ଯଦୁମଣି ରହସ୍ୟ

ବେଶ୍ୟା ପ୍ରଣୟ

                କବି ଯଦୁମଣି ସବୁ ସମୟରେ ରାଜ ଦରବାରରେ ସାହିତ୍ୟ ଚର୍ଚ୍ଚାରେ ବ୍ୟସ୍ତ ରହୁ ଥିଲେ । ଘର ସଂସାର ପ୍ରତି ବିଶେଷ ଧ୍ୟାନ ଦେଇ ପାରୁ ନଥିଲେ । କବିଙ୍କର ପତ୍ନୀ ଅତ୍ୟନ୍ତ ଉଦ୍ଧତ ସ୍ୱଭାବର ଥିଲେ । ଯେଉଁ ଦିନ କବି ଯଦୁମଣି ଦରବାରରୁ ଆସିବା ସମୟରେ ଘର ପାଇଁ ଆବଶ୍ୟକୀୟ ସାମଗ୍ରୀ କିଣି ଆଣି ନଥାନ୍ତି, ସାଂଗେ ସାଂଗେ ଆରମ୍ଭ ହୁଏ କବି ଯଦୁମଣିଙ୍କୁ ଭତ୍ସର୍ନା । ଥରେ କବି ଦରବାରରୁ ଫେରିବା ପରେ ରୋଷେଇ ପାଇଁ ଆବଶ୍ୟକୀୟ ସାମଗ୍ରୀ ଆଣିବାକୁ ଭୁଲି ଯାଇ ଥାଆନ୍ତି । ପତ୍ନୀ ଏହା ଦେଖି ଖୁବ୍ ଜୋର୍ରେ ରାଗି ଗଲେ । ଉଭୟଙ୍କ ମଧ୍ୟରେ ଢେର କିଛି ସମୟ ପାଇଁ ପାଟି ତୁଣ୍ଡ ଲାଗି ଗଲା । କବି ଯଦୁମଣି କିଛି ନଖାଇ ନପିଇ ଘରୁ ବାହାରି ଗଲେ ।

ତହିଁ ଆର ଦିନ କବିଙ୍କର ରମଣ କରିବାର ଲାଳସା ଜାଗ୍ରତ ହେଲା । କ’ଣ କରିବେ? କବି ବାହାରିଲେ ନଗରର ସବୁ ଠାରୁ ସୁନ୍ଦରୀ ବେଶ୍ୟା ଲୀଳାବତୀ ନିକଟକୁ । ସୁନ୍ଦରୀ ବେଶ୍ୟା ଲୀଳାବତୀ କବିଙ୍କୁ ଦେଖି କହିଲା, “କବି ମହାଶୟ ! ଆପଣ ଆଜି ରାତିରେ ଆସନ୍ତୁ ।” ବେଶ୍ୟାର କଥାରେ ସମ୍ମତି ପ୍ରକାଶ କରି କବି ବେଶ୍ୟା ପଡାରୁ ଚାଲି ଆସିଲେ । ସୁନ୍ଦରୀ ବେଶ୍ୟା ଲୀଳାବତୀର କହିବା ଅନୁଯାୟୀ କବି ଯଦୁମଣି ଠିକ୍ ସମୟରେ ଯାଇ ବେଶ୍ୟା ପଡାରେ ପହଁଚି ଗଲେ । ଏହି ସମୟରେ ସୁନ୍ଦରୀ ବେଶ୍ୟା ଲୀଳାବତୀ ଅନ୍ୟ ଏକ ପୁରୁଷ ସହିତ କାମ କାର୍ଯ୍ୟରେ ଲିପ୍ତ ଥାଏ । କବି ଯଦୁମଣି ଯାଇ କବାଟରେ ଯେତେ ଆଘାତ କଲେ ମଧ୍ୟ ସୁନ୍ଦରୀ ବେଶ୍ୟା ଲୀଳାବତୀ କବାଟ ଫିଟାଇଲା ନାହିଁ । କବି ଯଦୁମଣି ଫେରି ଆସି ସେହି ସୁନ୍ଦରୀ ବେଶ୍ୟା ଉଦ୍ଧେଶ୍ୟରେ ଏକ କବିତା ଲେଖି ଥିଲେ । କବିତାଟି ହେଉଛି –

“ଜାଣୁ ଜାଣୁ ଖଣାରେ ମୁଁ ପଡିଲିରେ

ଜଣା ଶୁଣା ସରଣା ଯା ଛାଡିଲିରେ

ଭଣଟିଣ ବୁଦ୍ଧିରେ ତେଲ ଘଣା ମଧ୍ୟରେ

ଚଣା ପୋଷଇ ବଣା ଆଡିଲିରେ ।”

ତହିଁ ଆର ଦିନ ଯେତେବେଳେ ବେଶ୍ୟା ସହିତ କବିଙ୍କର ସାକ୍ଷାତ ହେଲା, ବେଶ୍ୟାଟି ଶଙ୍କି ଗଲା । ଏହା ପରେ କବି ଯଦୁମଣି ଲେଖିଥିବା କବିତାଟି ତାକୁ ଶୁଣାଇ ଥିଲେ । ଏହି କବିତାରେ କବି ବେଶ୍ୟାର ଠକାମୀ ସଂପର୍କରେ ବର୍ଣ୍ଣନା କରି ଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ