ମିଥ୍ୟାଭିମାନ

                ରାମନାଥ ତାଙ୍କ ଶାଶୁଙ୍କୁ ଶାନ୍ତ କରିବାକୁ ଚେଷ୍ଟା କଲେ । ଏଣେ କୈଳାସଶାସ୍ତ୍ରୀ ନିଜ ଚୁଟି ହଲାଇ ରାଗିଯାଇ କହିଲେ, “କ’ଣ ହେଲା କୈଳାସଶାସ୍ତ୍ରୀଙ୍କୁ ଶାପ ଦେବାକୁ ମଧ୍ୟ ଲୋକ ଜନ୍ମ ନେଇଛନ୍ତି? ତେବେ ଶୁଣ, ଆଜିଠାରୁ ମୁଁ ଏକ ପୂଜା କରିବି ଓ ଏକ ମନ୍ତ୍ର ମଧ୍ୟ ଜପ କରିବି । ତା’ପରେ ଦେଖାଇବି ମୋର ଶକ୍ତି କେତେ । ସେହି ସମୟରେ କୈଳାସ ଶାସ୍ତ୍ରୀ ରାଗରେ ଖାଲି ଥରୁ ଥିଲେ । କିନ୍ତୁ ରାମନାଥଙ୍କ ଶାଶୁ ତ ଚୁପ୍ ହେବା ଲୋକ ନୁହଁନ୍ତି, ସେ କହିଲେ, “ଦେଖିବୁ ତୁ ପରକୁ ଯାହା ସବୁ କହୁଛୁ ସେସବୁ ତୋତେ ହେବ । ତୁ ହାତଗୋଡ ଭାଙ୍ଗି ମାସେ କାଳ ଶଯ୍ୟାଶାୟୀ ହେବୁ । ବେଶି ଗୋଟେ ଜ୍ୟୋତିଷଗିରି ଦେଖାଉଛି!

                ଏସବୁ କୈଳାସ ଶାସ୍ତ୍ରୀଙ୍କୁ ଭୟଙ୍କର ଅପମାନ ବୋଧ ହେଲା । ସେ କୁଆଡେ ଯିବେ କିଛି ଠିକ୍ କରି ନ ପାରି ଦୁମ୍ ଦୁମ୍ ହୋଇ ଘରୁ ବାହାରକୁ ଯିମିତି ବାହାରିଛନ୍ତି, ସିମିତି ଜୋର୍ରେ ଯାଉ ଥିବା ଏକ ବଳଦଗାଡି ସହିତ ଧକ୍କା ଖାଇ ରାସ୍ତା ପାଖ ପଥରଗଦା ଉପରେ ଯାଇ ସେ ପଡିଲେ । ତାଙ୍କୁ ବଡ କଷ୍ଟ ହେଲା; ଲୋକମାନେ ଧରିଧାରି ତାଙ୍କୁ ଉଠାଇଲେ ଓ ଟେକିନେଇ ଘରେ ଛାଡି ଆସିଲେ । ସେହି ଦିନଠାରୁ ଛମାସ ଯାଏଁ ସେ ସତରେ ଶଯ୍ୟାଶାୟୀ ହୋଇ ପଡିଲେ । ଛମାସ ପରେ ଧୀରେ ଧୀରେ ସେ ଚାଲିପାରିଲେ ।

                ତା’ପରେ ଗ୍ରାମରେ ପ୍ରଚାର ହୋଇଗଲା ଯେ ରାମନାଥଙ୍କ ଶାଶୁ ଯାହା କହନ୍ତି ତାହା ଫଳେ । କାରଣ କୈଳାସ ଶାସ୍ତ୍ରୀଙ୍କ ପରି ବିଦ୍ୱାନ ଓ ମନ୍ତ୍ରଶକ୍ତି ସମ୍ପନ୍ନ ବ୍ୟକ୍ତି ଯଦି ତାଙ୍କ କଥାରୁ ନିଜକୁ ମୁକ୍ତ କରିପାରୁ ନାହାଁନ୍ତି, ତେବେ ସାଧାରଣ ଲୋକଙ୍କ କଥା ଆଉ କ’ଣ କହିବା? ଏବେ ଲୋକେ କୈଳାସ ଶାସ୍ତ୍ରୀକୁ ଛାଡି ତାଙ୍କ ପାଖକୁ ଦୌଡିଲେ ।

                କୈଳାସ ଶାସ୍ତ୍ରୀ ସୁସ୍ଥ ହୋଇଯିବା ପରେ ଦିନେ ସେ ତାଙ୍କ ସ୍ତ୍ରୀଙ୍କୁ କହିଲେ, “ଏ ଗ୍ରାମର ଲୋକେ ଅନ୍ଧ ବିଶ୍ୱାସ ପଛରେ ଦୌଡନ୍ତି । ରାମନାଥର ଶାଶୁ ଜିଭରେ ପୁଣି ପିଶାଚ ରହିଛି, ଯାହା କହିବ ହେବ! ସେଦିନ ବି ମୋର ବଳଦଗାଡି ସହିତ କିମିତି ବା ଧକ୍କା ହେଲା? କିନ୍ତୁ ତାକୁ ମୁଁ କେବେବି ଛାଡିବିନି । ତା’ ମୁହଁ ବନ୍ଦ କରିବାକୁ ମୁଁ ରୁଦ୍ର ଅଭିଷେକ ପୂଜା କରିବି । ତୁମେ ପୂଜା ପାଇଁ ସବୁ ସଜିଲ୍ କର ।”  ସେତେବେଳେ ତାଙ୍କ କଣ୍ଠରେ ପ୍ରତିଶୋଧର ନିଆଁ ଥିଲା । କିନ୍ତୁ ତାଙ୍କ ସ୍ତ୍ରୀଙ୍କ ସ୍ୱଭାବ ଭିନ୍ନ ଥିଲା । ସେ ହସିହସି କହିଲେ, “ମୁଁ ତୁମ କଥା କିଛି ବୁଝିପାରୁନାହିଁ । ତମେ ପୂଜା କରି ଅଭିଶାପ ଦେବ; କିନ୍ତୁ ରାମନାଥର ଶାଶୁ ବିନା ପୂଜାରେ ତ ସବୁ କରିଦେଲା । ତା’ କଥା ଫଳିଲା । ତେଣୁ ମୋ କଥା ମାନି ତା’ସହିତ ତୁମେ ଆଉ ଶତ୍ରୁତା କରନାହିଁ । ଏବେ ମଧ୍ୟ ତୁମକୁ ଲୋକେ ଜ୍ଞାନୀ ବୋଲି ମାନନ୍ତି । କିନ୍ତୁ ତା’ ସହିତ ଶତ୍ରୁତା କଲେ ତୁମ ସମ୍ମାନ ଦିଗଣ୍ଡା ଦିକଡା ହୋଇଯିବ । ଏବେ ତୁମେ ରୁଦ୍ର ଅଭିଷେକ କୌଣସି ପୁଣ୍ୟ କାର୍ଯ୍ୟ ପାଇଁ କର ।”

                ଏଥର ସେ ତାଙ୍କ ସ୍ତ୍ରୀଙ୍କ କଥା ଭଲ ଭାବରେ ହୃଦୟଙ୍ଗମ କଲେ ନିଜ ଦୁର୍ବଳତା ପାଇଁ ଅନ୍ୟକୁ ଅସୁବିଧାରେ ପକାଇବା ଭଲ ନୁହେଁ । ତା ଛଡା ସେ ବୁଝିଗଲେ ଯେ ଏସବୁ ତାଙ୍କର ମିଥ୍ୟା ଗର୍ବର ଫଳ । କିନ୍ତୁ ସେସବୁ ଛାଡି ପୁଣି ସେହି ଗ୍ରାମରେ ରହିବା ତାଙ୍କ ପାଇଁ ଖୁବ୍ କଷ୍ଟକର ହେବ ବୋଲି ସେ ଭାବିଲେ । ତେଣୁ ସେ ବାଧ୍ୟ ହୋଇ ନିଜ ପରିବାରକୁ ନେଇ ଅନ୍ୟଗ୍ରାମକୁ ଚାଲିଗଲେ ।

ପରଦିନ ଗ୍ରାମବାସୀମାନେ କୈଳାସ ଶାସ୍ତ୍ରୀକୁ ନ ଦେଖି ଆଶ୍ଚର୍ଯ୍ୟ ହେଲେ ଓ ପଚରା ପଚରି ହେଲେ ଯେ ସେ କାହିଁକି ଗ୍ରାମ ଛାଡି ଗଲେ ଓ କୁଆଡେ ଗଲେ । କିନ୍ତୁ ସମସ୍ତେ ଜାଣିଥିଲେ କାହିଁକି ଗଲେ ବୋଲି । ଯାହାହେଉ ରାମନାଥଙ୍କ ଶାଶୁ ବହୁତ ନାମ କରିଗଲେ । ଏଣିକି ଲୋକ ତାଙ୍କ ପାଖକୁ ଧାଇଁଲେ । କିନ୍ତୁ ସେ ଭଦ୍ର ମହିଳା ବିନୀତ ଭାବରେ କହୁଥାନ୍ତି, “ଶାସ୍ତ୍ରୀ କେବଳ ନିଜ କ୍ରୋଧ ଯୋଗୁଁ ଶାସ୍ତି ପାଇଲେ; ମାତ୍ର ମୋ ଯୋଗୁଁ ନୁହେଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ