ଯଦୁମଣି ରହସ୍ୟ

ନିଜ ରାଜ୍ୟର ଟେକ ରଖିଲେ

                ସେତେବେଳକୁ ନୟାଗଡର ରାଜା ବିନାୟକ ସିଂହ ମାନଧାତା । ସେ ଜଣେ କାବ୍ୟ କବିତା ଓ କଳା ପ୍ରିୟ ବ୍ୟକ୍ତି ଥିଲେ । ବଣ ଭୋଜୀ ହେବ । ତା ସଙ୍ଗେ ସାହିତ୍ୟ ଚର୍ଚ୍ଚା ଓ ସଙ୍ଗୀତ ନୃତ୍ୟ ପରିବେଷଣ ନିମନ୍ତେ ଇଚ୍ଛା କରି ପଡୋଶି ରାଜା ମାନଙ୍କୁ ନିମନ୍ତ୍ରଣ କଲେ । ରଣପୁର ଦଶପଲ୍ଲା ଓ ଖଣ୍ଡପଡା ପ୍ରଭୃତିର ରାଜା ମାନେ ନିମନ୍ତ୍ରିତ ହୋଇ ନୟାଗଡ ରାଜ୍ୟରେ ଉପସ୍ଥିତ ହେଲେ । ବଣ ଭୋଜୀର ଆୟୋଜନ ହେଲା । ନୟାଗଡର ରାଜା କବି ଯଦୁମଣିଙ୍କୁ ସଙ୍ଗରେ ଧରି ବଣ ଭୋଜୀ ହେବା ସ୍ଥାନରେ ଆସି ଉପସ୍ଥିତ ହେଲେ । ତିନି ଦିନ ଧରି ଭଞ୍ଜ ସାହିତ୍ୟ ଆଲୋଚନା ହେଲା । ଶେଷ ଦିନ ପରସ୍ପର ମଧ୍ୟରେ ଖୁସିବାସି ହେଲେ ।

                କବି ଯଦୁମଣିଙ୍କୁ ଚାହିଁ ନୟାଗଡ ରାଜା ନିର୍ଦ୍ଧେଶ ଦେଲେ କବି ଭାଇ ରାଜା ମାନେ ଆସିଛନ୍ତି । ସେମାନଙ୍କୁ ଲକ୍ଷ୍ୟ କରି ପଦେ କବିତା ରଚନା ହେଉ ।

କାଲ ଠାର କାଲ ମା’ ଜାଣେ । କବି ଯଦୁମଣି ବୁଝି ଗଲେ ଯେ ରାଜାଙ୍କର ପ୍ରକୃତ ଉଦ୍ଧେଶ୍ୟ କ’ଣ? ତା’ପରେ କବି ଯଦୁମଣି ମଧ୍ୟ ଉପହାର ପାଇବା ଆଶାରେ ଏ ପ୍ରକାର ସୁବିଧା ସୁଯୋଗ ଖୋଜୁ ଥିଲେ । ସେ ସୌଭାଗ୍ୟ ଯେଉଁଠି ମିଳିଛି, ସେ କି ଆଉ ଛାଡନ୍ତି ।

ସେ କ୍ଷଣ କାଳେ ସବୁ ଆଡକୁ ଦୃଷ୍ଟି ପକାଇଲେ । ଦେଖିଲେ ରାଜା ମାନେ ନିଜର ଦଳ ବଳ ନେଇ ବସିଛନ୍ତି । ସେ ପ୍ରଥମେ ତାଙ୍କ ମାମୁଁ ଘରର ରାଜା ରଣପୁର ଦଳରେ ପଶି ରଣପୁରିଆ ଦଳକୁ ସୁହାଇଲା ପରି କବିତା ଗାନ କଲେ –

ପିଲା ଦଶ ଖଣ୍ଡ ଖଣ୍ଡକ ପଡା

ସରିସମ କାହୁଁ ନୂତନ ଗଢା

ମଣିନାଗ ଦୁର୍ଗା ପାଦୁକ ଚଢା

ନରେନ୍ଦ୍ର ଇନ୍ଦ୍ରରୁ ହୁଅନ୍ତି ବଢା ।

ଦଶପଲ୍ଲା ତ ଦଶ ଖଣ୍ଡ ଛୋଟ ଗାଁକୁ ନେଇ ଗଠିତ । ଖଣ୍ଡପଡା ସାମାନ୍ୟ ଖଣ୍ଡପଡା ଗାଁ ନୂଆ ଗଡର ନାଁରୁ ଜଣା ପଡୁଛି ନୂଆ ଗଢା କିନ୍ତୁ ମଣି ନାଗ ଦୁର୍ଗାଙ୍କ ସେବକ ନରେନ୍ଦ୍ର ପଦବୀ ଧାରୀ ଯେଉଁ ରାଜା, ସେତ ସାମାନ୍ୟ ରାଜା ନୁହଁନ୍ତି ଯେ ଏମାନଙ୍କ ସହିତ ସମାନ ହେବେ ସେ ଇନ୍ଦ୍ରଙ୍କ ଠାରୁ ମଧ୍ୟ ବହୁତ ବଡ ।

ରଣପୁର ରାଜା ଓ ତାଙ୍କ ଦଳ ଆନନ୍ଦରେ ବିଭୋର ହୋଇ ଉଠିଲେ । ରାଜା ନରେନ୍ଦ୍ର ନିଜର ରୂପା ପାନ ବଟାଟିକୁ ସଙ୍ଗେ ସଙ୍ଗେ କବି ଯଦୁମଣିଙ୍କୁ ଉପହାର ସ୍ୱରୂପ ଦେଇ ଦେଲେ ।

ତା’ପରେ କବି ଯଦୁମଣି ନିଜର ମାଉସୀ ଘର ରାଜା ଖଣ୍ଡପଡା ନିକଟରେ ପହଁଚି ଗାଇବାକୁ ଲାଗିଲେ ।

ଖଣ୍ଡ ପତନ ଏ ଦୁର୍ଗ ମଣ୍ଡନ

ମର୍ଦ୍ଦରାଜ ବର ରାଜା ଉତ୍ତମ

ରଣ ତ ବଣୁଆଁ ଯଶର ଯଶ

ପୁରୁଣାକୁ ନୂଆ ମୋଡନ୍ତି ନିଶ ।

ଅର୍ଥାତ୍ ଖଣ୍ଡପଡା ଦୂର୍ଗର ମଣ୍ଡଳକାରୀ ରାଜା ମର୍ଦ୍ଦରାଜ ଅତି ଉତ୍ତମ ରାଜା ଅଟନ୍ତି । ରଣପୁର ରାଜା ବଣୁଆ । ଦଶପଲ୍ଲା ରାଜା ଓ ରାଜ୍ୟର ଯଶ ନାହିଁ । ଖଣ୍ଡପଡା ରାଜାଙ୍କ ନିଶ ଆଗରେ ନୟାଗଡ ଅତି ତୁଚ୍ଛ ।

ଏ ପ୍ରକାର ପ୍ରଶଂସା ବାଣୀ ଶୁଣି ଖଣ୍ଡପଡାର ରାଜା କବି ଯଦୁମଣିଙ୍କୁ ନିଜର ଉତ୍ତରୀୟ ପାଟ ଚଦରଟି ପ୍ରଦାନ କରି ଦେଲେ । ତହୁଁ କବି ଯଦୁମଣି ନିଜ ଶ୍ୱଶୁର ଘର ରାଜା ଦଶପଲ୍ଲା ରାଜାଙ୍କ ନିକଟରେ ପହଁଚି ଗାନ କଲେ –

ଯଶ ପରାକ୍ରମ ଖଣ୍ଡକୁ ଚଣ୍ଡ

ନୂଆକୁ ନୃସିଂହ ରଣଙ୍କୁ ଷଣ୍ଢ

ନୀଳ ଲୋହିତ ପାଶୁପତ କାଣ୍ଡ

ନିହିତ ଶ୍ରୀକରେ ଅତି ପ୍ରଚଣ୍ଡ ।

                ଅର୍ଥାତ୍ ଦଶପଲ୍ଲା ରାଜାଙ୍କ ପରାକ୍ରମରେ ଖଣ୍ଡପଡା ପ୍ରତି ଅତି ପ୍ରଚଣ୍ଡ । ନୂଆଗଡ ପ୍ରତି ନୃସିଂହ ପରି ଭୟଙ୍କର । ରଣପୁର ପ୍ରତି ବୃଷଭ ପରି ବଳଶାଳୀ ଆଉ ମଧ୍ୟ ହୋଇ ପାରେ ଦଶପଲ୍ଲା ରାଜା ସୂର୍ଯ୍ୟ ବଂଶୀୟ ହୋଇ ଥିବା ଯୋଗୁଁ ଓ ରଣପୁର ରାଜା ଜାତିରେ ଛୋଟ ଥିବାରୁ ସେମାନେ ରଣପୁରରୁ କନ୍ୟା ଆଣନ୍ତି ମାତ୍ର କନ୍ୟା ଦିଅନ୍ତି ନାହିଁ । ଏଣୁ ଦଶପଲ୍ଲା ରାଜା ରଣପୁର ରାଜ୍ୟ ପ୍ରତି ବୃଷଭ ସଦୃଶ । ନୀଳ କଣ୍ଠ ମହାଦେବଙ୍କ କରୁଣାରୁ ମହାଦେବଙ୍କର ଅସ୍ତ୍ର ପରି ପ୍ରଚଣ୍ଡଶାଳୀ ଦଶପଲ୍ଲା ରାଜାଙ୍କ ପରି ଶକ୍ତିଶାଳୀ ରାଜା ଆଉ କେହି ନାହାଁନ୍ତି ।

                ଦଶପଲ୍ଲା ରାଜା ଆନନ୍ଦିତ ହୋଇ କବି ଯଦୁମଣିଙ୍କ ହାତକୁ ସୁବର୍ଣ୍ଣର କଙ୍କଣଟି ପ୍ରଦାନ କରି ଦେଲେ ।

ତାପରେ କବି ଯଦୁମଣି ଅତି ପ୍ରଫୁଲ ମନରେ ନିଜ ମାତୃଭୂମିର ରାଜା ମାନଧାତାଙ୍କ ପାଖରେ ପହଁଚି ଗାନ କଲେ –

                ଖଣ୍ଡା ଜଳ ଜଳ ଖଣ୍ଡପଡିଆ

                ହାଣଇ ମାରଇ ଦଶପଲ୍ଲିଆ

                କଉଡି ଗଣନ୍ତି ରଣପୁରିଆ

                ସୁବର୍ଣ୍ଣ ଗିନାରେ ଚନ୍ଦନ ଲଗାନ୍ତି

                ବିଘେଇଲ ପାଚ୍ଛା ନୂଆ ଗଡିଆ ।

ଅର୍ଥାତ୍ ଖଣ୍ଡପଡିଆ ମାନେ ବୀର ନୁହଁନ୍ତି, କେବଳ ଜକଜକ ଖଣ୍ଡା ଦେଖାଇ ଦୌଡନ୍ତି ସିନା ଯୁଦ୍ଧ ଜାଣନ୍ତି ନାହିଁ । ଦଶପଲ୍ଲା ମାନେ ହାଣନ୍ତି ମାରନ୍ତି ସିନା ଯୁଦ୍ଧ କୌଶଳ କ’ଣ ଜାଣନ୍ତି ନାହିଁ । ବିବେକ ହୀନ ନିଷ୍ଠୁର ମଧ୍ୟ । ରଣପୁରିଆ ମାନେ ବଡ ଲୋଭୀ ହାତରେ ଟଙ୍କା ଗଣି ରଖନ୍ତି । ମାତ୍ର ନୂଆ ଗଡ ରାଜା ଅତି ବିଳାସୀ ଏବଂ ମହାନ୍ ଥିବାରୁ ପୁଣି ବଘେଲ ବଂଶୀୟ ବାଦଶା ହେତୁ ସୁବର୍ଣ୍ଣ ଗିନାରେ ସୁବାସିତ ଚନ୍ଦନ ଲଗାଇ ଥାନ୍ତି ।

ନୟାଗଡ ରାଜାଙ୍କ ମୁହଁ ଶୁଖି ଯାଇ ଥିଲା । ଏ ପ୍ରକାର କବିତା ଶୁଣି ସେ ବିଶେଷ ଆନନ୍ଦିତ ହେଲେ । ସଙ୍ଗେ ସଙ୍ଗେ ସେ ତାଙ୍କ କଣ୍ଠ ଦେଶରୁ ସ୍ୱର୍ଣ୍ଣ ହାର ବାହାର କରି କବି ଯଦୁମଣିଙ୍କ ବେକରେ ଲମ୍ବାଇ ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ