ମୋଟା ବୁଦ୍ଧିଆରୁ ବୈଜ୍ଞାନିକ

ସେଇ ପିଲାଟିର ନାଁ ଥିଲା – ଥୋମାସ୍ ଏଡିସନ୍ ଆଲଭା । ତାଙ୍କର ଘର ଆମେରିକାରେ । ପିଲାଟି ଏଥର ମାଆଙ୍କ ପାଖରେ ବସି ମନଦେଇ ବିଜ୍ଞାନ ପାଠ ପଢିଲା । ପିଲାଟିର ପାଠ ପ୍ରତି ଅତ୍ୟନ୍ତ ଆଗ୍ରହ ଦେଖି ତା’ର ମାଆ ନୂଆ ନୂଆ ବିଜ୍ଞାନ ବହି ବି କିଣିଆଣି ତାକୁ ପଢିବାକୁ ଦେଲେ । ଫଳରେ ସେ ପିଲାଟି ଦିନକୁ ଦିନ ପଢାରେ ଆଗେଇଗଲା ।

ସେଦିନ “ଗୁଣ ଚିହ୍ନେ ଗୁଣିଆ, ସୁନା ଚିହ୍ନେ ବଣିଆ ଭଳି ପିଲାଟିର ଗୁଣକୁ ଶିକ୍ଷକ ସିନା ଚିହ୍ନିପାରି ନ ଥିଲେ ତା’ ମାଆ କିନ୍ତୁ ଠିକ୍ ଚିହ୍ନିପାରିଥିଲେ।”

ବିଜ୍ଞାନ ବହି ପଢି ପିଲାଟିର ନିଜ ଉପରେ ଅଖଣ୍ଡ ବିଶ୍ୱାସ ଆସିଗଲା । ଦିନେ ସେ ତାର ମା’ଙ୍କୁ କହିଲା, “ମା’ ମୁଁ ଜଣେ ବଡ ବୈଜ୍ଞାନିକ ହେବି ।”

ଏଡିସନ୍ ଙ୍କ  ପିଲାଦିନ କଥା ଶୁଣିଲେ ତୁମେ ନ ହସି ମୋଟେ ରହିପାରିବ ନାହିଁ । ସେ କଥାକଥାକେ ଖାଲି ହାସ୍ୟରୋଳ ସୃଷ୍ଟି କରୁଥିଲେ । ଦିନେ ସେ ବିଜ୍ଞାନ ବହି ପଢି ଜାଣିଲେ, ବେଲୁନ୍ରେ ଗ୍ୟାସ୍ ପୂରାଇଦେଲେ ତାହା ଆକାଶରେ ପକ୍ଷୀଭଳି ଉଡିପାରିବ । ଏହି କଥାକୁ ସେ ତାଙ୍କର ମୋଟା ବୁଦ୍ଧିରେ ଚିନ୍ତା କଲେ, ସେହି ଗ୍ୟାସ୍କୁ ଯଦି ମଣିଷ ପେଟରେ ପୂରାଇ ଦିଆଯିବ, ତେବେ ସେ ମଧ୍ୟ ଉଡିପାରିବ । ସତକୁ ସତ ସେହି କଥାକୁ ପରୀକ୍ଷା କରିବାକୁ ସେ ଲାଗିଲେ ।

କେତେକ ରସାୟନିକ ପଦାର୍ଥ ମିଶାଇ ଗୋଟିଏ ଲୋକକୁ ଗିଲାସେ ପିଆଇଦେଲେ । ତା’ପରେ ସେ ଲୋକ କି ଆଉ ସମ୍ଭାଳେ? ତା’ ପେଟରେ ଗ୍ୟାସ୍ ଭର୍ତ୍ତି ହୋଇ ଯିବାରୁ ପେଟ ଫୁଲିବାକୁ ଲାଗିଲା । ସେ ଯନ୍ତ୍ରଣାରେ ଛଟପଟ ହେଲା । ଶେଷରେ ତାକୁ ଡାକ୍ତରୀ ଚିକିତ୍ସା କରାଯାଇ ଭଲ କରାଗଲା ।

ସେହି ପିଲାଦିନର ଆଉ ଏକ ଘଟଣା । ଏଡିସନ୍ ଭାବିଲେ କେତେଗୁଡିଏ କୁକୁଡାଅଣ୍ଡା ଉପରେ କୁକୁଡାଟିଏ ବସି ଅଣ୍ଡା ଫୁଟାଇ ଛୁଆ ବାହାର କରୁଛି । ଏଡିସନ୍ ଭାବିଲେ ଏ କଥା ଯଦି ପକ୍ଷୀଟିଏ କରିପାରୁଛି, ତେବେ ମଣିଷ କାହିଁକି କରିପାରିବ ନାହିଁ । ସୁତରାଂ ସେ ୧୦/୧୨ଟି କୁକୁଡାଅଣ୍ଡା ନେଇ ଘରକୋଣ ଅନ୍ଧାରୁଆ ସ୍ଥାନରେ କୁକୁଡା ଭଳି ଆଣ୍ଠେଇ ବସି ଉଷୁମାଇଲେ । ଦିନ ଯାଇ ରାତି ଆସି ହେଲାଣି । ହେଲେ ଏଡିସନ୍ ଙ୍କ ର ଦେଖା ନାହିଁ । ମାଆ ଯେତେବେଳେ ତାଙ୍କ ପୁଅକୁ ଖୋଜିଲେ ସେ କୁକୁଡାଅଣ୍ଡା ଉଷୁମାଉଥିବା କଥା ଜାଣିବାକୁ ପାଇଲେ । ଏହି ଦେଖି ମା’ ହସି ହସି ବେଦମ୍ ହୋଇଗଲେ ।

ଏହିଭଳି ଜଣେ ମୋଟାବୁଦ୍ଧିଆ ପିଲା ତା’ ଜୀବନରେ ଅନେକ ବୋକାମି କାମ କରିଥିଲା ଯାହାକୁ କି ଶୁଣିଲେ ଖୁବ୍ ଆଶ୍ଚର୍ଯ୍ୟ ଲାଗେ । ତଥାପି ବି ସେ ନିଜର ଅଧ୍ୟବସାୟ ବଳରେ ଭବିଷ୍ୟତରେ ଜଣେ ବଡ ବୈଜ୍ଞାନିକ ହୋଇପାରିଥିଲେ ।

ଏଡିସନ୍ ତ ପିଲାବେଳେ ଭାରି ଗରିବ ଥିଲେ । ସେ ବଜାରରେ ଫଳ ଓ ରେଳଡବାରେ ଖବରକାଗଜ ବିକ୍ରି କରି ସ୍ୱଳ୍ପ ରୋଜଗାରରେ ନୂଆ ନୂଆ ବିଜ୍ଞାନ ବହି କିଣୁଥିଲେ । ମାତ୍ର ତାଙ୍କର କଠୋର ପରିଶ୍ରମ ଓ ଆତ୍ମବିଶ୍ୱାସ ତାଙ୍କୁ ଜଣେ ଶ୍ରେଷ୍ଠ ବୈଜ୍ଞାନିକ କରିଦେଇଥିଲା । ତାଙ୍କର ପରିଶ୍ରମର ଫଳସ୍ୱରୂପ ବିଜୁଳିବତୀ ବା ବିଜୁଳି ବଲ୍ବ, ବ୍ୟାଟେରୀ, ଟେଲିଗ୍ରାଫ୍ ଯନ୍ତ୍ର, ଗ୍ରାମୋଫୋନ୍, ସିନେମା କଳ, ମାଇକ୍ରୋଫୋନ୍, ଫୋନୋଗ୍ରାଫ୍ ଆଦି ଦ୍ରବ୍ୟର ଉଦ୍ଭାବନ ସାରା ବିଶ୍ୱକୁ ଚମତ୍କୃତ କରିଦେଇଛି ।

ଏଡିସନ୍ ଙ୍କ ର ଏକ ବିଶେଷ ଗୁଣ ଥିଲା, ସେ ଯାହା କହୁଥିଲେ ତାହା କରିଦେଉଥିଲେ । ଉଦାହରଣସ୍ୱରୂପ ୧୮୮୦ ମସିହାରେ ପୃଥିବୀବାସୀଙ୍କୁ ବିଜୁଳିବତୀ ଯୋଗାଇଦେବେ ବୋଲି କହି ୧୮୭୯ରେ ଯୋଗାଇ ଦେଇଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ