେ ଧରି ଚିତ୍କାର କରୁଛି । ମହିଳା ଯାତ୍ରୀ ଜଣକ ଗାଡିରୁ ଓହ୍ଲାଇ ପାଣି ଆଣିବା ସମ୍ଭବ ନଥିବାରୁ, ଏଣେ ସାଥୀରେ ଛୋଟ ଛୁଆ ପୁଣି ଯେକୌଣସି ମୁହୂର୍ତ୍ତରେ ଗାଡି ଛାଡି ଦେବାର ଭୟରେ ଗାଡିରୁ ନ ଓହ୍ଲାଇ ଅନ୍ୟର ସାହାଯ୍ୟ ସେ ଭିକ୍ଷା କରୁଥାଏ । ଏହି ସମୟରେ ସେ ମହିଳାଙ୍କ କୋଳରେ ଥିବା ଶିଶୁଟି ଶୋଷରେ ଆଉଟୁପାଉଟୁ ହୋଇ ବିକଳରେ ରଡି ଛାଡି ଡବା ଭିତରଟା କମ୍ପାଉଥାଏ । ମାଆ ତା’ର ଶିଶୁକୁ ପ୍ରବୋଧନା ଦେଉଥାଏ, ଟିକିଏ ପରେ ଗାଡିରୁ ଓହ୍ଲାଇଲେ ପାଣି ପିଇବୁ, ଟିକିଏ ଅପେକ୍ଷା କର । ମାତ୍ର ପିଲାଟି ଥୟଧରିବା ଅବସ୍ଥାରେ ଆଦୌ ନଥିଲା । ସେହି ଡବା ଭିତରେ ଓ ବାହାରେ ଅନେକ ଯାତ୍ରୀ ଥିଲେ ମଧ୍ୟ କେହି ଜଣେ ସାହାଯ୍ୟ କରିବାକୁ ଆସିନଥିଲେ । ସମସ୍ତେ ଶୁଣି ନଶୁଣିଲା ଭଳି ଖାଲି ଅଭିନୟ କଲେ ।

ଠିକ୍ ଏତିକିବେଳେ ପାଖ ଡବାର ଝରକା ପାଖରେ ବସି ଏହିସବୁ ଘଟଣା ରାଜେନ୍ଦ୍ର ପ୍ରସାଦ ଲକ୍ଷ୍ୟ କରୁଥିଲେ । ତାଙ୍କର ହୃଦୟ ସତେଯେମିତି ଦୟାର୍ଦ ହୋଇଗଲା । ତହୁଁ ସେ ନିଜର ପାଣିବୋତଲଟିକୁ ନେଇ ଦୌଡି ଦୌଡି ଯାଇ ମହିଳାଙ୍କ ହାତକୁ ବଢାଇ ଦେଇ ପୁଣି ନିଜ ଡବାକୁ ଚଢିବାପାଇଁ ଦୌଡିଲେ । ସେତେବେଳକୁ ଗାଡି ଷ୍ଟେସନ ଛାଡିଲାଣି । ଏଥର ରାଜେନ୍ଦ୍ର ପ୍ରସାଦ ଅନ୍ୟ ଉପାୟ ନପାଇ ଦୌଡି ଦୌଡି ରେଳଗାଡିକୁ ଧରିବାକୁ ସକ୍ଷମ ହେଲେ । ଏହି ଦୃଶ୍ୟ ଦେଖୁଥିବା ଦେଖଣାହାରୀଙ୍କ ଆଖି ବୁଜିହୋଇଗଲା । ମନେ ମନେ ଭାବୁଥିଲେ କିଛି ଅଘଟଣ ଘଟିବ ନାହିଁ ତ?

ଯେତେବେଳେ ରାଜେନ୍ଦ୍ର ପ୍ରସାଦ ଧଇଁ ସଇଁ ହୋଇ ଦୌଡିଯାଇ ନିଜ ସ୍ଥାନରେ ବସିଗଲେ, ସେତେବେଳେ ତାଙ୍କ ପାଖ ସିଟ୍ରେ ବସିଥିବା ଜଣେ ସୁସ୍ଥ ସବଳ ଭଦ୍ରଲୋକ ଏସବୁ ଦୃଶ୍ୟ ଅବଲୋକନ କରୁଥିଲେ । ସେ ହଠାତ୍ ରାଜେନ୍ଦ୍ର ପ୍ରସାଦଙ୍କ ଉଦ୍ଧେଶ୍ୟରେ କହିପକାଇଲେ, “ଆପଣଙ୍କ ଭଳି ଜଣେ ଦୁର୍ବଳ ଶରୀରଯୁକ୍ତ ମଣିଷ ପକ୍ଷରେ କ’ଣ ଦରକାର ଥିଲା ଏଥିରେ ମୁଣ୍ଡ ଖେଳାଇବା? ଜୀବନ ପ୍ରତି ବିପଦକୁ ଡାକି ଆଣିବାରେ କି ବାହାଦୂରୀ ଅଛି? ଯାତ୍ରୀମାନଙ୍କ ସୁଖ ସୁବିଧା ପ୍ରତି ଧ୍ୟାନ ଦେବା ତ ସରକାରଙ୍କର କର୍ତ୍ତବ୍ୟ, ରେଳଯାତ୍ରୀଙ୍କ ନୁହେଁ ।”

ମୋଟ ଉପରେ କହିବାକୁ ଗଲେ ରାଜେନ୍ଦ୍ର ପ୍ରସାଦଙ୍କ ପାଖରେ ବସିଥିବା ସେହି ଲୋକଟି ତାଙ୍କର ଏଭଳି କାର୍ଯ୍ୟକୁ ଆଦୌ ପସନ୍ଦ କରିନଥିଲେ ।

ପାଖଯାତ୍ରୀଙ୍କଠାରୁ ଏହା ଶୁଣି ରାଜେନ୍ଦ୍ର ପ୍ରସାଦ କହିଲେ, “ଭାଇ! ଯଦି ଆମେ ନିଜେ ନିଜକୁ ସାହାଯ୍ୟ ନ କରିବା ତେବେ ସରକାର କ’ଣ କରିବେ? ସରକାରଙ୍କୁ ଦୋଷ ଦେଇ ଲାଭ ବା କ’ଣ? ଅପରପକ୍ଷରେ ତୃଷାର୍ତ୍ତକୁ ପାଣି ଟୋପାଏ ଦେବାତ ଅତି ପୁଣ୍ୟ କାମ । ଆପଣ ନିଜେ ଜଣେ ହୃଷ୍ଟପୁଷ୍ଟ ଶରୀରଯୁକ୍ତ ବ୍ୟକ୍ତି । ସୁତରାଂ ଏହି କାର୍ଯ୍ୟ ତ ଆପଣଙ୍କର ହିଁ ପ୍ରଥମେ କରିବା ଦରକାର ଥିଲା ।”

ଏହିଭଳି କଥାବାର୍ତ୍ତା ହେଉଥିଲା ବେଳେ ସେ ରେଳଗାଡିରେ ଥିବା ଅନ୍ୟଯାତ୍ରୀମାନେ ଅବାକ୍ ହୋଇ ସବୁ ଶୁଣୁଥିଲେ । ଏତିକିବେଳେ ପାଖରେ ବସିଥିବା ସେହି ଭଦ୍ରବ୍ୟକ୍ତି ଜଣକ ଲଜ୍ଜିତ ହୋଇଗଲେ ଓ ରାଜେନ୍ଦ୍ର ପ୍ରସାଦଙ୍କୁ କ୍ଷମାପ୍ରାର୍ଥନା କଲେ ।

ଏଥର ରାଜେନ୍ଦ୍ର ପ୍ରସାଦ କହିଲେ, “ଏଥିରେ କ୍ଷମା ମାଗିବାର ଆବଶ୍ୟକତା କ’ଣ? ଆଜିଠାରୁ ତୁମେ ପ୍ରତିଜ୍ଞା କର ଯେ, ଆବଶ୍ୟକସ୍ଥଳେ ଜନସେବାର କୌଣସି ବି ଅବସର ଛାଡିବ ନାହିଁ । ଯେତେବେଳେ ସୁଯୋଗ ମିଳିବ କିଛି କରିବା ପାଇଁ ତୁମର ଯେତେବଡ କାମ ଥିଲେ ମଧ୍ୟ ତାକୁ ଛାଡି ଜନସେବାହିଁ କରିବ । କାରଣ ସେବା ହେଉଛି ମାନବ ଜୀବନର ସବୁଠାରୁ ଶ୍ରେଷ୍ଠଧର୍ମ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ