ଯଦୁମଣି ରହସ୍ୟ

ବୁଢୀ ହୋଇ ନାହିଁ ମାଇପ ଅଛି

                କବି ଯଦୁମଣିଙ୍କ ପିତା ମୁକୁନ୍ଦ  ରାଜାଙ୍କ ଦୟାରୁ ଜଗନ୍ନାଥ ଠାକୁରଙ୍କର କେତେକ ଦେବୋତର ଜମି ଚାଷ କରି ଚଳୁ ଥାନ୍ତି । ମୁକୁନ୍ଦ  ମଲେ । ତାପରେ ସେ ଜମିକୁ କବି ଯଦୁମଣି ମଧ୍ୟ ରଏତ ଭାବେ ଚାଷ କଲେ । ମାତ୍ର ଜମିରେ ଭଲ ଫସଲ ହେଉ ନଥିବା ଯୋଗୁଁ କବି ଯଦୁମଣି ବର୍ଷକୁ ବର୍ଷ କର ଦେଇ ପାରୁ ନଥିଲେ । ଜମିକୁ ଚାହିଁ ମଧ୍ୟ କର ବହୁତ ହୋଇ ଯାଉ ଥାଏ । ସେତେ ବେଳକୁ କବି ଯଦୁମଣିଙ୍କୁ ରାଜ ଦରବାରରେ ବିଶେଷ କେହି ଚିହ୍ନି ନଥାନ୍ତି । କବି ଯଦୁମଣି ଅତି ଅସୁବିଧାରେ ଚଳୁ ଥାନ୍ତି ।

                ଜଗନ୍ନାଥ ସମ୍ପତ୍ତିର ସିଙ୍କରଣ କାଳନ୍ଦୀ ଚରଣ ଚ୍ୟାଉ ପଟ୍ଟନାୟକ, କର ପାଇଁ ବାରମ୍ବାର ପିଆଦା ପଠାଉ ଥାନ୍ତି । ତଲବ କରୁ ଥାନ୍ତି । ଶେଷରେ ଦିନେ ପଟ୍ଟନାୟକେ, କବି ଯଦୁମଣିଙ୍କୁ ଅପମାନ ସୂଚକ କଥା କହିଲେ । କବି ଯଦୁମଣିଙ୍କୁ ତାହା ଖୁବ୍ ବାଧିଲା । କବି ଯଦୁମଣି ବିଶେଷ ଦୁଃଖରେ ମ୍ରିୟମାଣ ହୋଇ ଗୋଟିଏ କବିତା ଲେଖି ଦରବାରକୁ ପଠାଇଲେ ।

                ରାଜା କବିତାଟି ପାଠ କରି ଖୁସି ହେଲେ ଓ କବି ଯଦୁମଣି ଚାଷ କରୁଥିବା ଭୂସମ୍ପତ୍ତିକୁ ନିଷ୍କର ରୂପେ ସନନ୍ଦ ଲେଖି ଦେଲେ । ସଙ୍ଗେ ସଙ୍ଗେ କବି ଯଦୁମଣିଙ୍କୁ ରାଜ ଦରବାରକୁ ଡକାଇ ସମ୍ମାନିତ କଲେ ।

କବିତାଟି ଦିଆଗଲା –

                                ଜମିର ମାଲିକ ଜଗା ବଳିଆ

                                ତହିଁ ସିଠ ଅଧେ ଚ୍ୟାଉ କାଳିଆ

                                ଜମି ଅଳିଜଳି କିସ ବାହୁନିବା

                                ଯେସନେ ମଇଁଷି ଗୋଠ ଚାଳିଆ ।

                                ଜମିର ଆକାର ତମ୍ବୁ

                                ତହିଁ ନ ରହଇ ଟୋପିଏ ଅମ୍ବୁ ।୧ ।

                                ଚାରି ପଟ ବିଲ ଶକତି ଆକାର

                                ମୋ ବିଲ ଖଣ୍ଡିକ ଅଟଇ ଶମ୍ଭୁ ।୨ ।

                                ପାଂଚ କିଆରୀକି ପାଂଚ ବନ୍ଧନ

                                ହିଡ ବାଡ ମେଳ ତହିଁ ଶୋଭନ

                                ପ୍ରତି କିଆରୀରେ ତିନି ତିନି ଖାତ

                                ସେ ଅଟଇ ବଣ ପଂଚଲୋଚନ ।୩ ।

                                ମାଳୀ ତ ତହିଁକି ଡାହୁକା ନଈ

                                ବୃଷ୍ଟି ହେଲେ କରେ ସେ ଜଳ ଖାଇ ।

                                କର୍ପୁର ଚନ୍ଦନ ଗୋଳି ଦେଉ ଥାଇ

                                ପଟୁ ପଟୁ ପଟ ଆଳି କି ଦେଇ ।୪ ।

                                କିସ କହିବି ସେ ଚ୍ୟାଉ ପଟ୍ଟନାୟକ ଗୁଣ

                                ଭିଆଉ ଭିଆଉ ଦିଆଉ ଅଛି ସେ ଏତେ କଷଣ ।୫ ।

                                କଂସା ବିକି ଟଙ୍କା ଦେବାକୁ ମୋର ଚିତ୍ତ ବଳିଲା

                                ପିଲାଏ ବୋଇଲେ ଆମ୍ଭର ଏବେ ସବୁ ସରିଲା ।୬ ।

                                ଭାତ ସିନା ଏବେ ଖାଇବା ତଳେ ପତର ପାଡି

                                ତୋରାଣୀ କେମନ୍ତେ ପିଇବା ତଳେ ମୁହଁକୁ ମାଡି ।୭ ।

                                ପୋଡା କପାଳକୁ ଦୁର୍ବଳ ହଂସା

                                ଜାଗଇ ପଥର କୁଣ୍ଡି ମୋ କଂସା

                                ଗରା ବୋଲିବାକୁ ଭଙ୍ଗା ମାଠିଆ

                                ରୂପା ଦୁଗାଁ ଖଜା ଚଢା ତାଟିଆ

                                ଘରେ ନାହିଁ କିଛି, ବୁଢୀ ହୋଇ ନାହିଁ ମାଇପ ଅଛି ।୮ ।


ଗପ ସାରଣୀ

ତାଲିକାଭୁକ୍ତ ଗପ