ମୃଗନୟନୀ କଥା

       କେହି ଆପଣଙ୍କୁ ବାଧା ଦେଇ ପାରିବେ ନାହିଁ । ଆମେ ସମସ୍ତେ ଆପଣଙ୍କୁ ସ୍ୱାଗତ କରିବୁ । ଆମେ ଆପଣଙ୍କର ଅଧୀନତା ସ୍ୱୀକାର କରି ଆପଣଙ୍କ ଆଦେଶ ପାଳନ କରିବାକୁ ବାଧ୍ୟ ହେବୁ ।”

       “ଠିକ୍ ଅଛି । ମୁଁ ମୋର ଭୁଲ୍ ବୁଝି ପାରିଛି । ଆଉ କେବେ ଏମିତି ଦୁଃସାହସ କରିବି ନାହିଁ । ଏବେ ମୋତେ ଏ କଷ୍ଟରୁ ମୁକ୍ତି ଦିଅ ।” ଭୋଜରାଜ ଅନୁରୋଧ କଲେ ।

       “ଏଥିରେ ଆମର କିଛି ଭୂମିକା ନାହିଁ । ଯିଏ ଆପଣଙ୍କୁ ଏ ଦଣ୍ଡ ଦେଇଛନ୍ତି ଆପଣ ସେଇ ମହାମହିମ ମହାରାଜ ବିକ୍ରମାଦିତ୍ୟଙ୍କୁ ସ୍ମରଣ କରନ୍ତୁ । ତାଙ୍କଠାରେ କ୍ଷମା ପ୍ରାର୍ଥନା କରନ୍ତୁ । ସବୁ ଠିକ୍ ହୋଇଯିବ ।”

       ଭୋଜରାଜ ପୁତ୍ତଳିକାର କଥାମାନି ମହାରାଜ ବିକ୍ରମାଦିତ୍ୟଙ୍କୁ ମନେ ମନେ ସ୍ମରଣ କରି କ୍ଷମାଯାଚନା କଲେ । ସଙ୍ଗେ ସଙ୍ଗେ ସେ ସୁସ୍ଥସବଳ ହୋଇ ଉଠିଲେ । ନିଜର ଶକ୍ତି ଫେରି ପାଇଲେ । ତା’ପରେ ମୃଗନୟନୀ ତା’ର କାହାଣୀ ଶୁଣାଇଲା;

         ମହାରାଜ ବିକ୍ରମାଦିତ୍ୟ ଜଣେ ଏମିତି ସିଦ୍ଧ ସାଧକ ଏବଂ ତପସ୍ୱୀ ଥିଲେ ଯାହାଙ୍କୁ ଦେବରାଜ ଇନ୍ଦ୍ର ମଧ୍ୟ ଡରୁଥିଲେ । ସେ ଏଭଳି ଦାନୀଥିଲେ କି ନିଜର ସଂଚିତ ସମସ୍ତ ପୁଣ୍ୟଫଳ ନିଃସଂକୋଚରେ ଅନ୍ୟକୁ ଦାନ କରି ଦେଉଥିଲେ । ଦିନେ ସୈନିକମାନେ ଜଣେ ଲୋକଙ୍କୁ ଧରିଆଣି ଦରବାରରେ ହାଜର କରାଇଲେ । ତା’ପାଖରେ ଏକ ଥଳୀ ଥିଲା ଯୋଉଥିରେ ଅନେକ ଧନରତ୍ନ ରହିଥିଲା । ସେ ଚୋର ବୋଲି ସନ୍ଦେହରେ ସୈନିକମାନେ ତାକୁ ବାନ୍ଧି ଆଣିଥିଲେ ।

       ମହାରାଜ ପଚାରିବାରୁ ସେ କହିଲା, “ମୁଁ ଜଣେ ଧନୀ ବ୍ୟବସାୟୀଙ୍କ ଘରେ ଚାକର ଭାବରେ କାମ କରୁଥିଲି । ବ୍ୟବସାୟୀ ବୃଦ୍ଧକାଳେ ତରୁଣୀ ଭାର୍ଯ୍ୟା ଗ୍ରହଣ କରିଥିଲେ । ସେ ତାକୁ ସନ୍ତୁଷ୍ଟ କରି ପାରୁନଥିଲେ । ଏଣୁ ସ୍ତ୍ରୀଜଣକ ମୋତେ ଗ୍ରହଣ କରି ନେଇଥିଲେ । ଆମ ଭିତରେ ସଂପର୍କ ଗଭୀର ହୋଇଥିଲା । ସେ ମୋତେ ଏସବୁ ଧନ ଦେଇଛି । କାଲି ତା’ର ସ୍ୱାମୀକୁ ମାରିଦେଇ ନିର୍ଦ୍ଦିଷ୍ଟ ସ୍ଥାନରେ ମୋତେ ଭେଟିବ ବୋଲି କହିଛି । ତା’ପରେ ଆମେ ଦୁହେଁ ବିବାହ କରି ସୁଖରେ ରହିବୁ ବୋଲି ସେ ଯୋଜନା ବନାଉଛି ।

       ସତ୍ୟତା ଜାଣିବା ସକାଶେ ମହାରାଜ ଲୋକ ପଠାଇଲେ । ପରଦିନ ସେମାନେ ଆସି ଜଣାଇଲେ ଯେ, ସେ ସ୍ତ୍ରୀଟି ଖୁବ୍ ଚତୁରୀ । ତା’ପ୍ରେମିକ ଏପଟେ ଧରାପଡି ଯାଇଛି ବୋଲି ସେ କୌଣସି ପ୍ରକାର ଜାଣି ସାରିଛି । ବିଷଦେଇ ନିଜ ସ୍ୱାମୀକୁତ ମାରି ସାରିଛି । ତେଣୁ ନିଜକୁ ସତୀ ସାଧ୍ୱୀ ପ୍ରମାଣିତ କରିବା ପାଇଁ କାନ୍ଦି କାନ୍ଦି ପ୍ରଚାର କରୁଛି ଯେ ତା’ ସ୍ୱାମୀକୁ କେହି ଚୋର ହତ୍ୟାକରି ଧନରତ୍ନ ନେଇଯାଇଛି । ସେ ତା ସ୍ୱାମୀ ସହିତ ସତୀ ହେବ ବୋଲି ଜିଦ୍ଧ ଧରି ବସିଛି ।

       ମହାରାଜ ମନେ ମନେ ଭାବିଲେ, “ଧନ୍ୟରେ ନାରୀ ଚରିତ୍ର । ଗୋପନ ପ୍ରେମ, ପତି ହତ୍ୟା ଦୋଷରୁ ବଂଚିବା ପାଇଁ ବ୍ୟବସାୟୀର ସ୍ତ୍ରୀ ନିଜକୁ ସତୀ ସାବ୍ୟସ୍ତ କରାଇବାକୁ ଅଭିନବ ଉପାୟ କରିଛି ।”

       ପରଦିନ ମହାରାଜ ନିଜର ମନ୍ତ୍ରୀ ପାରିଷଦଙ୍କ ସହିତ ସେଇ ଲୋକଟିକୁ ନେଇ ନିର୍ଦ୍ଦିଷ୍ଟ ସ୍ଥାନରେ ପହଁଚିଲେ । ସେତେବେଳକୁ ଚିତା ସଜା ଯାଇଥାଏ । ଲୋକମାନେ ସେଇ ସ୍ତ୍ରୀର ଜୟ ଜୟକାର କରୁଥାନ୍ତି । କାରଣ ପତିର ଚିତାରେ ସତୀ ହେବାକୁ ଇଚ୍ଛା ପ୍ରକାଶ କରିବା କମ୍ କଥା ନୁହେଁ ।

       ମହାରାଜଙ୍କୁ ଦେଖି ସମସ୍ତେ ଚୁପ୍ ହୋଇଗଲେ । ମହାରାଜ ଧରାପଡିଥିବା ଲୋକଟିକୁ ଦେଖାଇ ସେଇ ସ୍ତ୍ରୀକୁ କହିଲେ, “ୟାକୁ ଚିହ୍ନି ପାରୁଛ? ସେ ସବୁକଥା ସ୍ୱୀକାର କରି ସାରିଛି । ଏଣୁ ଆଉ ମିଛ ଅଭିନୟ ନ କରି ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ହୋଇଯାଅ ।”

       ସ୍ତ୍ରୀ ଜଣକ ନିଜର ଅପରାଧ ସ୍ୱୀକାର କରିବା ପରିବର୍ତେ କହିଲା, “ଆତ୍ମତୃପ୍ତି ନ ପାଇଲେ ସ୍ତ୍ରୀ ସବୁକିଛି କରିପାରେ । ମୋତେ ଦଣ୍ଡ ଦେବା ଆଗରୁ ଆପଣ ଆଗ ଯାଇ ନିଜ ଘରକୁ ସମ୍ଭାଳନ୍ତୁ । ଆପଣଙ୍କ ସାନରାଣୀ କେତେ ସତୀ ଶିରୋମଣି ଆଉ ଥରେ ପରୀକ୍ଷା କରି ଦେଖନ୍ତୁ ।” ଏହାକହି ସ୍ତ୍ରୀଟି ଚିତାରେ ନିଆଁ ଲଗାଇ ତା’ ଭିତରକୁ ଡେଇଁ ପଡିଲା । ଆଉତ ତାକୁ ଦଣ୍ଡଦେଇ ହେବନି । ଏଣୁ ମହାରାଜ ସଦଳବଳେ ମହଲକୁ ଫେରିଗଲେ । ତା’ଙ୍କ ମନରେ ସାନରାଣୀଙ୍କ କଥା ଘାଂଟି ହେଉଥାଏ ।

       ପରଦିନ ଠାରୁ ସେ ସାନରାଣୀଙ୍କର ଗତିବିଧି ଉପରେ ତୀକ୍ଷ୍ନ ଦୃଷ୍ଟି ରଖିଲେ । ଦିନେ ରାତିରେ ସେ ଶୋଇ ଯିବାର ଛଳନା କରି ସଚେତ ରହିଲେ । ସାନରାଣୀ ନିଶାର୍ଦ୍ଧରେ ମହଲରୁ ଯାଇ ଜଙ୍ଗଲ ପାଖରେ ଥିବାଏକ କୁଡିଆରେ ପହଁଚିଲେ । ସେଠାରେ ଜଣେ ସନ୍ନ୍ୟାସୀ ଧ୍ୱନି ଜଳାଇ ବସିଥିଲେ । ରାଣୀଙ୍କୁ ଅନୁସରଣ କରି ମହାରାଜ ମଧ୍ୟ ଯାଇ ସେଠାରେ ପହଁଚିଲେ ।

       ରାଣୀଙ୍କୁ ନେଇ ସନ୍ନ୍ୟାସୀ କୁଡିଆ ଭିତରକୁ ଗଲେ । ତାକୁ ଉଲଗ୍ନ କରାଇ ନିଜେ ମଧ୍ୟ ନଗ୍ନ ହୋଇ କାମକ୍ରୀଡାରେ ମାତିଲେ । ମହାରାଜ ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ । ତରବାରୀ ଖୋଲି କୁଡିଆ ଭିତରେ ପଶି ଭଣ୍ଡ ସନ୍ନ୍ୟାସୀ ସହିତ ସାନରାଣୀଙ୍କୁ ହତ୍ୟା କଲେ ।

       ଏଇ ଘଟଣା ପରେ ମହାରାଜଙ୍କ ମନ ଖୁବ୍ ଉଦାସ ହୋଇ ପଡିଲା । ରାଜକାର୍ଯ୍ୟରେ ଆଉ ମନ ଲାଗିଲା ନାହିଁ । ସମସ୍ତେ ପ୍ରମାଦ ଗଣିଲେ । କିଛିଦିନ ପରେ ମହାରାଜ ରାଜକାର୍ଯ୍ୟ ମନ୍ତ୍ରୀଙ୍କୁ ଅର୍ପଣ କରି ସମୁଦ୍ରକୂଳରେ ପହଁଚିଲେ । ସମୁଦ୍ର ଦେବତାଙ୍କୁ ସନ୍ତୁଷ୍ଟ କରି ସେଠାରେ ଅଖଣ୍ଡ ତପ ସାଧନା କଲେ । ସମୁଦ୍ର ଦେବତା ତାଙ୍କୁ ଏକ ଶଙ୍ଖ ଦେଇ କହିଲେ, “ତମ ସାଧନାରେ କେହି ବାଧାଦେଇ ପାରିବେନି । ଯଦି କୌଣସି ବିପଦ ପଡେ ସଙ୍ଗେ ସଙ୍ଗେ ଏହାକୁ ବଜାଇବ । ସବୁ ସମାଧାନ ହୋଇଯିବ ।

       ମହାରାଜଙ୍କ କଠୋର ତପସ୍ୟା ଦେଖି ଇନ୍ଦ୍ର ଭୟଭୀତ ହୋଇଗଲେ । ବିଭିନ୍ନ ଉପାୟରେ ତାଙ୍କର ତପୋଭଗ୍ନ କରିବାକୁ ଚାହିଁଲେ । ସୁନ୍ଦରୀ ନର୍ତକୀ ତିଳୋତମାଙ୍କୁ ପଠାଇଲେ । ଫଳ କିଛି ହେଲା ନାହିଁ । ଶେଷରେ ସେ ଏକ ଭିକ୍ଷୁକ ସାଧୁ ବେଶରେ ଆସି ମହାରାଜଙ୍କୁ କହିଲେ, “ମୋତେ ଭିକ୍ଷା ଦିଅନ୍ତୁ ।”

       ମହାରାଜ କହିଲେ, “କ’ଣ ଚାହଁ ମାଗ । ମୁଁ ଦେବାକୁ ପ୍ରସ୍ତୁତ ।” ଇନ୍ଦ୍ର କହିଲେ, ମୋତେ ଆପଣଙ୍କ ସାଧନାର ସମସ୍ତ ଫଳ ପ୍ରଦାନ କରନ୍ତୁ । ମହାରାଜ ହସି ହସି ଦାନ କଲେ । ଇନ୍ଦ୍ର ନିଜରୂପ ଧାରଣ କରି ତାଙ୍କୁ ଆଶୀର୍ବାଦ ଦେଇ ଦେବଲୋକକୁ ଗମନ କଲେ ।

       ଏତକ ଶୁଣାଇ ମୃଗନୟନୀ କହିଲା, “ମଣିମା! ଆପଣ କେବେ ଏମିତି କର୍ମ କରିଛନ୍ତି? ଏମିତି ସାଧନା କରିଛନ୍ତି? ତେବେ ଆସନ୍ତୁ । ମୁଁ ଆପଣଙ୍କୁ ସ୍ୱାଗତ କରୁଛି       ।”

       ଭୋଜରାଜ ନିଜକୁ ଲଜ୍ଜିତ ମନେକରି ରାଜମହଲକୁ ଫେରିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ