ଯଥାର୍ଥ ଚିକିତ୍ସା

ରାମନଗରରେ ଶିବୁ ନାମକ ଯୁବକଟିଏ ଥାଏ । ତା’ର ସାରା ଦୁନିଆରେ ଏକମାତ୍ର ନିଜଲୋକ ବୋଲି ବିଧବା ମା’ଟିଏ ଥାଏ । ଦିନେ ରୋଗୀ ମା’କୁ ନେଇ ଶିବୁ ବୈଦ୍ୟଙ୍କ ଘରକୁ ଗଲା । ଦେଖିଲା ଆଗରୁ ବହୁତ ଲୋକ ସେ ବୈଦ୍ୟଙ୍କ ଅପେକ୍ଷାରେ ଥା’ନ୍ତି । ଶିବୁ ମା’କୁ କହିଲା, “ମା’ ଏବେ ଏତେ ଲୋକଙ୍କ ଚିକିତ୍ସା ଶେଷ ହେବାକୁ ବହୁତ ସମୟ ଲାଗିବ । ତୁମର ପାଳି ପଡିବା ଭିତରେ ମୁଁ ଏଇ ଟିକିଏ ବଜାର ହୋଇ ଆସୁଛି । ତମେ ଏଠାରେ ବସିଥାଅ ।” ଏତିକି କହି ସେ ବାହାରକୁ ଚାଲିଗଲା ।

                ଶିବୁ ପଚିଶ ବର୍ଷର ଯୁବକ ହେଲେ ମଧ୍ୟ କୌଣସି ଭଲ ସାଂସାରିକ ବୁଦ୍ଧି ତା’ର ନଥାଏ । ପିଲାଦିନରୁ ବାପ ମରିଯିବାରୁ ମା’ ତାକୁ ଅତି ଗେହ୍ଲା କରି ବଢାଇଥାଏ । ସେଥିପାଇଁ ସେ ଖାଲି ବାଳୁଙ୍ଗା ହୋଇ ବୁଲୁଥାଏ । ପଢାପଢିରେ ତ ସେ ଆଦୌ ମନ ଦେଲାନାହିଁ । ପୁଣି ନିପଟ ଅଳସୁଆ । ଗୁଣ୍ଡା ପିଲାଗୁଡିଏ ତା’ର ସାଙ୍ଗ ହୋଇଥିବାରୁ ମଝିରେ ମଝିରେ ସେ ଚୋରୀ ମଧ୍ୟ କରେ ।

                ଯେଉଁଦିନ ଶିବୁ ତା’ ମା’କୁ ନେଇ ବୈଦ୍ୟ ଘରକୁ ଗଲା ତା’ର ଠିକ୍ ପୂର୍ବଦିନ ଗ୍ରାମ ଶେଷରେ ଥିବା ପୋଖରୀ ଘାଟ ଉପରେ ଜଣେ ଆଗନ୍ତୁକକୁ ଛୁରା ଦେଖାଇ ଅନେକ ଟଙ୍କା ସେ ଛଡାଇ ନେଇଥିଲା । କିନ୍ତୁ ଏତେଗୁଡାଏ ଟଙ୍କା ଏକାଠି ସେ ତା’ ଜୀବନରେ କେବେବି ଦେଖି ନଥିଲା । ଗଣି ଦେଖିଲା ଚାରି ହଜାର ଟଙ୍କା । ଗୋଟିଏ ବଡ ତେନ୍ତୁଳି ଗଛ ଗଣ୍ଡିରେ ଥିବା ଖୋଳ ଭିତରେ ନୋଟ ବିଡା ସବୁ ରଖିଦେଇ ମାତ୍ର ଶହେଟି ଟଙ୍କା କାଢି ଆଣିଲା । ବହୁତ ରାତିରେ ଘରକୁ ଫେରିଲା ।

                ଘରକୁ ଫେରି ଶିବୁ ଦେଖିଲା ମା’ ଶର୍ଦ୍ଦି ଜରରେ କମ୍ପୁଛି । ଶିବୁ ବହୁତ ଗମ୍ଭୀର ଭାବରେ କହିଲା, “ମା’, ତୁମପାଇଁ ଭଲ ଚିକିତ୍ସା ଦରକାର । କାଲି ସକାଳେ ମୁଁ ତୁମକୁ ଜଣେ ଭଲ ବୈଦ୍ୟ ପାଖକୁ ନେଇଯିବି ।” ପରଦିନ ମା’କୁ ବୈଦ୍ୟଙ୍କ ଘରେ ବସାଇ ଶିବୁ ଏଠି ସେଠି ଘୁରି ପୁଣି ଫେରି ଆସି ଦେଖିଲା ତାର ମା’ ହାତଗୋଡ ଛଟଛଟ କରି ମୂର୍ଚ୍ଛା ଗଲା । ବୈଦ୍ୟ ତା’ର ନାଡୀ ପରୀକ୍ଷା କରୁଛନ୍ତି । ଏପରି ଅବସ୍ଥା ଦେଖି ଶିବୁ ଅତ୍ୟନ୍ତ ବ୍ୟସ୍ତ ହୋଇ ପଚାରିଲା, “ବୈଦ୍ୟଜୀ, ମୋ ମା’ର ଏମିତି କ’ଣ ହେଲା?” ଏହା କହୁ କହୁ ସେ ତା’ ମା’କୁ ଧରି ବସିଲା ।

                ବୈଦ୍ୟ କହିଲେ, “ଓଃ ତେବେ ତୁମେ ଏଇ ବୁଢୀର ପୁଅ? ଠିକ୍ ସମୟରେ ଏଠାକୁ ଆସିଯାଇଛ । ତୁମ ମା’ର ଦେହରେ ବାୟୁର ପ୍ରକୋପ ଅତିମାତ୍ରାରେ ବୃଦ୍ଧି ପାଇଛି । ଏବେ ଲୁହା ତତାଇ ଚେଙ୍ଗା ଦେଲେ ଭଲ ହେବ ।”

                ଠିକ୍ ସେତିକିବେଳେ ବୈଦ୍ୟଙ୍କ ସହକାରୀ ଯୁବକ ଗୋଟିଏ ତତଲା ଲୁହା ଧରି ସେଠାରେ ଆସି ପହଁଚିଲା । ଏଣେ ଶିବୁ ତା’ ମା’ଙ୍କୁ ଭଲ କରି ଧରିଲା । କିନ୍ତୁ ବୈଦ୍ୟଙ୍କ ତତଲା ଲୁହା ମା’ ଦେହରେ ଲାଗିବା ପରିବର୍ତ୍ତେ ଶିବୁ ଦେହରେ ଲାଗିଗଲା । ଫଳରେ ସେ ଯନ୍ତ୍ରଣାରେ ଚିତ୍କାର କଲା ।

                ବୈଦ୍ୟ ବଡ ଅବଶୋଷର ସହିତ କହିଲେ “ଓଃ ମୋର କିମିତି ଏପରି ଭୁଲ୍ ହେଲା ଯେ ତୁମ ମା’ ବଦଳରେ ତୁମ ଦେହରେ ମୁଁ ତତଲା ଲୁହାର ଦାଗ ଦେଲି? ତୁମ ମା’ ଦେହରେ ତାହା ଲାଗିଥିଲେ ସେ ବିଚାରୀ ହୁଏତ ବଂଚି ଯାଇଥାନ୍ତା ।”

                ମା’ର ଆସନ୍ନ ମୃତ୍ୟୁ ଓ ନିଜ ହାତର ପୋଡାଦାଗର ଯନ୍ତ୍ରଣା, ଏ ଦୁଇଟା ମିଶି ଶିବୁକୁ ଯେପରି ପାଗଳ କରିଦେଲେ । ଶିବୁ ରାଗିଯାଇ ସେ ବୈଦ୍ୟଙ୍କର ଚୁଟି ଧରି କହିଲା, “ତୁମେ ବୈଦ୍ୟ ନୁହଁ, ତୁମେ ହତ୍ୟାକାରୀ ।”

                ବୈଦ୍ୟ ଶିବୁର ହାତରୁ ତାଙ୍କ ଚୁଟି ଛଡାଇ ନେଇ କହିଲେ, “ମୁଁ ଆଜିପର୍ଯ୍ୟନ୍ତ ଜାଣିଥିଲି ଯେ ତୁମେ ଗୋଟାଏ ଚୋର । ହତ୍ୟାକାରୀ ମୁଁ ନୁହେଁ, ବରଂ ହତ୍ୟାକାରୀ ତୁମେ । କାଲି ତୁମେ ଯେଉଁ ଲୋକର ଧନ ଲୁଟି ନେଇଥିଲ, ବିଚାରା ସେ ତାର ଝିଅକୁ ବାହାଦେବ ବୋଲି କ୍ଷେତ ବିକ୍ରି କରି ଟଙ୍କା ନେଉଥିଲା । ତା’ର ସମ୍ବଳ ବୋଲି କହିଲେ ସେଇ ସେତିକି ମାତ୍ର । ସେତକ ହରାଇବାରୁ ଏଭଳି ଖବର ଶୁଣି ତା’ର ଝିଅ ମଧ୍ୟ କୁଅକୁ ଡେଇଁପଡି ଆତ୍ମହତ୍ୟା କଲା । ଏବେ ସେ ଝିଅର ମୃତଦେହର ଦାହସଂସ୍କାର ପାଇଁ ମଧ୍ୟ ତା’ ବାପା ହାତରେ କାଣୀ କଉଡିଟିଏବି ସୁଧା ନାହିଁ । ତୁମର କୁକର୍ମ ଯୋଗୁଁ ତା’ ଝିଅ ମଲା, ପୁଣି ତୁମ ହାତରେ ଦାଗ ଆସିବାରୁ ମା’ ବି ମଲା । ଏବେ ଏ ଦୁଇଟି ମୃତ୍ୟୁ ପାଇଁ କେବଳ ତୁମେହିଁ ଦାୟୀ ।”

                ଶିବୁ କାଠ ଭଳିଆ ବସି ରହି ଏସବୁ କଥା ଶୁଣୁଥିଲା । ତା’ପରେ ସେ ବୈଦ୍ୟଙ୍କ ପାଦ ଧରି କାନ୍ଦି କାନ୍ଦି କହିଲା, “ବୈଦ୍ୟଜୀ ମୋ ମା’ର ଅବସ୍ଥା ଦେଖନ୍ତୁ । ମୁଁ ଏବେ ଟଙ୍କା ନେଇ ଆସୁଛି । ସେ ତା’ ନିଜକୁ ଅନେକ ଧିକ୍କାର କଲା ଓ ପଶ୍ଚାତାପ କରୁ କରୁ ସେଠାରୁ ସିଧା ବାହାରି ଗଲା ।”

                ସେ ସେଠାରୁ ଯିବା ପରେ ତା’ ମା’ ଉଠି ବସିଲା ଓ ବୈଦ୍ୟଙ୍କୁ କହିଲା, “ବୈଦ୍ୟରାଜ, ଏ ପର୍ଯ୍ୟନ୍ତ ମୁଁ ଜାଣି ନଥିଲି ଯେ ମୋ ପୁଅ ଗୋଟାଏ ଚୋର । ଆପଣହିଁ ତା’ର ଯଥାର୍ଥ ଚିକୀତ୍ସା କରି ତାକୁ ଭୁଲ୍ ବାଟରୁ ଠିକ୍ ବାଟକୁ ଆଣିଛନ୍ତି । ମୋ ମନରେ ଆଶଙ୍କା ଥିଲା ଯେ ଯେଉଁ ଯୋଜନା ଆମେ କଲେ ସେଥିରେ ତା’ର ବିଶେଷ କିଛି ପରିବର୍ତ୍ତନ ହେବନାହିଁ । କିନ୍ତୁ ଆପଣଙ୍କ ଔଷଧ ତ ଠିକ୍ କାଟୁ କରିଛି ।”

                ବୈଦ୍ୟ କହିଲେ “ମୋ ମନରେ ମଧ୍ୟ ସେହି ଏକହିଁ ଆଶଙ୍କା ଥିଲା । ସେଥିପାଇଁ ତ ମୁଁ ଜାଣି ଜାଣି ତା’ ହାତରେ ଚେଙ୍ଗା ଦେଲି । ଏବେ ସେହି ଘା’ ଶୁଖାଇବାକୁ ଔଷଧ ମୁଁ ଦେବି ଓ ବିନା ପଇସାରେ ତା’ର ଚିକିତ୍ସା ବି କରିବି । କାରଣ ତା’ ମନରେ ପରିବର୍ତ୍ତନ ଆଣିବାକୁ ମୋତେ କେତେ ଯେ ନିଷ୍ଠୁର ହେବାକୁ ପଡିଲା ।”

                ଏପର୍ଯ୍ୟନ୍ତ ଭିତରେ ବସିଥିବା ବୈଦ୍ୟଙ୍କ ବନ୍ଧୁ ବାହାରକୁ ଆସି କହିଲେ, “ଶିବୁ ତା’ ମା’କୁ ଧରି ଏଠାକୁ ଆସିବାରୁ ତ ମୁଁ ତାକୁ ଠିକ୍ ଚିହ୍ନି ପକାଇଲି । କିନ୍ତୁ ମୋର ଝିଅର ଆତ୍ମହତ୍ୟା କଥା ତୁମେ କେଉଁଠୁ ଆଣି କହିଲ?”

                ବୈଦ୍ୟ କହିଲେ, “ଶିବୁର ମନରେ ପରିବର୍ତ୍ତନ ଆଣିବାକୁ ଯାଇ ମୁଁ ଏପରି ଏକ ମନଗଢା କଥା କହିଲି । ପ୍ରକୃତରେ ଦେଖିବାକୁ ଗଲେ ସେ ଗୋଟିଏ ଭଲ ପିଲା । ସାଙ୍ଗସାଥିଙ୍କ ସହିତ ପଡି ଆଜି ସେ ଏପରି ନଷ୍ଟ ହୋଇ ଯାଇଛି ।”

                ସେହି ସମୟରେ ଶିବୁ ସେଠାରେ ଟଙ୍କା ଥଳୀ ଧରି ପ୍ରବେଶ କଲା । ମା’କୁ ଭଲ ଅବସ୍ଥାରେ ଦେଖି ଓ ଟଙ୍କା ବୈଦ୍ୟଙ୍କୁ ଦେଇ ସେ ବହୁତ ଅନୁତାପ କରି କହିଲା, “ଆପଣଙ୍କ ଦୟାରୁ ଆଜି ମୋର ମା’ ମଧ୍ୟ ବଂଚିଲା ଓ ମୋ ମନ ମଧ୍ୟ ପୁରାପୁରି ବଦଳିଗଲା । ଅନ୍ୟର ଧନ ନେଲେ ସେମାନଙ୍କ ଅଭିଶାପରେ ମୋ ମା’ ମରିଥାନ୍ତା । ଆଜିଠାରୁ ମୁଁ ନିଜେ ପରିଶ୍ରମ କରି ରୋଜଗାର କରିବି । ଏଥିରୁ ମୁଁ ଯଥେଷ୍ଟ ଶିକ୍ଷା ପାଇଛି ।”

                ଶିବୁର ଏହି ପରିବର୍ତ୍ତନ ଯୋଗୁଁ, ତା’ର ମା’, ବୈଦ୍ୟ ଓ ବୈଦ୍ୟଙ୍କ ବନ୍ଧୁ ବହୁତ ଖୁସି ହେଲେ । ସମସ୍ତେ ତା’ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ତାକୁ ଆଶିର୍ବାଦ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ