ଯଦୁମଣି ରହସ୍ୟ

ରାଜାଙ୍କୁ ନିନ୍ଦା

                ଦିନକର କଥା । କବି ଯଦୁମଣି କୌଣସି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଭାରି ବ୍ୟସ୍ତ ଥାଆନ୍ତି । ନିଜର ନିତ୍ୟ କର୍ମ ସାରି ରାଜ ଦରବାରକୁ ଯିବା ପାଇଁ ବାହାରି ଥାଆନ୍ତି । ଏହି ସମୟରେ ତାଙ୍କର ପତ୍ନୀ ଆସି ତାଙ୍କୁ କହିଲେ, “ଆଜି ନିଶ୍ଚୟ ବ୍ୟବସ୍ଥା କରି ଆସି ଥିବ ।” କ’ଣ କି ବ୍ୟବସ୍ଥା କିଛି ଜଣା ପଡୁ ନଥାଏ । କବି ଯଦୁମଣି ତାଙ୍କ ପତ୍ନୀଙ୍କ କଥା ଶୁଣି ମୁଣ୍ଡ ହଲାଇ ହଁ କହିଲେ । ଏହା ପରେ ତର ତର ହୋଇ ରାଜ ଦରବାର ଅଭିମୁଖେ ବାହାରି ପଡିଲେ । ରାଜ ଦରବାରକୁ ସ୍ୱୟଂ ମହାରାଜାଙ୍କର ମଧ୍ୟ ଆଗମନ ଘଟି ଥାଏ । କବି ମହାରାଜାଙ୍କୁ ଦରବାରରେ ଦେଖି ବହୁତ ଖୁସି ହୋଇ ଗଲେ । ଭାବିଲେ ମନେ ମନେ ଯାହା ପାଂଚିଛି, ତାହା ଆଜି ନିଶ୍ଚୟ ପୂରଣ ହେବ । କବି ଯଦୁମଣି ସଂଗେ ସଂଗେ ମଣିମା ବୋଲି ଯେମିତି ସମ୍ବୋଧନ କରିଛନ୍ତି ରାଜା ଟିକିଏ ବିରକ୍ତି ଭାବ ପ୍ରକାଶ କରି କହିଲେ, ‘କ’ଣ, । ଏହା ପରେ କବି ପୁଣି ଥରେ ଡାକି ଦେଲେ, ପୁର୍ନବାର ରାଜା ସେହି ପରି ଉତ୍ତର ପ୍ରଦାନ କଲେ । ରାଜାଙ୍କର ଏପରି ଉତ୍ତର ଦେବା ଶୁଣି କବି ଟିକିଏ ନୀରବ ରହି କହିଲେ,

                ନବଦୁର୍ଗତା

                ଇଷ୍ଟ ଦେବତା ପରି ଆଚର ।

                ଏହି ପଦେ କଥା କହି କବି ଯଦୁମଣି ଏକ ମୁହାଁ ହୋଇ ରାଜାଙ୍କ ଦରବାରରୁ ଚାଲି ଆସିଲେ । ସେହି ସମୟରେ ରାଜା କିନ୍ତୁ ସେ କଥା ପ୍ରତି ଏତେ ଗୁରୁତ୍ୱ ଦେଇ ନଥାନ୍ତି । ରାତିରେ ହଠାତ୍ ଶୋଇବାକୁ ଯିବା ସମୟରେ ରାଜାଙ୍କର ସେ କଥା ମନେ ପଡି ଗଲା । ରାଜା ମଧ୍ୟ ମନେ ମନେ ଖୁବ୍ ଅନୁତାପ କଲେ । କବି ଯଦୁମଣି ଯେତେବେଳେ ଆସନ୍ତା କାଲି ରାଜ ଦରବାରକୁ ଆସିବେ ପ୍ରଥମେ ଏକଥା ପଚାରିବେ ବୋଲି ମନସ୍ଥ କରି ରାଜା ନିଦ୍ରା ଗଲେ ।

                ପର ଦିନ ସକାଳୁ ସକାଳୁ କବି ଯଦୁମଣି ଆସି ନିତିଦିନ ପରି ସେଦିନ ମଧ୍ୟ ରାଜ ଦରବାରରେ ଆସି ଠିକ୍ ସମୟରେ ପହଁଚି ଗଲେ । ରାଜା ସଂଗେ ସଂଗେ ତାଙ୍କୁ ଦେଖି ପଚାରିଲେ – “କ’ଣ କବି ମହାଶୟ ! ସର୍ବ କୁଶଳ ତ ! କାଲି କେଉଁ କଥା ଆପଣ ମୋତେ ପଚାରୁ ଥିଲେ ।” ରାଜାଙ୍କ କଥା ଶୁଣି କବି ଯଦୁମଣି କହିଲେ, “କାଲି ତ’ ମୋ ଉପରେ ଆପଣ ବିରକ୍ତ ହେଲେ । ତେଣୁ ଦୁଇଟି ଧାଡି ଗୀତ ଗାଇ ଦେଇ ଚାଲି ଗଲି ।” ରାଜା ତତ୍କ୍ଷଣାତ୍ କହିଲେ, “କବି ମହାଶୟ ! ମୁଁ ସେଇ ଗୀତର ମର୍ମ ବୁଝି ନାହିଁ, ମୋତେ ଦୟା କରି ସେଇ ଗୀତର ମର୍ମ ବୁଝାଇ ଦିଅନ୍ତୁ,” କବି ଯଦୁମଣି ବୁଝାଇବାକୁ ଯାଇ କହିଲେ, “ନବଦୁର୍ଗର ରାଜା ଆଉ ଇଷ୍ଟ ଦେବତା ପରି ଆପଣଙ୍କର ଆଚରଣ । ମାନେ  ବାଉରୀ ଠାକୁରାଣୀ ହେଉଛନ୍ତି ନୟାଗଡର ଇଷ୍ଟ ଦେବତା । ତାଙ୍କର ଯେପରି କୋପେ ବର ନଚେତ୍ ତପେ ବର, ଆପଣଙ୍କର ଆଚରଣ ମଧ୍ୟ ଠିକ୍ ସେହି ପରି । ମୁଁ ଆପଣଙ୍କୁ ଗତ କାଲି ମୋର ମନର କଥା ଜଣାଇ ଥାନ୍ତି । କିନ୍ତୁ ଆପଣ’ତ ମୋ ଉପରେ ପୁରାପୁରି  ରାଗି ଗଲେ । ମୁଁ ଆଉ ମୋ ମନର କଥା ଜଣାଇବି କ’ଣ ମୁଁ ସିଧା ମୋ ବାଟରେ ଚାଲି ଗଲି ।” ରାଜା କବିଙ୍କ କଥା ଶୁଣି ସାରି, ତାଙ୍କ ଅଭିଯୋଗ କ’ଣ ଜାଣିଲା ପରେ ତତ୍କ୍ଷଣାତ୍ ତାଙ୍କର ଅଭିଳାଷ ପୂରଣ କରି ଦେଲେ । ଏହା ପରେ କବି ମନ ଖୁସିରେ ଘରକୁ ଫେରିଲେ ।       


ଗପ ସାରଣୀ

ତାଲିକାଭୁକ୍ତ ଗପ