ମୂଲ୍ୟ

                ପରଦିନ ମାଧବ ସେ ଟଙ୍କା ଗୁଡିକୁ ଗୋଟିଏ କନାରେ ବାନ୍ଧି ସିଧା ଯାଇ ସେ ଜମିଦାର ବିଶ୍ୱବନ୍ଧୁଙ୍କ ଘରେ ପହଁଚିଲା । ଜମିଦାର ବାବୁ ବାହାର ପିଣ୍ଡାରେ ବସିଥିଲେ । ମାଧବ କହିଲା, “ବାବୁ, କାଲି ସକାଳେ ମୁଁ ଗାଡି ସଫା କରିବାକୁ ଯାଇ ଦେଖିଲି ଅନେକ ଗୁଡିଏ ରୂପା ଟଙ୍କା ସେଠାରେ ପଡିଛି । ଭାବିଲି ଆପଣଙ୍କର ହୋଇଥିବ ବୋଲି ନେଇ ଆସିଛି । ଦେଖି, ରଖନ୍ତୁ ।”

                ବିଶ୍ୱବନ୍ଧୁ ଟଙ୍କା ପୁଟୁଳାକୁ ଛୁଇଁବା ପୂର୍ବରୁ ଘର ଭିତରକୁ ଦୌଡି ଗଲେ ଓ କିଛି ସମୟ ପରେ ଫେରି ଆସି ସେ କହିଲେ, “ମାଧବ, ପ୍ରକୃତରେ ସେ ଟଙ୍କାଟି ମୋର, ସମୁଦାୟ ଅଶି ଟଙ୍କା ନା?”

ମାଧବ କହିଲା “ହଁ, ବାବୁ ଅଶିଟା ମୁଦ୍ରା ତ ଥିଲା ।”

ବିଶ୍ୱବନ୍ଧୁ ମାଧବ ଦେଇଥିବା ପୁଟୁଳାକୁ ହାତରେ ଉଠାଇ ନେଇ କହିଲେ, “ପଅରିଦିନ ମୁଁ ତୋ ଗାଡିରେ ଆସିବା ବେଳେ ମୋର ଗୋଟିଏ ଟଙ୍କା ଥଳୀ ଥିଲା । ସେଥିରେ ଗୋଟାଏ କଣା ଥିଲା ବୋଲି ମୁଁ ଆଉ ଜାଣି ନଥିଲି ଏବେ ଦେଖିଲି । କିନ୍ତୁ ତୁ କିପରି ଜାଣିଲୁ ଯେ ଏହି ଟଙ୍କାଟା ମୋର ବୋଲି । ଅନ୍ୟ ତିନିଜଣ ଯାତ୍ରୀ ମଧ୍ୟ ଗାଡିରେ ଥିଲେ ।”

ମାଧବ ହସି ହସି କହିଲା, “ପ୍ରଥମେ କାଲି ସକାଳେ ଟଙ୍କା ସବୁ ଗାଡିରେ ପଡିଥିବାର ଦେଖି ଜାଣିଲି ତାହା ଆପଣ ଚାରିଜଣଙ୍କ ମଧ୍ୟରୁ ଜଣକର । ତା’ପରେ ମୁଁ ଭାବିଲି ଏ ଟଙ୍କା କାହାର ହୋଇପାରେ । ଚନ୍ଦୁଲାଲ ଏତେ କଞ୍ଜୁସ୍ ଯେ ଟଙ୍କା ତା’ର ଜୀବନ; ସେ ପଇସା ଥଳୀକୁ ଦୁଇହାତରେ ଜାବୁଡି ଧରି ଗାଡିରେ ବସିଥାଏ ତେଣୁ ତା’ ହାତରୁ ତ ଏ ପଇସା କେବେବି ପଡିବା କଥା ନୁହେଁ । ତା’ଛଡା ମାଷ୍ଟର ମହାଶୟ ତ କରଜ ଶୁଝିବାକୁ ଯାଇଥିଲେ, ସେ ପୁଣି କହିଲେ, ଟଙ୍କା ଯଥେଷ୍ଟ ନ ଥିବାରୁ ତାଙ୍କୁ ତାଙ୍କ ସାଙ୍ଗ ପାଖରୁ ଅଳ୍ପ କିଛି ଧାର କରି କରଜ ଶୁଝିବାକୁ ହେଲା । ତେଣୁ ଏ ଟଙ୍କା ତ ତାଙ୍କର କଦାପି ମଧ୍ୟ ହୋଇ ନ ପାରେ । ତା’ପରେ ରହିଲା ଚାଷୀ ଭୋଳା । ସେ ବିଚାରା ତ ମଞ୍ଜି କିଣିବାକୁ କିଛି ଟଙ୍କା ନେଇ ଯାଇଥିଲା, ସେଥିରେ ସେ ମଞ୍ଜି କିଣି ଫେରୁଛି । ତା’ ପାଖରେ ବା କୁଆଡୁ ଏତେଗୁଡାଏ ଟଙ୍କା ଆସିବ । ଯଦି ବା ସେମାନଙ୍କର ହୋଇଥା’ନ୍ତା । ସେମାନେ ଦୌଡି ଦୌଡି ମୋ ପାଖକୁ ପଇସା ଖୋଜିବାକୁ ଆସନ୍ତେ । ତେଣୁ ଶେଷକୁ ବାକି ରହିଲେ କେବଳ ଆପଣ । ତେଣୁ ମନ ମଧ୍ୟରେ ମୁଁ ନିଶ୍ଚୟ କରିନେଲି କି ଏହା ନିଶ୍ଚୟ ଆପଣଙ୍କରହିଁ ଟଙ୍କା । ସେଥିପାଇଁ ମୁଁ ସିଧା ଏଠାକୁ ଆସିଲି ।”

ବିଶ୍ୱବନ୍ଧୁ ହସି ହସି କହିଲେ “ଆଚ୍ଛା । ତେବେ ତ ତୁ ଏ ବିଷୟରେ ଗଭୀର ଭାବରେ ଚିନ୍ତା କରିଛୁ ଓ ଠିକ୍ ବିଚାର କରିଛୁ ।”

ମାଧବ ହସି ହସି କହିଲା, “ମୋ ମନ ଭିତରେ ଯାହାବି ଟିକିଏ ଦୋଦୋପାଂଚ ଭାବ ଥିଲା, ଯେତେବେଳେ ଦେଖିଲି ଆପଣ, ଟଙ୍କା ଥଳୀକୁ ନ ଛୁଇଁ ଭିତରକୁ ଯାଇ ନିଜର ଟଙ୍କା ଥଳୀ ଦେଖି ଫେରି ଆସି ତେବେ ଯାଇ “ହଁ” ବୋଲି କହିଲେ ପୁଣି ଠିକ୍ ସଂଖ୍ୟା ମଧ୍ୟ ଅଶି ବୋଲି କହିଦେଲେ, ସେତେବେଳେ ମୁଁ ମୋ ନିର୍ଣ୍ଣୟ ବିଷୟରେ ନିଃସନ୍ଦେହ ହୋଇଗଲି ।”

ମାଧବର ଏଭଳି ସାଧୁତା ଓ ବିଚାରବୁଦ୍ଧି ଦେଖି ଜମିଦାର ବିଶ୍ୱବନ୍ଧୁ ଖୁବ୍ ଖୁସି ହୋଇଗଲେ । ତା’ପରେ ସେ ସେହି ଅଶି ଟଙ୍କାର ଥଳୀଟି ମାଧବ ହାତରେ ଦେଇ କହିଲେ, “ମାଧବ, ମୁଁ ଏହାକୁ ତତେ ଦେଉଛି, ତୁ ନାହିଁ କରନା । ସତରେ ମୁଁ ଅତ୍ୟନ୍ତ ଖୁସି ହୋଇ ତତେ ଏହାକୁ ପୁରସ୍କାର ସ୍ୱରୂପ ଦେଉଛି । ଏହା ତୋର ମହତଗୁଣର ଓ ବଡପଣର ଏକ ଛୋଟ ମୂଲ୍ୟ ମାତ୍ର ।”


ଗପ ସାରଣୀ

ତାଲିକାଭୁକ୍ତ ଗପ