ମୋର ସାତ/ଆଠ ଟଙ୍କା ଦରକାର ଦଶ କି କୋଡିଏ କ’ଣ ହେବ

କିନ୍ତୁ କୋଠରି ଭିତରେ ଥାଇ ରାଧାନାଥବାବୁ ଠିକ୍ ଜାଣିପାରିଲେ ଯେ, କେହି ଜଣେ ତାଙ୍କୁ ଦେଖା କରିବାକୁ ଚାହୁଁଛି । ମାତ୍ର ଚପରାସୀ ତାକୁ ଘଉଡାଇ ଦେଉଛି । ସୁତରାଂ ସେ ମହିଳାକୁ ଡକାଇ ପଠାଇ ତା’ଠାରୁ ଆସିବାର କାରଣ ପଚାରିଲେ । କହିଲେ, “ମାଆ! କ’ଣ ହେଲା? କ’ଣ ଦରକାର? ଏଠାକୁ କାହିଁକି ଆସିଛ?”

ଏକଥା ଶୁଣି ସେ ଆଗନ୍ତୁକା ବିଧବା ମହିଳା କହିଲେ, “ବାବୁ! ମୋର ଦି’ବଖରା ଘର ନିଆଁରେ ପୋଡି ପାଉଁଶ ହୋଇଯାଇଛି । ତା’ ସାଥିରେ ଢିଙ୍କିଟା ମଧ୍ୟ । ଧାନ କୁଟି ମୁଁ ଚଳୁଥିଲି । ହେଲେ ଏବେ ମୁଁ ନିରାଶ୍ରୟା । ସୁତରାଂ ବଖରାଟିଏ ଘର ଓ ଢିଙ୍କିଟିଏ ତିଆରି କରିବା ପାଇଁ କିଛି ଟଙ୍କା ଦରକାର । ସାତ ଆଠଟଙ୍କା ହେଲେ ଚଳିଯିବ । ଘରର ତ କାନ୍ଥଗୁଡିକ ଅଛି । ତା’ଉପରେ ଖାଲି ବାଉଁଶ ଫାଳିଆ ବାନ୍ଧି ନଡାଛପର କରିଦେଲେ ବି ଚଳିଯିବ ।”

ସେ ଆଗନ୍ତୁକା ବିଧବାଙ୍କ ସବୁ କଥା ଶୁଣି ରାଧାନାଥ ରାୟ କହିଲେ, “ଆଚ୍ଛା, ଠିକ୍ ଅଛି । ତୁମେ ଟଙ୍କା ପାଇବ ଯେ ହେଲେ ସେଥିପାଇଁ ତୁମକୁ ଟିକିଏ ପରିଶ୍ରମ କରିବାକୁ ପଡିବ । ଏଇନା ମୋ’ ପାଖରେ ପଇସା ନାହିଁ । ମୋ’ ଘର ଏଇ କାଳୀଗଳିରେ । ମୁଁ ଚିଠି ଲେଖିଦେଉଛି । ମୋ’ ପୁଅ ଶଶୀ ଘରେ ଅଛି । ତୁମେ ଏ ଚିଠି ଦେଖାଇ ତା’ ଠାରୁ ଟଙ୍କା ନେଇଯିବ ।”

ଏବେ ସେ ବିଧବାଜଣକ ଚିଠିନେଇ ଠିକଣା ସ୍ଥାନରେ ଯାଇ ପହଁଚିଗଲା । ଚିଠିଟି ପାଇ ଶଶୀଭୂଷଣ ଘର ଭିତରକୁ ଯାଇ ଦଶଟଙ୍କାର ମୁଦ୍ରା ଥଳିଟିଏ ଆଣି ଉକ୍ତ ମହିଳାଙ୍କ ହାତରେ ଧରାଇଦେଇ କହିଲେ, “ଏଇ ନିଅ, ଏହା ଭିତରେ ଦଶଟଙ୍କା ଅଛି ।”

ମହିଳା ଜଣକ ଏତେ ଟଙ୍କା ଦେଖି ଖୁବ୍ ବ୍ୟସ୍ତ ହୋଇ ପଡିଲେ । କହିଲେ, “ବାବୁ! ମୁଁ ତ ସାତ ଆଠ ଟଙ୍କା ପାଇଁ ଅନୁରୋଧ କରିଥିଲି । ଏବେ ଦଶଟଙ୍କା ମୋର କ’ଣ ହେବ?” ଏହା କହି ସେ ମୁଦ୍ରାଥଳିଟିକୁ ଗ୍ରହଣ ନ କରି ପୁନରାୟ ରାଧାନାଥବାବୁଙ୍କ ନିକଟକୁ ବାହୁଡିଲେ ଏବଂ ପୁନରାୟ ସେହିକଥା କହିଲେ ।

ଏବେ କବିବର ସେ ମହିଳାଙ୍କ ସରଳତା ଓ ସଚ୍ଚୋଟତା ଦେଖି ଅଭିଭୂତ ହୋଇଗଲେ । ମନେ ମନେ ଭାବିଲେ, ସତରେ ଇଏ ଅଭାବୀ ହେଲେ ହେଁ ସାଧୁ ଅଟନ୍ତି । ସୁତରାଂ ଏହାଙ୍କୁ ପୁରସ୍କୃତ କରାଯିବା ଆବଶ୍ୟକ । ଏଣୁ କବିବର ଚିଠି ଲେଖିଲେ ଯେ, ୟାଙ୍କୁ କୋଡିଏ ଟଙ୍କା ଦିଅ ।

ତା’ପରେ ରାଧାନାଥବାବୁ ସେ ମହିଳାଙ୍କୁ ବୁଝାଇ ଦେଲେ ଯେ, ତୁମେ କୋଡିଏ ଟଙ୍କା ନେଇ ଦୁଇ ବଖରା ଘର କରି ଦିଅ ଓ ନୂଆ ଢିଙ୍କିଟିଏ ବସାଇ ଦିଅ । ଗୋଟିଏ ବଖରାରେ ତୁମେ ରହିବ ଓ ଢିଙ୍କି ବସାଇ ଚଳିବ ଏବଂ ଅନ୍ୟ ବଖରାଟି ଭଡାଦେଇ କିଛି ଟଙ୍କା ବି ପାଇଯିବ । ଫଳରେ ତୁମ ଚଳିବା ପାଇଁ ଆଉ କିଛି ବି ଅସୁବିଧା ହେବ ନାହିଁ । ଭଲରେ ଚଳିବ ।

ଶେଷରେ ସେହି କଥା ହିଁ ହେଲା । ସେଦିନ ସେ ମହିଳା ଜଣକ କୋଡିଏ ଟଙ୍କା ନେଇ ଅତ୍ୟନ୍ତ ଖୁସିରେ ଚଳିଲା ।

ଏହି ଘଟଣାରୁ ଜଣାଯାଏ, କବିବର ରାଧାନାଥ ଯେତିକି ଗୁଣଗ୍ରାହୀ ଥିଲେ, ଦାନ ଗ୍ରହଣ କରିଥିବା ମହିଳା ଜଣକ ମଧ୍ୟ ତାଙ୍କଠାରୁ କିଛି କମ୍ ନଥିଲେ । ସେହି ମହାନ୍ ବ୍ୟକ୍ତିତ୍ୱ ପରବର୍ତ୍ତୀ କାଳରେ ରାୟବାହାଦୁର କବିବର ରାଧାନାଥ ରାୟ ନାମରେ ଓଡିଆ ସାହିତ୍ୟର ଯୁଗଜୟୀ ସାଧକ ପାଲଟି ଯାଇଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ