ଯଦୁମଣି ରହସ୍ୟ

ଆଜି ହୋଇ ଥିଲା ସେହି ତରକାରୀ

                କବି ଯଦୁମଣିଙ୍କର ରାଜ ଅନ୍ତଃପୁର ମଧ୍ୟରେ ପ୍ରବେଶ ଥିଲା । ଦିନେ ରାଜା ଓ ରାଣୀ ଉପବନରେ ବସି ଗପସପ ହେଉ ଥିଲେ । ଠିକ୍ ଏହି ସମୟରେ ଯାଇ କବି ଯଦୁମଣି ସେଠାରେ ପହଁଚି ଗଲେ ।

                ରାଣୀ କବି ଯଦୁମଣିଙ୍କ ଘର କଥା ଓ ଅନ୍ୟାନ୍ୟ କଥା ପଚାରିଲେ । କଥା ପ୍ରସଙ୍ଗରେ ରାଣୀ କବି ଯଦୁମଣିଙ୍କୁ ପଚାରିଲେ – କବି, ଆଜି ତୁମ ଘରେ କି ତରକାରୀ ହୋଇଥିଲା?

                କବି ଯଦୁମଣି ନିଜର ବଡିମା ନ ଦେଖାଇ କହିଲେ –

                                                ପିଲାଟି ମଧୁର ମୁଣ୍ଡରେ ଟୋପି

                                      କୃଷ୍ଣ ଅବତାରେ ମୋହିଲେ ଗୋପୀ ।

                                                ରାମ ଅବତାରେ ରାବଣ ମାରି

                                      ଆଜି ହୋଇ ଥିଲା ସେହି ତରକାରୀ ।

                ଅର୍ଥାତ୍ – ବାଉଁଶର ଗଜା ବା କରଡି ବାହାରିଲା ବେଳେ ତା’ ଉପରେ ଛତୁ ପରି ଏକ ଟୋପି ଦେଖା ଯାଏ । ବାଉଁଶ ନଳୀରେ ବଂଶୀ ପ୍ରସ୍ତୁତ ହୁଏ । ସେହି ବାଉଁଶ ବଜାଇ କୃଷ୍ଣ ଚନ୍ଦ୍ର ଗୋପୀ ମାନଙ୍କର ମନକୁ ମୋହିତ କରି ଥିଲେ । ରାମ ଅବତାରେ ମଧ୍ୟ ସେହି ବାଉଁଶ କାଣ୍ଡ ଦ୍ୱାରା ରାବଣକୁ ହତ୍ୟା କରି ଥିଲେ । ସେହି ବାଉଁଶ କରଡ ତରକାରୀ ବା କରଡି ରାଇ ଆଜି ଆମ ଘରେ ହୋଇ ଥିଲା ।

ରାଣୀ କବି ଯଦୁମଣିଙ୍କର ଦୁଃଖ ଦୈନ୍ୟତାରେ ସେଦିନ କାନ୍ଦି ପକାଇ ଥିଲେ । ଏତେ ଦୁଃଖରେ କବି ଯଦୁମଣି ଯେ ଜୀବନ ଯାପନ କରୁ ଅଛନ୍ତି । ସେ ସଙ୍ଗେ ସଙ୍ଗେ ଲୋକ ପଠାଇ କବି ଯଦୁମଣିଙ୍କ ଘରକୁ କଦଳୀ, କଖାରୁ, ଖମ୍ବଆଳୁ, ବାଇଗଣ, ମୁଗ ଡାଲି ଓ ସାରୁ ଏବଂ ଅରୁଆ ଚାଉଳ ଗୋଟିଏ ଶଗଡରେ ଶଗଡେ କରି ପଠାଇ ଦେଇ ଥିଲେ ।

ରାଜ ଅନ୍ତଃପୁରର ପୋଇଲି ମାନେ ରାଣୀଙ୍କୁ ଓ କବି ଯଦୁମଣିଙ୍କୁ ଧନ୍ୟ ଧନ୍ୟ ବୋଲି କହିଥିଲେ ।

କବି ଯଦୁମଣିଙ୍କ ପତ୍ନୀ ଅଞ୍ଜନା ଏ ସବୁ ପଦାର୍ଥ ଦେଖି ବିଶେଷ ଖୁସୀ ହେଲେ । ସ୍ତ୍ରୀ ମାନଙ୍କର ସ୍ୱଭାବ ତ ସ୍ୱାମୀ ମାନଙ୍କର ରୋଜଗାରରେ ଖୁସୀ ହେବା ।   


ଗପ ସାରଣୀ

ତାଲିକାଭୁକ୍ତ ଗପ