ଯଦୁମଣି ରହସ୍ୟ

ଚମ୍ପା ଫୁଲେ ଦେଲା କଜ୍ଜଳ ବିନ୍ଦୁ

                ନୟାଗଡ ରାଜାଙ୍କ ରାଜ ସଭାକୁ ଜଣେ ସୁନ୍ଦରୀ ନର୍ତ୍ତକୀ ମଞ୍ଜୁଷାରୁ ଆସି ଥାନ୍ତି । ସେ ଯେପରି ଅସାମାନ୍ୟ ସୁନ୍ଦରୀ ସେହି ପରି ସୁଗାୟିକା ଓ କୁଶଳୀ ନର୍ତ୍ତକୀ ମଧ୍ୟ । କବି ସୂର୍ଯ୍ୟଙ୍କର ଚମ୍ପୁକୁ ଲାଳିତ୍ୟ ଭରା କଣ୍ଠରେ ଅପୂର୍ବ ତାନମାନରେ ସେ ଗାନ କରୁ ଥାନ୍ତି ।

                ନୃତ୍ୟ, ଗୀତ ଦେଖିବାକୁ ଓ ଶୁଣିବାକୁ ବହୁ ଲୋକ ପ୍ରତ୍ୟେହ ରାଜ ଦରବାରରେ ଜମା ହେଉ ଥାନ୍ତି । ରାଜା ମଧ୍ୟ ନର୍ତ୍ତକୀର ଅପରୂପ କଳା କୁଶଳତାରେ ମୁଗ୍ଧ ହୋଇ ଗଲେ । ରାଜାଙ୍କ ମନୋଭାବ ଲକ୍ଷ୍ୟ କରି ରାଜ ପରିଷଦ ମଧ୍ୟରୁ ଜଣେ ପଣ୍ଡିତ ସେହି ନର୍ତ୍ତକୀ ବିଷୟରେ ପଦେ କବିତା ରଚନା କରି ଅବଶିଷ୍ଟ ପାଦ ପୂରଣ କରିବା ନିମନ୍ତେ ଆହ୍ୱାନ କଲେ –

                ପଦଟି ହେଲା –

                                                                ଏହା ଭାବି ବନ୍ଧୁ

                                                ଚମ୍ପା ଫୁଲେ ଦେଲା କଜ୍ଜଳ ବିନ୍ଦୁ । ।

                ନର୍ତ୍ତକୀ ଚମ୍ପା ଫୁଲ ଭଳି ଗୋରୀ, କପାଳରେ କଜ୍ଜଳ ବିନ୍ଦୁଟିଏ ଧାରଣ କରି ଥାଏ । କବି ଯଦୁମଣି ସଙ୍ଗେ ସଙ୍ଗେ ପାଦ ପୂରଣ କରିବାକୁ ଯାଇ ଗାଇଲେ –

                                “ରାଜା ପୂର୍ଣ୍ଣ ମୁଖୀ ବିଚାରେ ମନ

                                ଭ୍ରମର ଏ ପୁଷ୍ପ ନକରେ ପାନ

                                ଚଟୁଳ ସ୍ତନା ଏମନ୍ତ ବିଚାରେ

                                ଦେଖିବାତ ଦେଖି କି ଶୋଭା ଧରେ

                                                ଏହା ଭାବି ବନ୍ଧୁ

                                ଚମ୍ପା ଫୁଲେ ଦେଲା କଜ୍ଜଳ ବିନ୍ଦୁ । ।”

ନର୍ତ୍ତକୀର ନୃତ୍ୟ ଓ ରୂପରେ ରାଜା ମୁଗ୍ଧ ହୋଇ ଥିଲେ ସୁଦ୍ଧା ହାର ରଙ୍ଗ ଭୋଗ ନିମନ୍ତେ ଲାଳାୟିତ ନ ଥିଲେ । କାରଣ ତା’ପରି ସୁନ୍ଦରୀ ରାଜ ଅନ୍ତଃପୁରରେ ଯଥେଷ୍ଟ ମହଜୁଦ୍ ଥିଲେ ।

ପଣ୍ଡିତେ ତାହା ଅନୁଭବ କରି ପଦ ପୂରଣ ନିମନ୍ତେ ଆହ୍ୱାନ୍ କରି ଛନ୍ତି । କବି ଯଦୁମଣି ବହୁ ପୂର୍ବରୁ ତାହା ଅନୁଭବ କରି ପାରି ଥିଲେ । ଏଣୁ ସେ ସଙ୍ଗେ ସଙ୍ଗେ ଏପରି ପାଦ ପୂରଣ କରି ପାରି ଥିଲେ ।

ପଣ୍ଡିତେ ଖୁସି ହୋଇ କବି ଯଦୁମଣିଙ୍କୁ କୋଳାଗ୍ରତ କରି ଥିଲେ ।

ରାଜା ମଧ୍ୟ କବି ଯଦୁମଣିଙ୍କର ଉପସ୍ଥିତ ବୁଦ୍ଧି ଦେଖି ଖୁସି ହେଲେ ଓ ତାଙ୍କୁ ଧନ୍ୟ ଧନ୍ୟ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ